ଟ୍ୟୁଶନ ଫି ମାଗିବାରୁ ସାର୍‌ଙ୍କ ପୁଅଙ୍କୁ ହତ୍ୟା

ଖୋର୍ଦ୍ଧା, ୨।୧୧(ପ୍ରଭାତ ପାଣିଗ୍ରାହୀ): ଜଟଣୀ ଥାନା ବେଣାପଞ୍ଜୁରୀ ନବମ ଶ୍ରେଣୀ ଛାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ଟ୍ୟୁଶନ ଫି କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ବୋଲି ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶୁଭମ ଘରେ ଏକାକୀ ବସି ପାଠ ପଢୁଥିବା ବେଳେ ଜନୈକ ଯୁକ୍ତ ଦୁଇ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଘରୁ ୟୁନିଫର୍ମ ଓ ଗୋଟିଏ ବ୍ୟାଗ ଜବତ କରିଛି। ଅଭିଯୁକ୍ତ ସେଠାରେ ତାଙ୍କ ବାପାଙ୍କ ନିକଟରେ ଟ୍ୟୁଶନ ହେଉଥିଲେ। ମୃତ ନାବାଳକଙ୍କ ବାପା ମାଆ ଊଭୟ ଟ୍ୟୁଶନ କରିଛନ୍ତି। ଅଭିଯୁକ୍ତଙ୍କ ୩ରୁ ୫ହଜାର ଟଙ୍କା ଟ୍ୟୁଶନ ଫି ବାବଦ ବାକି ଥିଲା। ବାରମ୍ବାର ମାଗିବାରୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଥିବା ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଥିବା ଡିସିପି ଗଣମାଧ୍ୟମକୁ କହିଛନ୍ତି। ଅନ୍ୟପଟେ ଡିସିପି୍‌ଙ୍କ ଏହି ବୟାନକୁ ଗ୍ରହଣ କରି ପାରୁନାହାନ୍ତି ମୃତକ ବାପା ମନୋଜ ପାଲଟାସିଂ। ସେ କହିଛନ୍ତି, ଡିସିପି ବୟାନ ଉପରେ ମୋର ବିଶ୍ବାସ ହେଉନାହିଁ। ଜଣେ ୩ହଜାର ଟଙ୍କା ପାଇଁ କିପରି ଜଣଙ୍କୁ ମାରିଦେବ। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବାପା ମନୋଜ।

ମନୋଜ ଆହୁରି କହିଛନ୍ତି, ୨୦୨୨ରୁ ସେ ଯୁବକ ମୋ ପାଖରେ ଟ୍ୟୁଶନ ହେଉନାହିଁ। ପୁଣି ସେ ମୋର ଦୂର ସମ୍ପର୍କିୟ ହୋଇଥିବାରୁ ତାଙ୍କୁ କେବେ ଟଙ୍କା ମାଗିନାହିଁ। ବାକି ଟଙ୍କା କଥା ବି ମୋର ମନେ ନାହିଁ।
ସେପଟେ ମନୋଜଙ୍କ ସ୍ବର ମିଳାଇଛନ୍ତି ସ୍ଥାନୀୟ ଲୋକେ। ଟ୍ୟୁଶନ ଫି ବାବଦକୁ ନେଇ ହତ୍ୟାକାଣ୍ଡ ଘଟଣାକୁ କେତେଜଣ ଗ୍ରାମବାସୀ ଅସ୍ବୀକାର କରିଛନ୍ତି। ମନୋଜଙ୍କ ନିକଟରେ ବହୁ ଛାତ୍ରୀଛାତ୍ର ପାଠପଢିଛନ୍ତି। ଭଲ ପାଠପଢା ପାଇଁ ତାଙ୍କ ସୁନାମ ରହିଛି। ସେ କେବେ ଟ୍ୟୁଶନ ଫି ମାଗନ୍ତି ନାହିଁ। ପିଲା ମାନେ ନିଜେ ଦିଅନ୍ତି ବୋଲି କେତେଜଣ ଅଭିଭାବକ କହିଛନ୍ତି। ତେବେ ଏହି ଘଟଣାକୁ ଗୁରବାର ପୋଲିସ ସାଇଣ୍ଟିଫିକ ଟିମ୍‌ ଆହୁରି ତଦନ୍ତ କରିଛି।