ନର୍ଥ ସାଉଣ୍ଡ,୧୧।୩ : ଫିଲ୍ଡରେ ବାଧା ଦେଇ ଆଉଟ୍ ହୋଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସାମିଲ ହୋଇଛନ୍ତି ଶ୍ରୀଲଙ୍କା ଦଳର ଓପନର ଦନୁଷ୍କା ଗୁଣଥିଲକା। ଆଣ୍ଟିଗୁଆଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଗୁଣଥିଲକା ବଲକୁ ପଛ ପଟୁ ଗୋଇଠା ମାରିଥିଲେ।
Danushka #Gunathilaka has been given out Obstructing the field. pic.twitter.com/kMn9uVP9lC
— Tata IPL 2027 (@highlights_ipl) March 11, 2021
ଶ୍ରୀଲଙ୍କା ବ୍ୟାଟିଂ କରୁଥିବାବେଳେ ୨୨ତମ ଓଭରରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ କିରନ ପୋଲାର୍ଡଙ୍କ ବଲକୁ ଡିଫେନ୍ସ କରିବା ପରେ ନନ୍ ଷ୍ଟ୍ରାଇକ୍ ବ୍ୟାଟ୍ସମ୍ୟାନଙ୍କୁ ରନ୍ ନେବାକୁ ମନା କରିଥିଲେ। ସେତେବେଳେ କ୍ରିଜ ବାହାରେ ଥିବା ଗୁଣଥିଲକାଙ୍କୁ ରନ୍ଆଉଟ୍ କରିବା ପାଇଁ ଦୌଡ଼ି ଆସିଥିଲେ ପୋଲାର୍ଡ। କିନ୍ତୁ ଗୁଣଥିଲକା ପଛୁଆ କ୍ରିଜକୁ ଫେରୁଥିବାବେଳେ ବଲକୁ ଗୋଇଠା ମାରିଥିଲେ। ଏହାକୁ ଆଉଟ୍ ଦେବା ପାଇଁ ଆବେଦନ କରିଥିଲେ ଓ୍ବେଷ୍ଟଇଣ୍ଡିଜ ଖେଳାଳି। ଫିଲ୍ମ ଅମ୍ପାୟର ଜୋଏଲ ଓ୍ବିଲସନ ଓ ଗ୍ରେଗୋରି ବ୍ରାଥଓ୍ବେଟ୍ ମାଗିଥିଲେ ୩ୟ ଅମ୍ପାୟର ନିଗୁଏଲ ଡୁଗୁଏଡ୍ଙ୍କ ସହାୟତା। ବାମହାତୀ ଓପନର ଜାଣିଶୁଣି ବଲକୁ କିକ୍ କରିଥିବା ଫୁଟେଜରୁ ଜଣାପଡ଼ିବା ପରେ ଆଉଟ୍ ଦର୍ଶାଇଥିଲେ। ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ମ୍ୟାଚ୍ ରେଫରିଙ୍କ ଠାରୁ ନିୟମ ଉପରେ ସ୍ପଷ୍ଟିକରଣ ମାଗିଛନ୍ତି ଶ୍ରୀଲଙ୍କା ଦଳର କୋଚ୍ ମିକି ଆର୍ଥର।

