୧୪ ବର୍ଷ ହେଲା ପାଇପ୍‌ ପାଣିରୁ ବଞ୍ଚିତ ୩ ଗାଁ

ବୋଲଗଡ଼,୧୭।୫(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ, ସେନେଇ ସରକାର ବିଭିନ୍ନ ଯୋଜନା କରିବା ସହ ପଦକ୍ଷେପ ନେଉଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରି ନଳକୂପ ଖନନ ଏବଂ ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଏହି ସୁବିଧା ଉପଲବ୍ଧ କରାଇଥା’ନ୍ତି। ତେବେ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ ଅଞ୍ଚଳରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ପଞ୍ଚାୟତର କନ୍ତାଇଲୋ, ଦୁର୍ଗାପୁର ଏବଂ ହରେକୃଷ୍ଣପୁର ଗ୍ରାମବାସୀ ୧୪ବର୍ଷ ହେବ ପାଇପ୍‌ ପାଣି ପାଇବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ପିଇବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଉକ୍ତ ଗ୍ରାମଗୁଡ଼ିକୁ ପାଇପ୍‌ ଯୋଗେ ପୁନଃ ପାନୀୟଜଳ ଯୋଗାଣ କରାଯିବାକୁ ଗ୍ରାମବାସୀ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି।
ବ୍ଲକ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର ମାଣିକପୁରଠାରେ ୨୦୦୮ରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା। ଉକ୍ତ ପ୍ରକଳ୍ପରୁ ଉପରୋକ୍ତ ୩ ଗଁା ସମେତ ମାଣିକପୁରକୁ ପାନୀୟଜଳ ଯୋଗାଣ ହୋଇଥିଲା। ପ୍ରାୟ ୬ମାସ ପରେ କୌଣସି ଠାରେ ପାଇପ୍‌ ଫାଟିଯିବାରୁ ଉକ୍ତ ୩ ଗ୍ରାମକୁ ଜଳଯୋଗାଣ ବ୍ୟାହତ ହୋଇଥିଲା। ତେବେ ଏହି ପ୍ରକଳ୍ପରୁ ମାଣିକପୁର ଗ୍ରାମକୁ ଜଳଯୋଗାଣ ହେଉଥିଲେ ମଧ୍ୟ କନ୍ତାଇଲୋ, ଦୁର୍ଗାପୁର ଓ ହରେକୃଷ୍ଣପୁର ଗ୍ରାମକୁ ଅଦ୍ୟାବଧି ଜଳଯୋଗାଣ ବ୍ୟାହତ ହୋଇ ରହିଛି। ଫଳରେ ଉକ୍ତ ୩ ଗ୍ରାମର ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ କନ୍ତାଇଲୋ ଗ୍ରାମର ମଠ ସାହିରେ ଥିବା ଏକ ନଳକୂପ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁନାହିଁ। ବିଶେଷକରି ଖରାଦିନେ ଏହି ସାହିର ଲୋକେ ଅନ୍ୟ ସାହିର ନଳକୂପ ଉପରେ ନିର୍ଭର କରୁଛନ୍ତି। କେତେଜଣ ଖୋଲାକୂଅରୁ ପାନୀୟଜଳ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଏହି ସାହିର ଦୋଳମଣ୍ଡପଠାରେ ରହିଛି ଗୋଟିଏ ନଳକୂପ। ତେବେ ଏହି ନଳକୂପରୁ ପାଣି ଠିକ୍‌ଭାବେ ବାହାରୁ ନାହଁି। ଯାହା ବି ପାଣି ବାହାରୁଛି ତାହା ଲୌହଗୁଣ୍ଡଯୁକ୍ତ ହୋଇଥିବାରୁ ଲୋକେ ପାଣି ପିଇବା ପାଇଁ ହଇରାଣ ହେଉଛନ୍ତି। ସେହିପରି ସାହିର ଦକ୍ଷିଣ ପାର୍ଶ୍ୱରେ ଥିବା କନ୍ତାଇଲୋ ଗ୍ରାମ ସାନମଠଠାରେ ଥିବା ନଳକୂପଟି ପ୍ରାୟ ୩୦ବର୍ଷ ତଳର ହୋଇଥିବାବେଳେ ଏଠାରେ ବାହାରୁଥିବା ଜଳ ପାନୀୟ ଉପଯୋଗୀ ନୁହେଁ। ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ପୁନଃ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ତୁରନ୍ତ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏନେଇ ବୋଲଗଡ଼ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସୁନିଲ ପାଢ଼ୀ କହିଛନ୍ତି, ସମ୍ପୃକ୍ତ ଅଞ୍ଚଳରେ ଭୂତଳ ଜଳସ୍ତର ପର୍ଯ୍ୟାପ୍ତ ନ ଥିବାରୁ ଏପରି ହୋଇଛି। ନଳକୂପ ଜଳର ନମୁନା ପରୀକ୍ଷଣ ପଠାଯାଇଛି। ଖୁବ୍‌ଶୀଘ୍ର ମହାନଦୀରୁ ମେଗା ପାନୀୟଜଳ ପ୍ରକଳ୍ପ ମାଧ୍ୟମରେ ଜଳଯୋଗାଣ କରାଯିିବ, ଫଳରେ ଅଞ୍ଚଳର ପାନୀୟଜଳ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ସେ କହିଛନ୍ତି।