ନଦୀ ମାନବ

– ଜିତେନ୍ଦ୍ର କୁମାର ନାୟକ

 

ଇତିହାସରୁ ପଢ଼ିଛେ ବିଶ୍ୱଯୁଦ୍ଧ ଓ ମହାମାରୀ ମଣିଷ ଜାତି ପାଇଁ ଆଣିଥିଲା ବଡ଼ ବିପଦ। ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଜଗତ ଜୀବନକୁ କଲବଲ କରିଚାଲିଛି। ମନ୍ଥର ଗତିରେ ଯାଉଥିଲେ ହେଁ ମହାବିପତ୍ତି ଆଣିଥିବା ପଦାର୍ଥ ଏବେ ପାଲଟିଛି ପ୍ଲାଷ୍ଟିକ୍‌। ମାଟି କିମ୍ବା ଜଳରେ ଦ୍ରବୀଭୂତ ହୋଇପାରୁ ନ ଥିବା ଏହି ପଲିଥିଲିନ୍‌ର କୁପରିଣାମ ବିଷୟରେ ଯେତେ ଆଲୋଚନା, କର୍ମଶାଳା ଓ ପଦକ୍ଷେପ ନେବା ଲାଗି ବହୁବିଧ ଯୋଜନା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସେଭଳି ଅଗ୍ରଗତି ଦେଖାଯାଉ ନାହିଁ। ଏଭଳି ସମୟରେ ପ୍ଲାଷ୍ଟିକ୍‌ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଲାଗି ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସବୁ ଦିଗରୁ ସହଯୋଗ କରାଯିବା ଦରକାର। ଫ୍ରାନ୍ସ ଜନ୍ମିତ ଓ ଇଣ୍ଡୋନେସିଆରେ ବାସ କରୁଥିବା ସାମାଜିକ କର୍ମୀ ତଥା ଫିଲ୍ମ ମେକର୍‌ ଗାରି ବେଞ୍ଚେଘିବ୍‌ ଓ ତାଙ୍କ ସଙ୍ଗଠନ ପ୍ଲାଷ୍ଟିକ୍‌ମୁକ୍ତ ପରିବେଶ ଦେଖିବା ସକାଶେ କରୁଥିବା କାର୍ଯ୍ୟ ଏବେ ଅନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛି। ଚଳିତ ମାସ ପ୍ରାରମ୍ଭରେ ଘୋଷିତ ହୋଇଥିବା ରମଣ ମାଗସେସେ ସମ୍ମାନ ତାଲିକାରେ ଗାରି ସ୍ଥାନ ପାଇବା ତାଙ୍କ ବ୍ୟକ୍ତିତ୍ୱକୁ ଆହୁରି ବଳିଷ୍ଠ କରିଛି। ପ୍ଲାଷ୍ଟିକ୍‌ ପ୍ରଦୂଷଣ ହ୍ରାସ ଦିଗରେ ସେ ଯେଉଁ ନକ୍ସା ଆଙ୍କି ତାହାକୁ କାର୍ଯ୍ୟକାରୀ କରିବା ଲାଗି ଆଗେଇ ଚାଲିଛନ୍ତି, ତାହା ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିଛି।
ଦୃଷ୍ଟାନ୍ତ ସୃଷ୍ଟି କଲା ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବୟସ କମ୍‌ ହୋଇଥିଲେ ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ଯେକୌଣସି ବୟସରେ ଜଣେ ନୂତନ ଚିନ୍ତାଧାରାକୁ କାର୍ଯ୍ୟକାରୀ କରି ସଫଳତା ଦେଇପାରିଥାଆନ୍ତି। ଫ୍ରାନ୍ସ ଜନ୍ମିତ ଗାରିଙ୍କୁ ଯେତେବେଳେ ୯ ବର୍ଷ ବୟସ ହୋଇଥିଲା ତାଙ୍କ ପରିବାର ଇଣ୍ଡୋନେସିଆ ଚାଲିଯାଇଥିଲେ। ଏବେ ତାଙ୍କୁ ୨୭ ବର୍ଷ। ଏହି ବ୍ୟବଧାନର ବର୍ଷଗୁଡ଼ିକ ତାଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହୋଇଥିଲା। ପ୍ରକୃତି ପ୍ରତି ଭଲ ପାଇବା ଓ ଦୁଃସାହସିକ କାର୍ଯ୍ୟ ପାଇଁ ଝୁଙ୍କ୍‌ ଥିବାରୁ ସେ ସର୍ବଦା ତାହାକୁ ହାସଲ କରିବା ଦିଗରେ ଧାଇଁଥାଆନ୍ତି। ଇଣ୍ଡୋନେସିଆର ବାଲିରେ ସେ ଦ୍ରୁତ ସହରୀକରଣକୁ ଦେଖିବାକୁ ପାଇଥିଲେ। ସେହି ପ୍ରଦେଶକୁ ପର୍ଯ୍ୟଟକଙ୍କ ଅସଂଖ୍ୟ ଫୁଟ୍‌ଫଲ୍‌ ରାଜସ୍ବ ବଢ଼ାଇବାରେ ସହାୟକ ହୋଇଥିଲେ ମଧ୍ୟ ପରିବେଶକୁ ବିଗାଡ଼ି ଚାଲିଥିବା ଅନୁଭବ କରିଥିଲେ। କୁହାଯାଉଛି ଚାଇନା ପରେ ଇଣ୍ଡୋନେସିଆ ବିଶ୍ୱର ଦ୍ୱିତୀୟ ରାଷ୍ଟ୍ର ଯେଉଁଠାରେ ସାମୁଦ୍ରିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବିଭୀଷିକା ସୃଷ୍ଟି କଲାଣି। ଏହି ଦେଶ ପ୍ରତିବର୍ଷ ବିଶ୍ୱ ମହାସାଗର ବକ୍ଷକୁ ୬ ଲକ୍ଷ ଟନ୍‌ ପ୍ଲାଷ୍ଟିକ୍‌ ଫୋପାଡ଼ି ଚାଲିଛି। ଗାରି କହନ୍ତି, ପିଲାଦିନେ ସେ ବାଲିର ନିର୍ମଳ ବେଳାଭୂମି ଓ ନାରିକେଳ ଗଛର ପ୍ରାକୃତିକ ଶୋଭାରାଜିକୁ ଉପଭୋଗ କରୁଥିଲେ। କିନ୍ତୁ ତାଙ୍କ ବୟସ ବଢ଼ିବା ସହ ସେ ତଥାକଥିତ ବିକାଶ, ବୃଦ୍ଧି ପାଉଥିବା ଜନସଂଖ୍ୟା ଓ ପର୍ଯ୍ୟଟକଙ୍କ ହାଉଜାଉ ଭିତରେ ବଦଳିଯାଇଥିବା ବାଲିକୁ ଆବିଷ୍କାର କରିବା ପରେ ଭାରାକ୍ରାନ୍ତ ହୋଇପଡ଼ିଲେ। କୋଭିଡ୍‌ ପୂର୍ବରୁ ସେଠାରେ ୭୦ ଲକ୍ଷ ପର୍ଯ୍ୟଟକଙ୍କ ଉପସ୍ଥିତି ଯୋଗୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ତଦନୁଯାୟୀ ବଢ଼ିଯାଇଥିଲା। ନଦୀଶଯ୍ୟା ଓ ସମୁଦ୍ର କୂଳଠାରୁ ଆରମ୍ଭ କରି ଶସ୍ୟ କ୍ଷେତ୍ର ପ୍ଲାଷ୍ଟିକ୍‌ମୟ ହୋଇଥିବା ସେ ଦେଖିଥିଲେ।
ପ୍ଲାଷ୍ଟିକ୍‌ଶୂନ୍ୟ ପରିବେଶ ସୃଷ୍ଟି ପାଇଁ ଗାରି ୧୪ ବର୍ଷ ବୟସରେ ଅଭିଯାନ ଆରମ୍ଭ କରିଥିଲେ। ନିଜ ସାଥୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ନେଇ ସେ ପ୍ରତି ସପ୍ତାହରେ ପ୍ଲାଷ୍ଟିକ୍‌ ସଫେଇରେ ଲାଗିପଡ଼ିଥିଲେ। ଏହା ପରେ ସେ ଏକ ସଙ୍ଗଠନ ଗଢ଼ିଥିଲେ ଓ ତାହାର ନାମ ଦେଇଥିଲେ ‘ମେକ୍‌ ଏ ଚେଞ୍ଜ ଓ୍ବାର୍ଲଡ’। ତାହାରି ମାଧ୍ୟମରେ ସେ ଜନସଚେତନତା ସୃଷ୍ଟି କରିବା ପରେ ଗଣମାଧ୍ୟମରେ ପ୍ରଚାର କରାଇଥିଲେ। ସକାରାତ୍ମକ ଫଳ ମିଳିବା ପରେ ସେ ଦୃଢ଼ନିଶ୍ଚିତ ହୋଇଥିଲେ ଯେ, ଏହି ସଂଗ୍ରାମରେ ବିଜୟଲାଭ କରିବେ। ସେଥିପାଇଁ ସେ କ୍ୟାମେରାକୁ ପରିବର୍ତ୍ତନର ସାଧନ ଭାବେ ଧରିଥିଲେ। ୨୦୧୩ରେ ନ୍ୟୁୟର୍କ ଯାଇ ସେଠାରେ ବର୍ଷେ ଫିଲ୍ମମେକିଂ ପାଠ ପଢ଼ିଥିଲେ। ପ୍ରୋଜେକ୍ଟ କାର୍ଯ୍ୟ କରିବାକୁ ଯାଇ ମିସିସିପି ନଦୀରେ ସେ ଓ ତାଙ୍କ କିଛି ସହପାଠୀ ଦୁଇ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ୮୦୦ ପ୍ଲାଷ୍ଟିକ୍‌ ବୋତଲକୁ ନେଇ ତିଆରି କରାଯାଇଥିବା ଡଙ୍ଗାରେ ଦୁଇ ମାସ ଜଳଯାତ୍ରା କରିଥିଲେ। ସେସବୁକୁ ମଧ୍ୟ ରେକର୍ଡିଂ କରିଥିଲେ। ଏହି ନଦୀ ଅଭିଯାନର ଅଭିଜ୍ଞତାକୁ ସେ ୨୦୧୭ରେ ଇଣ୍ଡୋନେସିଆର ପଶ୍ଚିମ ଜାଭାର ସିଟାରମ୍‌ ନଦୀରେ ପ୍ରୟୋଗ କରିଥିଲେ। ଉଲ୍ଲେଖ କରାଯାଇପାରେ ଯେ, ଏହା ଏବେ ବିଶ୍ୱର ସବୁଠାରୁ ଦୂଷିତ ନଦୀରେ ପରିଣତ ହୋଇଯାଇଛି। ସିଟାରମ୍‌ ନଦୀକୁ ପ୍ଲାଷ୍ଟିକ୍‌ ବର୍ଜ୍ୟମୁକ୍ତ କରିବା ଲାଗି ଜନହିତରେ ସିରିଜ୍‌ ଭିଡିଓ ଜାରି କରିଥିଲେ, ଯେଉଁଗୁଡ଼ିକ ବୃତ୍ତଚିତ୍ର ଭାବେ ଜନସାଧାରଣଙ୍କ ନିକଟରେ ପହଞ୍ଚତ୍ପାରିଥିଲା। ଗାରିଙ୍କ ପଦକ୍ଷେପକୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋ ପ୍ରଶଂସା କରି ୭ ବର୍ଷିଆ ସିଟାରମ୍‌ ରିଭର ରିହାବିଲିଟେସନ୍‌ ପ୍ରୋଗ୍ରାମ୍‌ କରିଥିଲେ। ଗାରିଙ୍କ ଅଭିଯାନ ଅକ୍ଟୋବର ୨୦୨୦ରେ ‘ସନ୍‌ଗାଇ ଓ୍ବାଚ୍‌’ ନାମରେ ଆଉ ଏକ ସଙ୍ଗଠନ ପ୍ରତିଷ୍ଠା କରାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡୋନେସିଆ ଭାଷାରେ ସନ୍‌ଗାଇ ଅର୍ଥ ନଦୀ। ସଙ୍ଗଠନର ଅନ୍ୟତମ ସହ-ପ୍ରତିଷ୍ଠାତା, ସମ୍ପର୍କୀୟ ଓ ଅନ୍ୟାନ୍ୟ ସଙ୍ଗଠନ ମିଶି ଏବେ ଇଣ୍ଡୋନେସିଆରେ ନଦୀ ଓ ସମୁଦ୍ରକୂଳରୁ ପ୍ରାୟ ୨ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଫା କରିବାରେ ବ୍ୟସ୍ତ। ଗୋଟେ ଆଇଡିଆ ଓ ତାହାକୁ କାର୍ଯ୍ୟକାରୀ କରିବା ଲାଗି ନିଆଯାଉଥିବା ଅଭିନବ ପଦକ୍ଷେପ କିଭଳି ପରିବର୍ତ୍ତନ ଆଣିପାରେ, ଗାରି ତାହାର ନିଖୁଣ ଚିତ୍ରବାହକ ପାଲଟିଯାଇଛନ୍ତି। ୧୭ ସେପ୍ଟେମ୍ବର ଅନ୍ତର୍ଜାତୀୟ ଉପକୂଳ ସଫେଇ ଦିବସ ଅବସରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଦେଶର ବିଭିନ୍ନ ଉପକୂଳରେ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। କେବଳ ପ୍ରତୀକାତ୍ମକ ନ ହୋଇ ତାହା ବାସ୍ତବରେ ପରିଣତ ହେଲେ ଗାରିମାନଙ୍କ ସୁନ୍ଦର ପରିବେଶ ଦେଖିବାର ସ୍ବପ୍ନ ସାକାର ହୁଅନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri