ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): ଆଜିର ଶିଶୁ କାଲିର ଭବିଷ୍ୟତ ସେମାନଙ୍କ ସାମାଜିକ ସୁରକ୍ଷା ନିହାତି ଆବଶ୍ୟକ। ବାଲ୍ୟ ବିବାହ, ବାଲ୍ୟ ଶ୍ରମିକକୁ ରୋକିବା ସହ ଯୌନ ଉତ୍ପୀଡ଼ନ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ସଚେତନ କରାଯାଇଛି। ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଉମେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଝିଞ୍ଜିରୀଗୁଡା ପଞ୍ଚାୟତର ଉଲିପଦର ସେବାଶ୍ରାମ ସମେତ ଦାରିଙ୍ଗବାଡିର ବାଳିକା ଉଚ୍ଚ ବିଦ୍ୟାଳୟ ଓ ଗ୍ରୀନବାଡିରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିରୋଧ ଓ ବାଲ୍ୟ ଶ୍ରମିକ କାହାକୁ କୁହାଯାଏ ସେଥିପାଇଁ ଛାତ୍ରୀଛାତ୍ରମାନଙ୍କ କ’ଣ କ୍ଷତି ରହିଛି ଓ ଏଥିପାଇଁ କଣ ଆଇନ ରହିଛି ସେ ସମ୍ପର୍କରେ ରିସର୍ସପର୍ସନମାନେ କହିଥିଲେ। ସେହିପରି ଯୌନ ନିର୍ଯାତନା କଣ ଏବଂ ସେମାନେ କିଭଳି ଆଇନର ଆଶ୍ରୟ ନେବେ ସେ ନେଇ ସଚେତନ କରାଯାଇଛି । ସେହିପରି ସାଇବର କ୍ରାଇମ ସମ୍ପର୍କରେ ମଧ୍ୟ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଛି । ଏହାକୁ ବାଲିଗୁଡା ଏସଡିପିଓ ରମେନ୍ଦ୍ର ପ୍ରସାଦ ଙ୍କ ତତ୍ତ୍ୱାବଧାନରେ କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟରୁ ମହିଳା ଇନ୍ସପେକ୍ଟର ଦୀପିକା ରାୟ,ଗେଲି କୁମାରୀ ସାହୁ, ଶାନ୍ତିମୈତ୍ରୀ ସ୍ବେଛାସେବୀ ର ସମ୍ପାଦକ ଭଗବାନ ଜେନା, ଦାରିଙ୍ଗବାଡି ସବଇନ୍ସପେକ୍ଟର ଜୟନ୍ତ କୁମାର ସେଠି, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି ପ୍ରମୁଖ ସଚେତନ କରିଥିଲେ। କାର୍ଯ୍ୟକ୍ରମକୁ ଉଲିପଦର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ବେହେରା, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ଜେନା ଏବଂ ଗ୍ରୀନବାଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ବେହେରା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


