ଛୋଟ କାନ୍ଧ, ବଡ଼ ବୋଝ

ସେଦିନ ଅଭ୍ୟାସ କାର୍ଯ୍ୟ କରି ନ ଥିବା ପ୍ରତ୍ୟେକ ପିଲାଙ୍କୁ ଶ୍ରେଣୀଗୃହରେ ଦଣ୍ଡ ସ୍ବରୂପ କାନ ଧରି ଛିଡ଼ାହେବାକୁ କହିଲି। ସମସ୍ତେ ନିଜ ନିଜର ସଫେଇ ଦେବାକୁ କିଛି କହିଲେ। କିନ୍ତୁ ନିଜ ସପକ୍ଷରେ ଏକା କହିପାରିଲାନି ମାଧବୀ। କହିଥାନ୍ତା ବା କେମିତି? ପ୍ରଥମ ଥର କି ଦ୍ୱତୀୟ ଥର ପାଠରେ ଅବହେଳା ହୋଇଥିଲେ, କିଛି ଗୋଟିଏ କହି ଦେଇ ଖସି ଯାଇଥା’ନ୍ତା। କିନ୍ତୁ କ୍ରମାଗତ ଭାବରେ ବର୍ଷ ବର୍ଷ ଧରି ସେ ଏମିତି ପାଠରେ ଅବହେଳା କରିଆସିଛି। ବର୍ଷର କେତୋଟି ଦିନ ମାତ୍ର ତ ସେ ବିଦ୍ୟାଳୟରେ ଉପସ୍ଥିତ ରହେ । ସେ କିଛି କହିବାକୁ ଚାହୁଁ ଥିଲା। ମୋ ଆଖିର ମୁଦ୍ରା ହୁଏତ କଠୋର ଥିଲା। ତା’ ଭିତରେ ତା’ ଅସହାୟ ଚାହାଣି ଓ ନୀରବତା କେମିତି ଗୋଟେ ପାଣିଚିଆ ହୋଇଗଲା। ମୋ ହୃଦୟକୁ କିନ୍ତୁ ତାହା ବିଗଳିତ କଲା। ମୁଁ ତାକୁ କେଉଁ ଏକ ଫାଙ୍କା ସମୟ ଦେଖି ଡାକିଲି। ଖୁବ୍‌ କୋମଳ କଣ୍ଠରେ ପ୍ରଶ୍ନ ରଖିଲି, ଯେମିତି ଡରି ନ ଯାଏ। ଆଚ୍ଛା ମାଧବୀ, କିଛି ଖାଇଛୁ ସକାଳୁ?ସେ ମୁଣ୍ଡ ହଲାଇଲା। ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ସରିଲେ ସେ ଖାଇ ନେବ ବୋଲି ତା’ ମା’ ତାକୁ ସେତେବେଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛି। ମୁଁ ପୁଣି କଥା ଲମ୍ବେଇଲି, ପାଠ ପଢିବାକୁ ତୋର ମନ ହୁଏନି? ତା’ ଆଖିରେ ଆଶାର ଏକ ତରଙ୍ଗ ଖେଳିଗଲା, କିଛି କ୍ଷଣ ପରେ ମିଳାଇଗଲା। ଯାହାର ଅର୍ଥ ଥିଲା ବୋଧହୁଏ, ସବୁ ସ୍ବପ୍ନର ଡେଣା ନ ଥାଏ। ସବୁ ସ୍ବପ୍ନ କଅଁଳିବାକୁ ଉପଯୁକ୍ତ ପାଣିପାଗ ନ ଥାଏ। ମାଧବୀ କଥାରୁ ଯାହା ଜାଣିଲି, ସେମାନେ ଚାରି ଭାଇ ଭଉଣୀ। ମାଧବୀ ସେମାନଙ୍କ ମଧ୍ୟରେ ବଡ଼। ବାପା ଦିନମଜୁରିଆ, ଯେଉଁ ଦିନ ଯେଉଁଠି କାମ ମିଳେ। ମା’ ଅନ୍ୟ ଘରେ ପାଇଟି କରିନିଏ। ଦିନ ସାରା ମାଧବୀକୁ ନିଜ ଘର ସମ୍ଭାଳିବାକୁ ହୁଏ। ଯେମିତିକି ଦୂର ନଳକୂପରୁ ପାଣି ଆଣି ରଖିବା, ଘରଦ୍ୱାର ସଫା କରିବା, ଘରର ବାସନ ଓ କପଡ଼ା ସଫା ରଖିବା ସହ ଚାଉଳ ମୁଠାଏ ଫୁଟାଇ ଭାଇ ଭଉଣୀଙ୍କୁ ଖୁଆଇବା। ମା’ବାପା ରାତିରେ ଘରକୁ ଫେରନ୍ତି। ଯେଉଁ ଦିନ ବାପାକୁ କାମ ମିଳେନି ଘରେ ରହେ, ମାଧବୀ ବିଦ୍ୟାଳୟକୁ ଚାଲିଆସେ। ସହପାଠୀ, ଶ୍ରେଣୀଗୃହ, କଳାପଟା, ପାଠବହି ଦେଖିଲେ ତା’ର ମନରେ ପାଠ ପଢିବାର ଇଚ୍ଛା ଗଜୁରି ଉଠେ କିନ୍ତୁ ଘରକୁ ଗଲେ ତା’ର ଟିକି କାନ୍ଧ ଉପରେ ପୁଣି ତାକୁ ଟେକି ଧରିବାକୁ ହୁଏ ହର୍କୁଲେସ ଭଳି ଏକ ବିଶାଳ ପୃଥିବୀକୁ। ସେହି ବୋଝ ଭିତରେ ପାଠ ପଢିବାର ସ୍ବପ୍ନ ଉପଯୁକ୍ତ ପରିବେଶ ନ ପାଇ ମଉଳି ଯାଏ।
ଏହା ତ ଗୋଟିଏ ମାଧବୀର କଥା। ଖୋଜି ବସିଲେ ସେଇ ଗୋଟିଏରେ ଯୋଡି ହେବେ କୋଟିଏ। ଶାନ୍ତି ପାଇଁ ନୋବେଲ ବିଜେତା ମଲାଲା ୟୁସୁଫ୍‌ଜାଇଙ୍କ ଅନୁସାରେ, ଗୋଟିଏ ପିଲା, ଗୋଟିଏ ଶିକ୍ଷକ, ଗୋଟିଏ ବହି ଏବଂ ଗୋଟିଏ କଲମ ସାରା ବିଶ୍ୱକୁ ବଦଳାଇ ପାରେ, ଆଉ ତାହାର ଅମୋଘ ଅସ୍ତ୍ର ହେଉଛି ଶିକ୍ଷା। ମାନବ ସମ୍ବଳର ଏକ ବିରାଟ ଭାଗହେଉଛନ୍ତି ଏହି ପିଲାମାନେ। ଶିକ୍ଷା ଅଧିକାର ଅଧିନିୟମ ଅନୁସାରେ, ୬ରୁ ୧୪ ବର୍ଷ ପିଲାଙ୍କ ପାଇଁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଥିଲେ ମଧ୍ୟ କାଗଜକଲମର ରୂପରେଖଠାରୁ ବାସ୍ତବତାର ରୂପ ଅଲଗା। ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଦୁଇଟି ମୁଖ୍ୟ ଚାବି ହେଲା ବିଦ୍ୟାଳୟରେ ନାମଲେଖା ଓ ପିଲାଙ୍କ ଅବଧାରଣ କିନ୍ତୁ ଯାହା ମୁଖ୍ୟ ସମସ୍ୟା ତା’ ହେଲା ଅଧାରୁ ପାଠ ଛାଡିବା। ଅନେକ ପିଲାଙ୍କ ନାଁ ଖାଲି ଉପସ୍ଥାନ ଖାତାରେ ଗଡୁଥିଲେ ମଧ୍ୟ ବିଦ୍ୟାଳୟକୁ ଆସି ପାଠ ପଢୁ ନ ଥିବା ପିଲା ଅନେକ। କେବେ ସେମାନେ ପଲିଥିନ ଗୋଟାଉ ଥାନ୍ତି ତ କେତେବେଳେ କେଉଁ ହୋଟେଲର ଅଇଁଠା ବାସନ ସଫା କରୁଥିବାର ଚିତ୍ର ମିଳେ। କେବେ ମା’ବାପାଙ୍କ କାମରେ ସାହାଯ୍ୟ କରନ୍ତି, ପୁଣି କେବେ ଅଭିଶପ୍ତ ଶୈଶବ ହଜି ଯାଏ ପରିବାର ପ୍ରତିପୋଷଣର ଗୁରୁଦାୟିତ୍ୱରେ। ବେଲୁନ ଧରି ଖେଳିବା ବୟସରେ ବେଲୁନ ବିକ୍ରି କରେ ରାଜରାସ୍ତାରେ। ବିଦ୍ୟାଳୟରେ ବାରମ୍ବାର ଅନୁପସ୍ଥିତି ଫଳରେ ପାଠ ସହ ସମ୍ପର୍କ ରହେ ନାହିଁ। ସେଥିପାଇଁ ଅନ୍ୟ ସହପାଠୀଙ୍କ ଆଗରେ ତାକୁ ହୀନମନ୍ୟତାର ଅନୁଭବ ଆସେ। ତେଣୁ ତା’ର ବିଦ୍ୟାଳୟରେ ମନ ଲାଗେ ନାହିଁ ଏବଂ କିଛିଦିନ ପରେ ସେ ପାଠରେ ଡୋରି ବାନ୍ଧି ଦିଏ। ଏଏସ୍‌ଇଆର୍‌ (ଆନୁଆଲ ଷ୍ଟାଟସ୍‌ ଅଫ୍‌ ଏଜୁକେଶନାଲ ରିପୋର୍ଟ)ର ୨୦୨୧ ପରିସଂଖ୍ୟାନର ଚିତ୍ର କହେ, ମହାମାରୀ ଯୋଗୁ ବିଦ୍ୟାଳୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ି ଯାଇଛି। ୨୦୧୮ରେ ବିଦ୍ୟାଳୟ ଛାଡୁଥିବା ପିଲାଙ୍କ ସଂଖ୍ୟା ୨.୫ ପ୍ରତିଶତ ଥିବାବେଳେ ତାହା ୨୦୨୧ରେ ୪.୫ପ୍ରତିଶତକୁ ବୃଦ୍ଧି ଘଟିଛି, ଯେଉଁ ପରିସଂଖ୍ୟାନକୁ ନିକଟ ଅତୀତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ। ଦେଶରେ ୧୦ଲକ୍ଷ ପିଲା ଏଯାଏ ବିଦ୍ୟାଳୟର ଦୁଆର ମାଡି ନାହାନ୍ତି। ସେହି ପିଲାମାନଙ୍କ ମଧ୍ୟରେ ୫୩ ପ୍ରତିଶତ ବାଳିକା ଅଛନ୍ତି। ବିଦ୍ୟାଳୟ ରୂପାନ୍ତରଣ, ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ ଓ ବହି, ପାଠପଢାର ନୂତନ ପଦ୍ଧତି, ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ସବୁ ମୂଲ୍ୟହୀନ, ଯେପର୍ଯ୍ୟନ୍ତ ପିଲା ନିୟମିତ ବିଦ୍ୟାଳୟକୁ ଆସିବ ନାହିଁ। ପ୍ରଥମତଃ ଅଭିଭାବକଙ୍କ ମନରେ ଶିକ୍ଷାର ଗୁରୁତ୍ୱ ଉପରେ ସଚେତନତା ଆବଶ୍ୟକ। ସେମାନେ ଅନୁଭବ କରିବା ଦରକାର ସେମାନଙ୍କ ପିଲାମାନଙ୍କର କଅଁଳ କାନ୍ଧ ଘରର ବୋଝ ଉଠାଇବା ପାଇଁ ନୁହେଁ ବରଂ ସ୍କୁଲ ବ୍ୟାଗ୍‌ ଉଠାଇବା ଲାଗି। ଜାତୀୟ ଶିକ୍ଷାନୀତି ୨୦୨୦, ଆଶା ରଖିଛି ଯେ ୨୦୩୦ ବେଳକୁ ଶତ ପ୍ରତିଶତ ପିଲା ବିଦ୍ୟାଳୟରେ ଥିବେ, ଅଧାରୁ ପାଠ ଛାଡିବା ପିଲାଙ୍କ ସଂଖ୍ୟା ସମ୍ପୂର୍ଣ୍ଣ କମିଯିବ। ଏଥିପାଇଁ ସମସ୍ତଙ୍କ ପ୍ରୟାସ ଲୋଡ଼ା।
ମୋ-୯୦୪୦୩୬୦୨୫୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri