Posted inଜାତୀୟ

ଏକକ ଦେଓ୍ବାନୀ ସଂହିତା ପାଇଁ ଆଇନ ପ୍ରଣୟନ କରିପାରିବେ ରାଜ୍ୟ: ରିଜିଜୁ

ନୂଆଦିଲ୍ଲୀ,୧୮ା୧୨: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରତିଷ୍ଠା ହେବା ପରଠୁ ରାମମନ୍ଦିର ନିର୍ମାଣ, ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏକକ ଦେଓ୍ବାନୀ ସଂହିତା (ୟୁସିସି) ଆଣିବା ଏହାର ମୁଖ୍ୟ ନିର୍ବାଚନୀ କାର୍ଯ୍ୟସୂଚୀ ରହିଆସିଛି। ପ୍ରଥମ ଦୁଇଟି ପ୍ରତିଶ୍ରୁତି ପାଳନ ହୋଇସାରିଥିବାବେଳେ କେନ୍ଦ୍ରରେ କ୍ଷମତାସୀନ ଗୈରିକ ଦଳ ଏବେ ୟୁସିସି ଉପରେ ଜୋର୍‌ ଦେଉଥିବା ଦେଖିବାକୁ ମିଳୁଛି। ୨୦୨୩ରେ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ନାଟକ, ତେଲଙ୍ଗାନା, ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଓ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବ। ଏହା ପରେ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି। ସାଧାରଣ ନିର୍ବାଚନ ପରେ ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ବିଧାନସଭା ଭୋଟ ହେବ। ଏସବୁକୁ ଦୃଷ୍ଟିରେ ରଖି ଭାଜପା ରଣନୈତିକ ଦୃଷ୍ଟିରୁ ୟୁସିସି ପ୍ରସଙ୍ଗକୁ ଆସନ୍ତା ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛି। ଏହାଦ୍ୱାରା ଦେଶବ୍ୟାପୀ ଭାଜପା ସମର୍ଥକ ଓ କ୍ୟାଡରମାନେ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବେ। ସଂଖ୍ୟାଗରିଷ୍ଠ ହିନ୍ଦୁ ମତଦାତାଙ୍କ ଭାବାବେଗ ସହ ଜଡ଼ିତ ଉକ୍ତ ବିବାଦୀୟ ତଥା ବିତର୍କିତ ପ୍ରସଙ୍ଗକୁ ନେଇ ଶାସକ ଦଳ ନିର୍ବାଚନୀ ରାଜନୀତିରେ ଭୋଟ ଧ୍ରୁବୀକରଣ କରି ଫାଇଦା ପାଇପାରେ ବୋଲି କୁହାଯାଉଛି। କାରଣ ନିକଟରେ ଅନୁଷ୍ଠିତ ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାକୁ ମିଳିଥିବା ଅଭୂତପୂର୍ବ ସଫଳତା ପାଇଁ ସମାନ ଦଓ୍ବୋନୀ ସଂହିତା ପ୍ରସଙ୍ଗର ପ୍ରୟୋଗକୁ ଏକ ବଡ଼ କାରଣ ବୋଲି ବିବେଚନା କରାଯାଉଛି। ନିକଟରେ ରାଜ୍ୟ ସଭାରେ ଭାଜପାର ଜଣେ ସଦସ୍ୟ ଏହି ବିଲ୍‌ ଆଗତ କରିଥିବାବେଳେ ସରକାର ନୂଆ ବର୍ଷରେ ବିଧେୟକକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିପାରନ୍ତି। ଉଭୟ ଗୃହରେ ସରକାରଙ୍କ ସପକ୍ଷରେ ସଂଖ୍ୟାବଳ ଥିବାରୁ ବିନା ବିତର୍କରେ ଏହାକୁ ଅଧ୍ୟାଦେଶ ଜରିଆରେ ମଧ୍ୟ ଆଣିପାରନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି।

ନିର୍ବାଚନ ସମୟରେ ଉନ୍ମାଦ ସୃଷ୍ଟିକାରୀ କୌଣସି ପ୍ରସଙ୍ଗ ସରଗରମ ହେଲେ ସାଧାରଣ ଜନତାଙ୍କ ହିତ ସହ ଜଡ଼ିତ ଅନ୍ୟ ମୌଳିକ ସମସ୍ୟାଗୁଡ଼ିକ ଗୌଣ ହୋଇଯାଇଥାଏ, ଯାହାକି ଗୁଜରାଟ ନିର୍ବାଚନର ପ୍ରୟୋଗରୁ ସ୍ପଷ୍ଟ ହୋଇଛି। ଭାଜପା ୧୮୨ରୁ ୧୫୬ ଆସନ ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଦ୍ୱିତୀୟ ଥର ଶପଥ ନେବା ପୂର୍ବରୁ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଖବରଦାତାମାନଙ୍କୁ ସମ୍ବୋଧିତ କରି କହିଥିଲେ, ଦଳୀୟ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ୟୁନିଫର୍ମ ସିଭିଲ୍‌ କୋଡ୍‌କୁ ଆମେ କାର୍ଯ୍ୟକାରୀ କରିବୁ। ଏଥିସକାଶେ ଏକ କମିଟି ଗଠନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇବା ଓ ରାମମନ୍ଦିର ନିର୍ମାଣ ନେଇ ଆମେ ପୂର୍ବ ପ୍ରତିଶ୍ରୁତି ପାଳନ କରିସାରିଛୁ। ଏବେ ୟୁସିସି ଉପରେ ଜୋର୍‌ ଦିଆଯିବ। ସେହିପରି ନଭେମ୍ବର ୨୪ରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ, କୌଣସି ଧର୍ମ ଆଧାରରେ ଦେଶର ଆଇନ ପରିଚାଳିତ ହୋଇପାରିବ ନାହିଁ। ଭାଜପା ୟୁସିସି ଆଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଶାହା ଦୋହରାଇଥିଲେ।
ଇତିମଧ୍ୟରେ ରାଜସ୍ଥାନର ଭାଜପା ସଦସ୍ୟ କିରୋଡ଼ି ଲାଲ ମିନା ଡିସେମ୍ବର ୯ରେ ରାଜ୍ୟ ସଭାରେ ବ୍ୟକ୍ତିଗତ ଭାବେ ୟୁନିଫର୍ମ ସିଭିଲ୍‌ କୋଡ୍‌ ବିଲ୍‌, ୨୦୨୦ ଆଗତ କରିଥିଲେ। ସମାନ ନାଗରିକ ସଂହିତା ପ୍ରସ୍ତୁତି ନିମନ୍ତେ ସେ ଏହାକୁ ପ୍ରାଇଭେଟ ମେମ୍ବର ବିଲ୍‌ ଭାବେ ଆଣିଥିଲେ। ସାରା ଦେଶରେ ୟୁସିସି ଲାଗୁ କରାଇବା ସକାଶେ ଏକ ଜାତୀୟ ନିରୀକ୍ଷଣ ଓ ଅନୁଧ୍ୟାନ କମିଟି ଗଠନ କରାଯାଉ ବୋଲି ସେ ଦାବି କରିଥିଲେ। ଏହାକୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ସମର୍ଥନ କରିଥିଲେ। ତେବେ ବିରୋଧୀ କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ତୃଣମୂଳ କଂଗ୍ରେସ ସଦସ୍ୟମାନେ ବିଲ୍‌କୁ ବିରୋଧ କରିଥିଲେ। ଏହା ଦେଶରେ ରହିଥିବା ସାମାଜିକ ସମ୍ପର୍କ ଏବଂ ବିବିଧତା ମଧ୍ୟରେ ଏକତାକୁ ନଷ୍ଟ କରିଦେବ ବୋଲି ସେମାନେ ଅଭିଯୋଗ କରିଥିଲେ। ୟୁନିଫର୍ମ ସିଭିଲ୍‌ କୋଡ୍‌ ‘ନା ଜରୁରୀ ନା ବାଞ୍ଛନୀୟ’ ବୋଲି ନ୍ୟାୟିକ କମିଶନ ରିପୋର୍ଟରେ କୁହାଯାଇଥିବା ସିପିଆଇଏମ୍‌ ସଦସ୍ୟ ଜନ୍‌ ବ୍ରିଟ୍ଟାସ୍‌ କହିଥିଲେ। ୟୁସିସି ଧର୍ମନିରପେକ୍ଷତା ବିରୋଧୀ ବୋଲି ଡିଏମ୍‌କେ ସଦସ୍ୟ ତିରୁଚି ଶିବା କହିଥିଲେ। ସମାଜବାଦୀ ପାର୍ଟି ଏମ୍‌ପି ଆର୍‌.ଜି. ବର୍ମା ମଧ୍ୟ ବିଲ୍‌କୁ ବିରୋଧ କରିଥିଲେ। ଏହା ସାମ୍ବିଧାନିକ ବ୍ୟବସ୍ଥାର ବିରୋଧୀ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଭାଜପା ଏମ୍‌ପି ହରନାଥ ସିଂ ଯାଦବ ଦେଶରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରିବା ଉପରେ ଶୂନ୍ୟ କାଳରେ ଆଲୋଚନା ପାଇଁ ନୋଟିସ ଦେଇଥିଲେ। ବିଲ୍‌ ପ୍ରତ୍ୟାହାର କରାଯାଉ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଥିଲେ। ବିଲ୍‌ ଆଗତକୁ ବିରୋଧ କରି ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଭୋଟ ଜରିଆରେ ଏହା ସ୍ଥିର କରାଯାଉ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନ୍‌କର କହିଥିଲେ। ୬୩ ଭୋଟରେ ବିଲ୍‌କୁ ଆଗତ ଲାଗି ଅନୁମତି ମିଳିଥିଲା ବେଳେ ବିରୋଧରେ ୨୩ ଖଣ୍ଡ ଭୋଟ ପଡ଼ିଥିଲା। ପୂର୍ବରୁ ଏହି ବିଲ୍‌ ଆଗତ କରିବା ଲାଗି ତାଲିକାଭୁକ୍ତ ହୋଇଥିଲେ ହେଁ ରାଜ୍ୟ ସଭାରେ ଅଣାଯାଇ ପାରି ନ ଥିଲା। ଡିସେମ୍ବର ୧୫ରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ରାଜ୍ୟ ସଭାରେ ସିପିଆଇଏମ୍‌ ସଦସ୍ୟ ଜନ୍‌ ବ୍ରିଟ୍ଟାସ୍‌ଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ସମ୍ବିଧାନର ଅନୁଚ୍ଛେଦ ୪୪ ଅଧୀନ ଡିରେକ୍ଟିଭ୍‌ ପ୍ରିନ୍ସିପୁଲ୍ସ ଅଫ୍‌ ଷ୍ଟେଟ୍‌ ପଲିସି (ରାଷ୍ଟ୍ରର ନିର୍ଦ୍ଦେଶମୂଳକ ନୀତି ସିଦ୍ଧାନ୍ତ) ଅନୁସାରେ ରାଜ୍ୟଗୁଡ଼ିକ ନାଗରିକଙ୍କ ପାଇଁ ନିଜସ୍ବ ଉଦ୍ୟମରେ ୟୁସିସି ଆଣିପାରିବେ। ବ୍ୟକ୍ତିଗତ ଆଇନ ଯୁଗ୍ମ ତାଲିକାରେ ଆସୁଥିବାରୁ ଉତ୍ତରାଖଣ୍ଡ, ଗୁଜରାଟ ଓ ମଧ୍ୟପ୍ରଦେଶ ଭଳି ଭାଜପା ଶାସିତ ରାଜ୍ୟଗୁଡ଼ିକ ୟୁସିସି କାର୍ଯ୍ୟକାରୀ ଦିଗରେ ପଦକ୍ଷେପ ନେଉଥିବା ଆଇନମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ। ଏପରି ହେଲେ ଭାଜପା ଶାସିତ ରାଜ୍ୟଗୁଡ଼ିକ ୟୁସିସି ଆଇନ ଆଣିବେ ଏବଂ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ଏହାକୁ ବିରୋଧ କରି ବିଧାନସଭାରେ ସଂକଳ୍ପନାମା ପାରିତ କରିବେ। ଫଳରେ ଦେଶରେ ବ୍ୟକ୍ତିଗତ ଆଇନକୁ ନେଇ ଅସଙ୍ଗତି ଦେଖାଦେଇପାରେ।

ପ୍ରକାଶ ଯେ, ଉତ୍ତରାଖଣ୍ଡ ହେଉଛି ପ୍ରଥମ ଭାଜପା ଶାସିତ ରାଜ୍ୟ, ଯେଉଁଠି ୟୁସିସି ଆଇନ ପାଇଁ ଏକ କମିଟି ଗଠନ କରାଯାଇଛି। ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଞ୍ଜନା ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ସଦସ୍ୟ ବିଶିଷ୍ଟ ଉକ୍ତ କମିଟି ଏବେ ବିଭିନ୍ନ ପକ୍ଷମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଅନ୍ୟପକ୍ଷେ ୟୁସିସି ସଂଖ୍ୟାଲଘୁ ଓ ସମ୍ବିଧାନ ବିରୋଧୀ ବୋଲି ସମାଲୋଚକମାନେ କହିଥାଆନ୍ତି। ଧର୍ମୀୟ ସ୍ବାଧୀନତା ଏକ ମୌଳିକ ଅଧିକାର ହୋଇଥିବାରୁ ଏହାକୁ ଅନେକ ସଂଖ୍ୟାଲଘୁ ସଙ୍ଗଠନ ବିରୋଧ କରିଆସୁଛନ୍ତି। ବିଶ୍ଲେଷକଙ୍କ ମତରେ ବ୍ରିଟିଶ ସରକାର ମଧ୍ୟ ନିଜ ଶାସନ କାଳରେ ଧର୍ମୀୟ ବ୍ୟାପାରରେ ମାତ୍ରାଧିକ ହସ୍ତକ୍ଷେପ କରୁ ନ ଥିଲେ। ତେଣୁ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଏପରି ଆଇନ ନ ଆଣିବା ପାଇଁ ସରକାରଙ୍କୁ ଅନୁରୋଧ କରିଛି। ଡିସେମ୍ବର ୧୨ରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) କାର୍ଯ୍ୟକାରିଣୀରେ ୟୁସିସି ବିରୋଧୀ ସଂକଳ୍ପାନାମା ପାରିତ ହୋଇଛି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ହିନ୍ଦୁ ରାଷ୍ଟ୍ର କାର୍ଯ୍ୟସୂଚୀ ଆଧାରରେ ଭାଜପା ଦେଶର ସଂଖ୍ୟାଲଘୁମାନଙ୍କୁ ଦମନ କରିବାକୁ ଉଦ୍ୟମ ଚଳାଇଥିବା ଏସ୍‌ଜିପିସି ଅଧ୍ୟକ୍ଷ ହରଜିତ୍‌ ସିଂ ଧାମି କହିଛନ୍ତି। କେରଳର ବାମପନ୍ଥୀ ସରକାର ୟୁସିସିକୁ ବିରୋଧ କରୁଥିବାବେଳେ କେନ୍ଦ୍ର ସରକାରଙ୍କ ନିଯୁକ୍ତ ରାଜ୍ୟପାଳ ଆରିଫ୍‌ ମହମ୍ମଦ ଖାନ୍‌ ସମାନ ଦଓ୍ବୋନୀ ସଂହିତା ଆଣିବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସମ୍ବିଧାନ ଅନୁସାରେ ଯିଏ ବି ଶପଥ ନେଇଥିବେ ସେ ୟୁସିସିକୁ ବିରୋଧ କରିବେ ନାହିଁ ବୋଲି ରାଜ୍ୟପାଳ ମତ ଦେଇଛନ୍ତି। ମୋଟାମୋଟି ଭାବେ ଦେଶରେ ଆଗାମୀ ଦିନରେ ୟୁସିସି ଏକ ବଡ଼ ବିତର୍କିତ ପ୍ରସଙ୍ଗ ହୋଇ ଜୀବିତ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ଘରେ ଶୋଇଥିଲେ ମହିଳା, ଚୋଟ ମାରିଲା ସାପ, ଆଉ ତା’ ପରେ…

ପୁରୁଷୋତ୍ତମପୁର,୧୯ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେଏନପୁର ଗ୍ରାମରେ ଶନିବାର ସାପ କାମୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଭାସି ବେହେରା…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?