Posted inଫୁରସତ

ସ୍ବରସାଧିକା ସାଗରୀକା

ସଂଗୀତ ତାଙ୍କୁ ଦେଇଛି ପରିଚୟ। ସଂଗୀତ ମାଧ୍ୟମରେ ସେବା କରି ପାଇଛନ୍ତି ଆତ୍ମସନ୍ତୋଷ। ଇଏ ହେଲେ କଣ୍ଠଶିଳ୍ପୀ ସାଗରୀକା ପଟ୍ଟନାୟକ। ଯାହାଙ୍କ (ଘର ମୋର ସ୍ବର୍ଗ ଚଳଚ୍ଚିତ୍ରର)ଗୀତ ‘ଜିତିବା ଦିନେ ଆମେ ଜୀବନର ବାଜି ଏଠି’.. ଏବେବି ଶ୍ରୋତା ଗୁଣୁଗୁଣାଇଥାନ୍ତି। ନିଜ ସ୍ବରର ଯାଦୁରେ ଲକ୍ଷ ଲକ୍ଷ ସ୍ରୋତାଙ୍କୁ ବାନ୍ଧି ରଖିଥିବା ସାଗରୀକା ଏହି ସଂଗୀତ ମାଧ୍ୟମରେ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ବି ଚେଷ୍ଟା କରନ୍ତି।

ଜନ୍ମ କଟକରେ। ମା’ ଜ୍ୟୋତ୍ସ୍ନା ପାତ୍ର ଓ ବାପା ପ୍ରଶାନ୍ତ ପାତ୍ର। ପେସାରେ ବାପା ଥିଲେ ଇଞ୍ଜିନିୟର । ଯେତେବେଳେ ସାଗରୀକା ଖୁବ୍‌ ଛୋଟ ହୋଇଥିଲେ ଅନ୍ୟ ପିଲାମାନଙ୍କ ପରି ଖେଳଣା ଧରି ଖେଳିବା ପରିବର୍ତ୍ତେ ଟେପ୍‌ ରେକର୍ଡରେ ଗୀତ ଶୁଣିବାକୁ ଭଲପାଉଥିଲେ। ତାଙ୍କ ବାପାମା’ ଝିଅର ଗୀତ ପ୍ରତି ଆଗ୍ରହ ଥିବା ଦେଖି ତାଙ୍କୁ ଗୀତ ଶିଖାଇବାକୁ ଚିନ୍ତାକଲେ। ପ୍ରଥମ ଗୁରୁଭାବରେ ପଣ୍ଡିତ ଅଧରନାଥ ଶର୍ମାଙ୍କ ପାଖରେ ସାଗରୀକା ଗୀତ ଶିଖିବା ଆରମ୍ଭ କଲେ। ସେତେବେଳେ ସାଗରୀକାଙ୍କୁ ମାତ୍ର ୬ ବର୍ଷ। ଆଠ ବର୍ଷ ବେଳକୁ ସେ ଶିଶୁ ସଂସାରରେ ଚାଇଲ୍ଡ ଆର୍ଟିଷ୍ଟ ଭାବରେ ସ୍ଥାନ ପାଇଥିଲେ। ଏହାପରେ ୧୬ବର୍ଷ ବୟସରେ ଅଡିସନ ଦେଇ ଅଲଇଣ୍ଡିଆ ରେଡିଓରେ ଆର୍ଟିଷ୍ଟର ମାନ୍ୟତା ପାଇଲେ। ତା’ପରେ ପୁଣି ପରୀକ୍ଷା ଦେଇ ଦିଲ୍ଲୀ ଦୂରଦର୍ଶନରେ ଅପ୍‌ଗ୍ରେଡେଡ୍‌ ସିଙ୍ଗରର ସ୍ବୀକୃତି ପାଇଲେ। ହିନ୍ଦୁସ୍ତାନୀ କଣ୍ଠସଂଗୀତରେ ବିଶାରଦ କରିଥିବା ସାଗରୀକା ସବୁ ପ୍ରକାର ଗୀତ ଗାଇବାକୁ ପସନ୍ଦ କରିଥାନ୍ତି। ଓଡିଆ ସିନେମା ସହ ଛଅଟି ବଙ୍ଗଳା ସିନେମା, ଅନେକ କ୍ୟାସେଟ୍‌ ଆଦିରେ ଶତାଧିକ ଗୀତ ଗାଇସାରିଛନ୍ତି। ଯେଉଁ ଗୀତଗୁଡିକ ମଧ୍ୟରେ ମୀରା ଭଜନ, ଗଜଲ, ପଲ୍ଲୀଗୀତ, ହାସ୍ୟରସାତ୍ମକ, ସେମିକ୍ଲାସିକାଲ ଓ ଲୋକ ଗୀତ ରହିଥାଏ। ତେବେ ସବୁଠୁ କଡ କଥା ହେଲା ସେ ଗୀତ ଗାଇବା ପୂର୍ବରୁ ପ୍ରଥମେ ଗୀତକୁ ଦେଖନ୍ତି। ଦ୍ୱିଅର୍ଥ ବୋଧକ ଗୀତ ଗାଇବାକୁ ସେ ପସନ୍ଦ କରନ୍ତିନି। ଲେଖାର ଭାବାର୍ଥ ତାଙ୍କ ପାଇଁ ମୁଖ୍ୟ। ଯାହା ସମସ୍ତଙ୍କ ହୃଦୟକୁ ଛୁଉଁଥିବ। ସେଥିପାଇଁ ସେ ଅନେକ ଅଫରକୁ ହାତଛଡା ମଧ୍ୟ କରିଛନ୍ତି। ଏହାଛଡା ତାଙ୍କର ରକ୍ଷଣଶୀଳ ପରିବାର ହୋଇଥିବାରୁ ବାହାରକୁ ଏକା ଯାଇ ଗୀତ ଗାଇବେନି ବୋଲି ଅନେକ ଅଫରକୁ ହାତ ଛଡା ମଧ୍ୟ କରିଛନ୍ତି ସେ। ଏବେବି ବାପାମା’ଙ୍କୁ ଛାଡି ଯିବେନି ବୋଲି ବିଦେଶର ଷ୍ଟେଜ ଶୋ’ ଅଫର୍‌ ପ୍ରତ୍ୟାଖାନ କରୁଛନ୍ତି। ବିବାହ ପରେ ସ୍ବାମୀ ରଘୁନାଥ ପଟ୍ଟନାୟକଙ୍କ ଚାକିରୀ ପାଇଁ ବିଭିନ୍ନ ସ୍ଥାନରେ ଯାଇ ରହିଛନ୍ତିି। ତେବେ ସବୁଠୁ ଖୁସିର କଥା ହେଲା, ଏଥିରେ ସଙ୍ଗୀତ ପାଇଁ ତାଙ୍କର କୌଣସି ପ୍ରକାର ବାଧା ଆସିନି। ବରଂ ସଙ୍ଗୀତ କ୍ଷେତ୍ର ତାଙ୍କର ଅଧିକ ମଜଭୁତ୍‌ ହୋଇଛି। କାରଣ ସ୍ବାମୀ ତାଙ୍କର ଇଞ୍ଜିନିୟର ହେଲେ ବି ସଂଙ୍ଗୀତ ପ୍ରତି ତାଙ୍କର ରୁଚି ରହିଛି। ଆଉ ସାଗରୀକାଙ୍କର ଗୀତ ଗାଇବା ତାଙ୍କର ଖୁବ୍‌ ପସନ୍ଦ। ସ୍ବାମୀଙ୍କ ସହଯୋଗ ପାଇ ସାଗରୀକା ଚିନ୍ତା କଲେ କିପରି ସେ ସଂଗୀତ ମାଧ୍ୟମରେ ଲୋକଙ୍କ ସେବା କରିପାରିବେ। ଏଇଠୁ ଆରମ୍ଭ ହେଲା ତାଙ୍କର ବିଭିନ୍ନ ପ୍ରକାର ଚାରିଟି ଶୋ’ କରିବା। ଓଡିଶାର ବିଭିନ୍ନ ସ୍ଥାନରେ ସେ ଚାରିଟି ଶୋ’ କରିଛନ୍ତି ଆଉ ସେଥିରୁ ମିଳୁଥିବା ଅର୍ଥରେ ଦୃଷ୍ଟିବାଧିତଙ୍କ ପାଇଁ ‘ମିଶନ୍‌ ଫର ଭିଜନ୍‌’ ନାଁରେ ସେମାନଙ୍କ ଚିକିତ୍ସା କରିବା ସହ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛନ୍ତି। କାରଗିଲ ଯୁଦ୍ଧ ସମୟରେ ସରକାରଙ୍କୁ ଏକ ଲକ୍ଷଟଙ୍କାର ଅନୁଦାନ ଦେଇଛନ୍ତି। ମହାବାତ୍ୟା ସମୟରେ ବି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା କରିଛନ୍ତି।

କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଗରୀକାଙ୍କୁ ବହୁ ସରକାରୀ ଅନୁଷ୍ଠାନ ତରଫରୁ ପୁରସ୍କୃତ ଓ ସମ୍ମାନିତ କରାଯାଇଛି। ଯେଉଁଥିରେ ସଂଗୀତଶ୍ରୀ ସମ୍ମାନ ବନାରସରେ ଶାସ୍ତ୍ରୀୟ ସଂଗୀତରେ ସ୍ବର୍ଣ୍ଣ ପଦକ ଓ କ୍ରିଟିକ ସର୍କଲ ଅଫ୍‌ ଇଣ୍ଡିଆରୁ ୨ଥର ପୁରସ୍କୃତ ହେବା ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ସେ ସମ୍ମାନିତ। ବନାରସରେ ସ୍ବର୍ଣ୍ଣପଦକ ପାଇବାର ସ୍ମୃତି ମନେ ପକାଇ ସାଗରୀକା କୁହନ୍ତି, ‘ସାରାଭାରତରୁ ହଜାର ହଜାର ପିଲା ଏହି ଶାସ୍ତ୍ରୀୟ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଚାରି ପାଞ୍ଚଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା । ସେଠାରେ ମୁଁ ଗୋଲ୍ଡ ମେଡାଲ୍‌ ପାଇବି ବୋଲି କେବେ ବି ଚିନ୍ତା କରି ନଥିଲି। ଏହି ଖୁସି ମୋତେ ଆତ୍ମହରା କରି ଦେଇଥିଲା। ସତ୍ୟସାଇ ବାବାଙ୍କର ଜନ୍ମୋତ୍ସବରେ ରାଜମହେନ୍ଦ୍ରୀଠାରେ ସ୍ପିରିଟି ଅଫ୍‌ ୟୁନିଟି କନସର୍ଟରେ ଗାଇବାର ସୁଯୋଗ ମିଳିଥିଲା, ଯାହା ମୋ ପାଇଁ ବହୁତ ବଡ଼ ସୁଯୋଗ ଥିଲା। ସେ ଅନୁଭୁତି ମୁଁ କେବେ ଭୁଲି ପାରିବି ନାହିଁ। ଗୀତ ଗାଇବା ଓ ଲୋକଙ୍କ ସେବା କରିବା ବ୍ୟତୀତ ତାଙ୍କର ରୋଷେଇ, ଘର ସଜେଇବା ଓ ଗାର୍ଡେନିଂରେ ଖୁବ୍‌ ରୁଚି ରହିଛି। ରୋଷେଇ ପାଇଁ ଅନେକ ପୁରସ୍କାର ବି ପାଇଛନ୍ତି। ସ୍ବାମୀ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ଏବେବି ପରିବାରର ଦାୟିତ୍ୱ ସହ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେ ସଙ୍ଗୀତ ସାଧନା କରିବାକୁ କେବେ ବି ଭୁଲନ୍ତି ନାହିଁ। ସବୁବେଳେ ଗୋଟେ ଭଲ ମଣିଷ ହୋଇ ବଞ୍ଚତ୍ବାକୁ ଚାହୁଁଥିବା ସାଗରିକାଙ୍କର ଏକମାତ୍ର ଇଚ୍ଛା ଜୀବନର ଶେଷ ସମୟ ଯାଏ ଯେମିତି ସେ ଗୀତ ଗାଇ ପାରୁଥିବେ।

-ରୋଜାଲିନ୍‌ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?