ତେଲ ଉପାଖ୍ୟାନ

ଏକଦା ଗିନିଜ୍‌ ବୁକ୍‌ରେ ବିଶ୍ୱର ଶ୍ରେଷ୍ଠ ଧନାଢ଼୍ୟ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିବା ବ୍ରିଟିଶ ଶିଳ୍ପପତି ପାଉଲ ଗେଟିଙ୍କ କହିବା ଅନୁଯାୟୀ, ଜୀବନରେ ସଫଳତାର ଉତ୍ସ ହେଉଛି- ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ, କଠିନ ପରିଶ୍ରମ ଓ ଟିକେ ତେଲ। ଏହି ତେଲ ସମ୍ପର୍କରେ ଆସନ୍ତୁ ଆଲୋଚନା କରିବା। ତେଲ ଓ ଲୁଣର ଆମ ଏ ସଂସାର। ଲୁଣ ଯେମିତି ଦୈନନ୍ଦିନ ଜୀବନ ସମେତ ଆମ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ, ତେଲ ବି ସେମିତି। ଦୁହିଁଙ୍କ ବିନା ଆମ ଜୀବନଯାତ୍ରା ଅଚଳ। ଦୁହିଁଙ୍କ ଉପଯୋଗିତା ଯେମିତି, ଉପକାରିତା ବି ସେମିତି। କିନ୍ତୁ ବେଶି ଉପଯୋଗ କଲେ ଆମ ପାଇଁ ବିପଦ ହୋଇଥାଏ। ଡାକ୍ତରଙ୍କୁ ଦାନଦକ୍ଷିଣା ଦେଇ ଦେଇ ସର୍ବସ୍ବାନ୍ତ ହେବାକୁ ପଡ଼େ। ଗାଡ଼ିର ଇନ୍ଧନ ପାଇଁ ହେଉ କି ଦୀପ ପାଇଁ ଅବା ଦେହରେ ମାଖିବା ପାଇଁ କି ରନ୍ଧନ ପାଇଁ, ତେଲର ବ୍ୟବହାର ସବୁଠି। କିନ୍ତୁ ଏତଦ୍‌ଭିନ୍ନ ଆଉ ଗୋଟେ ପ୍ରକାର ତେଲ ରହିଛି, ଯାହାର ବ୍ୟବହାର ଆଜି ବ୍ୟାପକ। ଏପରିକି ଗୃହିଣୀଙ୍କ କାର୍ଯ୍ୟାଳୟ ଅର୍ଥାତ୍‌ ଭାର୍ଯ୍ୟାଳୟରେ ମଧ୍ୟ ଏହାର ଉପଯୋଗିତା ଢେର ବେଶି। ପ୍ରାଣପ୍ରିୟାଙ୍କୁ ଟିକେ ତେଲ ନ ମାରିଲେ କଥା ସରିଲା। ଆପଣଙ୍କ ଉପରେ ଶନିଦଶା ପଡ଼ିଲା ବୋଲି ବୁଝିବାକୁ ପଡ଼ିବ। ଗେଟିଙ୍କ ‘ଟିକେ ତେଲ’ର ଅର୍ଥ ସାମାନ୍ୟ ପ୍ରଶସ୍ତି। ଅର୍ଥାତ୍‌ ଅନ୍ୟ ପ୍ରତି ସର୍ବଦା ପ୍ରଶଂସାସୂଚକ କଥା କହିବା। କଦାପି କାହାରି ପ୍ରତି ନିନ୍ଦାସୂଚକ ବା ଆକ୍ଷେପଭରା ବାକ୍ୟ ପ୍ରୟୋଗ କରିବା ନାହିଁ। ସେଇଥିପାଇଁ ତ କୁହାଯାଇଛି, ‘ଯଦି ଅନ୍ୟକୁ ପ୍ରଶଂସା କରିବାକୁ ଅସମର୍ଥ, ଅନ୍ତତଃ କାହାରି ନିନ୍ଦା କରନାହିଁ ’। ଅର୍ଥାତ୍‌ ସର୍ବଦା ସକାରାତ୍ମକ ଦୃଷ୍ଟିକୋଣକୁ ଆପଣାଇବା; ଯଦ୍ୱାରା ବନ୍ଧୁଙ୍କ ସଂଖ୍ୟା ବି ବଢ଼ି ଚାଲିବ, କମିବ ନାହିଁ। ଟିକିଏ ମାତ୍ର ତେଲ ପ୍ରୟୋଗରେ ଯନ୍ତ୍ରପାତିଗୁଡିକ ଯେମିତି ସୁଚାରୁରୂପେ କାମ କରନ୍ତି, ସେମିତି ଆମ୍ଭ ବ୍ୟବହାରରେ ଟିକେ ତେଲ ରହିଲେ, କାର୍ଯ୍ୟ ହାସଲ ସହଜ ହୋଇଥାଏ। କିନ୍ତୁ ଲୋଭରେ ପଡ଼ି ସାମାନ୍ୟ ସ୍ବାର୍ଥ ପାଇଁ ଅଧିକରୁ ଅଧିକ ତେଲ ମାରିବା, ଯାହାକୁ ତୋଷାମଦପଣିଆ କୁହାଯାଏ, ତାହା ଆଦୌ ସ୍ପୃହଣୀୟ ନୁହେଁ। ଏ ଜାତିର କୁଳବୁଦ୍ଧ, ଓଡ଼ିଆ ସ୍ବାଭିମାନର ସ୍ବର ମଧୁବାବୁ ତ ଏହାକୁ ତୀବ୍ର ଘୃଣାକରି କୁକୁର ପ୍ରକୃତି ବୋଲି ଉଲ୍ଲେଖ କରିଛନ୍ତି। କବିଙ୍କ କଲମରେ – ”ତୁ ମନେ ଭାବିଛୁ ତୋଷାମଦ କରି ବଢ଼ାଇବୁ ଜାତି ମାନ, ତୋଷାମଦିଆର କୁକୁର ପ୍ରକୃତି ଅଇଁଠାପତରେ ଧ୍ୟାନ। ସ୍ବାର୍ଥର ବନିତା ଅଟେ ତୋଷାମଦ ଭୟ ମିଥ୍ୟା ତାଙ୍କ ପୁତ୍ର, ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ ଏମାନେ ହେଲେ ଏକତ୍ର। ଜାତିର ଉନ୍ନତି ସେ କାହିଁ କରିବ ସ୍ବାର୍ଥେ ଯା’ର ବ୍ୟସ୍ତ ମନ, ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ? ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁହେଁ ବନ୍ଧାଥିଲେ?“ ଗୋଟେ ଜାତି ପାଇଁ ଏଭଳି ଚରିତ୍ର ଅତ୍ୟନ୍ତ କ୍ଷତିକାରକ। ଏ ପ୍ରକାର ତେଲମରା ଗୋଷ୍ଠୀର ଲୋକେ ହେଉଛନ୍ତି ଆମ୍ଭ ଜାତିର ଶତ୍ରୁ। ଏବେ ତ ଏ ପ୍ରକାର ତେଲ ସରକାରୀ, ବେସରକାରୀ, ରାଜନୈତିକ କାର୍ଯ୍ୟାଳୟଗୁଡ଼ିକରେ ବହୁଳ ମାତ୍ରାରେ ବ୍ୟବହାର ହେଉଥିବାର ଦେଖିବାକୁ ମିଳିଥାଏ। ଏଇଠି ମନେପଡ଼େ ଇତିହାସର ଏମିତି ଦୁଇଟି ଘଟଣା, ଯାହାକି ତେଲ ସହ ସମ୍ପର୍କିତ। ମହାମତି ଚାଣକ୍ୟଙ୍କ ଜୀବନର ବହୁଚର୍ଚ୍ଚିତ ପ୍ରେରଣାଦାୟୀ ଘଟଣାଟି ସମ୍ବନ୍ଧରେ ତ ପ୍ରାୟ ସମସ୍ତେ ଅବଗତ, ଯାହାକି ଘଟିଥିଲା ବିଦେଶାଗତ ଅତିଥିଙ୍କ ଆଗରେ, ତେଲଭରା ଦୁଇଟି ଦୀପକୁ ନେଇ। ସେ ସମ୍ବନ୍ଧେ ଆଉ ଆଲୋଚନା ନ କରି ଅନାଲୋଚିତ ଅନ୍ୟ ଏକ ରୋଚକଭରା କାହାଣୀଟି ଏଠାରେ ଉଲ୍ଲେଖ କରିବା ଉଚିତ ମନେହୁଏ। ସଉକ ଅନୁଯାୟୀ ଆକବର ପାଳିଥିଲେ ଅନେକ ବିରାଡ଼ି। ଏକଦା ତାଙ୍କ ମନକୁ ଗୋଟେ ଅଜବ ଖିଆଲ ଜୁଟିଲା। ଯୋଜନାନୁଯାୟୀ ବିରାଡ଼ିମାନଙ୍କ ମୁଣ୍ଡରେ ତେଲ ଭର୍ତ୍ତି ଜଳନ୍ତା ଦୀପ ରଖି ଦିଆଯିବ। ସମ୍ରାଟ ଯେତେବେଳେ ରାତ୍ରିଭୋଜନ କରିବେ, ସେତେବେଳେ ତାଲିମପ୍ରାପ୍ତ ବିରାଡ଼ିଗୁଡ଼ିକ ନିଶ୍ଚଳ ହୋଇ ବସି ରହିଥିବେ ସମ୍ରାଟଙ୍କ ଭୋଜନ ସରିବା ଯାଏଁ। ଧାର୍ଯ୍ୟଦିନ ସୁଦ୍ଧା ସେମାନଙ୍କୁ ତାଲିମ ଦେଇ ପରୀକ୍ଷାମୂଳକ ଭାବେ ମହାରାଜାଙ୍କ ରାତ୍ରିଭୋଜନ ସମୟରେ ପ୍ରଦର୍ଶିତ କରାଗଲା। ତାଲିମପ୍ରାପ୍ତ ବିରାଡ଼ିଗୁଡ଼ିକ ନିଶ୍ଚଳ ହୋଇ ସେମିତି ବସିରହିଲେ ଆକବର ନ ଉଠିଲା ପର୍ଯ୍ୟନ୍ତ। ଏଥିରେ ଅତ୍ୟନ୍ତ ଖୁସି ବ୍ୟକ୍ତକଲେ ଆକବର। ବୀରବଲଙ୍କ ବିନା ବିରାଡ଼ିମାନଙ୍କୁ ତାଲିମ ଦେବାର କଠିନ କାମଟିଏ କରାଯାଇଥିବାରୁ ଖୁସିରେ ଗଦ୍‌ଗଦ୍‌ ହେଲେ। ତା’ପରଦିନ ରାତ୍ରିଭୋଜନ ସମୟରେ ବୀରବଲଙ୍କୁ ଆମନ୍ତ୍ରଣ କଲେ ଏ ପ୍ରକାର ଆଶ୍ଚର୍ଯ୍ୟ ଘଟଣାକୁ ଦେଖାଇବାକୁ। ନିର୍ଦ୍ଦିଷ୍ଟ ସମୟରେ ବୀରବଲ ଆସି ପହଞ୍ଚିଲେ ଓ ସେସବୁ ଦେଖିଲେ। ଆକବର କହିଲେ, ”ଦେଖିଲ ତ ବୀରବଲ, ଏ ଆକବର ବିଲେଇମାନଙ୍କୁ ବି କେମିତି ନଚାଇପାରେ।“ ସେଇଠୁ ବୀରବଲ କହିଲେ, ”ମଣିମା, ଏମାନେ ସବୁ କ’ଣ ଠିକ୍‌ଭାବେ ତାଲିମପ୍ରାପ୍ତ? ମୋର କାହିଁ ସନ୍ଦେହ ହେଉଛି। ତାଙ୍କର ଏକ ପରୀକ୍ଷା କରାଯାଉ, ଆସନ୍ତାକାଲି ଠିକ ଏହି ବେଳରେ। ସେଥିପାଇଁ ମଣିମାଙ୍କ ଅନୁମତି ଚାହୁଁଛି।“ ଆକବରଙ୍କ ସମ୍ମତିକ୍ରମେ ବୀରବଲ ଆସି ପହଞ୍ଚିଲେ ତା’ପରଦିନ ଠିକ୍‌ ସେହି ସମୟରେ। କିନ୍ତୁ ଖୁବ୍‌ ସତର୍କତାର ସହ ନିଜ ପାଇଜାମା ପକେଟରେ ମୂଷାଟିଏ ପୂରାଇ ଆଣିଥିଲେ। ନିର୍ଦ୍ଧାରିତ ସମୟରେ ଆକବର ଆସି ଭୋଜନ କରିବାକୁ ବସିଛନ୍ତି, ଅତ୍ୟନ୍ତ ସନ୍ତର୍ପଣରେ ବିଲେଇମାନଙ୍କ ସାମ୍ନାରେ ଥୋଇଦେଲେ ମୂଷାଟିକୁ। ତା’ପରେ ବିଲେଇମାନଙ୍କୁ ଆଉ କିଏ ସମ୍ଭାଳେ! ତାଲିମ ଫାଲିମ ଭୁଲିଯାଇ ମୂଷାଟିକୁ ମାରିବାକୁ ପ୍ରତିଯୋଗିତାରେ ମାତିଗଲେ। ସେଇଠୁ ମଥା ଉପରେ ଥିବା ଦୀପାଳିସବୁ ତଳେ ପଡ଼ିଯାଇ ସାରା ଚଟାଣ ତୈଳାକ୍ତ ହୋଇଗଲା ଏବଂ ଚାରିଆଡ଼େ ଅନ୍ଧାର ହୋଇଗଲା। ଏପଟେ ରାଗିଗଲେ ସାମ୍ରାଟ। ଅଧାଖିଆ ହୋଇ ଉଠି ଆସୁଥିବା ବେଳେ ଶୁଭିଲା ଦୁଲ୍‌ଦାଲ୍‌ ଶବ୍ଦଟିଏ। ଚତୁଃପାର୍ଶ୍ୱରେ ଲୁଚିଥିବା ମୁହଁମାନଙ୍କରୁ ଲହଡ଼ିସମ ମାଡ଼ିଆସିିଲା। ଇତିହାସରୁ ଏବେ ଆସିବା ଦର୍ଶନ ବିଭାଗକୁ। ଉପରୋକ୍ତ ସେହି ବିଲେଇମାନଙ୍କ ପରି ଆମ୍ଭମାନଙ୍କ ମନ ମଧ୍ୟ ଅତ୍ୟନ୍ତ ସୁବିଧାବାଦୀ। ଟିକେ ସୁଯୋଗ ପାଇଲାମାତ୍ରେ ସେଇ ଦିଗକୁ ଆମକୁ ଟାଣିନିଏ। ମନକୁ ସଦା ନିୟନ୍ତ୍ରଣରେ ନ ରଖିଲେ ବିପଦର ସମ୍ଭାବନା ରହିଥାଏ। ଦୁଷ୍ଟ ତଥା ସଦା ଚଞ୍ଚଳ ମନକୁ ଆୟତ୍ତ କରିବାକୁ ହେଲେ ଶକ୍ତ ରଜୁ ଲୋଡ଼ା। ସେଥିପାଇଁ ଅନ୍ତର୍ଚେତନାକୁ ଜାଗ୍ରତ କରିବକୁ ହେବ। ଅର୍ଥାତ୍‌ ଆମ୍ଭ ଅନ୍ତରର ଦୀପକୁ ଜଳାଇବାକୁ ପଡ଼ିବ। ଅନ୍ତରର ଦୀପ ଜଳାଇବାକୁ ହେଲେ ସେହିଭଳି ତେଲ ଜରୁରୀ। ସେ ତେଲ ହେଉଛି ଧ୍ୟାନ,ପ୍ରାଣାୟମ, ପ୍ରାର୍ଥନା, ନିତ୍ୟ ସ୍ବାଧ୍ୟାୟ ବା ସଦ୍‌ଗ୍ରନ୍ଥ ପଠନ, ସତ୍ୟ ବଚନ ଶ୍ରବଣ, ସତ୍ୟ ଦର୍ଶନ। ଏହାଦ୍ୱାରା ଅନ୍ତରର ଦୀପ ସଦା ପ୍ରଜ୍ବଳିତ ହେବ। ମାନେ ବିବେକ ସଦା ଜାଗ୍ରତ ରହିବ। ଆସୁରିକତା ଆମ୍ଭକୁ ସହଜେ ଗ୍ରାସ କରିପାରିବ ନାହିଁ। ଫଳରେ, ବ୍ୟକ୍ତି ତଥା ସମାଜର ଅଶେଷ କଲ୍ୟାଣ ସାଧିତ ହେବ। ଏତିକିରେ ଇତି କରୁଛୁ, ଆଜିର ଏ ତେଲ ଉପାଖ୍ୟାନ।

– ଉପେନ୍ଦ୍ର ବିଶ୍ୱାଳ
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ- ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri