ଅଜବ ଖାଦ୍ୟାଭ୍ୟାସ

ଶରୀର ପାଇଁ ଖାଦ୍ୟର ଆବଶ୍ୟକତା ଆଉ ସୁସ୍ଥ ଶରୀର ଲାଗି ସୁଷମ ଖାଦ୍ୟ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବଞ୍ଚତ୍ବା ପାଇଁ ସୁଷମ ଖାଦ୍ୟ ବଦଳରେ ଜରି, ମାଟି, ଗୋଡ଼ି, ପ୍ଲାଷ୍ଟିକ୍‌ ଆଦିକୁ ବି ସାମିଲ କରିଛନ୍ତି ଖାଦ୍ୟରେ…

ପ୍ରତ୍ୟେକ ବ୍ୟକ୍ତିଙ୍କର ଖାଦ୍ୟାଭ୍ୟାସ ପ୍ରତ୍ୟେକଙ୍କ ଠାରୁ କିଛିଟା ଅଲଗା। ଏହି ଭିନ୍ନତା ବିଭିନ୍ନ ରାଜ୍ୟ ତଥା ଦେଶ ଭିତରେ ଅଧିକା ଦେଖିବାକୁ ମିଳିଥାଏ। କିନ୍ତୁ ସବୁ ପରେ ବି ସମସ୍ତେ ସୁଷମ ତଥା ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ ଏମିତି ବି କିଛି ଅଜବ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଖାଦ୍ୟ ବଦଳରେ ଅଖାଦ୍ୟ ଖାଇବାକୁ ବେଶୀ ପସନ୍ଦ କରନ୍ତି। ଆଉ ଏହା କେବଳ ସେମାନେ ବେଳେବେଳେ ଖାଆନ୍ତି ନାହିଁ ବରଂ ଏହା ହିଁ ସେମାନଙ୍କର ଖାଦ୍ୟାଭ୍ୟାସ ଓ ଏମିତି ଖାଇ ହିଁ ସେମାନେ ବଞ୍ଚନ୍ତି। ଯେମିତିକି:

ଇଟା, ପଥର ଖାଉଥିବା ବ୍ୟକ୍ତି : କର୍ଣ୍ଣାଟକସ୍ଥିତ ଏକ ଗାଁର ବାସିନ୍ଦା ହେଲେ ପକ୍କିରପ୍ପା ହୁନାଗୁଣ୍ଡି। ସାଧାରଣ ବ୍ୟକ୍ତିଙ୍କ ପରି ଦେଖାଯାଉଥିଲେ ହେଁ ତାଙ୍କର ରହିଛି ଏକ ଅଜବ ଖାଦ୍ୟାଭ୍ୟାସ। ସେ ଇଟା, ପଥର, ଗୋଡ଼ି ଆଦି ଖାଇବାକୁ ଖୁବ୍‌ ଭଲ ପାଇଥାନ୍ତି। ତାଙ୍କୁ ଯେତେବେଳେ ମାତ୍ର ୧୦ ବର୍ଷ ବୟସ ହୋଇଥିଲା, ସେବେଠାରୁ ସେ ଏସବୁ ଖାଇବା ଆରମ୍ଭ କରିଥିଲେ। ତାଙ୍କର ଏଭଳି ଅଜବ ଖାଦ୍ୟାଭ୍ୟାସ ଦେଖି ଘର ଲୋକେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ବିଶେଷକରି ତାଙ୍କ ମା’ ତାଙ୍କୁ ଏଥିରୁ ନିବୃତ କରିବାକୁ ବହୁତ ଚେଷ୍ଟା କରିଥିଲେ। ତାଙ୍କୁ ସିଏ ଯେତେ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରି ଖାଇବାକୁ ଦେଲେ ବି ପକ୍କିରପ୍ପା କିନ୍ତୁ ତାକୁ ନ ଖାଇ ଇଟା, ପଥର ଖାଇବାକୁ ଅଧିକ ପସନ୍ଦ କରୁଥିଲେ। ଏହା ତାଙ୍କର କ୍ରମେ ଅଭ୍ୟାସରେ ପରିଣତ ହୋଇଗଲା। ସେ ଏପରି ଭିନ୍ନ ଆଚରଣ କାହିଁକି କରୁଛନ୍ତି ତାହାର କାରଣ ଜାଣିବା ପାଇଁ ଯେତେବେଳେ ତାଙ୍କର ଡାକ୍ତରୀ ପରୀକ୍ଷା କରାଗଲା, ସେତେବେଳେ ଜଣାଗଲା ଯେ, ପକ୍କିରପ୍ପା ପିକା କଣ୍ଡିସନ୍‌ ନାମକ ଏକ ଇଟିଙ୍ଗ୍‌ ଡିର୍ଜ୍‌ଡର ରୋଗରେ ପୀଡିତ। ସାଧାରଣତଃ ଏହି ପିକା ରୋଗ ଖାଦ୍ୟପେୟ ସମ୍ବନ୍ଧିତ ଏକ ବିକାର ଅଟେ। ଏହି ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କର ନନ୍‌ ଫୁଡ୍‌ ଆଇଟମ୍‌ ବା ଅଖାଦ୍ୟ ଖାଇବାକୁ ତୀବ୍ର ଇଚ୍ଛା ହୋଇଥାଏ; ଯାହାକି ପକ୍କିରପ୍ପାଙ୍କ କ୍ଷେତ୍ରରେ ଘଟିଥିଲା। ତେବେ ବୟସ ବଢିବା ସହ ପକ୍କିରପ୍ପାଙ୍କର ଇଟା, ପଥର, ଗୋଡି ଆଦି ଖାଇବାର ମାତ୍ରା ମଧ୍ୟ ବଢୁଥିଲା। ପକ୍କିରପ୍ପାଙ୍କୁ ଯେତେବେଳେ ୩୦ ବର୍ଷ ବୟସ ହୋଇଥିଲା, ସେତେବେଳକୁ ସିଏ ପ୍ରତ୍ୟେକ ଦିନ ପ୍ରାୟ ୩ କି.ଗ୍ରା ଓଜନର ଇଟା, ଗୋଡି, ପଥର ଆଦି ଆରାମରେ ଖାଇପାରୁଥିଲେ; ସେ ପୁଣି ମାତ୍ର ଗୋଟିଏ ଗ୍ଲାସ୍‌ ପାଣିର ସହାୟତାରେ। ଖାସ୍‌ ଏହି କାରଣ ପାଇଁ ଚାରିଆଡ଼େ ପକ୍କିରପ୍ପାଙ୍କର ଖୁବ୍‌ ଚର୍ଚ୍ଚା ହେବାକୁ ଲାଗିଥିଲା, ଆଉ ତାଙ୍କର ଏହି ଅଜବ ଖାଦ୍ୟାଭ୍ୟାସକୁ ଦେଖିବା ପାଇଁ କ୍ରମେ ତାଙ୍କ ଗାଁରେ ଲୋକଙ୍କର ଖୁବ୍‌ ଭିଡ଼ ଜମିଥିଲା।

ସାବୁନ, ସର୍ଫ ଖାଉଥିବା ଯୁବତୀ: ଟେମ୍ପେଷ୍ଟ ହେଣ୍ଡରସନ୍‌। ଫ୍ଲୋରିଡାରେ ରହୁଥିବା ଏହି ଯୁବତୀ ସାବୁନ ଓ ସର୍ଫ ଖାଇବାକୁ ଖୁବ୍‌ ଭଲ ପାଆନ୍ତି। ସପ୍ତାହକୁ ଅତି କମ୍‌ରେ ୫ଟି ସାବୁନ ଓ କିଛି ଓ୍ବାସିଂ ପାଉଡର ତାଙ୍କ ପାଇଁ ନିହାତି ଦରକାର ହୋଇଥାଏ। ଏ ନେଇ ଟେମ୍ପେଷ୍ଟ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ କହିଥିଲେ ଯେ, ‘ସେ ପିଲାଦିନେ ଥରେ ଓ୍ବାସିଂ ପାଉଡରକୁ ହାତରେ ନେଇ ଚାଖିଥିଲେ, ତାହା ତାଙ୍କୁ ଟିକେ ଲୁଣିଆ ଲାଗିଥିଲା। କିନ୍ତୁ ଖାଇବାକୁ ତାହା ଭଲ ଲାଗୁଥିଲା। ସେହିପରି ବାଥ୍‌ରୁମ୍‌ରେ ଗାଧୋଇବା ସମୟରେ ସାବୁନକୁ ଫେଣ କରି ଉଡାଇବାବେଳେ ଥରେ ତାଙ୍କ ପାଟିରେ ଫେଣ ପସିଯାଇଥିଲା। ଫେଣର ସ୍ବାଦ ବି ତାଙ୍କୁ ଭଲ ଲାଗିଥିଲା। ତା’ପରଠୁ ସେ କେତେବେଳେ କେମିତି ସାବୁନ ଟିକେ ହେଉ କି ସର୍ଫ ଟିକେ ହେଉ ଖାଇ ଦେଉଥିଲେ। କିନ୍ତୁ କଲେଜ ପଢା ସମୟରେ ଯେତେବେଳେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଓ ତାଙ୍କ କଲେଜକୁ ଛାଡ଼ି ଅନ୍ୟତ୍ର ପଢିବାକୁ ଚାଲିଗଲେ, ତା’ପରେ ସିଏ ଡିପ୍ରେସନ୍‌କୁ ଚାଲିଗଲେ। ସେତେବେଳେ ଟିକେ ଟିକେ ସାବୁନ, ସର୍ଫ ଖାଇବାର ନିଶାଟା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ଏକଥା ତାଙ୍କ ମା’ ଜାଣିବା ପରେ ତାଙ୍କୁ ନେଇ ଡାକ୍ତରଙ୍କୁ ଦେଖାଇଲେ। ପରୀକ୍ଷାରୁ ଜଣାପଡିଲା ଯେ, ଟେମ୍ପେଷ୍ଟ ପିକା କଣ୍ଡିସନ୍‌ ନାମକ ଏକ ଇଟିଙ୍ଗ୍‌ ଡିର୍ଜ୍‌ଡର ରୋଗରେ ପୀଡିତ। କିନ୍ତୁ ଉକ୍ତ ଅଭ୍ୟାସକୁ ଯଦି ତୁରନ୍ତ ରୋକା ନଯାଏ, ତା’ହେଲେ ଏହା ଟେମ୍ପେଷ୍ଟଙ୍କ ଜୀବନ ପ୍ରତି ବିପଦ ଟାଣି ଆଣିବ। ବାସ୍‌ ତା’ପରଠୁ ଟେମ୍ପେଷ୍ଟଙ୍କ ମା’ ଝିଅର ଏହି ଅଭ୍ୟାସକୁ ଦୂର କରିବାକୁ ବହୁ ଚେଷ୍ଟା କରି ଅନେକାଂଶରେ ସଫଳ ହୋଇସାରିଥିବା ସୂଚନା ମିଳୁଛି।

ସୋଫାର ସ୍ପଞ୍ଜ ଖାଉଥିବା ଯୁବତୀ: ଫ୍ଲୋରିଡାର ଜଣେ ଯୁବତୀ, ଯାହାଙ୍କ ନାଁ ହେଉଛି ଆଡେଲେ ଏଡ୍‌ଓ୍ବାଡର୍‌ସ। ଆଡେଲେଙ୍କର ଏକ ଅଜବ ଖାଦ୍ୟାଭ୍ୟାସ ରହିଛି। ସେ ସୋଫା ତଥା କୁସନ୍‌ ଭିତରେ ରହୁଥିବା ସ୍ପଞ୍ଜ ଖାଇବାକୁ ଭାରୀ ଭଲ ପାଇଥାନ୍ତି। ତାଙ୍କର ଏହି ଅଭ୍ୟାସ ୧୦ ବର୍ଷ ବୟସରୁ ଆରମ୍ଭ ହୋଇଛି, ତାହା ପୁଣି ଅବସାଦରେ ରହିବା କାରଣରୁ। ସେ ସମୟରେ ତାଙ୍କ ବାପା, ମା’ଙ୍କ ଭିତରେ ଛାଡପତ୍ର ହେବାକୁ ନେଇ ଘରେ ଖୁବ୍‌ ପାଟିତୁଣ୍ଡ ଲାଗିଥିଲା। ସେସବୁକୁ ଦେଖି ଆଡେଲେ ଖୁବ୍‌ ଚିନ୍ତାଗ୍ରସ୍ତ ହୋଇପଡିଥିଲେ। ସବୁବେଳେ ଅନ୍ୟମନସ୍କ ରହୁଥିଲେ। ଏତିକିବେଳେ ତାଙ୍କର ଜଣେ ସମ୍ପର୍କୀୟ ଭାଇ ଏମିତି ଖୁସିରେ ଖୁସିରେ ଘରେ ପଡିଥିବା ଚିରା ସୋଫାର ଏକ ଛୋଟ ସ୍ପଞ୍ଜକୁ ପାଟିରେ ପୂରେଇ ଆଡେଲେଙ୍କ ସହ କଥା ହେଉଥିଲେ। ତାଙ୍କୁ ଦେଖି ଆଡେଲେ ମଧ୍ୟ ସ୍ପଞ୍ଜକୁ ପାଟିରେ ପୂରେଇ ଚୋବେଇବାକୁ ଲାଗିଲେ। ବାସ୍‌ ତା’ପରଠୁ ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ଅବଶ୍ୟ ଏଥିପାଇଁ ମଝିରେ ତାଙ୍କର ଦେହ ମଧ୍ୟ ଖରାପ ହୋଇଥିଲା। କିନ୍ତୁ ତା’ସତ୍ତ୍ୱେ ବି ସେ ଏହି ଅଭ୍ୟାସରୁ ନିଜକୁ ଦୂରେଇ ରଖିପାରୁ ନାହାନ୍ତି।

ଟଏଲେଟ୍‌ ପେପର୍‌ ଖାଉଥିବା ଯୁବତୀ: କେଶା ନାମ୍ନୀ ଜଣେ ଯୁବତୀଙ୍କର ରହିଛି ଏକ ଅଜବ ଖାଦ୍ୟ ରୁଚି। ଟଏଲେଟ୍‌ ପେପର୍‌ ଖାଇବା ତାଙ୍କର ଖୁବ୍‌ ପସନ୍ଦ। ଏହି ଅଭ୍ୟାସ ତାଙ୍କର ଷଷ୍ଠ ଶ୍ରେଣୀରେ ପଢିବା ବେଳୁ ଆରମ୍ଭ ହୋଇଥିବା କେଶା କୁହନ୍ତି। ଥରେ ଟଏଲେଟ୍‌ ପେପର୍‌ର ଏକ ଛୋଟ ଟୁକୁଡା ସେ ଭୁଲ୍‌ରେ ହାତରେ ଧରୁ ଧରୁ ପାଟିରେ ପୁରେଇ ଦେଇଥିଲେ। କିନ୍ତୁ ପେପର୍‌ର ସେହି ଛୋଟ ଟୁକୁଡା ବି ତାଙ୍କୁ ଭାରି ଭଲ ଲାଗିଥିଲା। ବାସ୍‌ ସେବେଠାରୁ ସେ ଲୁଚେଇ ଲୁଚେଇ ଟଏଲେଟ୍‌ ପେପର୍‌ ଖାଇବା ଆରମ୍ଭ କରି ଦେଇଥିଲେ। କ୍ରମେ ତାହା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା। ସମୟ ଏମିତି ଆସିଲା ଯେ, ସେ ଦିନକୁ ଗୋଟିଏ ଟଏଲେଟ୍‌ ପେପର୍‌ ରୋଲ୍‌ର ଅଧାରୁ ଅଧିକ ଖାଇ ଦେଉଥିଲେ। ଆଉ ଏକଥା ଯେତେବେଳେ ଲୋକଲୋଚନକୁ ଆସିଲା ସେତେବେଳେ ତାଙ୍କର ଖୁବ୍‌ ଚର୍ଚ୍ଚା ହୋଇଥିଲା।

ପଲିଥିନ୍‌ ଖାଇବାରେ ରୁଚି: ପ୍ଲାଷ୍ଟିକ୍‌ର ବ୍ୟବହାର ପରିବେଶ ପାଇଁ ଯେତିକି କ୍ଷତିକାରକ ଆମ ଶରୀର ପାଇଁ ମଧ୍ୟ ସେତିକି ହାନିକାରକ। ସେଥିପାଇଁ ସରକାରଙ୍କ ତରଫରୁ ବାରମ୍ବାର ପ୍ଲାଷ୍ଟିକ୍‌ ବ୍ୟାନ୍‌କୁ ନେଇ ଚେତାବନୀ ଦିଆଯାଉଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଓକ୍‌ଲ୍ୟାଣ୍ଡରେ ରୋବର୍ଟ ନାମକ ଏମିତି ଜଣେ ୨୫ ବର୍ଷୀୟ ଯୁବକ ଅଛନ୍ତି, ଯାହାଙ୍କର ପଲିଥିନ୍‌ ଖାଇବା ହେଉଛି ଏକ ପ୍ରକାରର ରୁଚି। ତାଙ୍କୁ ଯେତେବେଳେ ମାତ୍ର ୭ ବର୍ଷ ବୟସ ହୋଇଥିଲା, ସେବେଠାରୁ ସିଏ ଛୋଟ ଛୋଟ ପଲିଥିନ୍‌ ଖାଇବା ଆରମ୍ଭ କରିଥିଲେ। ସୂଚନାନୁଯାୟୀ, ୟା’ ଭିତରେ ସିଏ କୁଆଡ଼େ ପ୍ରାୟ ୬୦ ହଜାରଟି ପଲିଥିନ୍‌ ଖାଇସାରିଥିବା ଶୁଣିବାକୁ ମିଳୁଛି। ଏକ ସାକ୍ଷାତ୍‌କାରରେ ରୋବର୍ଟ କହିଥିଲେ ଯେ, ତାଙ୍କୁ ବିଭିନ୍ନ ରଙ୍ଗର ପଲିଥିନ୍‌ ଖାଇବାକୁ ଭାରି ଭଲ ଲାଗେ। କାରଣ ରଙ୍ଗ ଅନୁଯାୟୀ, ପଲିଥିନ୍‌ର ସ୍ବାଦ ବଳଦିଥାଏ। ଖାସ୍‌ କରି ନୀଳ ରଙ୍ଗର ପଲିଥିନ୍‌ ଖାଇବା ତାଙ୍କର ଖୁବ୍‌ ପସନ୍ଦ। ତେବେ ରୋବର୍ଟଙ୍କର ପ୍ରେମିକା ତଥା ପତ୍ନୀ ଆଶଲେ ୟା’ ଭିତରେ ତାଙ୍କୁ ଅନେକ ଥର ପଲିଥିନ୍‌ ନ ଖାଇବା ପାଇଁ ବାରଣ କରିସାରିଲେଣି। କିନ୍ତୁ ଯେତେ ଚେଷ୍ଟା କଲେ ବି ରୋବର୍ଟ ଏ ଅଭ୍ୟାସ ପୂରା ଛାଡି ପାରୁ ନାହାନ୍ତି। ଅବଶ୍ୟ ପତ୍ନୀଙ୍କୁ ଖୁସି କରିବା ପାଇଁ ପଲିଥିନ୍‌ ଖାଇବାର ପରିମାଣ ସେ କିଛି ମାତ୍ରାରେ କମାଇ ଦେଇଛନ୍ତି।

ମାଟିର ବିସ୍କୁଟ ଖାଉଥିବା ଲୋକ: ଅଭାବ ଭିତରେ ରହି ଭୋକର ଜ୍ୱାଳାକୁ ସହି ନ ପାରିଲେ ମଣିଷ ଦରକାର ପଡିଲେ କିଛି ବି ଖାଇଦେଇଥାଏ। ଏଇ ଯେମିତି କଥା ହାଇତିର। ସୂଚନାନୁଯାୟୀ, ଏଠାକାର ଲୋକେ ଖୁବ୍‌ ଗରିବ ଶ୍ରେଣୀର। ସେମାନଙ୍କ ପାଖରେ ନା ପଇସା ଅଛି ନା ଖାଇବା ପାଇଁ କିଛି ଅଛି। ଫଳ, କ୍ଷୀର, ତଥା ସୁଷମ ଖାଦ୍ୟ ସତେ ଯେମିତି ସେମାନଙ୍କ ପାଇଁ ସାତ ସପନ। ତଥାପି ନିଜ ଭୋକର ଜ୍ୱାଳାକୁ ସହିବା ପାଇଁ ତଥା ଜୀବନ ଜିଇଁବା ପାଇଁ ଏମାନେ ବାଧ୍ୟ ହୋଇ ମାଟିରେ ତିଆରି ଏକ ସ୍ବତନ୍ତ୍ର ପ୍ରକାରର ବିସ୍କୁଟ୍‌ ଖାଇବାକୁ ବାଧ୍ୟ ହୋଇଥାନ୍ତି। ଯଦ୍ଦ୍ବାରା ସେମାନେ ଅନେକ ସମୟରେ ରୋଗାଗ୍ରସ୍ତ ମଧ୍ୟ ହୋଇଥାନ୍ତି। କିନ୍ତୁ ସେମାନଙ୍କ ପାଖରେ ଏହାଛଡ଼ା ଆଉ କିଛି ଚାରା ହିଁ ନାହିଁ।

ଘୁଷୁରି ରକ୍ତ ପିଉଥିବା ମହିଳା: ମିଚେଲେ ହେଉଛନ୍ତି ପେଶାରେ ଜଣେ ଟାଟୁ ଆଟିର୍ଷ୍ଟ। କିନ୍ତୁ ତାଙ୍କର ରହିଛି ଏକ ଅଜବ ରୁଚି। ଘୁଷୁରି ରକ୍ତ ପିଇବା ତାଙ୍କର ଏକ ଅଜବ ଅଭ୍ୟାସ। ଏ ନେଇ ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ ମିଚେଲେ କହିଛନ୍ତି ଯେ, ତାଙ୍କର ଏ ଅଭ୍ୟାସ ଆଜକୁ ବହୁତ ଦିନ ହେଲାଣି ଆରମ୍ଭ ହୋଇଗଲାଣି। ଖାସ୍‌ କରି ଘୁଷୁରି ରକ୍ତ ପିଇବାକୁ ମୋତେ ବହୁତ ଭଲ ଲାଗେ। ଏହା ମୋତେ ଶକ୍ତି ଯୋଗାଇଥାଏ, ଫୂର୍ତ୍ତି ରଖିଥାଏ। ସେଥିପାଇଁ ମୁଁ ଏହାକୁ ନିୟମିତ ବ୍ୟବଧାନରେ ପିଇଥାଏ। କେବଳ ଘୁଷୁରି ରକ୍ତ ପିଏନାହିଁ, ଏଥିରେ ଅନେକ ପ୍ରକାରର ଡିସ୍‌ କରିକି ବି ମୁଁ ଖାଇଥାଏ। ତେବେ ସେ ଯାହା ବି ହେଉ ମିଚେଲେଙ୍କର ଏହି ଅଜବ ଅଭ୍ୟାସ ପାଇଁ ତାଙ୍କୁ ଏବେ ଅନେକେ ଭାମ୍ପାୟାର୍‌ ଲେଡି ବୋଲି କହୁଥିବା ଶୁଣିବାକୁ ମିଳୁଛି।
କେବଳ ଚା’ ପିଇ ବଞ୍ଚୁଥିବା ମହିଳା: ଚା’ ପିଇବାର ଅଭ୍ୟାସ ଅନେକଙ୍କର ଥାଏ। କିଏ ଦିନକୁ ଗୋଟେ କପ୍‌ ତ ଆଉ କିଏ ଦୁଇ/ତିନି କପ୍‌। ହେଲେ ତା’ସହିତ ସେମାନେ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖାଇଥାନ୍ତି। କାରଣ ସୁସ୍ଥ ଶରୀର ପାଇଁ ଯେଉଁ ପୋଷକ ତତ୍ତ୍ୱ ଆବଶ୍ୟକ ତାହା କେବଳ ଚା’ ପିଇଲେ ମିଳିବ ନାହିଁ। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ନିହାତି ଜରୁରୀ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଛତିଶଗଡ଼ର କୋରିୟା ଜିଲା ଅନ୍ତର୍ଗତ ବରଦିୟା ଗାଁରେ ରହୁଥିବା ପିଲ୍ଲୀ ଦେବୀ ନାମ୍ନୀ ଜଣେ ମହିଳା ଆଜକୁ ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ହେବ କେବଳ ଚା’ ପିଇ ବଞ୍ଚୁଛନ୍ତି; ସେ ପୁଣି ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ। ଏ ନେଇ ତାଙ୍କର ପିତା ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ, ପିଲ୍ଲୀଙ୍କୁ ଯେତେବେଳେ ମାତ୍ର ୧୧ ବର୍ଷ ବୟସ ହୋଇଥିଲା, ସେ ଜିଲା ସ୍ତରୀୟ ଏକ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବା ପାଇଁ କୋରିୟା ଜିଲା ଅନ୍ତର୍ଗତ ଜନକପୁର ନାମକ ଏକ ସ୍ଥାନକୁ ଯାଇଥିଲେ। ସେଠାରୁ ଫେରିବା ପରେ ପିଲ୍ଲୀଙ୍କଠାରେ ଏକ ଭିନ୍ନ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେ ନା କିଛି ଖାଇବାକୁ ଇଚ୍ଛା କରୁଥିଲେ ନା କିଛି ପିଇବାକୁ ଆଗ୍ରହ କରୁଥିଲେ। ଅତି ବାଧ୍ୟ କଲେ କେବଳ ଚା’ ପିଇବାକୁ କହୁଥିଲେ। ଅବଶ୍ୟ ଚା’ ପିଇବାର ଅଭ୍ୟାସ ତାଙ୍କର ପୂର୍ବରୁ ଥିଲା। କ୍ଷୀର ଚା’ ସହ ବିସ୍କୁଟ କିମ୍ବା ପାଉଁରୁଟି ଖାଇବାକୁ ସେ ପସନ୍ଦ କରୁଥିଲେ। କିନ୍ତୁ ପ୍ରତିଯୋଗିତାରୁ ଫେରିବା ପରେ ସେ ଆଉ କ୍ଷୀର ଚା’ ନ ପିଇ ନାଲି ଚା’ ପିଇବାକୁ ପସନ୍ଦ କଲେ। କେବଳ ନାଲି ଚା’, ସେ ପୁଣି ଦିନକୁ ଥରେ ସନ୍ଧ୍ୟାବେଳେ। ଏହା କ୍ରମେ ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ଝିଅ କିଛି ନ ଖାଇ ନ ପିଇ କେବଳ ଚା’ ପିଇ କେମିତି ବଞ୍ଚତ୍ବ ସେ କଥା ଘର ଲୋକଙ୍କୁ ବହୁତ କଷ୍ଟ ଦେଉଥିଲା। ତେଣୁ ସେମାନେ ପିଲ୍ଲୀଙ୍କୁ ନେଇ ଅନେକ ଡାକ୍ତରଙ୍କୁ ଦେଖାଇଲେ। କିନ୍ତୁ ଡାକ୍ତରମାନେ ବି ଏହା ପଛରେ କ’ଣ କାରଣ ରହିଛି ତାହା ସଠିକ୍‌ ଭାବେ ଜାଣିପାରିଲେ ନାହିଁ। ବରଂ କେବଳ ଚା’ ପିଇ ପିଲ୍ଲୀ ଏତେ ସୁସ୍ଥ କେମିତି ଅଛନ୍ତି ସେକଥାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏହା ଭିତରେ ଅନେକ ବର୍ଷ ବିତିଗଲାଣି। ପିଲ୍ଲୀଙ୍କର ବୟସ ମଧ୍ୟ ବହୁତ ହୋଇଗଲାଣି। ଆଉ ଏହି ଚା’ ପିଇବାର ଅଭ୍ୟାସ ଯୋଗୁ ସେ ତାଙ୍କ ଅଞ୍ଚଳରେ ଏବେ ‘ଚାଏ ବାଲି ଚାଚୀ’ ନାମରେ ଖୁବ୍‌ ପରିଚିତା।


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri