
ଦିଗପହଣ୍ଡି,୨୭।୬(ଅଶେଷ ନାଥ ମିଶ୍ର): ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଅବସରରେ ବଡଖେମୁଣ୍ଡି ରାଜାଙ୍କ ଦ୍ବାରା ପରିଚାଳିତ ଦିଗପହଣ୍ଡି ଶ୍ରୀ ଜଗନ୍ନାଥ,ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ମହାପ୍ରଭୁଙ୍କ ରଥ ଉପରକୁ ପହଣ୍ଡି ବିଜେ ନୀତି ଶୁକ୍ରବାର ସନ୍ଧ୍ୟାରେ ଶେଷ ହୋଇଛି। ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ପ୍ରଥମେ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ତତ୍ପରେ କୋଟି ବ୍ରହ୍ମାଣ୍ଡ ନାୟକ ଜଗତର ନାଥ ଶ୍ରୀ ଜଗନ୍ନାଥ ବଡଦେଉଳ ଛାଡି ସନ୍ଧ୍ୟା ୭ଟା ସୁଦ୍ଧା ବଡଦାଣ୍ଡରେ ର୍ନିମିତ ରଥ ଉପରେ ରଥାରୂଢ ହୋଇଥିଲେ।ଏହାପରେ ସାନଦାଣ୍ଡ ସାହିରେ ନିର୍ମିତ ସାନ ରଥ ଉପରକୁ ଶ୍ରୀ ଦଧିବାମନ ଜଗନ୍ନାଥ ମହାପ୍ରଭୁ ବିଜେ କରିବା ପରେ ଜଗନ୍ନାଥଙ୍କ ବଡରଥ ଉପରେ ବଡ଼ ଖେମୁଣ୍ଡି ରାଜା ଶ୍ରୀ ଲକ୍ଷ୍ମୀ ନାରାୟଣ ଦେବ ଛେରାପହଁରା କରିଥିଲେ। ଏଠାରେ ଶ୍ରୀ ଗୁଣ୍ଡିଚା ଯାତ୍ରା ପରଦିନ ଶ୍ରୀ ଜୀଉଙ୍କ ରଥ ଟଣା ପରମ୍ପରା ରହିଥିବାରୁ ଶନିବାର ଅପରାହ୍ନରେ ରଥଟଣା ଅନୁଷ୍ଠିତ ହେବ। ତେବେ ସହରର ରାଣିସାହିରେ ନିର୍ମିତ ଶ୍ରୀ ପତିତପାବନ ଜଗନ୍ନାଥ ଏବଂ ଅଞ୍ଚଳ କଲୋନୀରେ ନିର୍ମିତ ଜଗନ୍ନାଥଙ୍କ ରଥକୁ ଶ୍ରଦ୍ଧାଳୁ ମାନେ ଭକ୍ତିର ସହ ଟାଣି ନେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଥିବା ଜଣାପଡ଼ିଛି। ସେହିପରି ବଡଡୁମୁଳା ଗ୍ରାମରେ ମଧ୍ୟ ରଥଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି । ସରପଞ୍ଚ ଗୀତାଞ୍ଜଳୀ ଜାନୀ, ସମବାୟ ସମ୍ପାଦକ ଶେଷକାନ୍ତ ଜାନୀ, ରାଜସ୍ବ ନୀରିକ୍ଷକ ଯଜ୍ଞ ବେହେରା, ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ, ପଞ୍ଚାନନ ବାଡାତ୍ୟା , ସେବକ ବଳରାମ ପଣ୍ଡା, ସିମାଞ୍ଚଳ ପଣ୍ଡା, ରାଧାକୃଷ୍ଣ ପାଢ଼ୀ , ଶିବଶଙ୍କର ପାଢ଼ୀ , ପ୍ରଦୀପ ପାଣିଗ୍ରାହୀ ସମେତ ଯାତ୍ରା କମିଟି ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଦିଗପହଣ୍ଡି ତହସିଲଦାର ତଥା ଏକଜକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ ଏବଂ ଅତିରିକ୍ତ ତହସିଲଦାର ଆଶିଷ କୁମାର ନାୟକ ବିଭିନ୍ନ ଯାତ୍ରା ସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଶୃଙ୍ଖଳିତ ଯାତ୍ରା ପରିଚାଳନା ପାଇଁ ଦିଗପହଣ୍ଡି ଥାନା ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ଭ୍ରମରପୁର,ଭୀଷ୍ମଗିରି, ସିଦ୍ଧେଶ୍ୱର,ବାସୁଦେବପୁର, ଜକର,ପଦ୍ମନାଭପୁର,ଫାଶୀଗୁଡ଼ା,ଗୋପୀନାଥପୁର,ଜକମେରିପଲ୍ଲୀ ପ୍ରଭୃତି ଗ୍ରାମ ମାନଙ୍କରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ଶ୍ରୀଜୀଉଙ୍କ ରଥଟଣା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି।