ରାଜ୍ୟ କରୁ ଜନଗଣନା

ଯାହା କରିପାରିଲା ଚାଇନା, ଇଂଲଣ୍ଡ ଓ ଆମେରିକା ତାହା କରିବାରେ ଭାରତ ସକ୍ଷମ ହେଉନାହିଁ। ଏଭଳି ଅନେକ କାର୍ଯ୍ୟ ଅଛି ଯାହା ଭାରତ ସରକାର କରିବାରେ ଅକ୍ଷମ ବା ଅନିଚ୍ଛୁକ। ଉଦାହରଣ ସ୍ବରୂପ, ଜନଗଣନା ଏହି ଦେଶରେ ୨୦୨୧ ମସିହାରେ ଅନୁଷ୍ଠିତ ହେବାର କଥା, ଯାହାର ଫଳାଫଳ ୨୦୨୨-୨୩ରେ ପ୍ରକାଶ ହୋଇଥାଆନ୍ତା। କରୋନାର ଦ୍ୱାହି ଦେଇ ଜନଗଣନାକୁ କେନ୍ଦ୍ର ସରକାର ବନ୍ଦ କରିଦେଲେ। ସେହି କୋଭିଡ୍‌ ସମୟରେ ଅନେକ ଦେଶ ଯଥା ଚାଇନା, ବ୍ରିଟେନ ଓ ଆମେରିକା ତାଙ୍କ ଜନଗଣନା କରାଇପାରିଛନ୍ତି। ଭାରତରେ, ଇତିମଧ୍ୟରେ, ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ(ଏନ୍‌ଆର୍‌ସି)ର ଅଳିଆ ଟାଣି ଆଣିବା ଫଳରେ ହୁଏତ ଜନସଂଖ୍ୟା ଗଣନାରେ କ୍ଷମତାସୀନ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଆନ୍ତ। ଭାରତରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଏ। ପ୍ରଥମେ ଏହା ୧୮୭୨ ମସିହାରୁ ଆରମ୍ଭ ହୋଇ ୧୮୮୧ରେ ଶେଷ ହୋଇଥିଲା। ପରେ ଠିକ୍‌ ସମୟରେ ଏହା ହୋଇଆସୁଥିବାବେଳେ ୨୦୨୧ ଜନଗଣନା ଏଯାବତ୍‌ ହୋଇପାରିନାହିଁ। ଏହା ଘୁଞ୍ଚି ଚାଲିଛି। ଗତକାଲି ଏହାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୨୦୨୪-୨୫କୁ ଘୁଞ୍ଚାଇ ଦିଆଯାଇଛି। କୁହାଯାଇପାରେ, ଭାରତରେ ଜନଗଣନାର ୧୫୨ ବର୍ଷ ଇତିହାସରେ ଏତେ ବିଳମ୍ବ ହୋଇ ନ ଥିଲା କି ଏମିତି କେବେ ବନ୍ଦ କରାଯାଇ ନ ଥିଲା। ସ୍ବାଧୀନତା ପୂର୍ବରୁ ୧୯୪୧ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହେଉ କିମ୍ବା ୧୯୬୧ର ଚାଇନା ଯୁଦ୍ଧ ଓ ୧୯୭୧ର ବାଂଲାଦେଶ ମୁକ୍ତି ଯୁଦ୍ଧବେଳେ ଜନଗଣନା ସାମାନ୍ୟ ବାଧାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ବନ୍ଦ କରାଯାଇ ନ ଥିଲା। ତେବେ ୨୦୨୧ ଜନଗଣନାକୁ କୋଭିଡ୍‌ ମହାମାରୀ ଯୋଗୁ ବନ୍ଦ କରାଯାଇଥିବା ପ୍ରଥମେ କୁହାଯାଇଥିଲେ ବି ଏବେ ପୁନର୍ବାର ଘୁଞ୍ଚାଇ ଦିଆଯିବାର କୌଣସି କାରଣ ଦର୍ଶାଯାଇନାହିଁ। ସମ୍ଭବତଃ ୨୦୨୪ ନିର୍ବାଚନ ପରେ ଜନଗଣନା ଆରମ୍ଭ ହେବ। ମହାମାରୀ ଯେ ଏହାର ଏକ ମାତ୍ର ବାଧକ ଏହା ସହଜରେ ଗ୍ରହଣ କରିହେଉନାହିଁ। ଅନ୍ୟ ଏକ ଦିଗକୁ ବିଚାର କଲେ ଜଣାପଡ଼େ ଯେ, ଜୋରଦାର ପ୍ରଚାର କରି କୋଭିଡ୍‌ ସମୟରେ ବିହାର, ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ କରାଯାଇଥିବାବେଳେ ଜନଗଣନାକୁ ବନ୍ଦ ରଖାଗଲା। ଜନଗଣନା ଘୁଞ୍ଚାଇବା ସରକାରଙ୍କର ଏକ କୌଶଳ ଭଳି ମନେହୁଏ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ପଛୁଆବର୍ଗଙ୍କ ସ୍ଥିତି, ନିର୍ଦ୍ଦିଷ୍ଟ ଧର୍ମୀୟ ବର୍ଗଙ୍କ ବିକାଶ ଓ ଜନ୍ମ ହାର ସମ୍ପର୍କିତ ବାସ୍ତବ ତଥ୍ୟ ପ୍ରକାଶ ପାଇବା ଏବଂ ସର୍ବୋପରି ବିଭିନ୍ନ ଯୋଜନାର ସୁଫଳକୁ ନେଇ ସରକାରଙ୍କ ଅସଲ ଚେହେରା ଜଣାପଡ଼ିଯିବା ଭୟ ଯୋଗୁ ଜନଗଣନା ଘୁଞ୍ଚାଯାଉଛି ବୋଲି କୁହାଯାଇପାରେ। ଦେଖାଯାଉଛି, କିଛି ବର୍ଷ ହେଲା ଭାରତ ଗୁରୁତ୍ୱପୂର୍ଣ୍ଣ ମାନକଗୁଡ଼ିକର ସରକାରୀ ପରିସଂଖ୍ୟାନ ପ୍ରକାଶ କରିବାରେ ଧିମା ପଡ଼ିଯାଇଛି। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଯେଉଁ ମାନକ ପ୍ରକାଶ ପାଉଛି ସେଥିରେ ଦେଶର ସ୍ଥିତିକୁ ସରକାର ସ୍ବୀକାର କରିବାକୁ ପ୍ରସ୍ତୁତ ହେଉନାହାନ୍ତି। ତେବେ ଜନଗଣନା ସମୟରେ ଯେଉଁସବୁ ତଥ୍ୟ ନିଆଯାଉଛି ତାହାଦ୍ୱାରା ଦେଶର ଛବି ସ୍ପଷ୍ଟ ବୁଝାପଡ଼ନ୍ତା। ସେଥିପାଇଁ କଠୋର ସତ୍ୟଠାରୁ ବଞ୍ଚିରହିବା ପାଇଁ ଆଜିର ସରକାର ଜନଗଣନା କାର୍ଯ୍ୟକୁ ବନ୍ଦ ରଖୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗ୍ରାମ, ସହର ଓ ଓ୍ବାର୍ଡ ସ୍ତରରୁ ପ୍ରାଥମିକ ତଥ୍ୟ ପାଇବାରେ ଜନଗଣନା ହେଉଛି ବଡ଼ ଏବଂ ଏକ ମାତ୍ର ଉତ୍ସ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଅଫିସ ଅଫ୍‌ ଦି ରେଜିଷ୍ଟ୍ରାର ଜେନେରାଲ ଅଫ୍‌ ଇଣ୍ଡିଆ(ଭାରତର ରେଜିଷ୍ଟ୍ରାର ଜେନେରାଲଙ୍କ କାର୍ଯ୍ୟାଳୟ)ଦ୍ୱାରା କରାଯାଉଥିବା ଏହି ଜନଗଣନାରୁ ସାକ୍ଷରତା ସ୍ତର, ଶିକ୍ଷା, ପରିବାର, ଜନ୍ମ ଓ ମୃତ୍ୟୁ, ଭାଷା, ଧର୍ମ ଏବଂ ସାମାଜିକ, ସାଂସ୍କୃତିକ ତଥା ବୟସ ଓ ଲିଙ୍ଗଗତ ତଥ୍ୟ ଇତ୍ୟାଦି ମିଳିଥାଏ। ସାମ୍ପ୍ରତିକ ଜନଗଣନା କାର୍ଯ୍ୟ ମାଧ୍ୟମରେ ଅର୍ଥନୈତିକ ଜନସଂଖ୍ୟା ବୃଦ୍ଧି କିମ୍ବା ହ୍ରାସ ତଥ୍ୟ ପଦାରେ ପଡ଼ିଯିବ। ହୁଏତ ତାହା ଏକ ଅସୁବିଧାଜନକ ପରିସ୍ଥିତି ସୃଷ୍ଟି କରିପାରେ, ଯେଉଁଥିପାଇଁ କେନ୍ଦ୍ର ସରକାର ଏହି କାର୍ଯ୍ୟକୁ ବନ୍ଦ ରଖିଛନ୍ତି। ଏହା ବ୍ୟତୀତ ବିହାର ସମେତ ଅନ୍ୟ କେତୋଟି ରାଜ୍ୟରେ ଧର୍ମ ଅପେକ୍ଷା ଜାତିଭିତ୍ତିକ ଜନଗଣନା କରାଇବା ପାଇଁ ଦାବି ଉପୁଜିଛି। ସେଭଳି କସରତକୁ ଭାଜପା ନେତୃବୃନ୍ଦ ଭୟ କରିବା ସ୍ବାଭାବିକ।
ସମୟ ଆସିଲାଣି ଏବେ ସଂଘୀୟ ବ୍ୟବସ୍ଥାରେ ଜନଗଣନା କରାଯିବା ଦରକାର। ଏହାର ଅର୍ଥ ହେଲା, ପ୍ରତ୍ୟେକ ରାଜ୍ୟ ନିଜସ୍ବ ଜନଗଣନା କରିବା ଉଚିତ ହେବ। ଏଥିପାଇଁ ମୌଳିକ କାର୍ଯ୍ୟପ୍ରଣାଳୀକୁ କେନ୍ଦ୍ର ସରକାର ମାର୍ଗଦର୍ଶନ କରିପାରେ ଏବଂ ପ୍ରତ୍ୟେକ ରାଜ୍ୟର ଅଧିକ ତଥ୍ୟ ମାଗିବାର ସ୍ବାଧୀନତା ରୁହନ୍ତା। ଏଠାରେ ମନେରଖିବା ଦରକାର ଯେ, କେନ୍ଦ୍ର ସରକାର କରାଉଥିବା ଜନଗଣନା ସବୁବେଳେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ନିର୍ଭରଶୀଳ ରହିଥାଏ। ତେଣୁ ରାଜ୍ୟ ସରକାରଙ୍କ ପାଇଁ ଏଭଳି ବିରାଟକାୟ କାର୍ଯ୍ୟ ଅସ୍ବାଭାବିକ ହେବ ନାହିଁ। ଆଜିର ଅନୁମାନ ଅନୁଯାୟୀ, ପ୍ରାୟ ୧୦ କୋଟି ଗରିବ ଲୋକ ପିଡିଏସ୍‌(ରାଶନ)ରୁ ବଞ୍ଚିତ ହେଉଛନ୍ତି। ଜନଗଣନା କରାଯାଇପାରିଲେ କୌଣସି ନାଗରିକ ପ୍ରତି ଅନ୍ୟାୟ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?