ଧାନ ଫସଲରେ ପୋକ, ଚିନ୍ତାରେ ଚାଷୀ

ବେଗୁନିଆ,୨୮।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ହୋଇଥିବା ଧାନ ଫସଲରେ ରୋଗ ଓ ପୋକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଏଥିଯୋଗୁ କ୍ଷେତରେ ହେକ୍ଟର ହେକ୍ଟର ଧାନ ଫସଲ ଉଜୁଡି ଯିବାକୁ ବସିଛି। ଫଳରେ ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ କେତେବେଳେ ନିଅଣ୍ଟିଆ ବର୍ଷା ତ ଆଉ କେତେବେଳେ ରୋଗ, ପୋକ ଦାଉ ସାଧୁଛି। ଫଳରେ ଚାଷ ପ୍ରତି ଚାଷୀ ବିମୁଖ ହେବାରେ ଲାଗିଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ପ୍ରତିକାର ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।
କି, ଚଳିତ ଖରିଫ ଋତୁରେ ଏହି ବ୍ଲକ ଅଞ୍ଚଳରେ ୨୫୭୫ ହେକ୍ଟର ଜମିରେ ଧାନ ବୁଣ ସେହିପରି ୮୩୬୬ ହେକ୍ଟର ଜମିରେ ଧାନ ତଳି ରୁଆପୋତା ଯାଇଛି। ଅଧିକ ଅମଳ ପାଇଁ ଚଳିତ ବର୍ଷ ପ୍ରାୟ ୧୫୦ ହେକ୍ଟର ଜମିରେ ହାଇବ୍ରିଡ ଧାନ ଫସଲ କରାଯାଇଛି। ହେଲେ ଭାଦ୍ରବ ଶେଷ ଆଶ୍ୱିନ ମାସ ଆରମ୍ଭ ବେଳ ଧାନ ଫସଲ ପାଇଁ ଉପଯୁକ୍ତ ସମୟ। ତେବେ ଫସଲରେ ଏବେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସହ ପୋକ ଲାଗିଲେଣି। ବିଶେଷକରି ଖାଲୁଆ ଜମିରେ ହୋଇଥିବା ଧାନ ଫସଲରେ ମହିମା, ପତ୍ରପୋଡ଼ା, ଆଛାଦ ପଚା, ମୂଳଶଢା ଆଦି ରୋଗ ଦେଖାଦେଇଥିବା ଦେଖିବାକୁ ମିଳିଛି। ସେହିପରି ଆଉ କେତେଜଣ ଚାଷୀଙ୍କ ଫସଲରେ ଝିଣ୍ଟିକା, ନଳୀପୋକ, ଛଗୋଡିଆ, ମାଟିଆଗୁଣ୍ଡି ଆଦି ପୋକ ଲାଗିଲେଣି। ତେବେ ମାତ୍ରାଧିକ ରାସାୟନିକ ସାର ପ୍ରୟୋଗ ଯୋଗୁ ଏଭଳି ରୋଗ ସୃଷ୍ଟି ହେଉଛି ବୋଲି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସ୍ଥାନୀୟ କୃଷି ଅଧିକାରୀ ଓ କର୍ମଚାରୀ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରାଇବା ଲାଗି ଗୁରୁତ୍ୱ ଦେବା ଆବଶ୍ୟକ। ସେହିପରି ଚାଷୀମାନେ ଜୈବିକ ସାର ପ୍ରୟୋଗ ଉପରେ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି କୃଷି ବିଶେଷଜ୍ଞ ମତ ଦେଇଛନ୍ତି। ମାତ୍ର ଏଯାଏ ସ୍ଥାନୀୟ କୃଷି ଅଧିକାରୀ ଚାଷୀଙ୍କ ନିକଟତର ହୋଇନାହାନ୍ତି ବୋଲି ଚାଷୀ ମଦନ ମୋହନ ସାହୁ, ପ୍ରେମାନନ୍ଦ ମହାନ୍ତି, ଭାଗୀରଥି ପରିଡା, ରମାକାନ୍ତ ଦେହୁରୀ କହିଛନ୍ତି। ଅନ୍ୟପକ୍ଷରେ ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ କୁହନ୍ତି, ଚାଷୀମାନେ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ। ବିଭିନ୍ନ ପ୍ରକାରର ଔଷଧ ସବ୍‌ସିଡି ମାଧ୍ୟମରେ ଚାଷୀଙ୍କୁ ଯୋଗାଇଦେବାକୁ ବ୍ୟବସ୍ଥା କରାଯାଇଛି। ବିଭାଗୀୟ କର୍ମଚାରୀଙ୍କ ସହିତ ଚାଷୀମାନେ ଯୋଗାଯୋଗ କଲେ ପ୍ରତିକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।