ମାଠିଆ ଗଡୁଛି, ପାଣି ନାହିଁ

ଖୋର୍ଦ୍ଧା ଅଫିସ,୨୨।୪: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ଦଶରୁ ଊର୍ଦ୍ଧ୍ୱ ସହରର ତାପମାତ୍ରା ବଢି ଚାଲିଛି। ତାପମାତ୍ର ଦୈନିକ ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଜିଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କୌଣସି ଶ୍ରମିକ କାମ କରିବେ ନାହିଁ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିଲା। ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୋଠା ନିର୍ମାଣରେ ଶ୍ରମିକମାନେ କାମ କରୁଥିବା ଦେଖିବାକୁ ମିଳିଛି। ସେହିଭଳି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଜାରି ରହିଛି। ଏଠି ମଧ୍ୟ ଖରାରେ ଶ୍ରମିକ ମାନେ ବିନା କୌଣସି ସୁରକ୍ଷାରେ କାମ କରଛନ୍ତି। ଜାତୀୟ ରାଜପଥରେ ଜଳ କିଓସ୍କି ଏବଂ ନିର୍ମାଣ ସ୍ଥଳରେ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳ ବ୍ୟବସ୍ଥା ଲାଗି ନିର୍ଦ୍ଦେଶ ସତ୍ତ୍ୱେ ଏହା ପ୍ରହସନରେ ପରିଣତ ହୋଇଛି। ଜାତୀୟ ରାଜପଥରେ ଜଟଣୀ ଗେଟଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଜାରି ରହିଛି। କେବଳ ସରକାରୀ କାଗଜକଲମରେ ନିର୍ଦ୍ଦେଶନାମା ଜାରି କରି ପ୍ରଶାସନିକ ଅଧିକାରୀ ଚୁପ ବସିଛନ୍ତି। ସେହିପରି ସହରରେ ସବୁଠି କୋଠାବାଡି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଶ୍ରମିକମାନେ ବିପଦଜ୍ଜନକ ଭାବେ କାମ କରୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ଗାଇଡଲାଇନକୁ ପାଳନ କରାଯାଉନାହିଁ। କୌଣସି ଠିକା ସଂସ୍ଥା ପକ୍ଷରୁ ସାଧାରଣ ପାନୀୟଜଳ ବ୍ୟବସ୍ଥା ମଧ୍ୟ କରାଯାଉନଥିବା ଏକାଧିକ ଶ୍ରମିକ ଗଣମାଧ୍ୟମ ଆଗରେ କହିଛନ୍ତି। ଖୋର୍ଦ୍ଧା ସହରର ଟ୍ରାଫିକ ଛକଠାରୁ ନୂଆବସଷ୍ଟାଣ୍ଡ, ପୁରୁଣା ବସଷ୍ଟାଣ୍ଡ, ନୟାଗଡ ରାସ୍ତା, ମାରୱାଡି ପଟି, ଗୋଡି ପୋଖରୀ, ମୁକୁନ୍ଦପ୍ରସାଦ ଜନଗହଳି ଲାଗି ରହୁଛି। ଏଠାରେ କୌଣସି ସ୍ଥାନରେ ପୌର ପ୍ରଶାସନ ପକ୍ଷରୁ ପାନୀୟଜଳର ବ୍ୟବସ୍ଥା କରାଯାଇନାହିଁ। କେବଳ ଡାକବଙ୍ଗଳା ଏବଂ ନୂଆବସଷ୍ଟାଣ୍ଡ, ଗୁରୁଜଙ୍ଗ, ମୁକନ୍ଦପ୍ରସାଦ, ଜିଲାପାଳଙ୍କ କାର୍ଯ୍ୟାଳୟ ଫ୍ଲାଏଓଭର ବ୍ରିଜରେ ଏକ ଟେଣ୍ଟ ହାଉସ ତଳେ ଦୁଇଟି ପାଣି ମାଠିଆ ରହିଛି। ସକାଳେ ପାଣି ଭରି ଦେବା ପରେ ପୂର୍ବାହ୍ନରେ କାହାରିକୁ ଦେଖିବାକୁ ମିଳୁନାହିଁ। କୋଭିଡ କଟକଣା ହଟିବା ପରେ ବହୁ ଦୁରାନ୍ତରୁ ଲୋକେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଛନ୍ତି। ଏଠାରେ ଲୋକଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା ନାହିଁ। ବସଷ୍ଟାଣ୍ଡ ସମେତ ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି। ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ଅଭିଯୋଗକାରୀ ପାଣି ପାଇଁ ଡହଳବିକଳ ହେଉଛନ୍ତି।