ଲାହୋର,୨୬।୧୦: ଖରାପ ଫର୍ମ ଦେଇ ଗତି କରୁଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରାଇ ସିରିଜ୍ରେ ମିଳିଛି ବଡ଼ ଆଶ୍ୱସ୍ତି। ସୋମବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଇଂଲଣ୍ଡକୁ ମାତ୍ର ୧ ଉଇକେଟ୍ରେ ପରାସ୍ତ କରିଛି। ଏହି ରୋମାଞ୍ଚକର ବିଜୟର ନାୟକ ସାଜିଛନ୍ତି ଶାଦାବ ଖାନ। ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ସେ ୯୬ଟି ବଲ୍ରୁ ୧୩ଟି ଚୌକା ଓ ୫ଟି ଛକା ସହ ୧୧୩ ରନ୍ର ଦମ୍ଦାର ଇନିଂସ ଖେଳି ଦଳକୁ ପରାଜୟ ମୁହଁରୁ ଟାଣି ଆଣିଥିଲେ। କେବଳ ମ୍ୟାଚ ଜିତାଇ ନାହାନ୍ତି ଶାଦାବ, ବରଂ ହାରିସ ରୌଫଙ୍କ ସହ ମିଶି ଦିନିକିଆ କ୍ରିକେଟ୍ରେ ଦଶମ ଉଇକେଟ ପାଇଁ ଅପରାଜିତ ୮୯ ରନ୍ର ଭାଗୀଦାରି କରି ଏକ ବିଶେଷ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି।
ଇଂଲଣ୍ଡ ବିପକ୍ଷରେ ପାକିସ୍ତାନର ସ୍ଥିତି ଏକ ସମୟରେ ଅତ୍ୟନ୍ତ ଖରାପ ଥିଲା। ଦଳର ପରାଜୟ ପ୍ରାୟ ନିଶ୍ଚିତ ମନେ ହେଉଥିବା ବେଳେ ଶାଦାବ ଖାନ ଅସାଧାରଣ ବ୍ୟାଟିଂ କରି ମ୍ୟାଚ୍ର ଗତି ବଦଳାଇ ଦେଇଥିଲେ। ଶେଷ ଉଇକେଟ ପାଇଁ ହାରିସଙ୍କ ସହ ମିଶି ସେ ୮୦ଟି ବଲ୍ରେ ଅପରାଜିତ ୮୯ ରନ ଯୋଡ଼ିଥିଲେ। ଏହି ଭାଗୀଦାରିରେ ଶାଦାବଙ୍କ ଅବଦାନ ଥିଲା ୮୨ ରନ। ଏତେ ଚାପପୂର୍ଣ୍ଣ ପରିସ୍ଥିତିରେ ଦଶମ ଉଇକେଟ ପାଇଁ ଏଭଳି ଭାଗୀଦାରି କରିବା ଦଳର ବିଜୟରେ ନିର୍ଣ୍ଣାୟକ ହୋଇଥିଲା।
ଏହା ପୂର୍ବରୁ ଦଶମ ଉଇକେଟ୍ରେ ବଡ଼ ଭାଗୀଦାରିର ଏକ ଉଲ୍ଲେଖନୀୟ ରେକର୍ଡ ୧୯୭୫ରେ ୱେଷ୍ଟଇଣ୍ଡିଜ୍ର ଡାରିଲ ମରେ ଓ ଆଣ୍ଡି ରବର୍ଟସଙ୍କ ନାମରେ ଥିଲା। ଏବେ ଶାଦାବ ଖାନ ଓ ହାରିସ ୮୯ ରନ୍ର ଭାଗୀଦାରି ଏହି ରେକର୍ଡକୁ ପଛରେ ପକାଇଛି।
ଭାରତ ପକ୍ଷରୁ ଏମଏସ ଧୋନୀ ଓ ଈଶାନ୍ତ ଶର୍ମା ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ଦଶମ ଉଇକେଟ ପାଇଁ ୨୧ ରନ ଯୋଡ଼ିଥିଲେ। ଏହି ଭାଗୀଦାରି ଚତୁର୍ଥ ସ୍ଥାନରେ ରହିଛି।
Dharitri – Odisha’s No.1 Odia Daily

