ଗୁଣ୍ଡା ଗପ

ଡ.କୁଳାଙ୍ଗାର

 

ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍‌ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା ଏବଂ ପେଟି ଦୋକାନୀଙ୍କଠାରୁ ମାଗଣାରେ ଚା, ଜଳଖିଆ, ପାନ, ଗୁଟ୍‌ଖା, ବିଡି/ସିଗାରେଟ ଆଦି ଖାଇବା ତା’ର ଦୈନନ୍ଦିନ ବ୍ୟାପାର ଥିଲା। ଏମିତି କିଛି ଆତ୍ମିକ ଓ ଆହାରଗତ ସୁଖକୁ ଛାଡ଼ିଦେଲେ ତା’ର ଗୁଣ୍ଡାମିରୁ ନଗଦ ଆୟ ଶୂନ ଥିଲା।
ଟିଭି, ସିନେମା, ଖବରକାଗଜ ଓ ମୋବାଇଲ ଜରିଆରେ ସାମାଜିକ ଗଣମାଧ୍ୟମରୁ ଦେଖି ଏବଂ ଗୁଣ୍ଡାମିର ଭବିଷ୍ୟତ ସମ୍ପର୍କରେ ଜାଣି ସିଏ ମଧ୍ୟ ଏ ଦିଗରେ ଆଗକୁ ବଢ଼ିବାକୁ ସ୍ବପ୍ନ ଦେଖୁଥିଲା। ତେବେ ଏ ଦିଗରେ ବେଶି ଆଗକୁ ଯାଇପାରି ନ ଥିଲା।
ସ୍ବକୀୟତା ପାଇଁ ଯଦିଓ ସିଏ ସାହିର ବାର୍ଷିକ ନାଟକରେ ଖଳନାୟକ ଭୂମିକାଟି ଜବରଦସ୍ତ ହାତେଇ ନେଉଥିଲା। ସେଥିପାଇଁ ତା’ ପାଖରେ ଉପଯୁକ୍ତ ସ୍ବର ଓ ଶାରୀରିକ ଗଠନ ନଥିଲା। ନିଜକୁ ଭୟାନକ କରିବା ପାଇଁ ଯଦିଓ ସିଏ ଲମ୍ବା ନିଶ ହଳେ ରଖିଥିଲା, ସେ ନିଶ ଦୁର୍ବଳ ରାଜନୈତିକ ଦଳ ପରି ବାରମ୍ବାର ନଇଁ ପଡୁଥିଲା। ଶରୀରଟି ଦେଶର ଅର୍ଥନୈତିକ ଅବସ୍ଥା ସମ ଯଦିଓ ନହନହକା ଆକାରରେ ଦମ୍ଭ ଧରି ଛିଡ଼ା ହେଉଥିଲା, ଯେକୌଣସି ମୁହୂର୍ତ୍ତରେ ଗୋଟିଏ ପଟକୁ ନଇଁ ପଡ଼ିବାର ଆଶଙ୍କା ରହୁଥିଲା। ବିଶିଷ୍ଟ ଗୁଣ୍ଡା, ବଦମାସ୍‌ ଅବା ଗ୍ୟାଙ୍ଗଷ୍ଟର୍‌ ହେବା ପାଇଁ ସେଭଳିଆ ଶରୀର ଆବଶ୍ୟକତା ଏବଂ ଏଥିପାଇଁ ନିୟମିତ ଜିମ୍‌ ଯିବା ପାଇଁ ତାକୁ ଅନେକେ ମାଗଣାରେ ପରାମର୍ଶ ଦେଇଥିଲେ କିନ୍ତୁ ଜିମ୍‌ରେ କସରତ କରିବା ମାଗଣା ହୋଇ ନ ଥିବାରୁ ସିଏ ତାହାକୁ ପାଳନ କରି ପାରୁ ନ ଥିଲା।
ଅତଏବ ମାଲି ମକଦ୍ଦମାରେ ଫସିଥିବା ଲୋକ ସମାଧାନ ଆଦାୟ ପାଇଁ, ଋଣ ମହାଜନମାନେ ନିଜର ବୁଡ଼ି ଯାଉଥିବା ଅର୍ଥ ଆଦାୟ ପାଇଁ ଅବା ସ୍ଥାନୀୟ ନେତାମାନେ ନିଜର ସମର୍ଥନ ଆଦାୟ ପାଇଁ ତା’ ଉପରେ ନିର୍ଭରଶୀଳ ନ ଥିଲେ। ସ୍ଥାନୀୟ ଥାନା ରେକର୍ଡରେ ମଧ୍ୟ ସେ ପର୍ଯ୍ୟନ୍ତ ତା’ର ନାମ ଚଢ଼ି ନ ଥିଲା। ତେବେ ଛକ ଉପରେ ତା’ର ଅବସ୍ଥିତି, ସମୟ ଓ ଶବ୍ଦଖର୍ଚ୍ଚ ତାକୁ ଛୋଟମୋଟ ବଦମାସ୍‌ର ଆଖ୍ୟା ପ୍ରଦାନ କରିଥିଲା।
ତେବେ ଗୁଣ୍ଡାମାନଙ୍କୁ ସାବାଡ କରିବା ଉଦ୍ଦେଶ୍ୟରେ ନୂଆ ଗୁଣ୍ଡାନିରୋଧ ଆଇନକୁ ନେଇ ପୋଲିସ ଜାଗ୍ରତ ହୋଇପଡ଼ିଲା। ଏହାର ପ୍ରଭାବ ତାଙ୍କ ଅଞ୍ଚଳରେ ଥିବା ଥାନା ଉପରେ ମଧ୍ୟ ପଡ଼ିଲା। ଥାନା ବାବୁ ଜିଲାସ୍ତରୀୟ ବୈଠକରୁ ଫେରି ତଳିଆ ଅଧିକାରୀମାନଙ୍କୁ ଫଟାଫଟ୍‌ ଥାନା ଅଧୀନସ୍ଥ ବିଶିଷ୍ଟ ଗୁଣ୍ଡାମାନଙ୍କର ତାଲିକା କରିବାକୁ ନିର୍ଦ୍ଦେଶ ଦେଲେ। ଏହା ଶୁଣି ତଳିଆ ବାବୁବାବୁଆଣୀମାନେ ଚନ୍ତାରେ ପଡ଼ିଲେ।
କଥା କ’ଣ କି ସେ ଅଞ୍ଚଳଟି ଶାନ୍ତିପ୍ରିୟ। ଜଙ୍ଗଲିଆ ଓ ଅନୁନ୍ନତ ହୋଇଥିବାରୁ ଏବଂ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଗୁଣ୍ଡାମିରେ ସେମିତି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉ ନ ଥିଲା। ଯେଉଁ କେତେଜଣ ସାହସୀ ଯୁବତୀଯୁବକ ଥିଲେ, ସେମାନେ ଲାଲ୍‌ ସଲାମ ଦୀକ୍ଷା ଗ୍ରହଣ କରି ଜଙ୍ଗଲରେ ରହୁଥିଲେ। ତେଣୁ ବିଶିଷ୍ଟ ଗୁଣ୍ଡା ତାଲିକାରେ ସେମିତି କେହି ଆସିଲେ ନାହିଁ।
ସମସ୍ତଙ୍କଠାରୁ ନାସ୍ତିବାକ୍ୟ ଶୁଣି ଥାନାବାବୁ ଖାଣ୍ଟି ଓଡ଼ିଆରେ ଗୁଡ଼ାଏ ବକିଲେ ଏବଂ ଯେମିତି ହେଲେ ବିଶିଷ୍ଟ ଗୁଣ୍ଡାଟିଏ ଖୋଜିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କର କହିବା କଥା ଯଦି ଏଠି ଦକ୍ଷ ଗୁଣ୍ଡା ନାହାନ୍ତି ବୋଲି ଉପରକୁ ଜଣାଇବା ତେବେ ଆମେ କାହାକୁ ସାବାଡ କରି ଦକ୍ଷ ପୋଲିସ ବୋଲାଇବା।
ବଡ଼ ସାହେବଙ୍କ ଚାପରେ ପୋଲିସ ଖବରୀଙ୍କ ଜରିଆରେ ଘାଣ୍ଟଚକଟ କଲା ପରେ ତାକୁ ରାତିଅଧିଆ ଉଠେଇ ନେଲା। ସିଏ ତ କେବେ ପୋଲିସ ଥାନା ଯାଇ ନ ଥିଲା ତେଣୁ ଭୟାତୁର ହୋଇ ଜଙ୍ଗଲୀ ବାଘ ସହରରେ ଧରାପଡ଼ି ଯନ୍ତାରେ ରହିବା ପରି ପଡ଼ି ରହିଲା। ତେବେ ପୋଲିସ ତାକୁ ହାଜତରେ ଭର୍ତ୍ତି ନ କରି ଥାନାରେ ପଡ଼ିଥିବା ବେଞ୍ଚ ଉପରେ ରାତିଟା ଶୋଇବା ପାଇଁ ସୁଯୋଗ ଦେଲା। ରାତି ପାହି ସକାଳର କିଛି ସମୟ ଅତିକ୍ରାନ୍ତ ହେବା ପରେ ଦୁମ୍‌ ଦୁମ୍‌ ପାଦ ପକେଇ ଥାନାଧିକାରୀ ଆସିଲେ। କାହିଁ କୋଉଠି ଅଛନ୍ତି ସେ, ଗୁଣ୍ଡା ଶୁଣି ତା’ର ନିଦ ଭାଙ୍ଗିଗଲା। ସିଏ ଧଡ୍‌ କରି ଠିଆହୋଇ ପଡ଼ିଲା। ପାଖରେ ଥିବା ଚଉକିଟିଏକୁ ବଳପୂର୍ବକ ଟାଣିଆଣି ତା’ ଉପରେ ଲଥ୍‌ କରି ବସିପଡ଼ିଲେ ଏବଂ ତାକୁ ନିର୍ଦ୍ଦେଶ ଦେବା ସ୍ବରରେ ଅନୁରୋଧ କଲେ – ବସନ୍ତୁ ବସନ୍ତୁ !
ପୋଲିସ ବାବୁଙ୍କଠାରୁ ପ୍ରଥମଥର ପାଇଁ ଭଦ୍ର ବ୍ୟବହାର ପାଇ ସିଏ ଚକିତ ହେଲା। ଥାନାବାବୁ ତା’ ଚେହେରା ଦେଖି ମୁହଁକୁ ଫୁଲେଇ ନିଶକୁ ହଲେଇ କହିଲେ – ଆରେ ବାଃ… ବଢ଼ିଆ ଫ୍ରେମ୍‌.. ତ…..ା ଆଉ କ’ଣ କହୁଥିଲେ କି ଏଠି ସେମିତି ବଡଗୁଣ୍ଡା ନାହାନ୍ତି? ସିଏ କହିଲା – ସାର୍‌ ମୁଁ କିଛି ଭୁଲ୍‌ କରିନାହିଁ। ମୋତେ ଛାଡିଦିଅନ୍ତୁ! ଥାନାବାବୁ ଏଥର ହସିଲେ ଏବଂ କହିଲେ -ଆମେ କ’ଣ ଧରିଚୁ ଯେ ଛାଡ଼ିବୁ…? ସିଏ କହିଲା – ତା’ ହେଲେ ମୋତେ ଏଠିକି ଆଣିଲେ କାହିଁକି? ସେଠାରେ ଉପସ୍ଥିତ କନଷ୍ଟେବଳ କହିଲା – ଆରେ… ସାହେବ ତମ ସହିତ ସାକ୍ଷାତ କରିବାକୁ ଚାହୁଁଥିଲେ।
ଥାନାବାବୁ କହିଲେ- ଆପଣ ହେଲେ ଆମ ଅଞ୍ଚଳର ବିଶିଷ୍ଟ ଗୁଣ୍ଡା। ଆଗକୁ ଏମିତି ମଝିରେ ମଝିରେ ଥାନାକୁ ଆସିବେ। ଆପଣ ନ ଆସିଲେ ଆମେ ଆଉ ସାବାଡ କରିବୁ କାହାକୁ? ଆମେ କ’ଣ ଏଠି ମଶା ବାଡେଇବାକୁ ଅଛୁ ନା କ’ଣ? ସିଏ ଥାନାବାବୁଙ୍କ କଥାରୁ କିଛି ବୁଝିପାରିଲା ନାହିଁ। ତେବେ ଥାନାବାବୁ ତାକୁ ଚା ସହିତ ଜଳଖିଆ ଖୁଆଇବାକୁ ବରାଦ ଦେବା ସହିତ ଗାଡ଼ିରେ ବସେଇ ଘରେ ନେଇ ଛାଡ଼ି ଆସିବାକୁ ନିର୍ଦ୍ଦେଶ ଦେଇ ଚାଲିଗଲେ।
ସେୟା ହେଲା। ସିଏ ବାଟରେ ଗଲାବେଳେ ପାଖରେ ବସିଥିବା ପୋଲିସକୁ ଏ ସବୁ ଘଟଣାର କାରଣ ପଚାରିଲେ, ପୋଲିସ କହିଲା – କ’ଣ ବୁଝି ପାରୁନୁ ମ….! ତୋର ପ୍ରମୋଶନ ହେଲା ବୋଲି ଜାଣ….! ଏଥର ଏରିଆକୁ ଯେବେ କେହି ବଡ଼ଲୋକ ଆସିବେ……. ତୋତେ ନେଇ ଆମ ଭାଇମାନେ ଖୁଆଇ ପିଆଇ ଥାନାରେ ବସେଇବେ।
ଏହା ଭିତରେ ତା’ ଘର ସାମ୍ନାରେ ଗାଡ଼ି ପହଞ୍ଚିଯାଇଥିଲା। ସେତେବେଳକୁ ତା’ର ବିଶିଷ୍ଟ ଗୁଣ୍ଡା ତାଲିକାରେ ନାମ ଚଢ଼ିବା ଖବରଟି ବିନା ପ୍ରାୟୋଜକରେ ଶ୍ରୋତା ଓ ଦର୍ଶକଙ୍କ ନିକଟରେ ପହଞ୍ଚି ସାରିଥିଲା। ଅତଏବ ତା’ ଦୁଆରେ ବଜାର ପରି ଲୋକ ରୁଣ୍ଡ ହୋଇଥିଲେ। ସିଏ ଗାଡ଼ିରୁ ଓହ୍ଲାଉ ଓହ୍ଲାଉ ତାଙ୍କ ସାହିର ବିଶିଷ୍ଟ ରାଜନୈତିକ କର୍ମୀ ଗହଳି ଭିତରୁ ବାହାରି ଆସିଲା ଏବଂ ନିଜର ମୋବାଇଲ ଫୋନ୍‌ଟିକୁ ବଢ଼େଇ ଦେଇ ବିନମ୍ର ସ୍ବରରେ କହିଲା – ଆଜ୍ଞା…. ଭାଇ କଥା ହେବେ।
ସିଏ ଫୋନ୍‌ଟିକୁ କାନରେ ଦେଇ ହାଲୋ… କହୁକହୁ ସେପଟୁ ଶୁଭିଲା- ଟିକେ ଫୁରସତ୍‌ ଦେଖି ଆସିବ…. ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା…..!
ଅଲରା, ନରସିଂହପୁର, କଟକ
ମୋ-୮୮୯୫୮୨୫୮୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri