କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳମନ୍ତ୍ରୀ କେବଳ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ କରନ୍ତି। ପୂର୍ବ ସରକାରଙ୍କ ସମୟରେ ରେଳବିଭାଗର ଅନେକ କାର୍ଯ୍ୟ ଅଟକି ରହିଥିଲା। କିନ୍ତୁ ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ ପଶ୍ଚିମବଙ୍ଗ ଏକ ବିକଶିତ ରାଜ୍ୟ ହେବା ସହ ଦେଶର ଏକ ନମ୍ବର ରାଜ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଶୁଭେନ୍ଦୁ ଅଧିକାରୀ ନିବେଶକମାନଙ୍କୁ ପଶ୍ଚିମବଙ୍ଗରେ ନିବେଶ କରିବାକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଉଦ୍ୟୋଗପତିମାନେ ରାଜ୍ୟକୁ ଆସି ନିବେଶ କରନ୍ତୁ। ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଜମି ଓ ଆଇନଗତ ବ୍ୟବସ୍ଥା ଯୋଗାଇଦେବା ଦିଗରେ ସରକାର ସହଯୋଗ କରିବେ। ରାଜ୍ୟରେ ଅଧିକ ରେଳ ଶିଳ୍ପ ପ୍ରତିଷ୍ଠା କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ଗଙ୍ଗାସାଗରକୁ ରେଳ ସଂଯୋଗ ଯୋଗାଇଦେବା ପ୍ରସଙ୍ଗ ଉଠାଇ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ଗଙ୍ଗାସାଗରରେ ପହଞ୍ଚିବା ପାଇଁ ରେଳବିଭାଗର ଆବଶ୍ୟକତା ରହିଛି। ଏହି ଅଞ୍ଚଳରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ସେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗଙ୍ଗାସାଗରକୁ ରେଳ ମାନଚିତ୍ରରେ ସାମିଲ କରିବାକୁ ଅନୁରୋଧ କରିବେ ବୋଲି କହିଛନ୍ତି। ଏହା ଏକ ପ୍ରମୁଖ ଧାର୍ମିକ ତୀର୍ଥସ୍ଥଳ ହୋଇଥିବାରୁ ଏଠାକୁ ରେଳ ସଂଯୋଗ ହେଲେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯାତାୟାତ ସହଜ ହୋଇପାରିବ।
ଗଙ୍ଗାସାଗର ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଅବସ୍ଥିତ ଏକ ପ୍ରମୁଖ ହିନ୍ଦୁ ତୀର୍ଥସ୍ଥଳ। ଏଠାରେ କପିଳ ମୁନିଙ୍କ ଆଶ୍ରମ ରହିଛି। ପ୍ରତିବର୍ଷ ମକର ସଂକ୍ରାନ୍ତି ଅବସରରେ ଏଠାରେ ପ୍ରସିଦ୍ଧ ଗଙ୍ଗାସାଗର ମେଳା ଆୟୋଜିତ ହୁଏ। ଏହି ମେଳାରେ ପବିତ୍ର ସ୍ନାନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏଠାରେ ଗଙ୍ଗା ନଦୀର ଭାଗୀରଥୀ-ହୁଗୁଳି ଶାଖା ବଙ୍ଗୋପସାଗରରେ ମିଶିଛି। ଗଙ୍ଗାସାଗର ପାଇଁ ସିଧାସଳଖ ରେଳ ସେବା ନଥିବାରୁ ଯାତ୍ରୀମାନଙ୍କୁ ଯାତାୟାତରେ ଅସୁବିଧା ହୋଇଥାଏ।
ଗଙ୍ଗାସାଗରକୁ ରେଳ ସଂଯୋଗ ମିଳିଲେ ଶ୍ରଦ୍ଧାଳୁଙ୍କ ଯାତ୍ରା ଅଧିକ ସୁବିଧାଜନକ ହେବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରିବ। ଏହା ଦ୍ୱାରା ଗଙ୍ଗାସାଗର ମେଳାର ଆୟୋଜନ ଓ ପରିଚାଳନାକୁ ଆହୁରି ବ୍ୟାପକ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଏହାର ପରିଚୟ ବଢ଼ାଇବାର ସୁଯୋଗ ସୃଷ୍ଟି ହୋଇପାରେ।
Dharitri – Odisha’s No.1 Odia Daily

