ବନ୍ଦ ହେଉ ଭାଷା ଝଗଡ଼ା

ସଂଖ୍ୟାଲଘୁ ଚିନ୍ତାଧାରା କଥା ଉଠିଲେ ସାଧାରଣରେ ସମସ୍ତେ ଧର୍ମକୁ ହିସାବ କରନ୍ତି। କିନ୍ତୁ ଭାଷା ମଧ୍ୟ ଅନ୍ୟ ଏକ ଦିଗ, ଯେଉଁଥିରେ ସଂଖ୍ୟାଗରିଷ୍ଠତା କିମ୍ବା ସଂଖ୍ୟାଲଘୁର ବିଭେଦ ଜଣାପଡ଼େ। ଉଦାହରଣସ୍ବରୂପ ଭାରତର ପ୍ରତ୍ୟେକ ଭାଷାର ଭୌଗୋଳିକ ସୀମା ରହିଛି। ଓଡ଼ିଆ ଭାଷା କହୁଥିବା ବ୍ୟକ୍ତି ଯଦି ବ୍ରହ୍ମପୁର ଟପିକରି ଇଚ୍ଛାପୁରମ୍‌ରେ ପହଞ୍ଚନ୍ତି ତେବେ ସେଠାକାର ଦୋକାନୀ ସାଧାରଣତଃ ଓଡ଼ିଆ ଗ୍ରାହକଙ୍କ କଥା ବୁଝିପାରିବେ ନାହିଁ। ସେହିଭଳି ମଣିପୁରର ଛାତ୍ରୀଙ୍କ ଭାଷା ବୁଝିପାରୁ ନ ଥିବା ହେତୁ ଦିଲ୍ଲୀର ହିନ୍ଦୀଭାଷୀ ଦୋକାନୀ ତାଙ୍କ ସହିତ ଦୁର୍ବ୍ୟବହାର କରିଥାନ୍ତି। ଅର୍ଥାତ୍‌ ଆଞ୍ଚଳିକ ଭାଷାର ସୀମା ଥିବା ହେତୁ ସେହି ସୀମା ଟପିଲେ ଜଣେ ସଂଖ୍ୟାଲଘୁ ପାଲଟିଯାଏ। ଏହାର ଉଦାହରଣ ନିକଟରେ ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି। ଓଡ଼ିଆ ବ୍ୟବସାୟୀଙ୍କ ଦ୍ୱାରା ସ୍ଥାପିତ ପଖାଳ ରେଷ୍ଟୁରାଣ୍ଟରେ ଇଂଲିଶ ସମେତ ଓଡ଼ିଆ ଅକ୍ଷରର ସାଇନବୋର୍ଡ ଲାଗିଥିବା ହେତୁ ସ୍ଥାନୀୟ ଯୁବକ କ୍ରୋଧିତ ହୋଇ ଓଡ଼ିଆ ଭାଷା ବ୍ୟବହାର କରା ନ ଯାଉ ବୋଲି ଦାବି କରିଥିଲେ। ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା କିଛି ଲୋକ ହୁଏତ ହିନ୍ଦୀ କହିଥାନ୍ତି। କିନ୍ତୁ ଉତ୍ତରପ୍ରଦେଶର ପ୍ରୟାଗରାଜକୁ ଯାଇଥିବା ଗଙ୍ଗାସ୍ନାନ ପାଇଁ ଇଚ୍ଛୁକ ଓଡ଼ିଆ ସେଠାରେ ନିଜ ଭାଷାରେ ଯଦି କଥା ହୋଇଥିବେ ତାଙ୍କର ଚାହିଦା ମେଣ୍ଟି ନ ଥିବ।

ଜାତିସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଙ୍ଗଠନ (ୟୁନେସ୍କୋ)ର ଗ୍ଲୋବାଲ ଏଜୁକେଶନ ମନିଟରିଂ (ଜିଇଏମ୍‌) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବୈଶ୍ୱିକ ଜନସଂଖ୍ୟାର ୪୦ ପ୍ରତିଶତ ଲୋକ ସେମାନେ କହିପାରୁଥିବା କିମ୍ବା ବୁଝିପାରୁଥିବା ଭାଷାରେ ଶିକ୍ଷା ହାସଲ କରିବାର ସୁବିଧା ପାଇପାରୁ ନାହାନ୍ତି। କିଛି ସ୍ବଳ୍ପ ଓ ମଧ୍ୟମ ଆୟବର୍ଗ ଦେଶରେ ଏହି ସଂଖ୍ୟା ୯୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ୟୁନେସ୍କୋ ଅନୁଧ୍ୟାନକୁ ଭାରତ ପରିପ୍ରେକ୍ଷୀରେ ଦେଖିଲେ ନିଶ୍ଚିତ ଅନୁଭବ ହୋଇଥାଏ ଯେ, ଆମେ ଆମ ସ୍ଥାନୀୟ ଭୂଖଣ୍ଡ ଛାଡ଼ି ଦେଇ ଅନ୍ୟ ପ୍ରାନ୍ତକୁ ଚାଲିଗଲେ ଭାଷାରେ ପରିବର୍ତ୍ତନ ଆସିଥାଏ। ଗ୍ରାମୀଣ ଓଡ଼ିଆ ଜଣେ ଗ୍ରାମୀଣ ମରାଠୀ ଲୋକ ସହ ବାର୍ତ୍ତାଳାପ କରିବା ସମ୍ଭବ ନୁହେଁ, ବରଂ ଉଭୟେ ଦେଖା ହେଲେ ନୀରବ ରହିବେ। ସେହିଭଳି ହିମାଚଳୀ ବ୍ୟକ୍ତିଙ୍କୁ ଜଣେ ତେଲୁଗୁ ଭାଷା କହୁଥିବା ଲୋକ ଭେଟିଲେ ଉଭୟେ ପରସ୍ପରକୁ ବୁଝିପାରିବେ ନାହିଁ। ଅର୍ଥାତ୍‌ ପ୍ରତ୍ୟେକ ଭାରତୀୟ ତା’ର ନିଜ ଭାଷା ହେତୁ ଏହି ଦେଶରେ ସଂଖ୍ୟାଲଘୁ ଭାବେ ବଞ୍ଚୁଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ଏବେ ନୂତନ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ପ୍ରଚଳନକୁ ନେଇ ଭାରତରେ ଏକ ଭାଷା ବିଭ୍ରାଟ ସୃଷ୍ଟି ହୋଇଛି। ୩ ଭାଷା ନୀତିକୁ ତାମିଲନାଡୁ ସମେତ କେତେକ ଅଣ-ହିନ୍ଦୀଭାଷୀ ରାଜ୍ୟଗୁଡ଼ିକ ବିରୋଧ କରୁଛନ୍ତି।

ଅନେକ ଭାରତୀୟ ଭାବନ୍ତି ହିନ୍ଦୀ ଭାଷା କହୁଥିବା ଅଞ୍ଚଳର ଜନସଂଖ୍ୟା ଅଧିକ ହୋଇଥିବାରୁ ସେହି ଭାଷାକୁ ଜାତୀୟ ଭାଷା ଭାବେ ନେବା କଥା। ଓଡ଼ିଶାର ମଧ୍ୟ ଅନେକ ଲୋକ ଏହି ମତ ସହ ଏକମତ ହୋଇଥାନ୍ତି। ତେବେ ଶିକ୍ଷିତ ଭାରତୀୟ ଜାଣିଛନ୍ତି ଯେ, ଏବେକାର ଯେଉଁସବୁ ସ୍ଥାନରେ ହିନ୍ଦୀ କୁହାଯାଉଛି ସେଠାରେ ଅନେକ ସ୍ଥାନୀୟ ଭାଷା ପୂର୍ବରୁ ଥିଲା। ଉଦାହରଣସ୍ବରୂପ ପଞ୍ଜାବରେ ଗୁରୁମୁଖୀ ଲେଖନୀ ସହିତ ପଞ୍ଜାବୀ ଭାଷାର ସ୍ବତନ୍ତ୍ରତା ରହିଛି। ହରିଆଣାରେ ଦେବନାଗରୀ ଲେଖନୀ ସହିତ ହରିଆଣଭି ଅଛି। ବିହାରରେ ଭୋଜପୁରୀ, ମୈଥିଲୀ ଓ ମାଗାହି ଭାଷା ଥିଲା ଯାହାର ଲେଖନୀକୁ ଲୋକେ ଭୁଲିଗଲେଣି, କାରଣ ଦେବନାଗରୀ ଓ ଊର୍ଦ୍ଦୁକୁ ବିଦେଶୀ ଏବଂ ମୁସଲ୍‌ମାନ ଶାସକମାନେ ରାଜପାରିଷଦରେ ପ୍ରଚଳିତ ଭାଷା ଭାବେ ଗଢ଼ିଆସିଥିଲେ। ଅନୁରୂପ ଭାବେ ଆଜିର ଉତ୍ତରପ୍ରଦେଶରେ ଭୋଜପୁରୀ, ଅଓ୍ବଧି, ବୁନ୍ଦେଲୀ, ବାଘେଲୀ, ବ୍ରଜଭାଷା ଭଳି ଅନେକ ଭାଷା ଥିଲା ଯାହାକୁ ଦେବନାଗରୀ ଲେଖନୀ କାବୁକରି ସେମାନଙ୍କ ଉପରେ ପ୍ରଭାବ ବିସ୍ତାର କରିଦେଲା। ରାଜସ୍ଥାନରେ ମାରଓ୍ବାଡ଼ି, ମଓ୍ବୋଡି, ସିନ୍ଦି ଭଳି ଅନେକ ଭାଷା ପ୍ରଚଳିତ ଥିଲା ଓ ଅଛି। ଓଡ଼ିଶାରେ କୋଶଳୀ ଭଳି ଏହିସବୁ ଭାଷାର ମୂଳ ଦୁର୍ବଳ ଥିଲା। ତନ୍ମଧ୍ୟରୁ ଅଧିକାଂଶଙ୍କର ଲେଖନୀ ବା ଲିପି ନ ଥିଲା। ଯାହାର ଲିପି ନାହିଁ ସେହି ଭାଷାସବୁ ମରିଗଲେ। ଗୁଜରାଟୀ ଓ ମରାଠୀ ଲିପିରେ ଦେବନାଗରୀର ପ୍ରଭାବ ଥିଲେ ମଧ୍ୟ ଅଳ୍ପ କିଛି ଭିନ୍ନତା ରହିଛି। ଏହିସବୁ ଭାଷା ଦେବନାଗରୀ ଲିପି ଆପଣାଇ ନେଇଥିବାରୁ ସେହିସବୁ ଅଞ୍ଚଳରେ ହିନ୍ଦୀ କଥନୀ ସହଜରେ ପ୍ରବେଶ କରିଯାଇଥିଲା। କିନ୍ତୁ ଏହି ଭାଷାଗୁଡ଼ିକ ବ୍ୟବହାର କରୁଥିବା ନାଗରିକ ଆଜି ମଧ୍ୟ ସଂଖ୍ୟାଲଘୁ । ଅନ୍ୟପଟେ ମିଜୋରାମ, ମଣିପୁର, ନାଗାଲାଣ୍ଡ, ବଙ୍ଗ, ଓଡ଼ିଶା ଏବଂ ଦକ୍ଷିଣ ଭାରତକୁ ଦେଖିଲେ ସମସ୍ତଙ୍କର ନିଜସ୍ବ ଲିପି ରହିଛି। ଏହିସବୁ ଲିପି ବଞ୍ଚିରହିବା ପଛରେ ଶାସକମାନଙ୍କ ସକ୍ରିୟ ପ୍ରୋତ୍ସାହନର ଇତିହାସ ମଧ୍ୟ ରହିଛି। କିନ୍ତୁ ଜଣେ ମଣିପୁରୀ କିମ୍ବା ମିଜୋ ଭାରତର ଅନ୍ୟ ଯେଉଁଠିକୁ ଗଲେ ସଂଖ୍ୟାଲଘୁ ହେବ। ସେହିପରି ହିନ୍ଦୀ ଭାଷା ବ୍ୟବହାର କରୁଥିବା ବ୍ୟକ୍ତି ଓଡ଼ିଶା କିମ୍ବା ଦକ୍ଷିଣ ଭାରତର ଗ୍ରାମାଞ୍ଚଳକୁ ଗଲେ ସେହିଭଳି ଭାବେ ସଂଖ୍ୟାଲଘୁ ହେବ।

ଏଥିରୁ ଅନ୍ୟଏକ ଚିନ୍ତା କରାଯାଇପାରେ ଯେ ଭାଷା ଏକମାତ୍ର ପନ୍ଥା ଯାହାଦ୍ୱାରା ଗୋଟିଏ ଅଞ୍ଚଳ ବା ଦେଶର ଅର୍ଥନୀତି ପରିଚାଳିତ ହୋଇଥାଏ। ନିକଟରେ ଘଟିଥିବା ଏକ ଘଟଣାର ଉଦାହରଣ ନିଆଯାଇପାରେ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିରି ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଓ ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହିତ ହ୍ବାଇଟ୍‌ ହାଉସ୍‌ରେ ଏକ ବୈଠକରେ ଝଗଡ଼ା କରିବସିଲେ। ମାତ୍ର ପୃଥିବୀ ସେହି ଘଟଣାକୁ ଟେଲିଭିଜନ ଓ ୟୁଟ୍ୟୁବ ମାଧ୍ୟମରେ ସିଧାସଳଖ ପ୍ରସାରଣରେ ଦେଖିବାର ସୁଯୋଗ ପାଇଲା। ଜେଲେନ୍‌ସ୍କି ତାଙ୍କ ଦେଶ ପାଇଁ ଯାହା କହିଲେ ତାହା ଅନେକ ଲୋକ ସମର୍ଥନ କରିଥିବା ବେଳେ ଅନ୍ୟ ଏକ ବିରାଟକାୟ ଗୋଷ୍ଠୀ ଟ୍ରମ୍ପ୍‌କୁ ମଧ୍ୟ ସମର୍ଥନ ଜଣାଇଲେ। କିନ୍ତୁ ମୂଳ କଥା ହେଲା ଉଭୟେ ସ୍ପଷ୍ଟ ଭାବେ କଥା ହେଲେ ବୋଲି ଏହି ବାକ୍‌ଯୁଦ୍ଧକୁ ସମସ୍ତେ ବୁଝି ନିଜର ମତ ସୃଷ୍ଟି କଲେ। ଏଠାରେ ଚିନ୍ତା କରାଯାଉ ଏକ ପରିସ୍ଥିତି, ଯେଉଁଥିରେ ଜେଲେନ୍‌ସ୍କି ଇଂଲିଶ୍‌ ଭାଷାରେ କଥା କହିପାରି ନ ଥାନ୍ତେ। ଅନୁବାଦକଙ୍କ ମାଧ୍ୟମରେ ୟୁକ୍ରେନ୍‌ ଭାଷାରେ ଯାହା କିଛି ବି କହିଥିଲେ ତାଙ୍କର ଅବିକଳ ମତ ଦୁର୍ବଳ ଓ ଅସ୍ପଷ୍ଟ ଛବି ପୃଥିବୀସାରା ଆଙ୍କିଥାନ୍ତା। ସମର୍ଥକ ହୁଅନ୍ତୁ ବା ବିପକ୍ଷବାଦୀ ଉଭୟେ ଜେଲେନ୍‌ସ୍କିଙ୍କ ମତକୁ ସ୍ପଷ୍ଟଭାବେ ବୁଝିପାରିଛନ୍ତି। ଏହି ଗୋଟିଏ ଘଟଣାରୁ ଭାଷାର ଗୁରୁତ୍ୱ ବୁଝାପଡ଼େ। ଯେଉଁ ଦେଶ ପାଖରେ ସ୍ପଷ୍ଟ ଅନ୍ତର୍ଜାତୀୟ ଭାଷାର ଶକ୍ତି ନାହିଁ, ସେଭଳି ଦେଶରେ ଅର୍ଥନୀତିରେ ଅଗ୍ରଗତି କରିବା ମଧ୍ୟ କଷ୍ଟକର। ଏଠାରେ ମନେରଖିବାକୁ ହେବ ଯେ ମାତୃଭାଷାରେ ନିପୁଣ ହୋଇପାରିଥିଲେ ବିଦେଶୀ ଭାଷାରେ ପାରଙ୍ଗମ ହେବା ସମ୍ଭବପର ହୋଇଥାଏ। ଯେଉଁ ଛାତ୍ରୀଛାତ୍ର ମାତୃଭାଷାରେ ନିଜ ମନ କଥାକୁ ସ୍ପଷ୍ଟ ଭାବେ ଲେଖି କିମ୍ବା ବ୍ୟକ୍ତ କରିପାରିବେ, ସେହି ପିଲା ବିଦେଶୀ ଭାଷାରେ ମଧ୍ୟ ସ୍ପଷ୍ଟ କରିପାରିବେ। ଭାରତରେ ତଥାକଥିତ ଆଧୁନିକ ଭାରତୀୟ ଭାଷା ଶିଖିବାର ସୁଯୋଗ ଦେବା ପଛରେ ମହତ୍‌ ନୁହେଁ, ମନ୍ଦ ଉଦ୍ଦେଶ୍ୟ ରହିଛି। ଉତ୍ତରପ୍ରଦେଶର କୌଣସି ଛାତ୍ରୀଛାତ୍ର ତାମିଲ କିମ୍ବା ଓଡ଼ିଆ ଶିଖିବାର ଆଗ୍ରହ ଦେଖାଇବେ ନାହିଁ। ଆଜି ଓଡ଼ିଆ ଯୁବପିଢ଼ି ହିନ୍ଦୀ ଶିଖିଲେ ମଧ୍ୟ ଅର୍ଥନୈତିକ ଉନ୍ନତି କରିପାରିବେ ନାହିଁ। ସମୟ ଆସିଛି ନିଜ ମାତୃଭାଷା ସହିତ ସ୍ପାନିସ କିମ୍ବା ଇଂଲିଶ୍‌ ଭାଷାକୁ ଶିଖି ଯୁବପିଢ଼ି ଏଥିପାଇଁ ପ୍ରସ୍ତୁତ ହେବା ଦରକାର। ତ୍ରୁଟିପୂର୍ଣ୍ଣ ନୂତନ ଶିକ୍ଷାନୀତି (ଏନ୍‌ଇପି)ର ପାଠ୍ୟକ୍ରମକୁ ତ୍ୟାଗ କରାଯାଉ ଏବଂ ଭାଷା ଝଗଡ଼ାକୁ ବନ୍ଦ କରାଯାଇ ପିଲାଙ୍କୁ କିଭଳି ଉଚ୍ଚମାନର ଶିକ୍ଷା ଦିଆଯାଇ ପାରିବ, ଯେଉଁଥିରେ ବିଜ୍ଞାନ, ଗଣିତ, ଅର୍ଥନୀତି, ସମାଜବିଜ୍ଞାନ, ଇତିହାସ, ଭୂଗୋଳ ଭଳି ବିଷୟକୁ ଭଲଭାବେ ପଢ଼ାଯାଇ ପାରିବ, ସେହି ଦିଗକୁ ଅଧିକ ଗୁରୁତ୍ୱ ଦେବା ଦରକାର। ଆମ ପିଲା ଭଲ ପାଠ ପଢ଼ିବାର ସୁଯୋଗ ପାଇଲେ ଦେଶ ଆଗେଇବ, ନଚେତ୍‌ ଏହିଭଳି କଳିଝଗଡ଼ା କରି ଅନ୍ଧବିଶ୍ୱାସ ଓ ଦାରିଦ୍ର୍ୟରେ ବୁଡ଼ିରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଉପରେ ନଜର ରଖିବ ‘ଦୃଷ୍ଟି’

ବେଙ୍ଗାଲୁରୁ,୪ା୫: ବେଙ୍ଗାଲୁରୁର ସ୍ପେସ୍‌ ଷ୍ଟାର୍ଟଅପ୍‌ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍‌ ‘ଦୃଷ୍ଟି’କୁ କାଲିଫର୍ନିଆର ଭଣ୍ଡେନ୍‌ବର୍ଗରୁ ସ୍ପେସ୍‌ଏକ୍ସର ଫାଲ୍‌କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି। ଏହା…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି…

ମିକ୍ସଚର ମେସିନ୍ ଗାଡ଼ି ଓଲଟିବା ଘଟଣା, ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗିରେ ମିକ୍ସଚର ଗାଡ଼ି ଓଲଟିବା ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ମଦନ ସିଂ…

ଶୋଇଥିବା ବେଳେ ମହିଳାଙ୍କୁ କାମୁଡିଦେଲା ସାପ, ତାପରେ….

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ) : ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ସାବିତ୍ରୀ…

ବାଲେଶ୍ବର ବଢୁଛି ଜିଞ୍ଜର କାରବାର; ମାଡି ବସିଲା ଅବକାରୀ ପୋଲିସ, ୭ଅଭିଯୁକ୍ତ ଗିରଫ

ବାଲେଶ୍ୱର,୩ା୫( ବାଞ୍ଛାନିଧି ଦେ): ଜିଞ୍ଜର ଚାଲାଣ ବେଳେ ମାଡି ବସିଲା ଅବକାରୀ ପୋଲିସ । ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଭ୍ରାମ୍ୟମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri