କିମାଶ୍ଚର୍ଯ୍ୟମ୍‌

ସହଦେବ ସାହୁ

 

ଦଳର ସଦସ୍ୟ ହେଲା ମାନେ ଦଳର ଦୋଷତ୍ରୁଟି ତିଳେମାତ୍ର ବି ପଦାରେ ପକାଇବ ନାହିଁ, ଗୋଟିଏ କଥାରେ କହିଲେ ତମେ, ତୁମର ବିବେକ ଦଳ ପାଖରେ ଅର୍ଥାତ୍‌ ଦଳର ମୁଖିଆଙ୍କ ପାଖରେ ବନ୍ଧା ପକାଇଲ! ତୁମେ ବୋକା ହୋଇଗଲ। ଯଦି ଦଳ ସମ୍ପର୍କରେ କିଛି ବି କୁହ ତାହା ସୁପ୍ରିମୋଙ୍କ ପ୍ରଶଂସା ସୂଚାଉଥିବ। ଏଥିପାଇଁ ମୁଁ ଓଡ଼ିଶାର ଉଦାହରଣ ଦେବି ନାହିଁ, ପଡ଼ିଶା ପଶ୍ଚିମବଙ୍ଗର ଉଦାହରଣ ଦେବି। ପ୍ରସାରଭାରତୀର ମୁଖ୍ୟ ପ୍ରଶାସନିକ ଅଧିକାରୀ ପଦରୁ ଅବସର ପରେ ଶ୍ରୀ ଜବାହର ସରକାର ତୃଣମୂଳ କଂଗ୍ରେସରେ ମିଶିଲେ। ୨୦୨୧ରେ ଦୀନେଶ ତ୍ରିବେଦୀଙ୍କ ଇସ୍ତଫା ପରେ ତାଙ୍କୁ ରାଜ୍ୟ ସଭା ଏମ୍‌ପି କରାଗଲା। ପାର୍ଥସାରଥୀ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳ ଶିକ୍ଷକ ନିଯୁକ୍ତି କେଳେଙ୍କାରୀରେ ଗିରଫ ହେବା ପରେ ସେ କହିଥିଲେ, ଦଳର ଯେଉଁ ଅଂଶ ପଚିଶଢ଼ି ଆସିଲାଣି, ତାକୁ ନିକାଲି ଦଳକୁ ସଫା ନ କଲେ ୨୦୨୪ର ନିର୍ବାଚନ ଲଢ଼ିବା କଷ୍ଟକର ହେବ। ଏପରି ମନ୍ତବ୍ୟ ଉପରେ ମମତା ବାନୀର୍ଜୀ କିଛି କହିନାହାନ୍ତି ସିନା ତୃଣମୂଳ କଂଗ୍ରେସର ଆଗଧାଡ଼ିର ନେତା ସୁଗତ ରାୟ ଗତ ଅଗଷ୍ଟ ୩୦ରେ ପ୍ରଥମେ ଉଚ୍ଚସ୍ବରରେ କହିଲେ ‘ଯେଉଁ ଦଳ ତୁମକୁ ଏମ୍‌ପି କଲା ତାକୁ ଅପମାନ କଲାଭଳି କଥା କହିବା ମାନେ ତୁମ ଜିଭ କାଟିଦିଆଯିବା କଥା’- ମୁଲ୍ଲାଙ୍କ ଫତ୍‌ୱା ଜାରି କଲାଭଳି। ସୁଗତଙ୍କ ବଡ଼ ପାଟି ଶୁଣି ତୃଣମୂଳ କଂଗ୍ରେସର ଅନ୍ୟମାନେ ‘ଶ୍ରୀ’ ନ ଲଗାଇ ଜବାହରଙ୍କୁ ଆହ୍ବାନ ଦେଇଛନ୍ତି ଯଦି ଦଳ ତୁମକୁ ଭଲ ଲାଗୁନାହିଁ ଦଳ ଆଉ ଏମ୍‌ପି ପଦ ଛାଡ଼ିଦିଅ। ଦଳର ସଂକଟ ସମୟରେ ସ୍ବାର୍ଥପର ଲୋକକୁ ଦଳ ଚାହେଁ ନାହିଁ ବୋଲି ଏକୁ ଆରେକ ନେତା କହିଲେଣି। ଆଉ ଜଣେ ଟିଏମ୍‌ସି ନେତା କହିଲେ, ତୁମେ ତ ବଡ଼ ସର୍ବଭାରତୀୟ ଚାକିରିରୁ ଅବସର ପାଇଲାକ୍ଷଣି ଏମ୍‌ପି ପଦ ପାଇଁ ଏ ଦଳକୁ ଆସିଲ, ବର୍ତ୍ତମାନ ଯେତେବେଳେ ଦଳରେ ସଂକଟ ଆସିଛି ମୁହଁ ବୁଲାଇଦେଉଛ!
ରୁଡ୍‌ୱାର୍ଡ କିପ୍ଲିଂ ଲେଖିଛନ୍ତି, ଜଙ୍ଗଲର ଆଇନ ହେଉଛି, ଗୋଠର ନେତା (ଆଲ୍ଫା ମେଲ୍‌ ବା ଫିମେଲ୍‌)ଙ୍କୁ ନ ମାନିଲେ ହେଟା ଯେତେ ବଳୁଆ ହେଲେ ବି ଗୋଠରୁ ତଡ଼ା ଖାଇବ, ସମସ୍ତେ ଆଲ୍ଫା ହେଟା ପାଇଁ ଓ ତା’ ନିର୍ଦ୍ଦେଶରେ ଗୋଠ ପାଇଁ ଖାଦ୍ୟ ଯୋଗାଡ କରିବେ; ଗୋଠ ନିରାପତ୍ତା ପାଇଁ ଗୋଟିଏ ହେଟା ୱାର୍ନିଂ ଦେଲେ (ଭୁକିଲେ) ଅନ୍ୟ ବଳୁଆ ହେଟାମାନେ ବି ଭୁକିବେ। ରାଜନୈତିକ ଦଳଗୁଡ଼ିକରେ ଏପରି ‘ଜଙ୍ଗଲ୍‌ ଲ’ ଚାଲେ: ଦଳ-ନେତ୍ରୀ ମମତାଙ୍କୁ ଅନୁଗତ ଜଣାଇବା ପାଇଁ ତୃଣମୂଳ କଂଗ୍ରେସର ସଭ୍ୟମାନେ ନିଜର ଉଚ୍ଚାରଣ ଓ ଆଚରଣ ଠିକ୍‌ କରିନେଉଛନ୍ତି। ଜଙ୍ଗଲ୍‌ ଲ ଅନୁଯାୟୀ ଗୋଠ-ସୁପ୍ରିମୋ କାହାରିକୁ ସମକ୍ଷମ ହେବାକୁ ଦେବେ ନାହିଁ, ନିଜର ପିଲାପିଲିଙ୍କ ଭିତରୁ ଜଣକୁ ଗୋଠର ନାୟକ କରିବେ, ତେଣୁ ନେତା ହେବାର ଆଚରଣ ଦେଖାଉଥିବା ଲୋକକୁ ଗୋଠରୁ ତଡ଼ିବାକୁ ପଡ଼ିବ, ଗୋଠଛଡ଼ା ଜନ୍ତୁର ମୃତୃ୍ୟ ଯେପରି ନିଶ୍ଚିତ, ଦଳରୁ ତଡ଼ାଖାଇବା ମାନେ ରାଜନୈତିକ ମୃତ୍ୟୁ ନିଶ୍ଚିତ। ‘ଜଙ୍ଗଲ ଲ’ ଗ୍ରହଣ କରିଥିବା ଦଳମାନେ କିପରି ଗୋଠବାହାରର ନାଗରିକମାନଙ୍କ ବିକାଶର ଚିନ୍ତା କରିବେ? ଅପରାଧୀର ରାଜନୀତିକରଣ ତ ଦଳର ପ୍ରରୋଚନାରେ ବଢ଼ିବ, ଆଉ ‘ମାନବ ସମ୍ବଳ’ ବୃଦ୍ଧି କଥାଟା କେବଳ ଶବ୍ଦକୋଷରେ ଦେଖାଯିବ!
୧୯୫୧ ରିପ୍ରେଜେଣ୍ଟେଶନ ଅଫ୍‌ ଦି ‘ପିପୁଲ୍‌ସ’ ଆକ୍ଟ ନାଁ ବଦଳେଇ ରିପ୍ରେଜେଣ୍ଟେଶନ ଅଫ୍‌ ‘ଦି ପଲିଟିକାଲ୍‌ ପାର୍ଟିଜ୍‌’ ଆକ୍ଟ କହିବା କଥା! ଏବେ ଜାଣନ୍ତୁ କାହିଁକି ଟେଲିଭିଜନରେ ‘ଲାଇଭ୍‌ ଶୋ’ରେ ଦଳର ପ୍ରତିନିଧିତ୍ୱ କରୁଥିବା ବ୍ୟକ୍ତି ଦଳ ଓ ଦଳର ସୁପ୍ରିମୋଙ୍କ ପ୍ରଶଂସା କରିବା ପାଇଁ ଯାହା କିଛି ଦରକାର ତାହା ହିଁ କହନ୍ତି। ଅନ୍ୟ ଦଳର ପ୍ରତିନିଧିମାନେ ଯାହା କହନ୍ତି ତହିଁରୁ କିଛି ସତ୍ୟ ମିଳେ। ରିପ୍ରେଜେଣ୍ଟେଶନ୍‌ ଅଫ୍‌ ପିପୁଲ୍‌ସ ଆକ୍ଟର ୮ମ ଧାରାରେ ଅଛି କେଉଁ କେଉଁ କାରଣରୁ ଜଣେ ପ୍ରତିନିଧି ପାଇଁ ପ୍ରାର୍ଥୀ ହେବା ଲାଗି ଅଯୋଗ୍ୟ ବିବେଚିତ ହେବେ। କିନ୍ତୁ ‘ପ୍ରମାଣିତ ହୋଇନାହିଁ, କେବଳ ସନ୍ଦେହ’ ବୋଲି କହି ଦଳଗୁଡ଼ିକ ବାହୁବଳୀ ଓ ଅଭ୍ୟାସଗତ ଅପରାଧୀକୁ ପ୍ରାର୍ଥୀ କରାଉଛନ୍ତି, ପ୍ରାର୍ଥୀର ଜିତିବାର ସମ୍ଭାବନା (ୱିନେବିଲିଟି) ଯାହା କୁହାଯାଏ ତାହା ଦଳର ସୁପ୍ରିମୋଙ୍କ ପ୍ରଚାରିତ ସାଧୁତା ଓ ଜନପ୍ରିୟତା! ତେଣୁ ବିଧାନସଭାରେ ବା ସଂସଦରେ ଆଇନ ତିଆରି କରିବାର କାଣ୍ଡଜ୍ଞାନ ନଥିବା ଲୋକ (ସମାଲୋଚକମାନେ କହନ୍ତି ‘କାଠଗଡ଼ା’ ବି) ଦଳର ସୁପ୍ରିମୋଙ୍କ ନାଁରେ ଜିତେ, ଅର୍ଥାତ୍‌ ସେ ଯେପରି ସରକାର ଗଢ଼ିବାକୁ ସଂଖ୍ୟାଧିକ ଆସନ ପାଇବେ: ବ୍ୟକ୍ତିର ଚରିତ୍ର ଉପରେ ନୁହେଁ ସୁପ୍ରିମୋଙ୍କ ପ୍ରଚାରିତ ସାଧୁତା ଓ ସେ ଦେଉଥିବା ଫ୍ରିବି ଉପରେ ଲୋକେ ଭୋଟ ଦେଉଛନ୍ତି – ରାଜ୍ୟର ବିକାଶ କଥା ଚିନ୍ତା କରୁଥିବା ଲୋକେ ପ୍ରାୟ ଭୋଟ ଦେଉନାହାନ୍ତି, ଅର୍ଥାତ୍‌ ରାଜ୍ୟର ବିକାଶ ବିଷୟରେ ତଥାକଥିତ ବୁଦ୍ଧିଜୀବୀମାନେ ଭୋଟକେନ୍ଦ୍ରକୁ ଯିବାକୁ ବି ଚାହୁଁନାହାନ୍ତି।
ଜାତୀୟ ରାଜନୈତିକ ଦଳ କଥା କହିବା ଅତିଶୟୋକ୍ତି ହେବ, ପ୍ରତି ରାଜ୍ୟରେ ଯେଉଁ ଆଞ୍ଚଳିକ ଦଳ ଗଢ଼ିଉଠିଛନ୍ତି ସେମାନେ ରାଜ୍ୟର ବିକାଶ-ବୃଦ୍ଧି ଉପରେ ଯେତେ ଚିନ୍ତିତ ନୁହନ୍ତି ତା’ ଠାରୁ ବେଶି ଚିନ୍ତିତ ଦଳର ନିର୍ବାଚନ ପାଣ୍ଠି ବୃଦ୍ଧି କରିବାରେ। ନିର୍ବାଚନରେ ଜିତିବା ହିଁ ଦଳର ଏକମାତ୍ର ଲକ୍ଷ୍ୟ, ପ୍ରତି ଦଳ ଏକ କର୍ପୋରେଟ୍‌ ହାଉସ୍‌ ବା କମ୍ପାନୀ ଭଳି କାମ କରୁଛି, ଯେଉଁଠି ସୁପ୍ରିମୋ ହେଉଛନ୍ତି ମାନେଜିଂ ଡାଇରେକ୍ଟର-କମ୍‌-ଚେୟାର୍‌ମାନ୍‌। ଶାସନ କରିବା ଏକ ବିକ୍ରୟଯୋଗ୍ୟ ସାମଗ୍ରୀ। ତହିଁରୁ ଲାଭାଂଶ ହେଉଛି ପର୍ସେଣ୍ଟେଜ୍‌ କାରବାର – ଯେଉଁ କାମରେ ସହଜରେ ବେଶି ଲାଭ ମିଳିବ ତାହା କରିବା ମ୍ୟାନେଜିଂ ଡାଇରେକ୍ଟରର କାମ। କଣ୍ଟ୍ରାକ୍ଟ (ଠିକା)ରେ କାମ କରିନେବ ତ ଠିକାଦାରମାନଙ୍କଠାରୁ ପର୍ସେଣ୍ଟ ସଂଗ୍ରହ କରିହେବ ଏବଂ ନିଜ ଦଳର କୁହାଳିଆ ବା କୁଜି ନେତାମାନଙ୍କୁ ଲାଭଜନକ କାମ ଯୋଗାଇହେବ! ଲୋକେ ସନ୍ଦେହ କରିବେ ନାହିଁ ଯଦି ନାମୀ କର୍ପୋରେଟ୍‌ ହାଉସ୍‌ଗୁଡ଼ିକୁ ଠିକା ଦେବା ଏବଂ ତା’ ତଳେ ପାର୍ଟି ଲୋକଙ୍କୁ ପେଟି କଣ୍ଟ୍ରାକ୍ଟର କରେଇଦେବା। ଅଫିସରଙ୍କୁ ଅନୁଗତ କରିରଖିବା ଲାଗି ସେମାନଙ୍କ ସମ୍ପର୍କୀୟମାନଙ୍କୁ ବି ଖୋରାକ ଯୋଗାଇବା। ୧୯୮୦ରୁ ୧୯୯୯(୧୯୯୦ରୁ ୧୯୯୫ ଛାଡି) ଶାସକ କଂଗ୍ରେସ ଦଳ ଲେଟର୍‌ ଅଫ୍‌ କ୍ରେଡିଟ୍‌ ପ୍ରଚଳନ କରି ତାହା କଣ୍ଟ୍ରାକ୍ଟରଙ୍କୁ ଦେବାବେଳେ ତା’ ଠାରୁ ୧୫% ଦଳ ପାଇଁ ନେଉଥିଲେ। ଏବର ଶାସକ ଦଳ ପାଇଁ ଏ ଏକ ନଜିର। ଲୋକଙ୍କୁ ସେବା ଯୋଗାଇବା ପାଇଁ କର୍ମଚାରୀ ନିଯୁକ୍ତି କଲେ ପାର୍ଟିକୁ କିଛି ମିଳେ ନାହିଁ, ଯଦିଓ ବିଭାଗ ପରିଚାଳନାରେ ଥିବା ମନ୍ତ୍ରୀ ଓ ତାଙ୍କ ଅଧସ୍ତନମାନେ ନିଜେ ମାରିନିଅନ୍ତି। ସଡ଼କ ଓ ପୋଲ ନିର୍ମାଣ ସହ ସ୍କୁଲ, ହସ୍ପିଟାଲ ଓ ମନ୍ଦିରବେଢା ଆଦିରେ କୋଠାବାଡି ନିର୍ମାଣ କାମ ହାତକୁ ନେଲେ ସାଙ୍ଗେ ସାଙ୍ଗେ ପରସେଣ୍ଟେଜ୍‌ ମିଳିବ: ସେସବୁ ଏବେ ବା ଅତି ବେଶିରେ ୨୦୩୦ ସୁଦ୍ଧା ଭୁଶୁଡି ପଡ଼ିଲେ ବି କ୍ଷତି ନାହିଁ, ସେତେବେଳକୁ ଯିଏ ଶାସନକୁ ଆସିବ ସିଏ ସମ୍ଭାଳିବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri