Posted inଫୁରସତ

ଗୋଇଠା କରାମତି

ନଟଖଟିଆ ନଟବରବାବୁ ବନାମ ମୋ ସାଙ୍ଗ ନଟିଆ ଯେମିତି ଢଙ୍ଗରେ ମୁହଁକୁ ଶୁଖେଇ ଆସୁଥିଲା, ତାକୁ ଦେଖି ମୋ ହାଲୁକ ଶୁଖିଗଲା । ମତେ ଲାଗୁଥିଲା କିଛି ଅଘଟଣ ପାଇଁ ତା’ ଅନ୍ତରାତ୍ମାକୁ ଖୁବ୍‌ ବାଧିଥିବାରୁ ବୋଧେ ସେ ଆତ୍ମହତ୍ୟା କରିବାକୁ ଯାଉଛି । ତାକୁ ଅଟକେଇ ପଚାରିଲି, ”ନଟରେ! ତୁ କ’ଣ ସତରେ ଆତ୍ମହତ୍ୟା କରିଦେବୁ?“ ଚାଉଁକିନା ଚମକି ପଡ଼ି ମତେ କହିଲା – ”ତୁ କେମିତି ଜାଣିଲୁ ?“ ତାକୁ ବୁଝେଇ କହିଲି, ଆମ୍ଭେ ଲେଖକ, କବି ସବୁ ମୁହଁର ଛବି ଦେଖି ଭାବି ପେଟକଥା କହିଦେଇପାରୁ ଯେମିତି ସୂଚୀପତ୍ରରୁ ବହିଭିତର ବିଷୟବସ୍ତୁ ଜଣାଗଲା ପରି । ତେବେ କ’ଣ ପାଇଁ ଜୀବନ ପ୍ରତି ଏତେ ବିତୃଷ୍ଣା ସାଙ୍ଗ ବୋଲି ମୋ ଆଗରେ ସତ କହ । ଚାପି ରଖିଥିବା କ୍ରୋଧଭରା କୋହ, ବଢ଼ିପାଣି ବନ୍ଧ ଭାଙ୍ଗି ମାଡ଼ିଗଲା ପରି ଭେଁଭେଁ ରଡ଼ିକରି କହିଲା, ମୋ ସ୍ତ୍ରୀ ପାଇଁ ମୁଁ ମରିବାକୁ ଯାଉଥିଲି । ନାଇଁ ନାଇଁ ମତେ ଘରଭିତରେ ଯାହା କହୁଥିଲୁ କି ପିଟୁଥିଲୁ ମୁଁ ସହୁଥିଲି । ହେଲେ କାଲି ଦାଣ୍ଡରେ ସବୁ ଲୋକଙ୍କ ଆଗରେ… ଏମିତି ଠିଆ ଗୋଇଠା ମାରିଲା ଯେ, ମୁଁ ନଟୁ ପରି ଘିରିଘିରି ତଳେ ପଡ଼ିଲାବେଳକୁ ସେ ଅଭଦ୍ର ଲୋକଗୁଡ଼ା କିରିକିରି ହୋଇ ହସିହସି ଗଡୁଥିଲେ । ଧିକ୍‌ ମୋ ପୁରୁଷପଣିଆ- ଧିକ୍‌ ମୋ ଜୀବନ । ସମସ୍ତଙ୍କ ସାମନାରେ ଯୋଉ ବେଇଜ୍ଜତ କଲା, ଭାବୁଛି ଘର ପଛେ ପୋଡୁ – ଛାରପୋକ ମରିବା ନ୍ୟାୟରେ ମୁଁ ମରିବି – ତାକୁ ବିଧବା କରି ବୁଦ୍ଧି ଶିଖେଇବି ।

ତା’ର ଏମନ୍ତ ଧୈର୍ଯ୍ୟହରା ଦେଖି କହିଲି, ଧ । ସେ ଧରିବାକୁ ଆସୁ ଆସୁ କହିଲି ଆରେ ମତେ ନୁହଁ, ଧୈର୍ଯ୍ୟ ଧ । ଆଚ୍ଛା କହିଲୁ, କ’ଣ ପାଇଁ ତତେ ଭାଉଜ ଏମିତି ଶକତ ଗୋଇଠା ମାରିଲା ? କହିଲା, ତୁ ତ ଜାଣୁ ମୁଁ ପିଏ। ମୁଁ କହିଲି ତୁ କିରାଣି ଚାକିରି କରି କେବେଠୁ କାହାର ପିଏ ହେଲୁଣି ? ମାନେ ଭାଉଜଙ୍କ ପର୍ସନାଲ ଆସିଷ୍ଟାଣ୍ଟ ତ ? ମୁରୁକି ହସି କହିଲା, ”ଆରେ ନାଇଁରେ। ମୁଁ ମାନୁଛି ନିଇତି ମାଲ୍‌ ପିଏ । ହେଲେ ମୁଁ କ’ଣ କାହା ବୋପା ପଇସାରେ ପିଏ? ମୋ ମେହନତି କମେଇରେ ମୁଁ ମାଲ୍‌ ପିଇଲି କି ଆଉ କୋଉଠି ଟଙ୍କା ଉଡ଼େଇଲି- ସେ କଥା କହିବାକୁ ସିଏ କିଏ ? ନା, ଏ ଗୋଇଠା ମାଡ଼ର ବଦଲା ନେବି ା ଆତ୍ମହତ୍ୟା କରିଦେବି । “

କରି ତା’ କଥା ଶୁଣୁଶୁଣୁ କହିଲି ତୁ ମହାଭାଗ୍ୟବାନ୍‌ । ଯିଏ ସ୍ତ୍ରୀ କିମ୍ବା ଅନ୍ୟଠୁ ଗୋଇଠା ମାଡ଼ ଖାଆନ୍ତି, ସେମାନେ ନରରୁ ନାରାୟଣ ମାନେ ଭଗବାନ ପାଲଟିଯା’ନ୍ତି । ହେଇ ଦେଖ ଛୁଆ ଯେତେବେଳେ ମା’ ଗର୍ଭରେ ଥାଏ, ଯେତେ ଗୋଇଠା ମାଡ଼ ଦେଉଥାଏ, ମା’ ସେତେ ଖୁସିହୁଏ । ଜନ୍ମପରେ କୋଳରେ ଧରିଲାବେଳେ ଯେତେ ଯେତେ ଗୋଇଠା ମାଡ଼ ଗୋଡ଼ ହଲେଇ ପିଟୁଥାଏ – ମା’ ସେତେ ହସୁଥାଏ । ବାପା କି ମା’ ସାନବେଳରୁ ପିଲାର ଗୋଇଠା ମାଡ଼ ଖାଇ ଖୁସି ହୁଅନ୍ତି ବୋଲି ମାତାପିତାଙ୍କୁ ଭଗବାନ୍‌ ବୋଲି କହନ୍ତି । ତା’ଛଡ଼ା ଶ୍ରୀବତ୍ସ ବ୍ରାହ୍ମଣ ଭଗବାନଙ୍କ ଛାତିକି ଗୋଇଠା ମାରିଲା । ନାରାୟଣ ଭକ୍ତ ଶ୍ରୀବତ୍ସ ପାଦକୁ ଆଉଁଶି କହିଲେ- ଲୋକେ କହନ୍ତି ମୋର କୁଆଡ଼େ କଠିନ ହୃଦୟ ପଥର ଛାତି । ତା’ ପାଦକୁ କେଡ଼େ କଷ୍ଟ ଲାଗି ନ ଥିବଟି । ଶ୍ରୀକୃଷ୍ଣ ବି ଶ୍ରୀରାଧାଙ୍କ ପାଦକୁ ଧରି କହୁଥିଲେ ”ସ୍ମରଗରଳ ଖଣ୍ଡନଂ ମମଶିରସି ମଣ୍ଡନଂ ଦେହି ପଦ ପଲ୍ଲବ ମୁଦାରମ୍‌ । “ ପ୍ରିୟାର ପାଦ ମଥାରେ ରଖିଲେ କୁଆଡ଼େ ସବୁ ପୀଡ଼ା ପଳାଏ । ଆଉ ତୋ ପତ୍ନୀଙ୍କ ପଦାଘାତରେ ଯଦି ମଦ୍ୟପାନର ନିଶା ସହିତ ଦେହର ପୀଡ଼ା ନ ଯାଇଥାନ୍ତା, ତେବେ କ’ଣ ସେଇଠୁ ଉଠି ଏଯାଏ ଆସିପାରିଥାନ୍ତୁ ? କଥାରେ ଅଛି, ପତ୍ନୀଙ୍କ ଗୋଇଠା ଯାହାଠି ବାଜଇ / ଦିବ୍ୟଜ୍ଞାନ ତା’ଠି ଉଦେ ହୋଇ । ଯେମିତି କାଳୀଦାସ ପତ୍ନୀଙ୍କଠାରୁ ଗୋଇଠା ମାଡ଼ ଖାଇଲାପରେ ମହାମୂର୍ଖରୁ କେତେବଡ଼ କବି ହୋଇଗଲେ । ତେଣୁ ପତ୍ନୀ ପାଦ ତୋ’ଠି ବାଜିଛି ମାନେ, ତୁ ଭଗବାନ ତୁଲ୍ୟ ଦିନେ ଜଗତ ବିଖ୍ୟାତ ହେବୁ ବୋଲି ମୋ ମନ କହୁଛି ା ଯା ତା’ ଚରଣ ଧରି ଆଉଁଶି ପକା ା ଆହା ! ତୋ ଟାଣୁଆ ଦେହରେ ବାଜି ତା’ କୋମଳ ପାଦକୁ କେଡ଼େ କଷ୍ଟ ହୋଇ ନ ଥିବ ସତେ !

ଆଚ୍ଛା ବିଜ୍ଞ, ରାଜନେତାମାନେ ବଡ଼ ହେବାପାଇଁ ସାଧୁ ଭେକଧାରୀ ନକଲିବାବାଙ୍କ ପଦଧୂଳି ମୁଣ୍ଡରେ ବୋଳି, ଚରଣାମୃତ ପାନକରି ରାଇଜ ବିଖ୍ୟାତ ହୋଇଛନ୍ତି ଆପଣାର ଗାଢ଼ ବିଶ୍ୱାସ ବଳରେ । ବିଶ୍ୱାସରେ ପଥର ବି ଦେବତା ହୋଇଯା’ନ୍ତି । ଆଉ ମଣିଷ ତ ଜୀବନ୍ତ । କେତେ ଭଣ୍ଡଙ୍କ ଗୋଇଠା ମାଡ଼ ଖାଇ ବିଶ୍ୱାସ ବଳେ ଦୁରାରୋଗ୍ୟ ବ୍ୟାଧି ବି ଭଲହୋଇଯିବାର ଶୁଣାଯାଏ ା ତୁ ମହାଭାଗ୍ୟବାନ୍‌ ଯିଏ ଅଯାଚିତ ପଦାଘାତ ପତ୍ନୀ ତରଫରୁ ପ୍ରାପ୍ତି ହୋଇଛି ।

ଏଥର ନଟିଆ ମତେ କୁଣ୍ଢେଇ କହିଲା, ହଁ ତ । ତୁ ଏତେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ କ’ଣ କେବେ ମିଛ କହିପାରୁ ? ନା ସତ ପୂରା ସତ। ତା’ଛଡ଼ା ମୁଁ ସିନା ମରଦ ହେଇ ମଦ ପିଇବାରୁ ପଦାଘାତ ହେଲା ! ମୁଁ ହସିହସି କହିଲି, ହେଇ, ତୋର ବି ଦିବ୍ୟଜ୍ଞାନ ଫୁଟିଲାଣି, ଭୁଲ୍‌ ବୁଝିଲୁଣି ।

କଥାରେ ପମ୍ପ ନ ଥିବା ଫୁଟ୍‌ବଲ୍‌ ପୁନଃ ଫୁଲି ଡେଇଁଲା ଭଳିଆ ଡେଇଁ ଡେଇଁ ଯାଇ ପତ୍ନୀ ପାଦ ଆଉଁଶି ସବୁ ଭୁଲ୍‌ ସ୍ବୀକାର କରି ମଦ ଛାଡ଼ିବାର ସଂକଳ୍ପ ନେଇଗଲା । ଭୁଲ୍‌ ମାନି କହିଲା, ଧନ୍ୟରେ ନାରୀ । ଗୋଇଠା ପ୍ରଦାନକାରୀ, ଜ୍ଞାନଦାତ୍ରୀ ା ତୁମ ପଦାଘାତ ବଳରେ ବନ୍ଧୁଦର୍ଶନ ଓ ମୋର ଦିବ୍ୟଜ୍ଞାନ ଉଦୟ ସିନା ହେଲା ।

ଫକୀରମୋହନଙ୍କ ଲେଖାରେ ମଦୁଆ ଚନ୍ଦ୍ରମଣିଙ୍କୁ ପତ୍ନୀ ସୁଲୋଚନା ଝାଡୁରେ ବାଡ଼େଇବା ପରେ ଯେମିତି ଅନୁତାପ କରି କ୍ଷମା ମାଗିଥିଲେ ଠିକ୍‌ ସେମିତି ନଟିଆ ପତ୍ନୀ ସୁଲକ୍ଷଣା ପାଦଧରି ପତିଙ୍କୁ କ୍ଷମା ମାଗି କହିଲେ, ”ଯେତେହେଲେ ତମେ ମୋର ସ୍ବାମୀ – ଇହ ପର କାଳ ଦେବତା । ମତେ କ୍ଷମା କରିଦିଅ ା“
-ମଙ୍ଗରାଜପୁର, ବୀରହରେକୃଷ୍ଣପୁର, ପୁରୀ, ମୋ : ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?