Posted inଫୁରସତ

ଚିତ୍ରରେ ଚିତ୍ରରେ ନାରୀ

ଚିତ୍ରକର କେବଳ ଚିତ୍ର କରେ ନାହିଁ। ଚିତ୍ର ମାଧ୍ୟମରେ ସମାଜକୁ ସଚେତନ କରିଥାଏ। ସେମିତି ଜଣେ ଚିତ୍ରଶିଳ୍ପୀ ଯେ କି ତାଙ୍କ ଚିତ୍ରରେ ନାରୀଙ୍କୁ ପ୍ରାଧାନ୍ୟ ଦେଇ ହିଁ ସବୁ ଚିତ୍ର କରିଥାନ୍ତି। ତାଙ୍କ ଦ୍ୱାରା ଅଙ୍କିତ ଚିତ୍ର ରାଜ୍ୟରୁ ଆରମ୍ଭକରି ଦେଶ ବିଦେଶର ଅନେକ ସ୍ଥାନରେ ପ୍ରଦର୍ଶନ କରାଯାଇଛି। ଏଥିପାଇଁ ଓଡ଼ିଶା ଲଳିତକଳା ଏକାଡେମୀ ସମେତ ଅନେକ ସଂସ୍ଥାରୁ ତାଙ୍କୁ ମିଳିଛି ବହୁ ପୁରସ୍କାର ଓ ସମ୍ମାନ। ସେ ହେଲେ ଅସିତ୍‌ ପଟ୍ଟନାୟକ, ଜନ୍ମ- ୨୪।୪।୧୯୬୮। ପିତା ଭାଗବତ ପ୍ରସାଦ ପଟ୍ଟନାୟକ, ମା’ ବିଷ୍ଣୁପ୍ରିୟା ପଟ୍ଟନାୟକ। ଘର ଗଞ୍ଜାମ ଜିଲାର ବ୍ରହ୍ମପୁରରେ। ଅସିତ୍‌ କୁହନ୍ତି- ମୋ’ ବାପା କଟକରେ ଚାକିରି କରୁଥିଲେ। ସେଥିପାଇଁ କଟକ ଯୋବ୍ରା ଅଞ୍ଚଳରେ ରହୁଥିଲୁ। ପର୍ବପର୍ବାଣି ସମୟରେ ସ୍କୁଲକୁ ଯିବା ବାଟରେ କେତେକ ସ୍ଥାନରେ ମେଢ଼ ଓ ମୂର୍ତ୍ତି ତିଆରି ହେଉଥିବାର ଦେଖୁଥିଲି। ସେଠାରେ କିଛି ସମୟ ଅଟକି ଯାଉଥିଲି। ସେହି ସମୟରେ ମୋ ମନରେ ସେହିଭଳି ମୂର୍ତ୍ତି ଗଢ଼ିବା ପାଇଁ ଆଗ୍ରହ ଆସିଲା। ମୂର୍ତ୍ତି ତିଆରି ସ୍ଥାନରୁ ଅଳ୍ପମାଟି ମାଗି ଆଣୁଥିଲି। ବେଳେବେଳେ ସେଠାରୁ କାରିଗରଙ୍କ ଅନୁପସ୍ଥିତିରେ ଚକଟାମାଟିକୁ ଲୁଚାଇଆଣି ଘରେ ମୂର୍ତ୍ତି ଗଢୁଥିଲି। ସେହି ମୂର୍ତ୍ତିଗୁଡ଼ିକରେ ରଙ୍ଗ ଦେଇ ସାଇତି ରଖୁଥିଲି। ବାପା ସେସବୁକୁ ଦେଖି ବେଶି ଖୁସି ହେଉଥିଲେ। ଯେବେ ଘରକୁ କେହି ବନ୍ଧୁ ଆସୁଥିଲେ, ସେମାନଙ୍କୁ ମୂର୍ତ୍ତିଗୁଡ଼ିକୁ ଦେଖାଉଥିଲେ। ଏଥିରେ ମୋତେ ବହୁତ ଖୁସି ଲାଗୁଥିଲା। ଆଉ ଗୋଟେ କଥା ହେଲା, ସେତେବେଳେ ମୁଁ ଏତେ ଭଲ ପଢୁ ନଥିଲି। ଏଥିଯୋଗୁ ମୋ ବୋଉ କହୁଥିଲା ଯାହା ଭଲ ହେଉଛି ସେହି କାମ କର। ତେଣୁ ମୋର ମୂର୍ତ୍ତି ତିଆରି ଓ ଚିତ୍ର ଅଙ୍କନ ଜାରି ରହିଲା। ସ୍କୁଲରୁ ଏଥିପାଇଁ ବହୁତ ଥର ପୁରସ୍କୃତ ହୋଇଛି। ସମୟକ୍ରମେ ରାଜ୍ୟର ବିଭିନ୍ନ ସ୍ଥାନରେ ଚିତ୍ରକଳା ପ୍ରଦର୍ଶନରେ ଯୋଗ ଦେଲି। ଏହା ପରେ ପରେ ବାପାଙ୍କ ଦେହାନ୍ତ ହୁଏ। ପରିବାରର ଆର୍ଥିକ ସମସ୍ୟା କ୍ରମେ ଜଟିଳ ହୋଇପଡ଼ିଲା। ଏମିତି ପରିସ୍ଥିତିରେ କଟକରୁ ଗାଁକୁ ଫେରି ଆସିଲୁ। ତା’ପରେ ୧୯୯୫ରେ ଖଲ୍ଲିକୋଟ ଆର୍ଟ କଲେଜରେ ନାମ ଲେଖାଇଲି। ଏଠାରୁ ବିଧିବଦ୍ଧଭାବେ ଆର୍ଟ ତାଲିମ କାର୍ଯ୍ୟ ଆରମ୍ଭ ହେଲା। ଏହାପରେ ନ୍ୟାଶନାଲ କଲ୍‌ଚରାଲ ସ୍କଲାରଶିପ ପାଇଲି। ଏହାସହ ବନାରସରେ ଦୁର୍ଗା ପ୍ରସାଦ ଦାସଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଗ୍ରହଣ କଲି। ଏହାପରେ ଫାଇନ୍‌ ଆର୍ଟରେ ସ୍ନାତକୋତ୍ତର ପାଇଁ ସିଟ୍‌ ମିଳିଲା। ଡ. ଆର.ଏ.ଏସ୍‌.ଧୀରଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଗ୍ରହଣ କରି ପେଣ୍ଟିଂରେ ମାଷ୍ଟର ଡିଗ୍ରୀ ହାସଲ କଲି। କିନ୍ତୁ ମୋ ପ୍ରତ୍ୟେକ ପେଣ୍ଟିଂରେ ମୁଁ ନାରୀଙ୍କୁ ପ୍ରାଧାନ୍ୟ ଦିଏ। ନାରୀର କେଶକୁ ନାଲି ରଙ୍ଗ କରିଥାଏ। ଯାହା ଶକ୍ତି ଓ ତେଜସ୍ବୀର ପ୍ରତିକ। ଏହାପଛର କାହାଣୀ ହେଲା, ଯେତେବେଳେ ବନାରସରେ ପଢ଼ୁଥିଲି ବନାରସଘାଟସ୍ଥିତ ଗଙ୍ଗାରେ ନାରୀ ପୁରୁଷ ଗାଧୋଉଥିଲେ, ପାଣିରେ ବୁଡ଼ିବା ବେଳେ ସିନ୍ଦୂର ଧୋଇ ହୋଇ ସେମାନଙ୍କ ଦେହ ଏବଂ ଚୁଟି ଲାଲବର୍ଣ୍ଣ ହୋଇଯାଉଥିଲା। ଏମିତି ଦୃଶ୍ୟକୁ ଦେଖିଲା ପରେ ଏପରି ଚିତ୍ରର ଚିନ୍ତା ମନକୁ ଆସିଥିଲା। ନାରୀ ଓ ପୁରୁଷ ସମ୍ବନ୍ଧ ନେଇ ନାରୀଙ୍କୁ ପ୍ରାଧାନ୍ୟ ଦେଇ ପେଣ୍ଟିଂ କଲି। ପେଣ୍ଟିଂରେ ଗୋଟିଏ ସବ୍‌ଜେକ୍ଟକୁ ନେଇ ଏକ ସିରିଜ୍‌ କରୁଛି। ଏଇ ସିରିଜ୍‌ ଛଡ଼ା ଲ୍ୟାଣ୍ଡସ୍କେପ୍‌, ଆବ୍‌ଷ୍ଟ୍ରାକ୍ଟ ଆର୍ଟ ଶୈଳୀରେ କାମ କରୁଥାଏ। ଏହା ବହୁତ ଲୋକପ୍ରିୟ ହୋଇଛି। ଏହାବାଦ୍‌ କେନ୍ଦ୍ର୍ରୀୟ ବିଦ୍ୟାଳୟରେ ପରୀକ୍ଷା ଦେଇ ସଫଳତା ପାଇବାରୁ ପ୍ରଥମେ ଧାନବାଦରେ ନିଯୁକ୍ତି ପାଇଥିଲି। ଯାହାକି ବର୍ତ୍ତମାନ ଝାଡ଼ଖଣ୍ଡରେ ଅଛି। ଇଣ୍ଡିଆ ହେରିଟେଜ୍‌ ସେଣ୍ଟରରେ ମୋର ବିଭିନ୍ନ ଚିତ୍ର ପ୍ରଦର୍ଶନ କରାଯାଇଥିଲା। ଦିଲ୍ଲୀର ଚାଓ୍ବଲା ଗ୍ୟାଲେରିରେ ଚିତ୍ର ପ୍ରଦର୍ଶନ ପାଇଁ ଅନେକ ପ୍ରଶଂସା ମିଳିଥିଲା। ତେବେ ନୂଆଦିଲ୍ଲୀ ଚାଓ୍ବଲା ଆର୍ଟ ଗ୍ୟାଲେରି, କ୍ରିଏସନ୍‌ ଆର୍ଟ ଗ୍ୟାଲେରି, ମୁମ୍ବାଇ, ଜାହାଙ୍ଗୀର ଆର୍ଟ ଗ୍ୟାଲେରି ଆଦି ସ୍ଥାନରେ ଅନେକ ପେଣ୍ଟିଂ ପ୍ରଦର୍ଶନ ହୋଇପାରିଛି। ଦୁବାଇ, ସିଙ୍ଗାପୁର ଆଦି ପ୍ରାୟ ୨୦ଟି ରାଷ୍ଟ୍ରରେ ପେଣ୍ଟିଂ ଓ୍ବାର୍କଶପ୍‌ ସହ ଚିତ୍ରକଳା ଶିବିରରେ ଯୋଗ ଦେଇସାରିଛି। ସେହିପରି ୨୦୦୩ରେ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀରେ ମୋ’ ଦ୍ୱାରା ହୋଇଥିବା ପେଣ୍ଟିଂଗୁଡ଼ିକ ଅନ୍ତର୍ଜାତୀୟସ୍ତରରେ ସୁନାମ ଅର୍ଜନ କରିପାରିଥିଲା। ଯେଉଁଦିନ ନ୍ୟୁୟର୍କ ସୋଲୋ ଶୋ ଏବଂ ଲଣ୍ଡନରେ ସୋଲୋ ଶୋ ହୋଇଥିଲା, ଏହାର ସ୍ମୃତି ସବୁଦିନ ମନେରହିବ। ବିଭିନ୍ନ ସମୟରେ ଦୁବାଇ ଏବଂ ଇଟାଲିରେ ଆୟୋଜିତ ଚିତ୍ରକଳା କ୍ୟାମ୍ପରେ ଯୋଗ ଦେଇ ଆସୁଛି। ଚିତ୍ର ପାଇଁ ଅନେକ ପୁରସ୍କାର ଆଉ ସମ୍ମାନର ଅଧିକାରୀ ମୁଁ ହୋଇଛି। ଯାହା ମଧ୍ୟରେ ଓଡ଼ିଶା ଲଳିତ କଳା ଏକାଡେମୀରୁ ୧୯୯୫ରେ ପୁରସ୍କୃତ ହୋଇଛି। ସେହିପରି ଡିପାର୍ଟମେଣ୍ଟ ଅଫ୍‌ କଲ୍‌ଚର, ନିଉଦିଲ୍ଲୀରୁ କ୍ରାଫ୍ଟ ଆଣ୍ଡ ସୋସାଇଟିରୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ ହୋଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଏମ୍‌ଏଫ୍‌ଏ ପେଣ୍ଟିଂରେ ଗୋଲ୍‌ଡ ମେଡାଲ, ଜାତୀୟ ୟୁଥ ଫେଷ୍ଟିଭାଲରୁ ଗୋଲ୍ଡମେଡାଲ, ଇଷ୍ଟଜୋନ୍‌ ୟୁଥ୍‌ ଫେଷ୍ଟିଭାଲରୁ ସିଲ୍‌ଭର ମେଡାଲ, ରାଜ୍ୟସ୍ତରୀୟ ଫାଇନ ଆର୍ଟ, ମିନିଷ୍ଟ୍ରି ଅଫ୍‌ ହ୍ୟୁମ୍ୟାନ ରିସର୍ଚ୍ଚ ଡେଭଲପ୍‌ମେଣ୍ଟ, ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଜୁନିୟର ଫେଲୋଶିପ୍‌, ପନ୍ଥ ରତ୍ନ ଡ. ଇନ୍ଦ୍ରଜିତ ସିଂହ ସମ୍ମାନ ଚଣ୍ଡିଗଡ଼, କ୍ରିଟିକ ଚଏସ୍‌ ସମ୍ମାନ ଓ୍ବାଲ୍ଡ ଇନ୍‌ଭରସିଟି ଜିଡାଇନ-୨୦୨୨ , ଶାନ୍ତି ନିକେତନ, ମଦୁରାଇର ଶିକ୍ଷାନୁଷ୍ଠାନରୁ ମଧ୍ୟ ପୁରସ୍କାର ମିଳିସାରିଛି।
୧୯୯୯ ମସିହାଠାରୁ ମୁଁ ଦିଲ୍ଲୀରେ ଏକା ରହୁଛି। ପରିବାରରେ ମୋର ଏକ ମାତ୍ର ଝିଅ ଐଶ୍ୱର୍ଯ୍ୟା ଏବଂ ପତ୍ନୀ ସହିତ ରହୁଛି। ତେବେ ମୋ ମତରେ ଏତିକି କହିବି, ସୃଷ୍ଟି ପାଇଁ ନାରୀର ଭୂମିକା ଅତୁଳନୀୟ। ଏହି କଥାକୁ ମୁଁ କଳାରେ ପରିପ୍ରକାଶ କରିବାର ପ୍ରୟାସ କରିଛି।

– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?