Posted inଫୁରସତ

ହୋଲି ନୁହେଁ ହୋଲି ପରି

ହୋଲି! ଦେହ, ମନକୁ ରଙ୍ଗରେ ଭିଜାଏ। ସ୍ନେହ ଓ ଭଲ ପାଇବା ବଢାଏ। ସେଥିପାଇଁ ତ ଏହାକୁ ଭାରତର ଏକ ମୁଖ୍ୟ ପର୍ବ ଭାବେ ଗଣନା କରାଯାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ବି ହୋଲି ପରି କିଛି ପର୍ବ ପାଳନ କରାଯାଇଥାଏ। ଯେଉଁଥିରେ ରଙ୍ଗ ସିନା ନ ଥାଏ, ହେଲେ ସେହି ସବୁ ଉତ୍ସବ ପାଳନର ଶୈଳୀ ଅନେକାଂଶରେ ହୋଲି ପରି ହୋଇଥାଏ। ଜାଣନ୍ତୁ ସେ ସମ୍ପର୍କରେ…

ସଙ୍ଗକ୍ରାନ: ଥାଇଲାଣ୍ଡରେ ନୂଆବର୍ଷକୁ ଭିନ୍ନ ଏକ ଢଙ୍ଗରେ ପାଳନ କରାଯାଇଥାଏ। ଏହଦିନ ଘରୁ ସମସ୍ତେ ବାହାରି ଆସି କିଏ ବାଲ୍ଟିରେ ତ କିଏ ମଗ୍‌ରେ ପୁଣି କିଏ ପିଚ୍‌କାରୀରେ ଥଣ୍ଡା ପାଣି ପରସ୍ପରକୁ ଫୋପାଡିଥାନ୍ତି। ରଙ୍ଗ ନ ଥିଲେ ହେଁ ପାଣିର ଏଇ ଖେଳକୁ ଦେଖିଲେ ମନକୁ ଆପଣାଛାଏଁ ରଙ୍ଗର ପର୍ବ ହୋଲି କଥା ମନେପଡିଯିବ।

ବ୍ୟାଟଲ ଅଫ୍‌ ଅରେଞ୍ଜେସ୍‌: କମଳା ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ତେବେ ଇଟାଲୀରେ ଏଇ ସ୍ବାଦିଷ୍ଟ କମଳାକୁ ପରସ୍ପରକୁ ଫୋପାଡି ଏକ ଉତ୍ସବ ପାଳନ କରିଥାନ୍ତି, ଯାହାକୁ ‘ବ୍ୟାଟେଲ ଅଫ୍‌ ଅରେଞ୍ଜେସ୍‌’ କୁହାଯାଏ। ଏହା ଇଟାଲୀର ସବୁଠାରୁ ବଡ଼ ଫୁଡ ଫାଇଟ୍‌ ।

ଲା ଟମାଟିନା: ସାରା ପୃଥିବୀରେ ଏହି ଉତ୍ସବଟି ବେଶ୍‌ ଲୋକପ୍ରିୟ। ସ୍ପେନ୍‌ରେ ପାଳିତ ହେଉଥିବା ଏହି ଉତ୍ସବ ମଧ୍ୟ ଏକ ଫୁଡ ଫାଇଟ୍‌ ଅଟେ। ଏଥିରେ ଲୋକେ ପରସ୍ପରକୁ ଲାଲ ରଙ୍ଗର ଟମାଟୋ ଫିଙ୍ଗିଥାନ୍ତି। ଆଉ ଲୋକମାନେ ଟମାଟୋର ଲାଲ ରଙ୍ଗରେ ଲାଲ ହୋଇଯାଆନ୍ତି।

ଏଲ୍ସ ଏନ୍‌ଫାରିନାଟ୍‌ସ: ଡିସେମ୍ବର ୨୮ ତାରିଖ, ସ୍ପେନର ଇବି ସହରରେ ପାଳିତ ହୁଏ ଏଲ୍ସ ଏନ୍‌ଫାରିନାଟ୍‌ସ ଉତ୍ସବ। ଏଥିରେ ସ୍ପେନବାସୀ ପରସ୍ପରକୁ ଅଟା ଓ ଅଣ୍ଡା ଫିଙ୍ଗନ୍ତି। ରଙ୍ଗହୀନ ହୋଇଥିଲେ ହେଁ, ଏହା ହୋଲି ଭଳି ହିଁ ପାଳନ କରାଯାଏ।

ମଡ୍‌ ଫେଷ୍ଟିଭାଲ: ସୁଇଜରଲାଣ୍ଡ, ପାଲିଓରେ ସବୁଠାରୁ ବଡ ଓପନ ଏୟାର ମ୍ୟୁଜିକ ଫେଷ୍ଟିଭାଲ ଆୟୋଜନ କରାଯାଇଥାଏ। ଏଥିରେ ଲୋକ ଯେ କେବଳ ସଙ୍ଗିତର ତାଳେ ତାଳେ ଝୁମନ୍ତି ତାହା ନୁହେଁ, ବରଂ ଆୟୋଜକଙ୍କ ତରଫରୁ ଏହିଦିନ ଏକ ବଡ ସ୍ଥାନରେ କାଦୁଅ ରଖାଯାଇଥାଏ। ତାରି ଭିତରେ ଲୋକେ ପରସ୍ପରକୁ କାଦୁଅ ବୋଳାବୋଳି ହେବା ସହ ସେଇ କାଦୁଅରେ ଲୋଟପୋଟ ହୋଇ ବହୁତ ମଜା କରନ୍ତି।

ଲା ରାଇମା: ଏହି ଉତ୍ସବ ପାଳନ ପାଇଁ ସ୍ପେନସ୍ଥ ଲା ପ୍ଲାଜା ଡେ ଲାରେ ଗହଳି ଜମା ହୁଏ। ସେଠାକୁ ପ୍ରାୟ ୬ଟି ଟ୍ରକରେ ଭର୍ତ୍ତି ହୋଇ ଆସେ ଅଙ୍ଗୁର, ଯାହାର ଓଜନ ପ୍ରାୟ ୯୦ ଟନ୍‌ରୁ ଉର୍ଦ୍ଧ୍ୱ ହୋଇଥାଏ। ଲୋକେ ଦୌଡି ଯାଆନ୍ତି ଟ୍ରକ ପାଖକୁ। ଆଉ ଯିଏ ଯେତେ ପାରନ୍ତି ଅଙ୍ଗୁର ଧରି ଲକ୍ଷ୍ୟ କରନ୍ତି କାହାକୁ ସେହି ଅଙ୍ଗୁର ଫୋପାଡିବେ। ଏଇ ଅଙ୍ଗୁର ଯୁଦ୍ଧ ସେ ପର୍ଯ୍ୟନ୍ତ ଚାଲେ ଯେ ପର୍ଯ୍ୟନ୍ତ ଶେଷ ଅଙ୍ଗୁର ନ ଫିଙ୍ଗା ଯାଇଛି।

ଲା ବାଟଲା ଡେଲ ଭିନୋ: ସ୍ପେନ୍‌ରେ ଯେ କେବଳ ଅଙ୍ଗୁର, ଅଟା ଫୋପଡା ଉତ୍ସବ ଅଛି ତାହା ନୁହେଁ। ବରଂ ଏଠାରେ ଆହୁରି ଏକ ଉତ୍ସବ ବି ପାଳନ କରାଯାଏ, ଯେଉଁଥିରେ ଲୋକେ ବାଲ୍ଟି ବାଲ୍ଟି ଓ୍ବାଇନ୍‌ ଫୋପଡା ଫୋପଡି ହୁଅନ୍ତି। ‘ଲା ବାଟଲା ଡେଲ ଭିନୋ’ ନାମକ ଉକ୍ତ ଉତ୍ସବ ପ୍ରତିବର୍ଷ ସ୍ପେନ୍‌ର ହାରୋ ସହରରେ ପାଳିତ ହୁଏ। ସେଦିନ ସକାଳେ ସମସ୍ତେ ଧଳାରଙ୍ଗର ପୋଷାକ ପିନ୍ଧନ୍ତି। ପରେ ଘୋଡାରେ ବସି ଯାଉଥିବା ମେୟରଙ୍କ ପଛରେ ପ୍ୟାରେଡରେ ଯୋଗ ଦିଅନ୍ତି। ପ୍ୟାରେଡ ସରିବା ପରେ ଯାଇ ଆରମ୍ଭ ହୁଏ ଓ୍ବାଇନ୍‌ ଫୋପଡା ଉତ୍ସବ।

ଓ୍ବାସର୍‌ସକ୍ଲାଚ୍‌: ଗ୍ରୀଷ୍ମ ଋତୁର ଆଗମନକୁ ଜର୍ମାନ ବାସୀ ଭିନ୍ନ ଏକ ଢଙ୍ଗରେ ପାଳନ କରନ୍ତି। ଏଥିରେ ବର୍ଲିନ୍‌ର ଦୁଇଟି ଜିଲାର ଲୋକ ପରସ୍ପରକୁ ପାଣି ଫୋପାଡି ଆକ୍ରମଣ କରନ୍ତି। ତାସହ ଫଳମୂଳ, ଅଣ୍ଡା ଓ ଅଟା ମଧ୍ୟ ଫିଙ୍ଗିଥାନ୍ତି। ଏହି ଫାଇଟ୍‌ ବେଶ୍‌ ଜୋଶଭରା ଓ ମଜାଦାର ହୋଇଥାଏ।

ଗାଲାକ୍ସିଡି ଫ୍ଲୋର ଫେଷ୍ଟିଭାଲ: ପ୍ରତିବର୍ଷ ଫେବୃୟାରୀ ମାସରେ ଗ୍ରୀସ୍‌ର ଛୋଟିଆ ସହର ଗାଲାକ୍ସିଡି ୧.୫ ଟନ୍‌ ରଙ୍ଗିନ ଅଟାରେ ଆବୃତ ହୋଇଯାଏ। କାରଣ ଏହି ମାସରେ ପାଳିତ ହୁଏ ଗାଲାକ୍ସିଡି ଫ୍ଲୋର ଫେଷ୍ଟିଭାଲ। ଉକ୍ତ ଉତ୍ସବରେ ଶହ ଶହ ଲୋକ ପରସ୍ପରକୁ ରଙ୍ଗିନ ଅଟା ଫିଙ୍ଗନ୍ତି। ଏହି ଦୃଶ୍ୟ ଅନେକାଂଶରେ ଭାରତୀୟ ପର୍ବ ହୋଲି ପରି ଲାଗେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?