ସାମାଜିକ ବନ୍ଧକ

ରାଜ୍ୟର ଭୂମିହୀନ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ଋଣ ଯୋଜନା ଆରମ୍ଭ କରିଛନ୍ତି। କାଳିଆ ବା ଜଗନ୍ନାଥଙ୍କ ବଡ଼ଭାଇ ବଳରାମଙ୍କ ନାମରେ ନାମିତ ଏହି ଯୋଜନା କାଳିଆ ପରି ଏକ ଅନୁରୂପ ଯୋଜନା ବୋଲି କୁହାଯାଉଛି। ଉପରୁ ଉପରୁ ଦେଖିଲେ ତ ଯୋଜନାଟି ଅତ୍ୟନ୍ତ ଉପାଦେୟ ଭଳି ଜଣାପଡ଼ୁଛି। କାରଣ ଏହି ସମସ୍ତ ନଗଦ ଋଣ ବନ୍ଧକମୁକ୍ତ ରହିବ। ମିଳିତ ଦାୟିତ୍ୱ ଗୋଷ୍ଠୀ (ଜେଏଲ୍‌ଜି) ନାମକ ପାଞ୍ଚ ସଦସ୍ୟ ବିଶିଷ୍ଟ ଗୋଷ୍ଠୀକୁ ଋଣ ପ୍ରଦାନ କରାଯିବ, ଯେଉଁମାନେ ଗୋଷ୍ଠୀର ସଦସ୍ୟମାନଙ୍କୁ ପ୍ରଦାନ କରାଯାଇଥିବା ଋଣ ପାଇଁ ‘ସାମାଜିକ ବନ୍ଧକ’ ଭାବରେ କାର୍ଯ୍ୟ କରିବେ। ଯଦି ସେମାନଙ୍କର ସହ-ସଦସ୍ୟମାନଙ୍କ ମଧ୍ୟରୁ କେହି ଜଣେ ଋଣ ପରିଶୋଧରେ ଖିଲାପ କରନ୍ତି, ତେବେ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ଉତ୍ତରଦାୟୀ ରହିବେ। ରାଜ୍ୟରେ କାର୍ଯ୍ୟ କରୁଥିବା ଶାଖା ସଂଖ୍ୟାକୁ ଆଧାର କରି ପ୍ରତ୍ୟେକ ବ୍ୟାଙ୍କକୁ ଏକ ଋଣପ୍ରଦାନ ଲକ୍ଷ୍ୟ ଦିଆଯାଇଛି। ପ୍ରତ୍ୟେକ ଋଣଦାତା ବ୍ୟାଙ୍କ ଗୋଟିଏ ବର୍ଷରେ ଅତି କମ୍‌ରେ ୧୦ଟି ଜେଏଲ୍‌ଜିକୁ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇବର୍ଷ ମଧ୍ୟରେ ଏହି ଯୋଜନାରେ ୭ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ସରକାର ଚିହ୍ନଟ କରିଛନ୍ତି। ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ଋଣ ସମବାୟ ସମିତି (ପିଏସି)ଗୁଡ଼ିକୁ କୃଷକମାନଙ୍କୁ ଋଣ ପ୍ରଦାନ କରିବାକୁ କୁହାଯାଇଛି। ଓଡିଶାରେ ୭୦୦୦ ବ୍ୟାଙ୍କିଙ୍ଗ୍‌ ଆଉଟ୍‌ଲେଟ୍‌ ଅଛି ଏବଂ ପ୍ରତ୍ୟେକ ବ୍ୟାଙ୍କିଙ୍ଗ୍‌ ୟୁନିଟ୍‌ ୧୦ଟି ଜେଏଲ୍‌ଜିକୁ ଅର୍ଥ ପ୍ରଦାନ କରିବେ। ପ୍ରତ୍ୟେକ ଜେଏଲ୍‌ଜିର ପାଞ୍ଚଜଣ ସଦସ୍ୟ ରହିବେ ଏବଂ ସେମାନେ ପ୍ରତ୍ୟେକେ ୧.୬ ଲକ୍ଷ ଟଙ୍କା ପାଇବେ। ଦୁଇବର୍ଷ ମଧ୍ୟରେ ୧.୪୦ ଲକ୍ଷ ଜେଏଲ୍‌ଜି ମାଧ୍ୟମରେ ପ୍ରାୟ ସାତ ଲକ୍ଷ ଭୂମିହୀନ କୃଷକଙ୍କୁ ଉପକୃତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ୧୦୪୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ରାଜ୍ୟରେ ଏହି ଯୋଜନାକୁ ବୀମା ଗ୍ୟାରେଣ୍ଟି ପ୍ରଦାନ କରିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଅଫ୍‌ ଏଗ୍ରିକଲ୍‌ଚରାଲ ଏକ୍ସଟେନ୍‌ଶନ (ଇମେଜ୍‌) ଏବଂ ଏଗ୍ରିକଲ୍‌ଚରାଲ ଟେକ୍ନୋଲୋଜି ମ୍ୟାନେଜ୍‌ମେଣ୍ଟ ଏଜେନ୍ସି (ଆତ୍ମା) ଯଥାକ୍ରମେ ରାଜ୍ୟ ଓ ଜିଲା ସ୍ତରରେ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। କାଳିଆଠାରୁ ବଳରାମ ଭିନ୍ନ, କାରଣ ପ୍ରଥମଟି ଫସଲ ଋଣ ହୋଇଥିବାବେଳେ ପରବର୍ତ୍ତୀଟି ହେଉଛି କେବଳ ମାଗଣା ଅର୍ଥ ବଣ୍ଟନ। କାଳିଆ ଜମି ଥିବା ଲୋକଙ୍କୁ ଉପକୃତ କରିଥିବାବେଳେ, ବଳରାମ ଭୂମିହୀନ ଚାଷୀଙ୍କୁ ଉପକୃତ କରିବାର ଲକ୍ଷ୍ୟ ରଖାଯାଇଛି, ଯେଉଁମାନେ ପୂର୍ବ ଯୋଜନାରେ କୃଷି ଋଣ ପାଇପାରି ନ ଥିଲେ। କ୍ଷେତ୍ର ସ୍ତରରେ ଏହାର ସୁଷ୍ଠୁ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ସରକାର ଗ୍ରାମ୍ୟ କୃଷି କର୍ମଚାରୀ (ଭିଏଲ୍‌ଡବ୍ଲ୍ୟୁଏସ୍‌)ମାନଙ୍କୁ ଏଥିରେ ସଂଶ୍ଳିଷ୍ଟ କରିଛନ୍ତି। ଏଥିସହ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସରକାର ଏକ ପ୍ରୋତ୍ସାହନ ବ୍ୟବସ୍ଥା ରଖିଛନ୍ତି।
ଏକ ଭଲ ସମୟରେ ଯୋଜନାଟି ଆସିିଛି। ବର୍ତ୍ତମାନ କୋଭିଡ୍‌-୧୯ ହେତୁ ଗ୍ରାମଗୁଡିକରେ କୃଷି ଶ୍ରମିକମାନେ ଢେର୍‌ ସମସ୍ୟା ଭିତରେ ଅଛନ୍ତି। ଗ୍ରାମଗୁଡ଼ିକୁ ପ୍ରବାସୀ ଶ୍ରମିକ ବହୁ ସଂଖ୍ୟାରେ ଆସିବା ଯୋଗୁ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କ ଘନତା ବୃଦ୍ଧି ପାଇଛି। ସେମାନଙ୍କୁ ଯାହା ଦରକାର ତାହା ହେଉଛି ଶସ୍ତା ଋଣର ଉପଲବ୍ଧତା। ଯଦି ସରକାର ଏହି ଶ୍ରମିକମାନଙ୍କୁ ସେମାନଙ୍କର ଦକ୍ଷତା ଓ ଅଭିଜ୍ଞତା ଉପରେ ଆଧାର କରି କ୍ଷୁଦ୍ର ଉଦ୍ୟୋଗ ଆରମ୍ଭ କରିବା ପାଇଁ ଏହି ଟଙ୍କା ଦିଅନ୍ତେ ତେବେ ତାହା ସେମାନଙ୍କୁ ସାହାଯ୍ୟ କରନ୍ତା। ବ୍ୟାଙ୍କଗୁଡିକ ପାଇଁ କୃଷି ଏକ ପ୍ରାଥମିକ ଋଣ ପ୍ରଦାନ କ୍ଷେତ୍ର ଏବଂ ବଳରାମ ବ୍ୟାଙ୍କଗୁଡ଼ିକୁ ଏହି ପ୍ରାଥମିକ କ୍ଷେତ୍ରକୁ ଋଣପ୍ରଦାନ ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ। ତେବେ ଏହା ଏକ ସାଧାରଣ ଜ୍ଞାନ ଯେ, ବାଣିଜି୍ୟକ ବ୍ୟାଙ୍କଗୁଡିକ ଭୂମିହୀନ ଚାଷୀଙ୍କ କଥା ଦୂରେ ଥାଉ, ଚାଷୀମାନଙ୍କୁ ହିଁ ଋଣ ଦେବାକୁ ଆଗ୍ରହ ଦେଖାନ୍ତି ନାହିଁ। ସେଥିପାଇଁ ଏହି ଯୋଜନାର ସଫଳତା ଉପରେ ସନ୍ଦେହ ଅଛି। ଏହି ସାମାଜିକ ବନ୍ଧକ ପ୍ରଣାଳୀ କିପରି ତଳସ୍ତରରେ କାର୍ଯ୍ୟ କରିବ ସେ ନେଇ ସରକାର ଅଧିକ ସ୍ପଷ୍ଟୀକରଣ ନ ଦେଲେ ବ୍ୟାଙ୍କଗୁଡିକ ଋଣପ୍ରଦାନ କରିବାକୁ ବିଶେଷ ଆଗ୍ରହୀ ନ ହୋଇପାରନ୍ତି। ଯଦି ସରକାର ଏଭଳି ଋଣ ପାଇଁ ଗ୍ୟାରେଣ୍ଟି ଦେବେ ତେବେ ଭଲ ହେବ। ତା’ହେଲେ ଏହି ଋଣଗୁଡିକର ପରିଶୋଧ ନେଇ ବ୍ୟାଙ୍କଗୁଡ଼ିକ ନିଶ୍ଚିତ ହୋଇପାରିବେ। ତା’ ନ ହେଲେ ବଳରାମ ଯୋଜନା କିପରି କାର୍ଯ୍ୟ କରିବ ତାହା ଏବେଠୁ କହିବା କଷ୍ଟକର। ଯେହେତୁ ବଳରାମ ସାଧାରଣ ଫସଲ ଋଣ, ହିତାଧିକାରୀଙ୍କୁ ଏପରି ଋଣ ଦେବା ପାଇଁ ବ୍ୟାଙ୍କଗୁଡିକ ନିରନ୍ତର ଫଲୋଅପ୍‌ ଓ ମନିଟରିଂ କରିବା ଦରକାର। ରାଜ୍ୟ ଏବଂ ଜିଲା ସ୍ତରରେ ଅଧିକାରୀମାନଙ୍କୁ କେବଳ ଦାୟିତ୍ୱ ଦେଲେ ହେବ ନାହିଁ ବରଂ ଯୋଜନାର ସଫଳତା ପାଇଁ ଲକ୍ଷ୍ୟଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri