Posted inଫୁରସତ

ମମତାର ପ୍ରତିମୂର୍ତ୍ତି

ଯଦି ଈଶ୍ୱରଙ୍କୁ ଖୋଜିବାର ଅଛି ତେବେ ପ୍ରଥମେ ମାଆ ଭିତରେ ତାଙ୍କର ସ୍ବରୂପ ଖୋଜିବା ଜରୁରୀ। ଜୀବନର ଅଜ୍ଞାତ ସ୍ରଷ୍ଟା କିଏ ଅଛନ୍ତି କି ନାହିଁ ତା’ଠାରୁ ବଡ଼ କଥା ହେଲା ପ୍ରାଣୀର ଜୀବନ ମାଆ ମାଧ୍ୟମରେ ହିଁ ଏ ସଂସାରକୁ ଆସିଥାଏ। ହେଲେ କେବଳ ଜୈବ ଦୃଷ୍ଟି କୋଣରୁ ଜନ୍ମ ଦେବାରେ ସୀମିତତା କ’ଣ ମାତୃତ୍ୱ ? ମାତୃତ୍ୱର ସ୍ବରୂପ ଓ ବିସ୍ତାର ଅନେକ। ଜନ୍ମ ନ ଦେଇ ମଧ୍ୟ ଲାଳନପାଳନ କରିବା, ସେବା କରିବା, ନିଜକୁ ନିଃଶେଷ କରି ଅନ୍ୟକୁ ସମୃଦ୍ଧ କରିବା ମାତୃତ୍ୱର ରୂପ। ସେ ସେବା ଓ ଦେବାରେ ନ ଥାଏ ପ୍ରାପ୍ତିର କୌଣସି ଇଚ୍ଛା। ତାହା ମହାପ୍ରକୃତିର ଜୀବନଦାୟୀ ଉତ୍ସରୁ ଆସିଥାଏ। ସେହି ମାତୃତ୍ୱକୁ ବିକଳ୍ପ ମାତୃତ୍ୱ କୁହାଯାଇପାରେ। ବେଳେବେଳେ ପ୍ରାକୃତିକ ମାତୃତ୍ୱଠାରୁ ବିକଳ୍ପ ମାତୃତ୍ୱ ଢେର ଊର୍ଦ୍ଧ୍ୱସ୍ତରରେ ବୋଲି ପୁରାଣ, କିମ୍ବଦନ୍ତୀ ଓ ଇତିହାସରେ ଉପଲବ୍ଧ। ବିକଳ୍ପ ମାତୃତ୍ୱ କ୍ଷେତ୍ରରେ ଅନ୍ଧ ସନ୍ତାନ ମୋହ ଅପେକ୍ଷା ବେଶି ଥାଏ ଅନ୍ୟକୁ ଗଢ଼ିବାର ଓ ଆତ୍ମତ୍ୟାଗର ନମୁନା। ସେ ମଦର ଟେରେସା ହୁଅନ୍ତୁ କି ଶ୍ରୀମା, ଅବା ବାଜିରାଉତ ଛାତ୍ରାବାସର ମହୀୟସୀ କୃଷ୍ଣା ମହାନ୍ତି ଏକକ ମାଆ କସ୍ତୁରୀକା, ସେ ରୋଗୀଙ୍କୁ ସନ୍ତାନ ମନେ କରୁଥିବା ଡାକ୍ତର ମଞ୍ଜୁବାଳା ହୁଅନ୍ତୁ କି ଶିକ୍ଷାର୍ଥୀଙ୍କ ଅତି ପ୍ରିୟ ପଲ୍ଲୀ ମାଆ ସଭିଏଁ ଏହି ପରିପ୍ରେକ୍ଷୀରେ ଗୋଟିଏ ଗୋଟିଏ ସାର୍ଥକ ଉଦାହରଣ। ତେଣୁ ମାତୃତ୍ୱ ଦିବସରେ ବିକଳ୍ପ ମାତୃତ୍ୱକୁ ନେଇ ବିଶେଷ ପ୍ରତିବେଦନ।
କୃଷ୍ଣା ମହାନ୍ତି, ସାମାଜିକ କର୍ମୀ: ୧୯୪୬ ମେ ଏଗାର ତାରିଖ, ଅନୁଗୋଳଠାରେ ପ୍ରତିଷ୍ଠିତ ବାଜିରାଉତ ଛାତ୍ରାବାସ ଅନେକ ଦଶନ୍ଧି ଧରି ଦଳିତ, ବଞ୍ଚିତ ଓ ଆଦିବାସୀ ପିଲାଙ୍କର ଶିକ୍ଷା ପାଇଁ ଠିଆ ହୋଇଛି ଏକ ଆଶ୍ରୟସ୍ଥଳ ହୋଇ। ଏହାର ତତ୍ତ୍ୱାବଧାନ ପାଇଁ ପରିଣତ ବାର୍ଦ୍ଧକ୍ୟରେ ବି ଦିନରାତି ଏକାକାର କରି ଲାଗିଛନ୍ତି ଆଦରର ତିନୁ ଅପା ଓରଫ କୃଷ୍ଣା ମହାନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ବିପ୍ଳବିଣୀ ମାଳତୀ ଚୌଧୁରୀଙ୍କର ସୁକନ୍ୟା। ଆଦର୍ଶ ଶିକ୍ଷାବିତ୍‌, ସାମାଜିକ କର୍ମୀ କୃଷ୍ଣା ମହାନ୍ତି ନିଜର ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତର ସମସ୍ୟାକୁ ଖାତିର ନ କରି ପିଲାଙ୍କ ସାମଗ୍ରିକ ବିକାଶ କିପରି ହୋଇପାରିବ ସେଥିପ୍ରତି ସଦା ସଜାଗ ଥାଆନ୍ତି। ବେଳେବେଳେ ତ୍ୟାଗ ଓ ସେବାର ପ୍ରତିମୂର୍ତ୍ତି ତିନୁ ଅପାଙ୍କୁ ଦେଖିଲେ ଲାଗେ ପିଲାଙ୍କ ସହ ଅନୁଷ୍ଠାନର ମାଆ ସେ। ଶାନ୍ତି ନିକେତନର ଢାଞ୍ଚାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ପିଲାଙ୍କୁ ସେମାନଙ୍କର ଶୈଶବର ସ୍ବଚ୍ଛନ୍ଦତା ଓ କୈଶୋରର ସ୍ବପ୍ନ ପ୍ରବଣତା ଦିଏ । ସେମାନଙ୍କ ଭିତରର ସ୍ଫୁଲିଙ୍ଗ ଟିକକୁ ଶିଖାରେ ପରିଣତ କରିବା ଲାଗି କୃଷ୍ଣା ମହାନ୍ତି ଦିନ ରାତି ଏକାକାର କରି ଲାଗିଛନ୍ତି । ଅଶୀ ପାଖାପାଖି ବୟସରେ ତାଙ୍କ ମୁହଁରେ କ୍ଳାନ୍ତିର ଲେଶ ମାତ୍ର ଚିହ୍ନ ଦେଖିବାକୁ ମିଳେ ନାହିଁ। ସଂକଳ୍ପ ଓ ଅଧ୍ୟବସାୟକୁ ଆଧାର କରି ପିଲାଙ୍କ ପାଇଁ କାମ କରୁଥିଲାବେଳେ ମାତୃତ୍ୱର ଦିବ୍ୟ ଆଭାରେ ତାଙ୍କ ମୁହଁ ଉଜ୍ଜ୍ୱଳି ଉଠୁଥାଏ । ଅରଟରେ ସୂତା କାଟିବାଠାରୁ ଆରମ୍ଭ କରି ପିଲାଙ୍କୁ ନୃତ୍ୟ, ଚିତ୍ରକଳା, ସଙ୍ଗୀତ ଶିଖେଇବା ଯାଏ ସବୁକାମରେ ସେ ଏବେ ବି ତତ୍ପର। ତାଙ୍କ ହିସାବରେ ମାଆ କହିଲେ କେବଳ ଏକ ଜୈବ ପ୍ରଜନନ ପ୍ରକ୍ରିୟାର ମାଧ୍ୟମ ନୁହେଁ । ମାତୃତ୍ୱ ବହୁ ଆୟତନ ବିଶିଷ୍ଟ । ଜଣେ ମାଆ ଅନ୍ୟ ଭିତରେ ସ୍ବପ୍ନ ସଂକଳ୍ପ ଓ ସାଧନା ଉଜାଗର କରାଇପାରେ । ମାତୃତ୍ୱର ସ୍ବରୂପକୁ କାର୍ଯ୍ୟକ୍ଷେତ୍ରରେ ସେ କିଭଳି ଦେଖନ୍ତିର ଉତ୍ତରରେ ଅକପଟ ବିଚାର ଓ ପ୍ରେମ ଉପରେ ଗୁରୁତ୍ୱ ଦେଇଥିଲେ ।
ମାଆମାନଙ୍କୁ ଖଣ୍ଡାଧାରରେ ବାଟ ଚାଲିବାକୁ ହୁଏ
ଯେହେତୁ ମୁଁ ସାଢ଼େ ତିନିବର୍ଷ ବୟସରୁ ସାଢ଼େ ଛ’ ବର୍ଷ ହେବା ଯାଏ ମା’ଠାରୁ ଅଲଗାହୋଇ ରହିବାର ବେଦନା ଭୋଗିଥିଲି। ତେଣୁ ମା’କୁ ପାଇବା ପରେ ସେ ଗୋଟା ପଣେ ମୋର ବୋଲି ଭାବୁଥିଲି, କିନ୍ତୁ କିଛିଦିନ ପରେ ବାଜିରାଉତ ଛାତ୍ରାବାସ ଆରମ୍ଭ ହେବା ପରେ ମୋ’ ମା’ ଯେତେବେଳେ ସବୁ ପିଲାମାନଙ୍କୁ ସମାନ ସ୍ନେହ ଦେବାର ଦେଖିଲି, ସେ ବୟସରେ ମୋର ବାଦ ହେଉଥିଲା। ମୁଁ ପ୍ରତିବାଦ ମଧ୍ୟ କାନ୍ଦି, ଅଝଟ ହୋଇ କରୁଥିଲି। ମା’ ମୋତେ ଏକୁଟିଆ ବେଳେ ବୁଝାଉଥିଲେ। କ୍ରମେ ବୟସ ବଢ଼ିବା ସହିତ ମୁଁ ମଧ୍ୟ ଧୀରେ ଧୀରେ ବୁଝି ପାରିଲି। ମା’ ଅନ୍ୟମାନଙ୍କୁ ଭଲ ପାଇବା ଦ୍ୱାରା ମୋତେ ଯେ କମ୍‌ ଭଲ ପାଉଛନ୍ତି ତା’ ନୁହେଁ; ମାତୃସ୍ନେହ ଯେ କିପରି ତାହା ମୁଁ ଆମ ବୋଉ ମା’ ରମାଦେବୀ ଓ ନୁମା ମାଳତୀଦେବୀଙ୍କ ଠାରେ ଦେଖି ଜାଣିଲି ଯେ ମା’ ଯେତେ ଅଧିକ ଲୋକଙ୍କୁ ସ୍ନେହ ଦେବ ତା’ ପାଖରେ ସ୍ନେହର ମାତ୍ରା ସେତେ ବଢ଼ି ଚାଲିବ। ନିଜେ ଚାରିଟି ସନ୍ତାନର ମା’ ହେବା ପରେ ମମତା କ’ଣ ଜାଣିଲି ଓ ପ୍ରତି ପିଲାଙ୍କ ପାଇଁ ତା’ ଅନୁଭବ କଲି। ସେଥିରୁ ଯେଉଁ ସ୍ବର୍ଗୀୟ ଆନନ୍ଦ ମିଳେ ତାହା ବି ଅନୁଭବ କଲି। ଆମର ୨୦ ବର୍ଷର ପୁଅକୁ ହରାଇବା ପରେ ଯେପରି ମୋ ହୃଦୟ ବିଦୀର୍ଣ୍ଣ ହୋଇ ଯାଉଥିଲା, ଛାତ୍ରାବାସର ମା’ ହରାଇଥିବା ପିଲାମାନଙ୍କୁ କୋଳେଇ ନେଇ ସାନ୍ତ୍ବନା ପାଇଲି। ପିଲାମାନଙ୍କ ହସ କାନ୍ଦରେ ସାମିଲ୍‌ ହୋଇଗଲି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ ପ୍ରକୃତରେ ମା’ ପାଖରେ ଭେଦଭାବ ରହେନାହିଁ କି ପକ୍ଷପାତିତା ରହେନାହିଁ। ସେପରି ହେଲେ ତା’ର ମାତୃଶକ୍ତିରେ କଳଙ୍କ ଲାଗିଯାଏ। ନିଜ ସନ୍ତାନ ଓ ଅନ୍ୟର ସନ୍ତାନ ଭିତରେ ପକ୍ଷପାତିତା ମଧ୍ୟ ମା’ ପକ୍ଷରେ ଅନ୍ୟାୟ। ମା’ମାନଙ୍କୁ ଖଣ୍ଡା ଧାରରେ ବାଟ ଚାଲିବାକୁ ପଡ଼େ।
ମଞ୍ଜୁବାଳା ପଣ୍ଡା, ଡାକ୍ତର: ସେ ଲେଖନ୍ତି, ‘ମାତୃତ୍ୱ ତୋର ତ ଆହୁରି ନିଆରା /ସତେ ଅବା ପବିତ୍ର ମନ୍ଦାକିନୀର ଶତ ସହସ୍ର ଧାରା/ଅରମା ବୁଦା ତଳୁ ଅନାଥଟିଏ ସାଉଁଟି ନେଇ ଛାତିରେ ଜାକି ଧରି କହୁ ‘ମୁଁ ମାଆ’/ଅସହାୟଟିଏ ବିକଳରେ ଡାକିଲେ ଆହ୍ଲାଦରେ ‘ଓ’ କରି କହୁ – ‘ମୁଁ ମାଆ’/ଭୋକିଲା ପେଟର ତତଲା ଲୁହକୁ ପଣତରେ ପୋଛି ତା’ ତୁଣ୍ଡରେ ଢୋକେ ଦେଇ କହୁ , ‘ମୁଁ ମାଆ’/ଅତଏବ୍‌ … ସନ୍ତାନକୁ ଗର୍ଭରେ ନ ଧରି ବି ତୁ ମା’ ହୋଇପାରୁ/ସନ୍ତାନକୁ ବୁକୁର ଅମୃତ ନ ଚଖେଇ ବି ତୁ ମା’ ହୋଇପାରୁ/ଆଃ …ମାଆ… ‘ତୁ’ ହିଁ କେବଳ ‘ତୁ’ ହୋଇପାରୁ। ମାତୃତ୍ୱକୁ ଯେତିକି ଫୁଟେଇ ପାରନ୍ତି କଲମରେ ହୁଏତ ତା’ଠାରୁ ଢେର ଅଧିକ ଜିଅନ୍ତି ଡାକ୍ତର ମଞ୍ଜୁବାଳା ପଣ୍ଡା ନିଜ ପରିବାରରେ , କର୍ମକ୍ଷେତ୍ରରେ , ତାଲିକାଭୁକ୍ତ ହେଉ ନ ଥିବା ଅଖଣ୍ଡ ସଂସାରରେ । ମହାମାରୀ ହେଉ କି ଅତିମାରୀ ଅଥବା ସର୍ଦ୍ଦି, ରକ୍ତଚାପ କି କୌଣସି ଗମ୍ଭୀର ବେମାରୀ ଡାକ୍ତର ପଣ୍ଡାଙ୍କର ଅଭୟ ହାତ ଲମ୍ବି ଆସେ ଉପଶମ ଦେବାପାଇଁ । ଯେକୌଣସି ମୁହୂର୍ତ୍ତରେ ତାଙ୍କୁ ଫୋନ କରିହେବ, ଲୋଡ଼ି ହେବ । ହସନ୍ତି ମୁହଁରେ, ସେ ଥାଆନ୍ତି ସଦା ପ୍ରସ୍ତୁତ । ମାଆର ପଣତ ଭଳି ତାଙ୍କ ବିଶ୍ୱାସ ପୋଛି ପକାଏ ରୋଗୀର ମାନସିକ ଚାପକୁ । ପରିବାରରେ ଜନନୀର ଦାୟିତ୍ୱ ନିଷ୍ଠା ଓ ଶୃଙ୍ଖଳାର ସହ ସମ୍ପାଦନା କରିବା ସହିତ ବୋହୂ କି ପତ୍ନୀର କର୍ତ୍ତବ୍ୟ ତୁଲାଇଲା ବେଳେ ବି ସେ ମାତୃତ୍ୱର ସୁଖକୁ ଉପଲବ୍ଧିରେ ଆଣିଛନ୍ତି ବୋଲି କୁହନ୍ତି ଆବେଗପ୍ରବଣ ହୋଇ। ଖବର ଥାଇ , ଖବର ନ ଥାଇ ଗାଁକୁ ଗାଁ ବୁଲି ଲୋକଙ୍କୁ କୁଶିକ୍ଷା ଓ ଅନ୍ଧବିଶ୍ୱାସର ଅନ୍ଧାରରୁ ବାହାର କରି ସମାଧାନର ଆଲୋକ ଦେଖେଇବାକୁ ଯତ୍‌ପରୋନାସ୍ତି ଚେଷ୍ଟା କରି ଆସୁଛନ୍ତି ଡାକ୍ତରୀ ସେବାକୁ ଜୀବନର ବ୍ରତ କଲା ଦିନୁ । ତାଙ୍କ ପାଇଁ ମାତୃତ୍ୱର ସ୍ବରୂପ କିଭଳି ପ୍ରଶ୍ନର ଉତ୍ତରରେ ସେ ଦିଅନ୍ତି ଲୁହଭିଜା ଉତ୍ତର, ଯାହାକୁ ପଢ଼ିଲେ ଯେ କୌଣସି ମଣିଷର ହୃଦୟ ଦ୍ରବୀଭୂତ ହୋଇଯିବ ।
ପତ୍ନିତ୍ୱ ମଧ୍ୟରେ ମାତୃତ୍ୱର ନିଆରା ଓ ନିବିଡ଼ ଅନୁଭୂତି
ମା’ – ଗୋଟିଏ ଅକ୍ଷରର ନାଁ । ହେଲେ ଏତେ ଆବେଗ,
ଏତେ ଅନୁରାଗ!! ଏତେ ଓଦାପଣ, ଏତେ ମିଠାପଣ!
ଜନ୍ମଦାତ୍ରୀ ହେବାର ଦାୟରେ ଜନନୀଟିଏ ନିଜ ଜନ୍ମିତ ସନ୍ତାନମାନଙ୍କୁ ମାତୃତ୍ୱରେ ପ୍ଳାବିତ କରିବା ତ ନିଧାର୍ଯ୍ୟ। ତା’ ବ୍ୟତିରେକ ମୁଁ ମାତୃତ୍ୱ ଅନୁଭବିଛି ବିଶେଷ କରି – ତମାମ୍‌ ଜୀବନ ମୋ ରୋଗୀମାନଙ୍କୁ ଅନ୍ତରଙ୍ଗ ଭାବରେ ଚିକିତ୍ସା କଲାବେଳେ ଓ ମୋ ସହକର୍ମୀ ତଥା ଅନ୍ୟାନ୍ୟ ଷ୍ଟାଫମାନଙ୍କ ସହ ଘନିଷ୍ଠ ଭାବରେ ସଂଶ୍ଲିଷ୍ଟ ହୋଇ ବିଭିନ୍ନ ପବ୍ଲିକ୍‌ ହେଲ୍‌ଥ ପ୍ରୋଗ୍ରାମ୍‌ରେ ମିଳିମିଶି କାମ କରିବାବେଳେ।
ପତ୍ନୀ ଭାବରେ ମାତୃତ୍ୱକୁ ଅନୁଭବିବା ମୋ ଜୀବନର ସବୁଠାରୁ ବଡ଼ ଅମୃତମୟ ଉପଲବ୍ଧି। ଡାଇବେଟିସ୍‌ ଓ ତଜ୍ଜନିତ ଅନେକ ଆନୁଷଙ୍ଗିକ ରୋଗରେ ପୀଡ଼ିତ ମୋ ଶଯ୍ୟାଶାୟୀ ସ୍ବାମୀଙ୍କର ଶେଷ ଦୁଇ ବର୍ଷର ଅବସ୍ଥା ଅବର୍ଣ୍ଣନୀୟ। ଏଣେ ପୁଣି ଆଲ୍‌ଜିମର୍‌ ରୋଗ ସାଙ୍ଗକୁ ଅଣ୍ଟା ହାଡ଼ ଭାଙ୍ଗି ବେଡ୍‌ ସୋର୍‌। ପ୍ରବଳ ପରାକ୍ରମୀ ଏକ ଦକ୍ଷ ଶଲ୍ୟ ଚିକିତ୍ସକଙ୍କ ଏମିତିକା ଦୟନୀୟ ଅବସ୍ଥା – ଦେଖିବା ଲୋକ ଲୁହ ଲୁହ ହୋଇଯା’ନ୍ତି। ମୁଁ ସେତେବେଳେ ସତସତିକା ମା’ଟିଏ ତାଙ୍କର। ତାଙ୍କ ‘ମା’ ଡାକରେ ମୋ ରାତି ପାହେ। ତାଙ୍କୁ ବ୍ରସ୍‌ କରେଇବା, ଡାଇପର୍‌ ବଦଳେଇବା, ସ୍ପଞ୍ଜିଂ କରି ଦେହ ମୁହଁରେ ପାଉଡର୍‌ ଲଗେଇବା, ଫୁଙ୍କି ଫୁଙ୍କି ଚା’ ବିସ୍କୁଟ୍‌ ଖୁଆଇ ସମୟ ଅନୁସାରେ ମୁଠା ମୁଠା ଔଷଧ ଦବା, ଭୁଲେଇ ଭୁଲେଇ କୁନି କୁନି ଭାତ ଗୁଣ୍ଡା ଖୁଆଇବାଠୁ ନେଇ ରାତି ଆସ୍ତେ ଆସ୍ତେ ପିଠି ଥାପୁଡେଇ ଶୁଆଇବା ହିଁ ମୋର ନିତିଦିନିଆ ଦିନଚର୍ଯ୍ୟା ଥିଲା। ସାରାଦିନର କ୍ଳାନ୍ତିରେ ମୋ ଆଖିକୁ ନିଦ ଆସି ତାଙ୍କ ଉପରୁ ହାତ ଖସିଗଲେ ଖନେଇ ଖନେଇ ଚିତ୍କାର କରନ୍ତି – ମୋତେ ଛାଡ଼ି କୁଆଡ଼େ ଗଲୁ। ମୋତେ ଡର ଲାଗୁଛି। ମରିଯିବି ମୁଁ।
ମୋ ଉପରେ ତାଙ୍କର ଶତ ପ୍ରତିଶତ ନିର୍ଭରଶୀଳତା ଓ ତାଙ୍କର ଅସହାୟପଣିଆ ମୋତେ ଲୁହେଇ ଦିଏ। ଚିରି, କୋରି, ବିଦାରି ହୋଇଯାଏ ମୁଁ। ଠାକୁରଙ୍କୁ ଗୁଣୁଗୁଣୁ ହୋଇ ଗୁହାରେ। ହାତ ଯୋଡ଼େ। ମୋ ମଥା ଉପରେ ଥିବା ଗୁରୁଜନଙ୍କ ଆଶୀର୍ବାଦ – ”ଅହ୍ୟ ସୁଲକ୍ଷଣୀ ହେଇଥା ମାଆ। କାଚ ତୋର ବଜ୍ର ହଉ। ଦାଉଦାଉ ଝଟକୁଥାଉ ସିନ୍ଦୂର“ – ଏ ଆଶିଷ ଫେରେଇନିଅ ଠାକୁରେ। ମୁଁ ଅଲକ୍ଷଣୀ ହୁଏ ପଛେ ଏ ନିପାରିଲା ମଣିଷଟିର ଜୀବନ ଥିବା ଯାଏ ମୋତେ ଜିଆଁଇ ରଖିବ ପ୍ରଭୋ। ଅହ୍ୟ ଡେଙ୍ଗୁରା ପିଟି ଯିବାର ଗୌରବ ଲୋଡ଼ା ନାହିଁ ମୋର। ଏହା ହିଁ ଥିଲା ନିଷ୍ଠୁର ସତ୍ୟ। ଜଣାନାହିଁ ଏମିତି ଏକ ସୃଷ୍ଟିଛଡ଼ା ମାଗୁଣି କରି ମୁଁ ପାପ ଅର୍ଜିଲି କି ପୁଣ୍ୟ!
କାଳି ନୁହଁ – ମୁଁ ଲୁହରେ ଲେଖୁଛି ଏଇ ଅଭିଲିପି। ସତରେ ମାତୃତ୍ୱ ତ ଆଦରରେ ଓଦା ଓଦା ଏକ ଆବେଗମୟ ଉତ୍ସର୍ଗ!!!
କସ୍ତୁରୀକା ମିଶ୍ର, ପାଳିତ ମା’: ପୁରୀ ସହରର ଝିଅ କସ୍ତୁରୀକା ମିଶ୍ର ଜଣେ ପ୍ରଶିକ୍ଷଣପ୍ରାପ୍ତ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା । ଗଜଲ ଓ ଓଡ଼ିଶୀ ଗାୟନ ଶୈଳୀରେ ତାଲିମପ୍ରାପ୍ତ କସ୍ତୁରୀକା ନୂଆଦିଲ୍ଲୀସ୍ଥିତ ଆମେରିକୀୟ ଦୂତାବାସରେ ଜଣେ ବରିଷ୍ଠ ଲାଇବ୍ରେରିଆନ ଭାବରେ କାର୍ଯ୍ୟ କରନ୍ତି। ମୁଖ୍ୟତଃ ସାମାଜିକ ଗଣମାଧ୍ୟମରେ ଇଂଲିଶ, ଓଡ଼ିଆ, ହିନ୍ଦୀ ଓ ଉର୍ଦ୍ଦୁ ଭାଷାରେ କବିତା ଲେଖି ବେଶ୍‌ ପାଠକୀୟ ଆଦର ହାସଲ କରିଥିବା କସ୍ତୁରୀକା ମିଶ୍ରଙ୍କ ନିଆରା ବ୍ୟକ୍ତିତ୍ୱ ଯଥେଷ୍ଟ ଆକର୍ଷଣୀୟ। ପନ୍ଦର ବର୍ଷ ତଳେ ଶିଶୁକନ୍ୟାକୁ ପୋଷ୍ୟପୁତ୍ରୀ ଭାବରେ ଗ୍ରହଣ କରିଥିବା ଅବିବାହିତା କସ୍ତୁରୀକା ଜଣେ ସାର୍ଥକ ମାଆର ସଫଳ ଉଦାହରଣ। ମିହୀକା ତାଙ୍କର ଏହି କନ୍ୟାସନ୍ତାନର ନାମ; ଯିଏ ତା’ର ନାମ ଭଳି ସ୍ବଚ୍ଛ ଓ ସୁନ୍ଦର। କସ୍ତୁରୀକା ବିଶ୍ୱାସ କରନ୍ତି, ମାତୃତ୍ୱ ନାରୀର ଜନ୍ମସିଦ୍ଧ ଅଧିକାର। ତାଙ୍କ ପାଇଁ ବିବାହ ପ୍ରସ୍ତାବ ଖୋଜା ଚାଲିଥିଲାବେଳେ ପ୍ରତିଭାମୟୀ କସ୍ତୁରୀକାଙ୍କୁ
ତାଙ୍କ ପସନ୍ଦ ମୁତାବକ ଜୀବନସାଥୀ ଦୃଷ୍ଟିଗୋଚର ହେଉ ନ ଥାନ୍ତି । ଏଭଳି ପରିସ୍ଥିତିରେ ବିନା ପୁରୁଷରେ ମାଆ ହେବାର ଦମ୍ଭ ସେ ପୋଷଣ କରିଥିଲେ। ଆଉ ଏଥିପାଇଁ ଉପାୟ ହେଲା ପୋଷ୍ୟସନ୍ତାନ ଗ୍ରହଣ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିବାହବିରୋଧୀ କସ୍ତୁରୀକାଙ୍କ କନ୍ୟାସନ୍ତାନକୁ ପୋଷ୍ୟ କରିବାର ଅଭିଳାଷ ବନ୍ଧୁ ଓ ପରିବାରବର୍ଗଙ୍କୁ ନାପସନ୍ଦ ହୋଇଥିଲେ ବି ଅସୁସ୍ଥ ପିତାଙ୍କ ପ୍ରେରଣା ତାଙ୍କୁ ଶକ୍ତି ଓ ଉତ୍ସାହ ଦେଇଥିଲା। ପୋଷ୍ୟ ଗ୍ରହଣ ପ୍ରକ୍ରିୟା ମଧ୍ୟ କିଛି କମ୍‌ କ୍ଳାନ୍ତିକର ନ ଥିଲା । ଶେଷରେ ତାଙ୍କୁ ଓଡିଶା ଆସି ଏକବର୍ଷ ଏକମାସ ବୟସର ମିହୀକାକୁ ଆପଣେଇବାକୁ ହେଲା। ଏବେ ମିହୀକାକୁ ପନ୍ଦର ବର୍ଷ ଏବଂ ଏହା ମଧ୍ୟରେ ମିହୀକା ବନ୍ଧୁ ଓ ପରିବାରବର୍ଗଙ୍କ ମନଜିଣି ପାରିଛି ବୋଲି ଗଭୀର ସନ୍ତୋଷ ବ୍ୟକ୍ତ କରନ୍ତି କସ୍ତୁରୀକା। କନ୍ୟାସନ୍ତାନ ପୋଷ୍ୟଗ୍ରହଣ କାହିଁକିର ପ୍ରଶ୍ନ ଉଠିଲେ ସେ କୁହନ୍ତି, ଝିଅ ହିସାବରେ ମୁଁ ବୁଝିପାରିଛି ଝିଅ ହିଁ ତୁମ ସହ ଅଧିକ ଭଲ ଭାବରେ ଚଳିପାରେ। ନିଜେ ଜଣେ ନାରୀ ହୋଇ ଯେଉଁଭଳି ପ୍ରତିକୂଳ ପରିସ୍ଥିତି ସହ ଠିଆ ହୋଇଆସୁଥିଲେ ଝିଅଟେ ହିଁ ଯଥାର୍ଥ ସଖ୍ୟ ଦେଇପାରିବ। ବିଦ୍ୟାଳୟରେ ଝିଅ ମିହୀକାକୁ ବାପାଙ୍କ ସମ୍ପର୍କରେ ସାଙ୍ଗସାଥୀ ପଚାରି ବସିଲେ ମାଆକୁ ନେଇ ଗର୍ବ କରିବାର ସଂସ୍କାର ଦେଇଛନ୍ତି କସ୍ତୁରୀକା। କେବଳ ମାଆଙ୍କୁ ନେଇ କସ୍ତୁରୀକାଙ୍କ ପାଇଁ ପରିବାରର ସଂଜ୍ଞା ବ୍ୟାପକ। ମାତୃସୁଲଭ ହସଟିଏ ଖେଳେଇ କସ୍ତୁରୀକା କୁହନ୍ତି, ରକ୍ତସମ୍ପର୍କ ବାହାରେ ମଧ୍ୟ ପରିବାରବୋଧ ଅଛି। ମାତୃତ୍ୱର ସ୍ବରୂପ ବଖାଣିବାକୁ ଯାଇ ସେ କୁହନ୍ତି, ସବୁଠି ମାଆପଣଟିଏ ଲୋଡ଼ା ତାକୁ ସୁସଙ୍ଗଠିତ କରି ରଖିବାକୁ ।
ମାତୃତ୍ୱ ଆମ ଜୀବନଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆଣେ
ତୁମେ ଯେତେବେଳେ ତୁମ ପରିବାରକୁ ଜଣେ ନୂଆ ସଦସ୍ୟକୁ ନିମନ୍ତ୍ରଣ କର ସେତେବେଳେ ଜୀବନ ଏକ ପୂର୍ଣ୍ଣ ବୃତ୍ତରେ ପରିଣତ ହୁଏ ଏବଂ ଜୀବନରେ ଏକ ନିଶ୍ଚିତ ପୂର୍ଣ୍ଣତା ଆସେ । ଈଶ୍ୱର ବୋଧହୁଏ ଚାହୁଁଥିଲେ ମୁଁ ଅନ୍ୟ ଏକ ଜୀବନ ଲାଗି ନିଜକୁ ବିନିଯୋଗ କରେ ତେଣୁ ପନ୍ଦର ବର୍ଷ ତଳେ ମୁଁ ଗୋଟିଏ ପିଲାକୁ ପୋଷ୍ୟ ଭାବେ ଗ୍ରହଣ କଲି । ନିଜ ରକ୍ତ ମାଂସ ବିନିମୟରେ ହେଉ କିମ୍ବା ଉଦ୍ଧାରକରା ମାତୃତ୍ୱ ତାହା ଆମ ଜୀବନ ଶୈଳୀରେ ସାମଗ୍ରିକ ପରିବର୍ତ୍ତନ ଆଣେ, ଅନେକ ସମଯୋଜନ ଆବଶ୍ୟକ ପଡ଼େ ଓ ଅର୍ଥପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ଏହା ହେଉଛି ନିଜ ଉପରୁ ଦୃଷ୍ଟି ହଟାଇ ଅନ୍ୟ ଜଣକ ଉପରେ ମାନଯୋଗ ପ୍ରଦାନ, ଯିଏ ତୁମ ଲାଗି ଉଭୟ ଖୁସିର କାରଣ ପୁଣି ଏକ ଗୁରୁ ଦାୟିତ୍ୱ । ମୁଁ ହୁଏତ ଜଣେ ଯଥାର୍ଥ ବ୍ୟକ୍ତି ବା ମା’ ନ ହୋଇ ପାରେ କିନ୍ତୁ ମୁଁ ସମ୍ମୁଖୀନ ହୋଇଥିବା ସଂଘର୍ଷ କୌଣସି ପ୍ରାକୃତିକ ପିତାମାତାଙ୍କଠାରୁ କମ ନୁହେଁ । ବିଦ୍ୟାଳୟରେ ନାମ ଲେଖା, ସବୁ ପ୍ରକାରର ନାଚ, ଗୀତ, ଅଭିନୟ, ଖେଳ ଇତ୍ୟାଦିରେ ନିୟମିତ ପ୍ରଶିକ୍ଷଣ ଅନ୍ୟ ସବୁ ଘର ଭଳି କରାଗଲା । ବେଳେବେଳେ ଲାଗେ ତୁମେ ଅଭିଭାବକର ଦାୟିତ୍ୱ ଯଥାର୍ଥ ଭାବେ ତୁଲାଇଛ ତ, କିନ୍ତୁ ତାହା ବୋଧ ହୁଏ ସବୁ ମା’ ମନର ଏକ ହୃଦୟ ଉଷ୍ମକାରୀ ତଥା ଭୟଯୁକ୍ତ ଅନୁଭବ ।
ପଲ୍ଲୀଶ୍ରୀ ପଟ୍ଟନାୟକ, ଅଧ୍ୟାପିକା:ସାହସ, ସମ୍ପୃକ୍ତି ଏବଂ ପ୍ରେମ ମାତୃତ୍ୱର ବିଭା ସମୂହ । ମାଆଟେ ହିଁ ଲଢ଼ିଯାଏ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ପିଲାଙ୍କୁ ସୁରକ୍ଷା ଦେବାପାଇଁ। କିଛି ଲୋକ ଅଛନ୍ତି ବୋଲି ସାହସଟେ ଗଢ଼ି ହୁଏ । ପ୍ରତିରୋଧ କରିବାର ଯାବତୀୟ କଳା ସେ ଦେଖେଇ ପାରେ ଏବଂ ଅସମ୍ଭବ ସହ ଲଢ଼ି ଯାଏ । ଜନ୍ମିତ ସନ୍ତାନ ପାଇଁ ଯେଉଁଭଳି ନିଜ ଛାତ୍ରୀଛାତ୍ରଙ୍କ ପାଇଁ ତଦନୁରୂପ ଯତ୍ନ ଦେଖାଉଥିବା ପଲ୍ଲୀଶ୍ରୀ ପଟ୍ଟନାୟକ ପେସାରେ ଅଧ୍ୟାପିକା ଓ ସୁଲେଖିକା । ରାଜ୍ୟ ରେଡ଼କ୍ରସର ଜଣେ ଦକ୍ଷ କର୍ମୀ ହିସାବରେ ପିଲାଙ୍କ ସହ କାମ କରିବା ହେଉ କି ନିଜ ପ୍ରତିଷ୍ଠିତ OSOU ଶୈକ୍ଷିକ ଚ୍ୟାନେଲ, ନିଜ ବିଭାଗର ପିଲା ହୁଅନ୍ତୁ କି ଅଣଆନୁଷ୍ଠାନିକ ପ୍ରତିଷ୍ଠାନର କୋମଳମତି ଶିଶୁ ପଲ୍ଲୀଶ୍ରୀ ଆପଣେଇ ନିଅନ୍ତି ସଭିଙ୍କୁ ମାତୃତ୍ୱର ଅନୁରାଗରେ । ଆତଙ୍କିତ ‘ନାହିଁ’ ମାନଙ୍କ ପାଇଁ ପ୍ରେରଣାଦାୟୀ ‘ହଁ’ମାନ ତିଆରି କରିବାକୁ ସେ ପଢୁଥାନ୍ତି ପିଲାଙ୍କୁ , ସାହିତ୍ୟକୁ , ନିଗାଡି ଦଉଥାନ୍ତି ନିଜକୁ ସମାଜସେବାରେ, ପ୍ରେରଣା ଦେଉଥାନ୍ତି ସାହସ ଠୁଳ କରି ପାରୁ ନ ଥିବା ବ୍ୟକ୍ତିସତ୍ତାରେ । ମାଆ ଆଉ କିଏ ଯେ ଯିଏ ନିଜକୁ ଅଜାଡ଼ି ଦେଇପାରେ ପରାର୍ଥେ ଜୀବନକୁ ବ୍ରତ କରି । ମାତୃତ୍ୱର ସ୍ବରୂପକୁ ବଖାଣିବାକୁ ଯାଇ ଭାବପ୍ରବଣ ହୋଇପଡନ୍ତି ପଲ୍ଲୀଶ୍ରୀ ।
ମୋ ମାତୃତ୍ୱକୁ ପୂର୍ଣ୍ଣ କରିଛନ୍ତି ମୋର ଛାତ୍ରଛାତ୍ରୀ
ମୋର ଚାକିରି ତ ସାହିତ୍ୟଦିଦିର ତେଣୁ ସ୍ବାଭାବିକ ଭାବରେ ମୋ ଭିତରେ ଆଜନ୍ମରୁ ସଞ୍ଚିତ ମାତୃତ୍ୱ ଅବାରିତ ଭାବରେ ଢାଳି ହୋଇଯାଇଚି ମୋ ଛୁଆଙ୍କ ଭିତରେ। ମୋ କଲେଜର ପିଲାଏ କେହି ମାଡାମ ଡାକିଲେ ମୋତେ ଭଲ ଲାଗେନି, ସେମାନେ ମୋତେ ମାଆ ଡାକୁ ଡାକୁ କେବେ ଯେ ପଲ୍ଲୀମାଁ ହୋଇଗଲି ଜାଣିପାରିନି। ଆମ କଳାହାଣ୍ଡିରେ ପିଲାଏ ନମସ୍କାର କରନ୍ତନି, ପାଦ ଛୁଅନ୍ତି, ସେମାନଙ୍କ ସ୍ନେହ, ପ୍ରେମ , ଭଲପାଇବାରେ ମୁଁ ବାନ୍ଧିହୋଇଯାଇଚି । ମୁଁ କେବେ କାର୍ଯ୍ୟକ୍ଷେତ୍ର ବୋଲି ମୋ ଚାକିରିକୁ ଭାବିନି, ସ୍ବର୍ଗ ବୋଲି ଭାବିଚି; ଯେଉଁଠି ପିଲାଙ୍କୁ ପାଠ ପଢ଼ଉ ପଢ଼ଉ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଯାଇଛି, ସେମାନେ ବି ମୋ ଜୀବନ ସହ ଓତପ୍ରୋତ ଭାବେ ଜଡିତ ହୋଇଯାଇଛନ୍ତି । କରୋନା ସମୟରେ ଯେତେବେଳେ କ୍ଲାସରୁମ ବନ୍ଦ ହୋଇଗଲା ମୁଁ ଅନୁଭବ କଲି ମୋର ଗୋଟେ ଅଙ୍ଗ ଅଚଳ ହୋଇଯାଉଚି ଧୀରେଧୀରେ ।
ପିଲାଙ୍କ ମା’ ଡାକ ମୋତେ ସବୁବେଳେ ବ୍ୟତିବ୍ୟସ୍ତ କଲା, ଉପାୟ ଖୋଜିଲି।
ପ୍ଲସଟୁ ଠାରୁ ପିିଜି ଯାଏ ଅନ୍‌ଲାଇନରେ, ୟୁ-ଟ୍ୟୁବ ମାଧ୍ୟମରେ ପିଲାଙ୍କୁ ବି ପଢ଼େଇବା ଆରମ୍ଭ କଲି। ଆଜି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ହଜାର ହଜାର ପିଲାଙ୍କର ମା’ ଡାକରେ ମୋର ଅନ୍ତର ପୂରିଯାଉଛି।
ହଜାର ହଜାର ପିଲାଙ୍କ ଭିତରେ ମୋ ଛୁଆକୁ ମୁଁ ପାଇଛି । ସବୁ ଛାତ୍ରୀ/ଛାତ୍ରଙ୍କ ଭିତରେ ମୋ ଛୁଆର ମୁହଁ ଦେଖିଚି। ସାଧ୍ୟମତେ ଯେତିକି ପାରିଛି ପିଲାକୁ ସାହାଯ୍ୟ କରିଛି। ଦେଶ ପାଇଁ ଜାତି ପାଇଁ ଗଢିବାକୁ ଚେଷ୍ଟା କରିଛି।
ଏ ଜୀବନ କାଳ ଭିତରେ ସବୁଠୁ ମଧୁର -ସ୍ବର୍ଗୀୟ ଅନୁଭବ ହେଉଛି ମା’ ହେବା ଆଉ ପିଲାଙ୍କ ଭିତରେ ନିଜକୁ ବାଣ୍ଟିଦେଇ ନିଃଶେଷ ହୋଇଯିବା ଯାହା ବୋଧହୁଏ ମୁଁ ପାରିଛି ।
ପଛକୁ ଫେରି ଚାହିଁ ଦେଖୁଚି ମୁଁ ଗୋଟେ ଛୁଆକୁ ଜନ୍ମ ଦେଇ ମାତୃତ୍ୱ ପାଇଛି, ଧନ୍ୟ ହେଇଛି ଆଉ ମୋ ଛାତ୍ରୀ/ଛାତ୍ରମାନେ ସେ ମାତୃତ୍ୱକୁ ପରିପୂର୍ଣ୍ଣ କରିଛନ୍ତି। ମୁଁ କୃତଜ୍ଞ ।


Enter your email to get our daily news in your inbox.

All Right Reserved By Dharitri.Com

କୁକୁରକୁ ଲାଲ୍‌ ରଙ୍ଗରେ ରଙ୍ଗାଇଲେ ମହିଳା, ଭିଡିଓ ଦେଖି ୟୁଜର କହିଲେ…

ଆପଣ ନିଶ୍ଚିତ ଭାବରେ ମଣିଷ ଏବଂ ପଶୁଙ୍କ ଜୀବନର ଅନେକ କାହାଣୀ ଶୁଣିଥିବେ। କିଛି ଲୋକ ସେମାନଙ୍କର ଗୃହପାଳିତ ପଶୁମାନଙ୍କ ସହିତ ବହୁତ ଅଦ୍ଭୁତ କାର୍ଯ୍ୟ...

ଆରମ୍ଭ ହେଲା ସର୍ବବୃହତ୍‌ ଫିଟ୍‌ନେସ୍‌ ଚ୍ୟାଲେଞ୍ଜ

ଦୁବାଇ: ଦୁବାଇ। ଲକ୍‌ଜ୍ୟୁରି ଶପିଂ, ଅଲଟ୍ରାମଡର୍ନ ଆର୍କିଟେକ୍‌ଚର ଏବଂ ନାଇଟ୍‌ ଲାଇଫ୍‌ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ସ୍ବପ୍ନର ସହର। ମାତ୍ର ୫୦ ବର୍ଷ ଭିତରେ...

ପ୍ରମିଜ୍‌ ଡେ’: କେହି କାହା ହାତ ନ ଛାଡ଼ିବା ପାଇଁ ପ୍ରେମୀଯୁଗଳ ନିଅନ୍ତି ପ୍ରତିଜ୍ଞା

ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ...

ଖୁବ୍‌ଶୀଘ୍ର ସମଗ୍ର ବିଶ୍ୱରୁ ଶେଷ ହୋଇଯିବ ସୁନା, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସାଧାରଣତଃ ଯେ କୌଣସି ପୂଜା ପାର୍ବଣ ପଡ଼ିଲେ ସୁନା କିଣାବିକାର ଚାହିଦା ଟିକେ ବଢ଼ିଯାଇଥାଏ। ବିଶେଷକରି ଦୁର୍ଗାପୂଜା, ଧନନ୍ତ୍ୱରୀ,...

ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି ଲୋକେ…

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟି ଚାଲଛି। ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ହୋଇଥାଏ।...

ଏମିତି ଘଡ଼ି: ଏଥିରେ ନାହିଁ ୧୨ ସଂଖ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୁଇଜରଲ୍ୟାଣ୍ଡ୍‌: ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ଘଡ଼ିରେ ୧୨ ସଂଖ୍ୟା ନାହିଁ କି ଲୋକେ ଘଡ଼ିରେ କେବେ ୧୨ଟା ବାଜୁ ବୋଲି  ଚାହାନ୍ତି...

ବରଙ୍କୁ ବେଦୀରେ ଛାଡ଼ି କାଉନସେଲିଂକୁ ଗଲେ କନ୍ୟା, ଆଉ ତା’ ପରେ…

ଲକ୍ଷ୍ନୌ,୪ା୧୨: ବିବାହ ପାଇଁ ବେଦୀରେ ବସିଥିଲେ ବରକନ୍ୟା। ସକାଳ ୫ଟାରେ ବର କନ୍ୟାଙ୍କ ମୁଣ୍ଡରେ ସିନ୍ଦୁର ଦେବା ପରେ ବେଦୀ ଉପରୁ ଚାକିରି ପାଇଁ କାଉନସେଲିଂକୁ...

ଯେଉଁ ସମୁଦ୍ରରେ ମଣିଷ ବୁଡେ ନାହିଁ

ଦୁନିଆରେ ଏମିତି ଅନେକ କିଛି ଘଟଣା ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞ। ଏମିତି ଘଟଣା ରହିଛି ଏକ ସମୁଦ୍ରକୁ ନେଇ, ଯେଉଁଠାରେ ବିନା...

Advertisement
Archives

Model This Week