ସ୍କୁଲ ଶିକ୍ଷାର ସ୍ଥିତି

ନିକଟ ଅତୀତରେ କେନ୍ଦ୍ର ସରକାରଙ୍କ ତରଫରୁ କରାଯାଇଥିବା ୨୦୨୧-୨୨ ବର୍ଷ ପାଇଁ ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ସାମ୍‌ନାକୁ ଆସିଛି; ଯେଉଁଥିରେ ସ୍କୁଲ ଶିକ୍ଷାର ସ୍ଥିତି କେଉଁ ରାଜ୍ୟରେ କ’ଣ ତାହା ଆକଳନ କରାଯାଇଛି। ଏଥିରେ ଓଡ଼ିଶାର ସ୍ଥାନ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ୨୪ ଥିବାବେଳେ ୨୦୨୦-୨୧ରେ ଥିବା ୧୦ମ ସ୍ଥାନରୁ ହଠାତ୍‌ ଅନେକ ତଳକୁ ଖସିଯିବା ଉଦ୍‌ବେଗର ବିଷୟ। ଓଡ଼ିଶାର ସ୍କୁଲ ଶିକ୍ଷାକୁ ନେଇ ଦୀର୍ଘଦିନ ହେଲା ବିଭିନ୍ନ ସ୍ତରରେ ସମାଲୋଚନା ହୋଇ ଆସୁଥିବାବେଳେ ସରକାରଙ୍କ ଏହି ଇଣ୍ଡେକ୍ସ ଏଭଳି ଆଲୋଚନାକୁ ଆହୁରି ସରଗରମ କରିଛି।
ବିଶେଷକରି ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷାନୀତି ୨୦୦୯ କାର୍ଯ୍ୟକାରୀ ହେଲାପରେ ୧କି.ମି. ଭିତରେ ପ୍ରାଥମିକ ବିଦ୍ୟାଳୟ, ୩ କି.ମି. ଭିତରେ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରହିବା କଥା । କିନ୍ତୁ ସରକାର ନୂଆ ସ୍କୁଲ ଖୋଲିବେ କ’ଣ ପିଲା ସଂଖ୍ୟାର ଆଳ ଦେଖାଇ ଏହା ଭିତରେ ଅନେକ ସ୍କୁଲ ବନ୍ଦ କରିସାରିଛନ୍ତି; ଯଦ୍ଦ୍ବାରା ଅନେକ ଶିଶୁ ବିଦ୍ୟାଳୟ ଅଭାବରୁ ସବୁଦିନ ପାଇଁ ପାଠପଢ଼ାରେ ଡୋରି ବାନ୍ଧି ଦେଇଛନ୍ତି। ଠିକ୍‌ ସେହିପରି ସରକାରଙ୍କ କହିବାନୁସାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଏକ ଉଚ୍ଚ ବିଦ୍ୟାଳୟ ଯଦିଓ ରହିବା କଥା କିଛି ଗ୍ରାମପଞ୍ଚାୟତରେ ଏହା ନ ଥିବା ଦୃଷ୍ଟିଗୋଚର ହେଉଛି। ବିଦ୍ୟାଳୟରେ ଶିକ୍ଷକ ଅଭାବ ଏକ ନିତିଦିନିଆ ଘଟଣା। ଶିକ୍ଷା ଅଧିକାର ଆଇନରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୩୦ଟି ପିଲାରେ ଜଣେ ଶିକ୍ଷକ ଏବଂ ଉଚ୍ଚ ପ୍ରାଥମିକ ଅର୍ଥାତ୍‌ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩୫ ଜଣ ଛାତ୍ରୀଛାତ୍ରରେ ଜଣେ ଶିକ୍ଷକ(ବିଷୟ ଶିକ୍ଷକ ଛାଡ଼ି)ରହିବାର ପ୍ରାବଧାନ ଥିବାବେଳେ ଅନେକ ସ୍ଥାନରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ବ୍ୟବସ୍ଥା ଥାଇ ମାତ୍ର ତିନି/ଚାରିଜଣ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲୁଛି। ଶିକ୍ଷା ଅଧିକାର ଆଇନରେ ଥିବା ବେସରକାରୀ ବିଦ୍ୟାଳୟରେ ଗରିବ ଶ୍ରେଣୀର ପିଲାମାନଙ୍କୁ ପଢ଼ାଇବା ସକାଶେ ୨୫ ଶତକଡା ସ୍ଥାନ ସଂରକ୍ଷଣ ଏବଂ ଏଥିସକାଶେ ଆବଶ୍ୟକୀୟ ଫି ସରକାର ଭରଣା କରିବେ ବୋଲି ରଖା ଯାଇଥିବା ପ୍ରାବଧାନ ବାସ୍ତବିକ ସରକାରୀ ବିଦ୍ୟାଳୟଠାରୁ ବେସରକାରୀ ବିଦ୍ୟାଳୟ ଭଲ ବୋଲି ସରକାର ଖୋଦ କହୁଛନ୍ତି ଏବଂ ପରୋକ୍ଷରେ ବେସରକାରୀ ବିଦ୍ୟାଳୟଗୁଡ଼ିକୁୁ ଅନୁଦାନ ଯୋଗାଇବା ମାଧ୍ୟମରେ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନାମରେ ସି.ବି.ଏସ.ଇ. ଢାଞ୍ଚାରେ ସବୁ ବ୍ଲକରେ ବିଦ୍ୟାଳୟ ଖୋଲିବା ଦ୍ୱାରା ଆଗରୁ ଥିବା ସରକାରୀ ବିଦ୍ୟାଳୟ ପ୍ରତି ଗୁରୁତ୍ୱ କମିଛି ଏବଂ ପଞ୍ଚମ ଶ୍ରେଣୀ ପରେ ପିଲା ଆଦର୍ଶ ବିଦ୍ୟାଳୟ ଏବଂ ନବୋଦୟ ବିଦ୍ୟାଳୟରେ ପଢ଼ିବାକୁ ସୌଭାଗ୍ୟ ମନେକରି ସିଟ୍‌ଟେ ପାଇବାକୁ ବହୁତ ଜୋରରେ କସରତ ଚଳାଉଛନ୍ତି। ଏଠି ମଧ୍ୟ ପରୋକ୍ଷରେ କୁହାଯାଉଛି ଯେ ଓଡ଼ିଆ ମାଧ୍ୟମ ସରକାରୀ ବିଦ୍ୟାଳୟ ଅପେକ୍ଷା ଏହିସବୁ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଯଥେଷ୍ଟ ଗୁଣରେ ଉନ୍ନତ। ଅନୁସୂଚିତ ଜାତି ତଥା ଅନୁସୂଚିତ ଜନଜାତି ବିକାଶ ବିଭାଗ ଆନୁକୂଲ୍ୟରେ ଖୋଲା ଯାଇଥିବା ସେବାଶ୍ରମ ସ୍କୁଲର କଥା ଦେଖିଲେ ଏହି ସ୍କୁଲ ସବୁରେ କେବଳ ପିଲାମାନେ ଅବସ୍ଥାନ କରି ପଢ଼ିବାର ସୁଯୋଗ ପାଉଛନ୍ତି ସିନା, ପାଠପଢ଼ାରେ ଆଶାନୁରୂପ ଉନ୍ନତି ଦୃଷ୍ଟି ଗୋଚର ହେଉନାହିଁ। ଏହା ଜିଲା ମଙ୍ଗଳ ଅଧିକାରୀ ତଥା ପ୍ରତି ବ୍ଲକରେ କାର୍ଯ୍ୟରତ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କ ମାଧ୍ୟମରେ ପରିଚାଳିତ ହେଉଥିବାବେଳେ ଏହି ବିଭାଗ ବିଦ୍ୟାଳୟକୁ ଛାଡ଼ି ଆଦିବାସୀଙ୍କ ମଙ୍ଗଳ ନିମିତ୍ତ ଜଙ୍ଗଲ ଜମି ଅଧିକାର ଆଇନ କାର୍ଯ୍ୟକାରୀ କରିବା ହେଉ କି ଅନ୍ୟ କାମରେ ହେଉ ନିଜକୁ ନିୟୋଜିତ କରୁଥିବାରୁ ବିଦ୍ୟାଳୟ ପାଇଁ ସମୟ ଦେଇ ପାରୁ ନାହିଁ। ଏସବୁକୁ ଛାଡ଼ି ଏହି କିଛି ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପିଲାଙ୍କ ପାଇଁ ଛାତ୍ରାବାସ ନିମିତ୍ତ ଗୃହ ନିର୍ମାଣ କରାଯାଇଛି କିନ୍ତୁ ତହିଁରେ କର୍ମଚାରୀ ନିଯୁକ୍ତି ଆଜି ପର୍ଯ୍ୟନ୍ତ ହୋଇନାହିଁ।
ପ୍ରଥମ ଅନୁଷ୍ଠାନ ଦ୍ୱାରା ସମଗ୍ର ଦେଶରେ ପ୍ରତିବର୍ଷ କରାଯାଉଥିବା ଏ.ଏସ.ଇ.ଆର.(ଅସର) ସର୍ଭେରୁ ଜଣାପଡ଼େ ଯେ ଦେଶର ସ୍କୁଲଗୁଡ଼ିକରେ ପଢୁଥିବା ପାଖାପାଖି ୨୬ କୋଟି ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନେକେ ବହି ପଢ଼ିବା ତଥା ପ୍ରାରମ୍ଭିକ ଗଣିତ କରିବା ସକାଶେ ସମର୍ଥ ନୁହନ୍ତି। ପଞ୍ଚମ ଶ୍ରେଣୀ ସମାପ୍ତ କରି ସାରିଥିବା ମୋଟ୍‌ ପିଲାଙ୍କ ମଧ୍ୟରୁ ମାତ୍ର ୨୫ ଶତକଡ଼ା ପିଲା ଗୁଣନ କରିବାରେ ସମର୍ଥ ଥିବାବେଳେ ୪୩ ଶତକଡ଼ା ପିଲା ଦ୍ୱିତୀୟ ଶ୍ରେଣୀ ସକାଶେ ଉଦ୍ଦିଷ୍ଟ ବହି ପଢ଼ି ପାରୁଛନ୍ତି। ଅଷ୍ଟମ ଶ୍ରେଣୀ ସମାପ୍ତ ବେଳକୁ ମାତ୍ର ୪୫ ଶତକଡ଼ା ଶିଶୁ ମୌଳିକ ହରଣ କରିବାକୁ ସକ୍ଷମ ହେଉଛନ୍ତି। ଏଥିରୁ ଆମ ଶିକ୍ଷା ବ୍ୟବସ୍ଥାର ଚିତ୍ର ସାମନାକୁ ଆସୁଛି। ଏଭଳି ସ୍ଥିତିରେ କାର୍ଯ୍ୟକାରୀ ହେଉଥିବା ଉତ୍କର୍ଷ ଭଳି ଯୋଜନା ଯଦିଓ ସ୍ବାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଯେଉଁ ପିଲା ଭଲ ପଢୁଛି ତା’ ପାଇଁ ଅଲଗା ପଢ଼ା ଏବଂ ଯିଏ ପାଠ ପଢ଼ାରେ ପଛରେ ପଡ଼ି ଯାଇଛି ତା’ପାଇଁ ଅଲଗା ପଢ଼ା କରିବା ସହଜ କି? ବର୍ଷ ଶେଷରେ ତ ସମସ୍ତଙ୍କ ପାଇଁ ସମାନ ପରୀକ୍ଷା ନା?
ବିଦ୍ୟାଳୟମାନଙ୍କରେ ଯେଉଁ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହେଉଛି ଅନେକ ସ୍ଥାନରେ ତାହା କେବଳ କାଗଜ କଲମରେ ଚାଲିଛି। ଏହାର ପ୍ରମୁଖ କାରଣ ହେଲା ଏଥିରେ ଅଭିଭାବକମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ସଭ୍ୟାସଭ୍ୟ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କାମ କଲେଯାଇ ଖାଆନ୍ତି। ତେଣୁ ସେମାନେ ବର୍ଷସାରା ପରିବାର ପ୍ରତିପୋଷଣ ଚିନ୍ତାରେ ବୁଡ଼ି ରହୁଥିବାବେଳେ ଛୁଆ ପାଠ ପଢ଼ିଲା ନା ନାହିଁ ତାକୁ ଅଣଦେଖା କରିବାକୁ ବାଧ୍ୟ ହୋଇଥାନ୍ତି। ଦ୍ୱିତୀୟତଃ ତାଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ସମ୍ବନ୍ଧରେ ଅସଚେତନ। ଅଧିକାଂଶ ସମୟରେ ବିଦ୍ୟାଳୟ ତରଫରୁ ଘରଘର ଯାଇ ସଭ୍ୟାସଭ୍ୟଙ୍କ ଦସ୍ତଖତ ସଂଗ୍ରହ କରାଯାଏ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ନାଁରେ। ଆଉ କଦବା କେମିତି ବୈଠକ ବସିଲେ ତହିଁରେ ସଭ୍ୟାସଭ୍ୟ ଉପସ୍ଥାନ ବହୁତ କମ୍‌। ମାତାପିତା ତଥା ଅଭିଭାବକଙ୍କ ମଧ୍ୟରୁ ସଭାପତି ହେଉଥିବାବେଳେ ଅନେକ ସ୍ଥଳେ ସେମାନେ ବିଶେଷ ଶିକ୍ଷାର ଅଧିକାରୀ ହୋଇ ନ ଥିବାରୁ ତାଙ୍କୁ ଛୋଟ ବଡ଼ ଲୋଭ ଦେଖାଇ ଚୁପ୍‌ କରି ଦିଆଯାଏ। ତେଣୁ ଦାରିଦ୍ର୍ୟ ଏବଂ ସଚେତନତାର ଅଭାବ କାରଣରୁ ବ୍ୟକ୍ତି ଜଣକ ଅନେକ ସ୍ଥଳେ ଚୁପ୍‌ ରହିବା ବା ନିଜ ଶିକ୍ଷାମତେ କେବଳ ଭିତ୍ତିଭୂମି ସଜଡ଼ା ଯିବା କାମରେ ନିଜକୁ ସୀମିତ ରଖିଥାନ୍ତି। ପ୍ରଧାନଶିକ୍ଷକ ଯିଏ କି ପରିଚାଳନା କମିଟିର ସଂପାଦକ ସିଏ ଅଧିକାଂଶ ସ୍ଥଳେ ଚାହାନ୍ତି ନାହିଁ ଯେ ଏସବୁ କାମରେ କେହି ହସ୍ତକ୍ଷେପ କରୁ। ସମନ୍ବୟ ଅଭାବରୁ ଅନେକ ସମୟରେ ବିଦ୍ୟାଳୟର ବିକାଶ ମଧ୍ୟ ବାଧାପ୍ରାପ୍ତ ହେଉଛି। ଆହୁରି ମଧ୍ୟ ବିଦ୍ୟାଳୟ ପରିଚାଳନା କମିଟିରେ ଛାତ୍ରୀଛାତ୍ରଙ୍କ ଭାଗୀଦାରିତାକୁ ଗୁରୁତ୍ୱ ନ ଦିଆଯିବା କାରଣରୁ ଅସଲ ଉପଭୋକ୍ତା(ଛାତ୍ରୀଛାତ୍ର)ଙ୍କ ପାଖରୁ ମଧାହ୍ନ ଭୋଜନ ଠିକ୍‌ ଚାଲିଛି ନା ନାହିଁ, ବହିପତ୍ର ମିଳିଲାଣି କି ନାହିଁ ଭଳି ଅନେକ ତଥ୍ୟ ଠିକ୍‌ ଭାବରେ ଜଣାପଡ଼େ ନାହିଁ।
ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସରକାର ଛୁଟିଦିନରେ ତାଲିମ ନ ଦେଇ ବର୍ଷ ମଝିରେ ତାଲିମ ଦେବା ତଥା ଶିକ୍ଷା ବାଧାପ୍ରାପ୍ତ ହେଲାଭଳି ବିଭିନ୍ନ ପ୍ରକାର ରିପୋର୍ଟ ଦିନେ ଦୁଇଦିନ ମାଗିବାରୁ ନିବୃତ୍ତ ରହିବା ଆବଶ୍ୟକ। ଏବେ ତ ବିଦ୍ୟାଳୟମାନଙ୍କୁ ଆଗଭଳି ଆଉ ନିରୀକ୍ଷକମାନେ ପରିଦର୍ଶନରେ ପ୍ରାୟତଃ ଯାଉନାହାନ୍ତି ଆଉ କଦବା କେମିତି ଯଦି ଯାଉଥାଆନ୍ତି ତା’ହେଲେ ତାହା ବାର୍ଷିକ ଉତ୍ସବ, ବିଜ୍ଞାନ ପ୍ରଦର୍ଶନୀ ଭଳି ଦିନ ଗୁଡ଼ିକରେ ଯାଉଥିବେ। ତେଣୁ ଅଧିକାରୀମାନଙ୍କର ପରିଦର୍ଶନକୁ ମଧ୍ୟ କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି।
ଭିନ୍ନ ଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ପାଉଥିବା ବେତନରେ ଅନେକ ପ୍ରଭେଦ ପରିଲକ୍ଷିତ ହେଉଛି; ଯାହାକୁ ଦୃଷ୍ଟିଦେବାର ଆବଶ୍ୟକତା ରହିଛି ଶିକ୍ଷାର ମାନ ବୃଦ୍ଧି ନିମିତ୍ତ। ମାତୃଭାଷାରେ ଅନ୍ତତଃ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ କରିବା ପର୍ଯ୍ୟନ୍ତ ଶିକ୍ଷା ଦିଆଯିବାର ଆବଶ୍ୟକତା ରହିଛି କାରଣ ଶିଶୁ ଏହି ଭାଷା ସହିତ ଖୁବ୍‌ ପରିଚିତ। ତେଣୁ ସେ ପାଠପଢ଼ାର ମଜା ନେଇପାରିବ ଏବଂ ଅଧାରୁ ପାଠ ଛାଡ଼ିବାର ଭୟ ରହିବ ନାହିଁ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଅନ୍ୟ ଭାଷା ସହିତ ପରିଚିତ ହେବାରେ କିଛି ଅସୁବିଧା ନାହିଁ; ଯଦ୍ଦ୍ବାରା ସେ ଭବିଷ୍ୟତର ପ୍ରତିଯୋଗିତାକୁ ମଧ୍ୟ ସାମ୍‌ନା କରିପାରିବ। ଆମେ ଦୀର୍ଘ ବର୍ଷରୁ କହି ଆସୁଥିବା କମନ ସ୍କୁଲ ଏଜୁକେଶନ ବା ସମସ୍ତ ବିଦ୍ୟାଳୟ ପାଇଁ ସମାନ ଶିକ୍ଷାର ଆବଶ୍ୟକତା ଅନେକ ମାତ୍ରାରେ ରହିଛି।

  • ରାଜୀବ କୁମାର ନାୟକ
    ପଦରପଡା, ବୌଦ୍ଧ
    ମୋ: ୯୪୩୭୫୭୧୮୩୧

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri