ବସନ୍ତ ଓ ଯୌବନ

ଉପେନ୍ଦ୍ର ବିଶ୍ୱାଳ

ଆମ୍ର ମୁକୁଳର ଆବେଗିକ ଆମନ୍ତ୍ରଣରେ ସମ୍ମୋହନ ହୋଇଉଠେ ବସନ୍ତ। ଅଧୀର ହୋଇ ଅନେଇଥାଏ ବାଗ୍‌ଦେବୀଙ୍କ ଆଗମନୀକୁ। ବିଦ୍ୟାଦାତ୍ରୀଙ୍କ ଆବାହନୀ ହେଲାକ୍ଷଣି ଧରାପୃଷ୍ଠକୁ ଓହ୍ଲାଇ ଆସେ ବସନ୍ତ। ସେଇଠୁ ସର୍ବତ୍ର ସ୍ନିଗ୍ଧତା ସବୁଜିମାର ସୁନ୍ଦର ସମାବେଶ ସହିତ ମନ୍ଦ ମଳୟର ମତୁଆଲା ସ୍ପର୍ଶ। ବେଶ୍‌ ବାରିହୁଏ ବସନ୍ତର କୋମଳ ଓ କମନୀୟ କାନ୍ତି। ସୁଖର ପସରା ନେଇ ଆସିଥିବା ବସନ୍ତ, ମନ୍ତ୍ରମୁଗ୍ଧ କରେ ସଭିଙ୍କୁ। ଋତୁରାଜଙ୍କ ସ୍ବାଗତ ବନ୍ଦନା କରେ କୋଇଲି। ମନ ମତାଣିଆ ସେ କୁହୁତାନ। ସତେ ଯେମିତି ଯମୁନା ତଟର ସେଇ କୁହୁକ ବଂଶୀ ସ୍ବନ; କାନରେ ବାଜିଲା କ୍ଷଣି ଅଥୟ ହେଉଥିଲେ ଗୋକୁଳର ଗୋପାଙ୍ଗନାଗଣ। ନାଚି ଉଠୁଥିଲା ଯମୁନାର ପାଣି। କୁହୁକ ବଂଶୀ ସ୍ବନପରି କୋଇଲିର ସଙ୍ଗୀତ ରାଗିଣୀରେ ଏତେ ମଧୁରତା ଭରି ରହିଥାଏ ଯେ ସ୍ବୟଂ ରାଧା-କୃଷ୍ଣ ବି ଓହ୍ଲାଇ ଆସନ୍ତି ଏ ମର୍ତ୍ତ୍ୟକୁ। ଆଉ, ପାଲିଙ୍କିରେ ବୁଲି ବୁଲି ଦେଖନ୍ତି ବସନ୍ତର ବର୍ଣ୍ଣାଳୀକୁ, ତା’ ମନଲୋଭା ବିଭାକୁ। ମନ୍ତ୍ରମୁଗ୍ଧ ହୋଇ ଶୁଣନ୍ତି କୋଇଲିର ପଞ୍ଚମ ତାନକୁ। ରକ୍ତିମ ଆଭାରେ ମଣ୍ଡିତ ହୋଇ ପଳାଶ ବି ତୋଳିଧରେ ବସନ୍ତର ବିଜୟ ଧ୍ୱଜାକୁ, ନିଜ ଚୂଳାରେ। ଏହିପରି ସମୟର ଗୀତ ଲେଖେ ବସନ୍ତ। ସାଧନା ଓ ସାନ୍ତ୍ୱନାର ସମୟ ହେଉଛି ବସନ୍ତ। ସେମିତି ବି ଯୌବନ ହେଉଛି ଜୀବନର ବସନ୍ତ। ଅର୍ଥାତ୍‌ ଯୌବନ ହେଉଛି ତାହା, ଯେଉଁଠି ଥାଏ ସୁନ୍ଦରତା ଆଉ ମଧୁରତା। ଯହିଁ ବିରାଜିତ ବିନମ୍ର ଭାବ ଓ କୋମଳ ଶୋଭା। ଯୁବା ହେଉଛି ସିଏ, ଯେ ବଳ-ବୁଦ୍ଧି-ଚରିତ୍ରର ଉପାସକ। ଯୁବା ସିଏ, ଯିଏ ସୁସ୍ଥ ସମାଜଟିଏ ପାଇଁ ସମର୍ପିତ। ଯୁବ ମନ ହେଉଛି ଶିବ ମନ, ଯିଏ ସଦା ସମାଜ ହିତୈଷୀ। ଜଗତର କଲ୍ୟାଣ ନିମନ୍ତେ କେବେ ଗରଳ ପାନ କରିପାରନ୍ତି ତ ଆଉ କେବେ ମୁଣ୍ଡ ବି ପତେଇ ଦେଇଥାନ୍ତି, ଭାରି ବୋଝକୁ (ଗଙ୍ଗା ମାତାଙ୍କ ପରି) ଧରି ରଖିବାକୁ। ଆଉ, ପୁଣି କେବେ ତାଣ୍ଡବ ବି ରଚିପାରନ୍ତି ଦାନବ ସଂହାର ପାଇଁ। ବୟସ ନୁହଁ, ଶୋଭା ହିଁ ସ୍ବୀକୃତି ଦିଏ ଯୁବାର।
ବଳ ଅପେକ୍ଷା ଲକ୍ଷଣ ହିଁ ସୂଚାଇଥାଏ ଯୁବା ପରିଚୟ। ଅତଏବ, ବଢି ଚାଲୁଥିବା ପାପାଚାର, ହିଂସା, ଅନୀତି, ଅନାଚାର ବିରୋଧରେ ଲଢ଼ିବା ପାଇଁ ଯିଏ ତତ୍ପର, ସିଏ ହେଉଛି ଅସଲରେ ଯୁବା। ମାତ୍ର ଆଜିର ଦିନରେ ଯୁବ ମାନସିକତା ଏଥିରୁ ଲକ୍ଷ୍ୟଚ୍ୟୁତ। ଯେଉଁଥିପାଇଁ କି ଗାନ୍ଧିଜୀ ବି ଦିନେ ଚିନ୍ତାବ୍ୟକ୍ତ କରିଥିଲେ। ଗାନ୍ଧିଜୀଙ୍କୁ ଥରେ ପଚରା ଯାଇଥିଲା – ଆପଣଙ୍କ ଦୃଷ୍ଟିରେ ଭାରତର ଆଶା ଓ ନିରାଶାର ଉତ୍ସ କ’ଣ? ତାଙ୍କର ମତ ଏମିତି ଥିଲା – ଯାବତୀୟ ଷଡ଼ଯନ୍ତ୍ର, ଶୋଷଣ, କଷଣ, ଅତ୍ୟାଚାର, ଚକ୍ରାନ୍ତ ସତ୍ତ୍ୱେ, ଆଜି ବି ଆଧ୍ୟାତ୍ମିକତା ଆମ ସମାଜରେ ଅକ୍ଷୁଣ୍ଣ ରହିଛି। ଏହା ହିଁ ଆମ ପାଇଁ ଆଶା ଓ ଆଶ୍ୱାସନାର ବିଷୟ। ମାତ୍ର, ଦିନକୁ ଦିନ ଭାରତୀୟ ତରୁଣ ନିଜର ସ୍ବାଭିମାନ ଓ ଆତ୍ମପ୍ରତ୍ୟୟ ଭୁଲିଯିବାରେ ଲାଗିଛି। ତା’ ଠାରେ ନପୁଂସକତା, ସ୍ବାର୍ଥପରତା ଗ୍ରାସ କରିବାରେ ଲାଗିଛି। ଏହା ହିଁ ନିରାଶାର ପ୍ରମୁଖ କାରଣ। ଯୁବ ସମାଜର ଚିର ଆଦର୍ଶ ସ୍ବାମୀ ବିବେକାନନ୍ଦଙ୍କ ଯୁବ ସମାଜ ପ୍ରତି ଆହ୍ବାନ ଓ ଆବେଦନ, ପ୍ରସଂଗକ୍ରମେ ଏଠାରେ ଉଲ୍ଲେଖ କରିବା ସମୀଚୀନ ମନେ ହୁଏ। ତାଙ୍କ ଶବ୍ଦରେ ”ବଳ ଓ ସାହସ ହିଁ ଜୀବନ। ଦୁର୍ବଳତା ହିଁ ଭୀରୁ। ସାମର୍ଥ୍ୟ ହିଁ ପୁରୁଷାର୍ଥ। ଏଣୁ ହେ ଯୁବା ବର୍ଗ, ପୁରୁଷାର୍ଥର ଉପାସନା କର। ଅନ୍ଧକାର ଆସିଲେ ଡର ନାହିଁ। ବରଂ ଅନ୍ଧାର ହଟେଇବାକୁ ଚେଷ୍ଟା କର। ପାରୁଛ ଯଦି ଆଦିତ୍ୟ ସମ ନିଜକୁ ପ୍ରତିଭାତ କର। ଈର୍ଷା ଓ ସ୍ବାର୍ଥପରତାଠାରୁ ମୁକ୍ତ ରୁହ। ସତ୍ୟ ଓ ମାନବତାକୁ ସାଥିକରି ଚିରକାଳ ମାତୃଭୂମି ପ୍ରତି ନିଷ୍ଠାବାନ୍‌ ହୋଇ ରୁହ। ଦେଖିବ, ସାରା ସଂସାର ତୁମକୁ ସହସ୍ର ସହସ୍ର ସଲାମ ମାରିବ।“ଯୁବାଙ୍କ ଠାରେ ଯେକୌଣସି କାମକୁ ପୂରା କରିପାରିବାର ଶକ୍ତି ରହିଛି। ସେମାନେ ଯେପରି ଚାହିଁବେ, ସେପରି କରିପାରିବେ। ଖାଲି, ଚାହିଁଲେ ହିଁ ହେଲା। ଯୁବା ସେହି ବ୍ୟକ୍ତି, ଯାହା ମଧ୍ୟେ ଏପରି ଉତ୍ସାହ ଥିବ, ଉଚ୍ଛ୍ବାସ ଥିବ। ଯେ କୌଣସି କାମ ପାଇଁ ପ୍ରସ୍ତୁତ ଥିବ। କିଛି କରି କି ଦେଖାଇବାର ଦୃପ୍ତ ମାନସିକତା ଥିବ।
ଯୌବନର ଉପଯୋଗ ହିଁ ଉତ୍କର୍ଷର ଉତ୍ସ। ଯୌବନର ସାଧନା ହିଁ ସିଦ୍ଧି ପ୍ରାପ୍ତିର ମାର୍ଗ। ବସନ୍ତର ଉଚ୍ଛ୍ବାସ ଓ ଉତ୍ସବ ଯେମିତି କ୍ଷଣିକ, ଯୌବନ ମଧ୍ୟ ସେମିତି। ଜନ୍ମ ସହିତ ଯୌବନ ଆସେନି କି ମୃତ୍ୟୁ ସହିତ ଯାଏନି। ଏହା ଆସିଥାଏ ଜୀବନର ମଝି ରାସ୍ତାରେ। ଏହାକୁ ବେପରୁଆ ଭାବେ ଅତିବାହିତ କରିବା ହେଉଛି ମୂର୍ଖାମି। ଜୀବନର ଏହି ମହାର୍ଘ୍ୟ ମୁହୂର୍ତ୍ତ ହେଉଛି ଏକ ପ୍ରକାର ଅତିଥି। ଅତିଥିର ଯଥାର୍ଥ ସତ୍କାରରେ ଆମର ଗରିମା ଯେପରି ବଢିଥାଏ, ଠିକ୍‌ ସେପରି, ଠିକ୍‌ ଢଙ୍ଗରେ ଓ ଖୁବ୍‌ ସତର୍କତାର ସହିତ ଯୌବନର ସତ୍କାର କଲେ, ଯଶବାନା ଉଡ଼େ ଜୀବନ ଦେଉଳରେ। ଆମ ସାମ୍ନାରେ ଦୁଇଟି ରାସ୍ତା – ବିଳାସ, ବ୍ୟସନ ପ୍ରତି ବିକଳ ହୋଇ ଦୌଡ଼ିବା ଅବା ଯୌବନର ସାମର୍ଥ୍ୟକୁ ଠିକ୍‌ ଉପଯୋଗ କରି ଜୀବନର ଜୟଗୀତି ରଚିବା। ଆମକୁ ଧ୍ୟାନ ଦେବାକୁ ହେବ ଯେ, ଘାସ ଉପୁଜାଇବା ପାଇଁ ଯତ୍ନବାନ ହେବା ଅପେକ୍ଷା ଫସଲ ଉତ୍ପନ୍ନ ପାଇଁ ଯତ୍ନଶୀଳ ହେଲେ ତାହା ଅଧିକ ଉତ୍କର୍ଷ ବର୍ଦ୍ଧକ ହେବ। ଅର୍ଥାତ୍‌ ତଥାକଥିତ ସୁଖ-ସଉକ, ଆମୋଦ-ପ୍ରମୋଦରେ ନ ମାତି, ସମୟ ଓ ଶକ୍ତିର ଠିକ୍‌ ଉପଯୋଗ କରି ସୁକୀର୍ତ୍ତି ପାଇଁ ଯତ୍ନବାନ ହେବା ଉଚିତ।
ଏ ଭୂମିରେ ଯୌବନର ଅମ୍ଳାନ ଗାଥା, ଗୌରବ ଗୀତି ଅନନ୍ୟ, ସୂର୍ଯ୍ୟସମ ଚିର ଭାସ୍ବତ। ଏଇ ଯେମିତି, ପ୍ରାୟ ଅଢେଇ ଲକ୍ଷ ଯୁବା ବିଳାସ-ବ୍ୟସନକୁ ବେଖାତିର କରି, ଯୌବନର ଉଲ୍ଲାସକୁ ପଦ ଦଳିତ କରି, ସାଜିଲେ ବୌଦ୍ଧ ସନ୍ନ୍ୟାସୀ। ବୃହତ୍ତର ଲକ୍ଷ୍ୟରେ ବୌଦ୍ଧ ସଂଘ ଓ ଧର୍ମର ପ୍ରସାର ପାଇଁ ଖେଦିଗଲେ ସାରା ଜଗତକୁ। ଯେଉଁମାନଙ୍କର ଉତ୍କର୍ଷତାର ଆଭା ବଳରେ ସେ ସବୁ ସ୍ଥାନରେ ଉଦ୍ଭାସିତ ହୋଇ ଚାଲିଛି ଭାରତୀୟ ଜୀବନ ଦର୍ଶନ। ବିଶାଳ ଯୁବା ବର୍ଗର ଉତ୍କର୍ଷତାର ଉପଲବ୍ଧି ସ୍ବରୂପ, ହିନ୍ଦୁ ଧର୍ମର ଅତ୍ୟନ୍ତ ଅନୁରାଗୀ, ବୌଦ୍ଧ ଶାଖାର ପ୍ରାୟ ଦଶଟି ଭୂଖଣ୍ଡ ଛିଡା ହୋଇପାରିଲା ସାରା ପୃଥିବୀରେ। ଜାଜ୍ୱଲ୍ୟଭରା ଯୁବା ଦୁନିଆରେ ଏମିତି ଅନେକ ଦୃଷ୍ଟାନ୍ତ ଭିତରୁ ଦୀନବନ୍ଧୁ ଆଣ୍ଡରୁଜ ହେଉଛନ୍ତି ଏକ ଆଦରଣୀୟ ଆଭା। ଅପରାଧୀଙ୍କ ବସ୍ତି ରୂପେ ଜଣାଶୁଣା ଥିଲା ଲଣ୍ଡନର କୁଲବର୍ଥ କ୍ଷେତ୍ର। ଏଠାକାର ଅଧିକାଂଶ ନିବାସୀ ଥିଲେ, ନିର୍ଦ୍ଧନ ଓ ଅଶିକ୍ଷିତ। ସେଠାକାର ପିଲାମାନେ ମଧ୍ୟ କୁସଂସ୍କାରୀ ହୋଇ ଯାଇଥିଲେ। ଏମିତି ଏକ ସମୟରେ ସେଠାରେ ଯାଇ ପହଞ୍ଚତ୍ଲେ ଅତି ଉଚ୍ଚଶିକ୍ଷିତ ଯୁବକ ଜଣେ। ସୁପ୍ରସିଦ୍ଧ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଉଚ୍ଚତମ ଡିଗ୍ରୀ ପ୍ରାପ୍ତ ତରୁଣଟି ସେଠାକୁ ଆସି ଲୋକଙ୍କ ସାଥିରେ ଅତ୍ୟନ୍ତ ଆତ୍ମୀୟତାର ସହିତ ମିଶିଲେ ଏବଂ ବିନା ପାରିଶ୍ରମିକରେ ସେମାନଙ୍କ ପିଲାଙ୍କୁ ପାଠ ପଢେଇ ଚାଲିଲେ। ଆପରାଧିକ ଦୁନିଆର ଅଶିକ୍ଷିତ ଥିବା ଏହି ପିଲାମାନେ, ସେଇ ଯୁବକଙ୍କର ସ୍ନେହରେ ବାନ୍ଧି ହେବା ସହିତ ଶିକ୍ଷାପ୍ରତି ଅଧିକରୁ ଅଧିକ ମନୋନିବେଶ କଲେ। ସମ୍ପୃକ୍ତ ଯୁବକଙ୍କର ପ୍ରଭାବରେ ସମୁଦାୟ ଅଞ୍ଚଳବାସୀ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲେ। ଯୁବକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଯେମିତି ବଢିବଢି ଚାଲିଲା, ସେମିତି ବି ଯୁବକଟିର ବିଚାରରେ ନିଜକୁ ସେମାନେ ବଦଳାଇବାକୁ ଲାଗିଲେ। ଏମିତି ଏକ ସୁଦିନ ଆସିଲା, ଅପରାଧୀଙ୍କ ଇଲାକା ଭାବେ ଅପଖ୍ୟାତ ଥିବା ଅଞ୍ଚଳଟି ସମ୍ପୂର୍ଣ୍ଣ ଭାବେ ଅପରାଧ ମୁକ୍ତ ହୋଇଗଲା। ସେଇଠୁ ସେ କ୍ଷେତ୍ରର ମହକ ବ୍ୟାପିବାକୁ ଲାଗିଲା ଚାରିଆଡକୁ। ତା’ପରେ ସେହି ସମାଜ ସୁଧାରକ, ଯୁବପ୍ରାଣଟି ଭାରତକୁ ବାଛିନେଲେ ଭବିଷ୍ୟତ ଜୀବନର ବାସସ୍ଥାନ ଭାବେ। ଦୀନବନ୍ଧୁ ଆଣ୍ଡରୁଜ ନାମରେ ପ୍ରସିଦ୍ଧି ଲଭିଲେ ସେ ଏ ଭୂଖଣ୍ଡରେ। ବାସ୍ତବରେ ଏହା ହିଁ ହେଉଛି, ଜୀବନ-ବସନ୍ତର ଅମ୍ଳାନ କଥା ଓ ଯୌବନର ଯଶଗାଥା।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ବର। ମୋ-୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri