ବସନ୍ତ ପ୍ରତ୍ୟାଖ୍ୟାତ ଉଦ୍ୟାନ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ସିପାହି ବିଦ୍ରୋହରେ ଅଂଶଗ୍ରହଣ ଅପରାଧରେ ମ୍ୟାନ୍‌ମାରଠାରେ (ସେତେବେଳର ବର୍ମା) ନିର୍ବାସିତ ରୂପେ ଶେଷଜୀବନ କଟାଇଥିଲେ ଦିଲ୍ଲୀର ଶାସକ ତଥା ପ୍ରସିଦ୍ଧ ଉର୍ଦ୍ଦୁ କବି ବାହାଦୁର ଶାହ ଜାଫର। ନିବିଡ଼ ରୂପେ ଭଲପାଉଥିବା ଜନ୍ମଭୂମିର କୋଳରୁ ବହୁଦୂରରେ କଟାଉଥିବା ନିଃସଙ୍ଗ ଜୀବନ ତାଙ୍କୁ ତିଳତିଳ କରି ଉତ୍ପୀଡ଼ିତ କରୁଥିଲା। ସେହି ଉତ୍ପୀଡ଼ନର ପରିପ୍ରକାଶ ତାଙ୍କର ଏହି ଉକ୍ତିଟି- ”ମୁଁ ହେଉଛି ସେହି ଉଦ୍ୟାନ, ଯାହାକୁ ପ୍ରତ୍ୟାଖ୍ୟାନ କରିଯାଇଛି ବସନ୍ତ।“ କିନ୍ତୁ ବର୍ତ୍ତମାନର ସମୟ ସୃଷ୍ଟି କରିଛି ଭିନ୍ନ ଏକ ପରିବେଶ- ସମଗ୍ର ବିଶ୍ୱରେ ସ୍ବଗୃହ ମଧ୍ୟରେ ବି ‘ବସନ୍ତ ପ୍ରତ୍ୟାଖ୍ୟାତ ଉଦ୍ୟାନ’ ଜୀବନ ବିତାଉଛନ୍ତି ତାଙ୍କରି ଭଳି କୋଟି କୋଟି ଲୋକ। ତନ୍ମଧ୍ୟରୁ ପ୍ରଥମ ଏବଂ ପ୍ରଧାନବର୍ଗର ହେଲେ ପୁତ୍ରକନ୍ୟା ଓ ପରିବାରବର୍ଗ ଦ୍ୱାରା ଉପେକ୍ଷିତ ବୃଦ୍ଧ ଓ ବୃଦ୍ଧାମାନେ।
ଚିକିତ୍ସା ବିଜ୍ଞାନର ପ୍ରଗତି ସଙ୍ଗେ ସଙ୍ଗେ ସ୍ବାସ୍ଥ୍ୟସେବାରେ ଉନ୍ନତି, ପୁଷ୍ଟିକର ଖାଦ୍ୟର ଲଭ୍ୟତା ଏବଂ ସମ୍ଭବତଃ ବିବର୍ତ୍ତନ କାରଣରୁ କ୍ରମଶଃ ବଢ଼ିଚାଲିଛି ମଣିଷର ହାରାହାରି ଆୟୁ। ଉଦାହରଣ ସ୍ବରୂପ ବିଗତ ତିନି ଦଶକ ମଧ୍ୟରେ ଏହା ଚାଇନାରେ ୬୯.୪ରୁ ୭୬.୭ ବର୍ଷକୁ, ଭିଏତ୍‌ନାମରେ ୭୧.୨ରୁ ୭୫.୩ ବର୍ଷକୁ, ଶ୍ରୀଲଙ୍କାରେ ୭୦.୦ରୁ ୭୬.୭ ବର୍ଷକୁ, ବାଂଲାଦେଶରେ ୫୯.୯ରୁ ୭୨.୨ ବର୍ଷକୁ, ଭାରତରେ ୫୯.୧ରୁ ୬୯.୩ ବର୍ଷକୁ ଏବଂ ପାକିସ୍ତାନରେ ୬୦.୦ରୁ ୬୭.୦କୁ ବୃଦ୍ଧି ପାଇଛି (୧୯୯୦ରୁ ୨୦୨୦ ମସିହା ଭିତରେ)। ପୁନଶ୍ଚ ଆମ ଦେଶରେ ୬୦ ବର୍ଷ ବୟସରେ ପହଞ୍ଚୁଥିବା ଲୋକଙ୍କ ମଧ୍ୟରୁ ପୁରୁଷମାନଙ୍କ ସମ୍ଭାବ୍ୟ ଆୟୁ ୭୭.୨ ବର୍ଷ ହେଲାବେଳକୁ ନାରୀମାନଙ୍କ କ୍ଷେତ୍ରରେ ତାହା ୭୮.୬ ବର୍ଷ।
ଏଣୁ ସକ୍ରିୟ ଜୀବନକାଳ ୬୦ ବର୍ଷ ପରେ ସେମାନଙ୍କୁ ପ୍ରାୟ ଦୁଇ ଦଶକ ଧରି ପ୍ରାୟତଃ ନିଷ୍କର୍ମା ଭାବେ ବଞ୍ଚତ୍ବାକୁ ପଡୁଛି। ଫଳରେ ପରିବାରବର୍ଗଙ୍କଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟିରେ ସେମାନେ ହେଉଛନ୍ତି ଅଲୋଡ଼ା। କେବଳ ସାମାଜିକ କିମ୍ବା ଧାର୍ମିକ ଅନୁଷ୍ଠାନ ସହିତ ସମ୍ପୃକ୍ତି ନତୁବା କୌଣସି ଆନନ୍ଦଦାୟୀ ପ୍ରବୃତ୍ତିରେ ନିମଗ୍ନ ରହୁଥିବା ଅଳ୍ପ କେତେକ ଏହାର ବ୍ୟତିକ୍ରମ । ‘ହେଲ୍‌ପ ଏଜ୍‌ ଇଣ୍ଡିଆ ଏଲ୍‌ଡର୍‌ ଆବ୍ୟୁଜ୍‌-୨୦୧୮’ ରିପୋର୍ଟ ଅନୁସାରେ ଆମ ଦେଶର ବୟସ୍କମାନଙ୍କ ମଧ୍ୟରୁ ୫୬ ଶତାଂଶ ଅସମ୍ମାନ, ୪୯ ଶତାଂଶ ଗାଳି, ୩୪ ଶତାଂଶ ଅବହେଳା, ୨୨ ଶତାଂଶ ଅର୍ଥନୈତିକ ଶୋଷଣ, ୧୨ ଶତାଂଶ ଶାରୀରିକ ଦୁର୍ବ୍ୟବହାର ଏବଂ ୪ ଶତାଂଶ ଅନ୍ୟପ୍ରକାର ଦୁର୍ବ୍ୟବହାରର ଶିକାର ହୋଇଥାଆନ୍ତି। ସେମାନଙ୍କ ଜୀବନରେ ଏସବୁ ସହିତ ନିଃସଙ୍ଗତା ଆସି ଉଭା ହୋଇଥାଏ ସବୁଠାରୁ ଜଟିଳ ସମସ୍ୟା ରୂପେ।
ପୁରାତନ ଯୁଗରେ ସାଧୁ ସନ୍ନ୍ୟାସୀମାନେ ନିର୍ଜନତା ମଧ୍ୟରେ ବିତାଉଥିବା ଜୀବନ ଏହି ନିଃସଙ୍ଗତାର ଠିକ୍‌ ବିପରୀତ। କାରଣ ସେମାନେ ଏହା ସ୍ବଇଚ୍ଛାରେ ବାଛୁଥିଲେ ଏବଂ ଏକ ସାଂସାରିକ ବନ୍ଧନମୁକ୍ତ ତଥା ସମ୍ପୃକ୍ତି ବିହୀନ ଆଧ୍ୟାତ୍ମିକ ଜୀବନ ବିତାଇବା ସହିତ ତା’ ମଧ୍ୟରେ ଈଶ୍ୱରପ୍ରାପ୍ତି ଲାଗି ମାନସିକ ସାଧନା କରୁଥିଲେ। ତେଣୁ ତାହା ଥିଲା ସାଧାରଣ ଜୀବନର ଊର୍ଦ୍ଧ୍ୱରେ ଏକ ଶାନ୍ତିପୂର୍ଣ୍ଣ ନିର୍ଲିପ୍ତ ଜୀବନ ବଞ୍ଚତ୍ବା ପାଇଁ। ଅନ୍ୟପକ୍ଷରେ ନିଃସଙ୍ଗ ଜୀବନ ଅଶାନ୍ତ ଏବଂ ଅତୃପ୍ତ।
ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ପରିବାର ଓ ସମାଜ ମଧ୍ୟରେ ବାସ କରିବା ତା’ର ଜନ୍ମଗତ ସ୍ବଭାବ। ଅତଏବ ନିଃସଙ୍ଗତା ତା’ ମାନସିକ ଅବସ୍ଥା ଉପରେ ଗଭୀର ନକାରାତ୍ମକ ପ୍ରଭାବ ପକାଇଥାଏ, ଯାହାକି ପ୍ରତିଫଳିତ ହୁଏ ତା’ର ଶାରୀରିକ ସ୍ବାସ୍ଥ୍ୟ ଉପରେ। ଏହାର ଏକ ଉଦାହରଣ ରୂପେ ଉପସ୍ଥାପନ କରାଯାଇପାରେ କିଛି ବର୍ଷ ତଳେ (୨୦୦୬ ମସିହା) ସିକାଗୋ ବିଶ୍ୱବିଦ୍ୟାଳୟଠାରେ ବୈଜ୍ଞାନିକ ଲୁଇସ୍‌ ହାକ୍‌ଲେଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ସର୍ବେକ୍ଷଣ। ଏଥିରୁ ନିଃସଙ୍ଗ ଜୀବନଯାପନ କରୁଥିବା ଲୋକଙ୍କ ରକ୍ତଚାପ ପରିବାରବର୍ଗ ତଥା ବନ୍ଧୁମେଳରେ ରହୁଥିବା ସେହି ବୟସର ଲୋକଙ୍କ ତୁଳନାରେ ୩୦ ପ୍ରତିଶତ ଅଧିକ ହୋଇଥିବାର ଜଣାପଡ଼ିଥିଲା। ଏହାଛଡ଼ା ସେମାନେ ହୃଦ୍‌ରୋଗ ଏବଂ ମଧୁମେହର ଶିକାର ହେବାର ସମ୍ଭାବନା ଥିଲା ଅଧିକ। ଗବେଷଣା ପତ୍ରିକା ‘ସାଇକୋଲୋଜି ଏଣ୍ଡ୍‌ ଏଜିଂ’ (ମାର୍ଚ୍ଚ ୨୦୦୬)ରେ ପ୍ରକାଶିତ ଏକ ଅଗ୍ରଲେଖାରେ ହାକ୍‌ଲେ ଏବଂ ତାଙ୍କ ସହଯୋଗୀ ଜନ୍‌ କାସିଓପୋ ସୂଚିତ କରିଥିଲେ ଯେ, ବୟସ ୫୦ ବର୍ଷ ହେଲା ପରେ ନିଃସଙ୍ଗତାର ପ୍ରଭାବ କ୍ରମଶଃ ସ୍ପଷ୍ଟ ହେବାକୁ ଲାଗେ। ଏମାନଙ୍କଠାରେ ରକ୍ତପେଟିକାଗୁଡ଼ିକରେ ସମସ୍ୟା ଦେଖାଯାଉଥିବାରୁ ରକ୍ତଚାପ ଅଧିକ ହୁଏ। ସେଥିପାଇଁ ସେମାନେ ନିଃସଙ୍ଗତାକୁ ପୃଥୁଳତା, ଶ୍ରମହୀନତା, ଧୂମପାନ ଆଦି ଭଳି ସ୍ବାସ୍ଥ୍ୟହାନିକାରୀ କାରକ ରୂପେ ଦର୍ଶାଇଛନ୍ତି।
ସେହିପରି ଆମେରିକାର ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଜିଂ’ ଦ୍ୱାରା ମଧ୍ୟ ସ୍ବାସ୍ଥ୍ୟ ସହିତ ବୟସ୍କ ଲୋକଙ୍କ ନିଃସଙ୍ଗ ଜୀବନକୁ ନେଇ କିଛି ବର୍ଷ ତଳେ ସର୍ବେକ୍ଷଣ କରାଯାଇଥିଲା। ଏ ଦୁଇଟି ମଧ୍ୟରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ଥିବାର ତହିଁରୁ ଜଣାପଡ଼ିଥିଲା। ଏହାର ନିର୍ଦ୍ଦେଶକ ରିଚାର୍ଡ ସୁଜ୍‌ମ୍ୟାନ୍‌ଙ୍କ ମତରେ, ନିଃସଙ୍ଗ ବ୍ୟକ୍ତିମାନଙ୍କ କ୍ଷେତ୍ରରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ବିଶେଷକରି ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ବିବିଧ ମାନସିକ ରୋଗ ଏବଂ ଦୁଶ୍ଚିନ୍ତା ବୃଦ୍ଧି ପାଏ। ଅତଏବ ଏହା ହାକ୍‌ଲେଙ୍କ ପରୀକ୍ଷାର ଫଳାଫଳକୁ ନିଶ୍ଚିତ କରିଥିଲା (୨୦୦୮ ମସିହା)। ପୁନଶ୍ଚ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଏବଂ ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟଠାରେ ଅନୁଷ୍ଠିତ ପରୀକ୍ଷାମାନଙ୍କରୁ (୨୦୦୮-୨୦୦୯) ମଧ୍ୟ ଏଥିସହିତ ହୃଦ୍‌ରୋଗର ସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା। ପୁନଶ୍ଚ ଏହି ଗବେଷକମାନେ ଏହା ଜାଣିବାକୁ ପାଇଲେ ଯେ, ବୟସ ୬୦ ବର୍ଷ ଅତିକ୍ରମ କଲାପରେ ମସ୍ତିଷ୍କକୁ ରକ୍ତ ପ୍ରବାହ ୧୫-୧୮ ଶତାଂଶ ହ୍ରାସ ପାଏ। ତାହା ନାନାଦି ମାନସିକ ରୋଗ ଏବଂ ସ୍ମୃତିହୀନତାର କାରଣ ହୋଇଥାଏ, ଯାହାକି ସେମାନଙ୍କୁ ବିବିଧ ମାତ୍ରାରେ ଅକ୍ଷମ ଏବଂ ଅନ୍ୟ ଉପରେ ନିର୍ଭରଶୀଳ କରିଦିଏ। ସେଥିପାଇଁ ଅଧିକାଂଶ ସ୍ଥଳେ ସେମାନେ ପରିବାର ଓ ସମାଜ ଦ୍ୱାରା ଉପେକ୍ଷିତ ଏବଂ ଅଲୋଡ଼ା ବୋଝ ରୂପେ ପରିଗଣିତ ହୁଅନ୍ତି।
ଇତିମଧ୍ୟରେ ‘ଅର୍ବ ମିଡିଆ’ (ଆମେରିକା) ଦ୍ୱାରା ହୋଇଥିବା ସର୍ବେକ୍ଷଣଗୁଡ଼ିକରୁ ଜଣାପଡ଼ିଛି ଯେ, ଏହା ଏକ ଜାଗତିକ ଘଟଣା। ପ୍ରାୟ ସବୁ ଦେଶରେ ସେମାନେ ଅଳ୍ପବହୁତ ଅଲୋଡ଼ା ଓ ଉପେକ୍ଷିତ। ଆଗାମୀ ୨୦୫୦ ମସିହା ବେଳକୁ ବିଶ୍ୱର ପ୍ରତି ୫ ଜଣରେ ଜଣେ ୬୫ ବର୍ଷରୁ ଅଧିକ ବୟସ୍କ ହେବେ, ପ୍ରାୟ ୫୦ ହଜାର ନିୟୁତ (ବିଲିୟନ)ଙ୍କ ବୟସ ହେବ ୮୦ ବର୍ଷରୁ ଅଧିକ। ସେମାନେ ଆବଶ୍ୟକ କରିବେ ଅଧିକ ସହାୟତା ଓ ସେବାଯତ୍ନ ଏବଂ ଖର୍ଚ୍ଚ ବହୁଳ ସ୍ବାସ୍ଥ୍ୟସେବା। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଦ୍ୱାରା ୫୭ଟି ଦେଶରେ ଅନୁଷ୍ଠିତ ସର୍ବେକ୍ଷଣ (୨୦୧୨) ଅନୁସାରେ ୬୦ ଶତାଂଶ ଲୋକଙ୍କର ବାର୍ଦ୍ଧକ୍ୟ ପ୍ରତି ନକାରାତ୍ମକ ମନୋଭାବ ଥାଏ। ସେମାନେ ତାଙ୍କର ଜ୍ଞାନ ଏବଂ ଅନୁଭୂତି ପାଇଁ ସ୍ବୀକୃତି ପାଇବା ପରିବର୍ତ୍ତେ ସମାଜ ଓ ପରିବାର ଉପରେ ବୋଝ ରୂପେ ପରିଗଣିତ ହୁଅନ୍ତି। ଅନ୍ୟପକ୍ଷରେ, ‘ଅର୍ବ ମିଡିଆ’ର ଅନ୍ୟ ଏକ ଆକଳନ (୧୦୧ ଦେଶର ଦେଢ଼ ଲକ୍ଷ ଲୋକଙ୍କୁ ନେଇ) ଅନୁସାରେ ବୟସ୍କମାନଙ୍କ ଯତ୍ନ ନେବାରେ ଆର୍ଥିକ ଅନଗ୍ରସର ପାକିସ୍ତାନ ବେଶ୍‌ ଆଗୁଆ। ଅର୍ଥାତ୍‌ ବୃଦ୍ଧାବୃଦ୍ଧଙ୍କ ପ୍ରତି ସେଠାର ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ସବୁଠାରୁ ସକାରାତ୍ମକ। ଅନ୍ୟପକ୍ଷରେ, ଅର୍ଥନୈତିକ ଦୃଷ୍ଟିକୋଣରୁ ବେଶ୍‌ ଉନ୍ନତ ଜାପାନରେ ପରିସ୍ଥିତି ଠିକ୍‌ ଓଲଟା। ଏଥିରୁ ସ୍ପଷ୍ଟ ଯେ; ସେମାନଙ୍କ ପ୍ରତି ଅବହେଳାର ଅର୍ଥନୈତିକ ଅପେକ୍ଷା ସାମାଜିକ ଦୃଷ୍ଟିକୋଣ ଏବଂ ପରମ୍ପରାର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଆମ ଦେଶରେ, ସ୍ବାଧୀନତା ପରଠାରୁ ବୟସ୍କମାନଙ୍କ ସଂଖ୍ୟା ୨୭୦ ଶତାଂଶ ବୃଦ୍ଧି ପାଇଛି। ବର୍ତ୍ତମାନ ସେମାନେ ୮୦ ନିୟୁତ ପାଖାପାଖି ହେଲେଣି। ସେଥିସହିତ ବଢ଼ିଚାଲିଛି ସମ୍ପୃକ୍ତ ସମସ୍ୟା ସମୂହ। ଏଠାରେ ଅଧିକାଂଶ ବୃଦ୍ଧାବୃଦ୍ଧ ଗ୍ରାମାଞ୍ଚଳରେ ବାସ କରନ୍ତି। ବର୍ତ୍ତମାନ ଏହାର ପୂର୍ବଭଳି ଯୌଥ ପରିବାର ଓ ସାମାଜିକ ଜୀବନ ଆଉ ନାହିଁ। ସେଥିସହିତ ସ୍ବାସ୍ଥ୍ୟସେବା ଓ ପୁଷ୍ଟିକର ଖାଦ୍ୟର ମଧ୍ୟ ଘୋର ଅଭାବ। ତେଣୁ ସେମାନେ ପରିବାର ଦ୍ୱାରା ଅବହେଳିତ ହେବା ସଙ୍ଗେ ସଙ୍ଗେ ବାର୍ଦ୍ଧକ୍ୟଜନିତ ସମସ୍ୟାଗୁଡ଼ିକର ସମ୍ମୁଖୀନ ହୋଇ ଦୁର୍ବିଷହ ଜୀବନ ବିତାନ୍ତି। ଏମାନଙ୍କ ମଧ୍ୟରେ ମହିଳାମାନଙ୍କ ସଂଖ୍ୟା ଅଧିକ (୬୧.୨%)। କାରଣ ତାଙ୍କର ଆୟୁଷ ବେଶି। ସେଥିପାଇଁ ତହିଁରୁ ଅନେକ ବୈଧବ୍ୟର ଶିକାର ହୁଅନ୍ତି ଏବଂ ତାଙ୍କ ଜୀବନ ଆହୁରି ଦୟନୀୟ ଭାବେ କଟେ। ସହରାଞ୍ଚଳମାନଙ୍କ ଦୃଶ୍ୟପଟ ଏହାଠାରୁ ବିଶେଷ ଭିନ୍ନ ନୁହେଁ।
ଏସବୁ ଦୃଷ୍ଟିରୁ ବିଚାର କଲେ ବୟସ୍କ ଲୋକଙ୍କ ନିଃସଙ୍ଗ ଜୀବନକୁ ବସନ୍ତ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଥିବା ଉଦ୍ୟାନ ସହିତ ତୁଳନା କରାଯିବା ବିଧେୟ। କାରଣ, ତାହା ରୌଦ୍ରତାପରେ ଝାଉଁଳି ଝାଉଁଳି ବଞ୍ଚୁଥିବା ଉଦ୍ଭିଦରାଜି ଭଳି। ଆମେ ପାରମ୍ପରିକ ଭାବେ ଯୌବନକୁ ଜୀବନର ବସନ୍ତକାଳ ଏବଂ ବାର୍ଦ୍ଧକ୍ୟକୁ ନିଦାଘ ରୂପେ ଅବିହିତ କରିଥାଉ। ତେବେ, ତାକୁ ନିର୍ମମ ରୌଦ୍ରତାପରୁ ରକ୍ଷା କରିବାକୁ ଲୋଡ଼ା ପରିବାରବର୍ଗଙ୍କ ଶ୍ରଦ୍ଧା ଓ ସହୃଦୟତାର ଜଳ ସିଞ୍ଚନ। କିନ୍ତୁ ବର୍ତ୍ତମାନ ତା’ର ଘୋର ଅଭାବ ପଡ଼ିବାକୁ ଲାଗିଲାଣି।
ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର,ଭୁବନେଶ୍ୱର, ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri