ଗୋଲାମିର ଅଦୃଶ୍ୟ ପରିଚୟ

ଡ.ସତ୍ୟ ନାରାୟଣ ମିଶ୍ର

 

ଆଧୁନିକ ସମାଜରେ ଗୋଲାମିର ପରିଭାଷା କେତେକଙ୍କୁ ଅଭିଶାପବୋଧ ହେଉଥିବା ବେଳେ ଅନ୍ୟ କେତେକଙ୍କୁ ଏହା ଏକ ଆଶୀର୍ବାଦ ଓ ଆନନ୍ଦଦାୟକ ଭଳି ମନେହୁଏ, କାରଣ ପରିବର୍ତ୍ତିତ ପରିସ୍ଥିତିରେ ଗୋଲାମିର ଶୈଳୀ ବର୍ତ୍ତମାନ ସ୍ବାର୍ଥ ହାସଲ ନିମନ୍ତେ ଚାଟୁକାର ରୂପରେଖରେ ବିଦ୍ୟମାନ।
ସାଧାରଣତଃ ପୂର୍ବେ ଗୋଲାମିର ଶିକାର ହେଉଥିବା ବ୍ୟକ୍ତି ପରିସ୍ଥିତିର ବାଧ୍ୟବାଧକତାରେ, ପାରିବାରିକ, ଅର୍ଥନୈତିକ ଆବଶ୍ୟକତାରେ ଗ୍ରହଣ କରୁଥିଲେ ଓ ସ୍ବାଭିମାନ ତଥା ବିବେକର ଧ୍ୱନିକୁ ପ୍ରତିହତ କରି ଜୀବନ ନିର୍ବାହ କରିବା ନିମନ୍ତେ ଗୋଲାମି ବା ଦାସତ୍ୱକୁ ଆଦରି ନେଉଥିଲେ। ମାତ୍ର ବର୍ତ୍ତମାନ ଅନେକେ ଇଚ୍ଛାକୃତଭାବେ ସ୍ବାର୍ଥ ହାସଲ ନିମନ୍ତେ ଗୋଲାମି ବା ଦାସତ୍ୱ ସ୍ବୀକାର କରି ସ୍ବାର୍ଥ ସିଦ୍ଧି କରୁଛନ୍ତି। ଅଧୁନା ଗୋଲାମିର ଚାଟୁକାର କରିବା ପାଇଁ ପ୍ରତିଯୋଗିତା ହେଉଛି। କିଏ କେତେ ଉପାୟ କରି କ୍ଷମତାର ପଦଧିକାରୀମାନଙ୍କ ନିକଟତର ହୋଇପାରିବ ସେଥିପାଇଁ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା ହୋଇଥାଏ। ଗୋଲାମି ହେଉଛି ଏକ ଘୃଣ୍ୟ ଚିନ୍ତାଧାରା, ଯେଉଁଥିରେ ବ୍ୟକ୍ତିର ନିଜସ୍ବ ଜୀବନଶୈଳୀ ତଥା ଚିନ୍ତାଧାରା ପରାଧୀନତାର ଶୃଙ୍ଖଳ ମଧ୍ୟରେ ଆବଦ୍ଧ ହୋଇଥାଏ ଓ ମୁନିବର ସମସ୍ତ ଯାତନାକୁ ମୁଣ୍ଡପାତି ଗ୍ରହଣ କରିବା ସହିତ ଦାସତ୍ୱର ବଶ୍ୟତା ସ୍ବୀକାର କରିବାକୁ ପଡିଥାଏ ନିଃସଙ୍କୋଚରେ। ଏଥିରେ ବ୍ୟକ୍ତିତ୍ୱ, ସାଭିମାନ, ବିବେକ, ଚିନ୍ତାଧାରା ଆଦି ଧ୍ୱଂସ ହୋଇ କେବଳ ମୁନିବର ଜୟଗାନ ହୋଇଥାଏ। ପୂର୍ବେ ଗୋଲାମିର ରୂପରେଖ ଯେଉଁ ଢଙ୍ଗରେ ଥିଲା ତାହା ହୁଏତ ବ୍ୟକ୍ତିକୁ କ୍ଷତି ପହଞ୍ଚାଉଥିଲା, ମାତ୍ର ସମାଜ ଶଠତାର ଶିକାର ହେଉ ନ ଥିଲା। ହେଲେ ବର୍ତ୍ତମାନ ମଣିଷ ସ୍ବଇଚ୍ଛାରେ ସ୍ବାର୍ଥ ସିଦ୍ଧି ନିମନ୍ତେ ଗୋଲାମିର ଦାସତ୍ୱ ପନ୍ଥା ଅବଲମ୍ବନ କରୁଅଛି, ଯାହା ସମାଜର ସମୂହ କ୍ଷତି ପାଇଁ ଉଦ୍ଦିଷ୍ଟ। ଆତ୍ମକୈନ୍ଦ୍ରିକ ଦୁର୍ନୀତିଗ୍ରସ୍ତ ରାଜନେତାମାନଙ୍କ ନିକଟରେ ଚାଟୁକାରମାନଙ୍କର ଗୋଲାମି, ଦୁର୍ନୀତିଗ୍ରସ୍ତ ଉଚ୍ଚପଦସ୍ଥ ସରକାରୀ ବାବୁମାନଙ୍କ ନିକଟରେ ଚାଟୁକାରର ଗୋଲାମି, ନୀତିହୀନ ଶିକ୍ଷକଙ୍କ ନିକଟରେ ପାଠ ନ ପଢି ଉଚ୍ଚ ମାନର ପ୍ରମାଣପତ୍ର ହାସଲ ନିମନ୍ତେ ଅଧମ ଛାତ୍ରୀଛାତ୍ରମାନଙ୍କର ଗୋଲାମି, ସରକାରୀ ଚାକିରି, ପଦୋନ୍ନତି ବା ଅଧିକ ସ୍ବାର୍ଥ ସିଦ୍ଧି ନିମନ୍ତେ ଚାଟୁକାରର ଗୋଲାମି ଇତ୍ୟାଦି ଏକ ବ୍ୟାଧିଗ୍ରସ୍ତ ଚିନ୍ତାଧାରା ହୋଇ ସମାଜକୁ ଆକ୍ରାନ୍ତ କରିସାରିଲାଣି। ସ୍ବାର୍ଥ ସିଦ୍ଧି ପାଇଁ ମଣିଷ ଯେଉଁଠି ଜୀବନର ବହୁମୂଲ୍ୟ ସମୟକୁ ଚାଟୁକାର କରି ଗର୍ବ ଅନୁଭବ କରୁଛି, ସେହି ସମାଜରେ ମଣିଷର ବାସ୍ତବ ସ୍ଥିତି କେତେ ଉଚ୍ଚରେ ତାହା ଚାଟୁକାରର ଗୋଲାମି ପନ୍ଥା ଅନୁସରଣ କରୁଥିବା ବ୍ୟକ୍ତିମାନେ ତରାଜୁର ମାପଦଣ୍ଡରେ ନିଜକୁ ନିର୍ଣ୍ଣୟ କରିବା ଆବଶ୍ୟକ।
ପୂର୍ବେ ଗୋଲାମି ଜୀବନର ଅବଧି ସମ୍ପୂର୍ଣ୍ଣ ଜୀବନ ପାଇଁ, କିମ୍ବା ଏକ ନିର୍ଦ୍ଦିଷ୍ଟ ସମୟ ଲାଗି ହେଉଥିବା ବେଳେ ପରେ ଗୋଲାମିରୁ ମୁକ୍ତକରି ସ୍ବାଧୀନତା ଦିଆଯାଉଥିଲା ଯାହା ଥିଲା ଜୀବନ ନିର୍ବାହର ଜଟିଳ ପନ୍ଥା, ମାତ୍ର ତାହା ଥିଲା ପରିସ୍ଥିତିର ଗୋଲାମି, ଯାହା ବ୍ୟକ୍ତିର ନୈତିକ ମୂଲ୍ୟବୋଧ, ଆଦର୍ଶ, ନିଷ୍ଠା ଆଦିକୁ କ୍ଷତି କରୁ ନ ଥିଲା ବା ସମାଜକୁ ଶୋଷଣ କରୁ ନ ଥିଲା। ମାନବ ଇତିହାସରେ ଦାସତ୍ୱ ସଭ୍ୟତାର ଏକ ଭିନ୍ନ ବୈଶିଷ୍ଟ୍ୟ ଥିଲା। ବ୍ୟକ୍ତିଗତ ଗୋଲାମି ହେଉଛି ବ୍ୟକ୍ତିଗତ ଲାଭ ପାଇଁ ଅନ୍ୟ ବ୍ୟକ୍ତିଠାରେ ସ୍ବାର୍ଥ ସିଦ୍ଧି ଲାଗି ନିମଜ୍ଜିତ ହେବା।
ମାତ୍ର ଆଧୁନିକ ଗୋଲାମି ଆମ ଚତୁର୍ଦ୍ଦିଗରେ ବିଦ୍ୟମାନ। ଉକ୍ତ ଗୋଲାମିର ଷଡ଼ଯନ୍ତ୍ରରେ ସମାଜର ପ୍ରତ୍ୟେକ ସାଧାରଣ ବ୍ୟକ୍ତି କ୍ଷତବିକ୍ଷତ ହୋଇଥାନ୍ତି। ଉକ୍ତ ଗୋଲମିରେ ବ୍ୟକ୍ତି ଚିରଦିନ ପାଇଁ ଅନ୍ୟର ବଶ୍ୟତା ସ୍ବୀକାର କରିବା ପାଇଁ ଅନୌପଚାରିକ ନିର୍ଦ୍ଦେଶରେ ଔପଚାରିକ ଭାବରେ ବାଧ୍ୟ ହୋଇଥାଏ। ବର୍ତ୍ତମାନର ଗୋଲାମି ବୃତ୍ତିରେ ସଫଳତା ଯଥାଶୀଘ୍ର ପ୍ରାପ୍ତି ହୋଇଥାଏ, କାରଣ ମଣିଷ ନିଜ ବିଷୟରେ ଆତ୍ମକୈନ୍ଦ୍ରିକ। ସେଥିପାଇଁ ଚାଟୁକାରମାନେ ଏହି ଦୁନିଆରେ ସର୍ବଦା ସଫଳତା ପାଇଥାନ୍ତି। ଆକାଂକ୍ଷା ଓ ବିଶ୍ୱାସର ଉପଲବ୍ଧିରେ ଯେପର୍ଯ୍ୟନ୍ତ ଜଣେ ନିଜର ବ୍ୟକ୍ତିଗତ ମତକୁ ବିବେକର ନ୍ୟାୟାଳୟରେ ପରାସ୍ତ ନ କରିପାରିଛି, ସେପର୍ଯ୍ୟନ୍ତ ସେ ଅନ୍ୟମାନଙ୍କୁ ପ୍ରଶଂସା କରିପାରିବ ନାହିଁ ଓ ସେ ଯଦିବା ପ୍ରଶଂସା କରନ୍ତି ତେବେ ତାହା ବିବେକକୁ ହତ୍ୟା କରି ସକ୍ଷମ ହେବାର ପ୍ରୟାସ। ଜଣେ ବ୍ୟକ୍ତି ଯିଏ ନିଜକୁ ସମର୍ଥିତ କରେ, ସେ ଅନ୍ୟମାନଙ୍କ ମହାନତା ବିଷୟରେ ଚିନ୍ତା କରିପାରନ୍ତି। ଅନ୍ୟ ପଟେ, ଯେଉଁ ବ୍ୟକ୍ତି ଗୁଣଗୁଡ଼ିକ ପାଇଁ ଆନ୍ତରିକ ପ୍ରଶଂସା କରନ୍ତି, ସେମାନଙ୍କୁ ଆନ୍ତରିକତାର ସହିତ ପ୍ରକାଶ କରିବାର ନିର୍ଭୟ ଚିନ୍ତାଧାରାର ସନ୍ଧାନ ମିଳିଥାଏ, ଯେଉଁଥିରେ ନ ଥାଏ କାହାଠାରୁ କିଛି ପ୍ରାପ୍ତିର ଆଶା।
ଚାଟୁକାର ଏକ କଳା, କାରଣ ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତିର କୃତ୍ରିମ ମିଠା ଜିଭ ନ ଥାଏ, ସେ ପର୍ଯ୍ୟନ୍ତ ଅନ୍ୟକୁ ଚାଟୁ କରିପାରିବ ନାହିଁ। ଜଣେ ବ୍ୟକ୍ତି ଅନ୍ୟ ଜଣକୁ ବିରୋଧ କରୁଥିବା କ୍ଷଣରେ କ୍ରୋଧ ଅନୁଭବ କରେ ଓ ଚାଟୁ ଏକ କଳା କାରଣ ଅନ୍ୟ ଜଣକୁ ପ୍ରଶଂସା କରିବା ପାଇଁ ଜଣକୁ ସବୁଠାରୁ ବିଡ଼ମ୍ବନାପୂର୍ଣ୍ଣ ଭାଷା ବ୍ୟବହାର କରିବାକୁ ପଡ଼େ। ଗୋଲାମିର ବଶ୍ୟତା ଓ ଚାଟୁକାରର ଦାସତ୍ୱକୁ ପ୍ରତିହତ କରି ସକ୍ରେଟିସ ମୃତ୍ୟୁ ପର୍ଯ୍ୟନ୍ତ ବିଷାକ୍ତ ହୋଇଥିଲେ। ଖ୍ରୀଷ୍ଟଙ୍କୁ ମଧ୍ୟ କ୍ରୁଶରେ ଚଢ଼ାଇ ଦିଆଯାଇଥିଲା।
ଆଜି ବିଶ୍ୱ ଗୋଲାମିର ସର୍ବସାଧାରଣ ପ୍ରଦର୍ଶନରୁ ଏକ ଆଧୁନିକ ଗୋଲାମିକୁ ସ୍ଥାନାନ୍ତରିତ ହୋଇଛି। ଗୋଲାମିର ଏହି ଆଧୁନିକ ରୂପ ପୁରାତନ ରୂପଠାରୁ ଭିନ୍ନ। ସ୍ବାର୍ଥ ସିଦ୍ଧିର ଅହେତୁକ ଶିଖରରେ ଦଣ୍ଡାୟମାନ ହୋଇ ମଣିଷ ନିଜକୁ ପ୍ରଶ୍ନ ପଚାରିବାରେ ଅସମର୍ଥ, କାରଣ ସେ ଗୋଲାମିର ପରିଚୟରେ ଜୀବିତ। ଜୀବନଧାରଣର ମାର୍ମିକ ଚିନ୍ତାଧାରାରୁ ବିଚ୍ୟୁତ ହୋଇ ମଣିଷ ପରସ୍ପର ପ୍ରତି ଲୁଚକାଳି ଖେଳ ଖେଳି ଖେଳର ପରିସମାପ୍ତି କରିବା ପାଇଁ ବ୍ୟସ୍ତ ହୋଇଥାଏ, ମାତ୍ର ଗୋଲାମିର ପରିଶେଷର ପୂର୍ଣ୍ଣାହୁତି ହୋଇଥାଏ ସମୟର ବ୍ୟବସ୍ଥିତ ନିର୍ଦ୍ଦେଶରେ, ଯେତେବେଳେ ମଣିଷ ସବୁକିଛି ହଜେଇ ଦେଇଥାଏ।
ଜୀବନର ଅନ୍ତିମ ସୋପାନରେ ମଣିଷ ନିଜର ଉତ୍କର୍ଷର ସମୟକୁ ଗୋଲାମିରେ ନଷ୍ଟ କରି ସ୍ବାର୍ଥ ହାସଲ କରିଥିବାରୁ ନିଜକୁ ଧିକ୍କାରି ଥାଏ, କାରଣ ଶଠତାର ଅର୍ଥ ଜୀବନ ନିର୍ବାହ କରିବାରେ ଅସମର୍ଥ ହୋଇଥାଏ । ତେଣୁ ଗୋଲାମିର ଅଦୃଶ୍ୟ ପରିଚୟରେ ଲୁକ୍କାୟିତ ଜୀବନ ନିର୍ବାହ ନ କରି ସ୍ବାଭିମାନ, ଆଦର୍ଶ ଓ ନିଷ୍ଠାର ସ୍ବାଧୀନ ନିଷ୍କଳଙ୍କ ଜୀବନ ନିର୍ବାହ କଲେ ଜୀବନ ହୋଇଯାଏ ଜୀବାତ୍ମାର ପୂର୍ଣ୍ଣରୂପ ।
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର
ମୋ -୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri