ସ୍ତ୍ରୀ ହାତରୁ ଚାପୁଡ଼ା

ଡ. ସୁବାସ ଚନ୍ଦ୍ର ପାତ୍ର

ସ୍ତ୍ରୀହାତରୁ ଚାପୁଡ଼ା ଖାଇବା ଘଟଣା ନେଇ ପୁରୁଷମାନେ ବେଶି ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ। ଏହା ସାମୟିକ ଭାବରେ ଭୂମିକାର ଅଦଳବଦଳ। ଏହାକୁ ଅନ୍ୟ ଭାବରେ ଦେଖିବା ଉଚିତ ନୁହେଁ, ବରଂ ଏହା ଏକ ସାମାଜିକ ପ୍ରଗତିର ଲକ୍ଷଣ ଏବଂ ବ୍ୟକ୍ତିଗତ ସ୍ତରରେ ପୁରୁଷର ଆତ୍ମୋଦୟ ଘଟୁଥିବା ବେଳେ, ନାରୀଟି କରେ ଆତ୍ମ ଆବିଷ୍କାର। ପୁରୁଷଟି ଅନୁଭବକରେ ତା’ ଭିତରେ ହିଂସା ସହନଶୀଳତା ଭଳି ଏକ ଦିବ୍ୟଗୁଣ ଲୁକ୍କାୟିତ ଅଛି ଏବଂ ନାରୀଟି ପରଖିନିଏ ସେ କେତେ ସଶକ୍ତ!
ପ୍ରକୃତରେ ଏହି ଚାପୁଡ଼ା ବା ଝାଡୁ ଉପାଖ୍ୟାନରେ ବେଶି କିଛି ଘଟେ ନାହିଁ। ଖାଲି ଭୂମିକାର ବିପରୀତକରଣ। ଏ ଘଟଣାର ବୈଶିଷ୍ଟ୍ୟ ହେଲା ଏହା ପ୍ରଚଣ୍ଡଭାବରେ ‘ସମ୍ବାଦଅନୁକୂଳ’ ଏବଂ ‘ସାହିତ୍ୟୋପଯୋଗୀ’। ଫକୀରମୋହନଙ୍କ ‘ପେଟେଣ୍ଟ ମେଡିସିନ’ ଏଇଥିପାଇଁ ବୋଧେ ଖ୍ୟାତ, ତଥା କାଳଜୟୀ। ବାବୁ ଚନ୍ଦ୍ରମଣି ଯଦି ପରନାରୀ ଓ ମଦ ପ୍ରଲୋଭନରେ ନିଜ ସ୍ତ୍ରୀ ପ୍ରତି ଏକପାଖିଆ ଅତ୍ୟାଚାର କରିଚାଲନ୍ତେ, ସେ ଗପଟି ପୃଥିବୀର ଗଳ୍ପ ତାଲିକାରେ ଅନ୍ୟ ଏକ ନୀରସ ଗପ ହୋଇ ରହିଯାଇଥାନ୍ତା। କିନ୍ତୁ ଶ୍ରୀମତୀ ସୁଲୋଚନା, ଶ୍ରୀମତୀ ସମାର୍ଜ୍ଜନୀ ଭୂମିକାରେ ଅବତୀର୍ଣ୍ଣ ହେଲେ ବୋଲି ଗପଟି କାଳଜୟୀ ହେଲା ଏବଂ ଅନେକ ବିଶ୍ୱସ୍ତ ସ୍ବାମୀମାନେ ଚନ୍ଦ୍ରମଣିଙ୍କ ରାସ୍ତାରେ କେଇ ପାଦ ଯାଇ ଅବା ଯିବାର ସ୍ବପ୍ନ ଦେଖି ଫକୀରମୋହନଙ୍କ ସୌଜନ୍ୟରେ ପୁଣି ‘ଧର୍ମରାସ୍ତାରେ’ ଫେରି ଆସିଲେ! ଉପରଲିଖିତ ଆବିଷ୍କାର କଥା ପରିପ୍ରେକ୍ଷୀରେ ମୋ ଭାଉଜଙ୍କ ଏକ ‘ଆବିଷ୍କାର’ ଉପାଖ୍ୟାନ ମନେପଡୁଛି।
ଗେଣ୍ଡୁ ବାପା ଷ୍ଟେଶନରେ ଚାହା ବିକି ରାତିରେ ଘରକୁ ଫେରିଲେ। ନାଲି ପାଣି ପିଇ ଗେଣ୍ଡୁବାପା ଯେ ଘରକୁ ଫେରିଲେ ଏକଥା ଉଦ୍‌ଘୋଷିତ ହୁଏ ଗେଣ୍ଡୁମା’ଙ୍କ କାନ୍ଦବୋବାଳିରୁ। ଏହା ଏକ ନିତିଦିନିଆ କଥା, ଯେଉଁଥିରେ ‘ଖବର’ ନାହିଁ କି ‘ସାହିତ୍ୟ’ ନାହିଁ। ଦିନେ କିନ୍ତୁ ଏହି ନିତ୍ୟନୈମିତ୍ତିକ ଘଟଣା ଭରପୂର ସାହିତ୍ୟର ତଥା ସିନେମାର ରୂପ ନେଲା। ଗେଣ୍ଡୁ ମା’ର କାନ୍ଦବୋବାଳି ଭିତରୁ ଗୋଟିଏ ଅସ୍ଥିର ପୁରୁଷର ସ୍ବର ଶୁଭିଲା। ସ୍ବର କହୁଥିଲା, ”ତୁ ମୋତେ ମାରିଲୁ? ମୋ ଉପରକୁ ହାତ ଉଠେଇଲୁ। ତୋ ଗେରସ୍ତ ଉପରକୁ ହାତ ଉଠେଇଲୁ? ତୁ ହାତ ଉଠେ….? ତୁ ହାତ….?“ ତା’ପରେ ସବୁ ଶୂନଶାନ୍‌। ଭାଉଜ ସେଦିନ କାହଁିକି କେଜାଣି ଅନୁସନ୍ଧିତ୍ସୁ ହୋଇପଡ଼ିଲେ। ସେ ନିଜ ବୈଠକଘର ଅନ୍ଧାର କରି ଏ ଅଙ୍କର ବାକି ଦୃଶ୍ୟ ଦେଖିବାକୁ ଟାଙ୍କି ରହିଲେ। ଘଣ୍ଟେ ଦି ଘଣ୍ଟେ ପରେ ଆଖି ଦେଖି ନ ଥିବା ଘଟଣା ଦେଖାଗଲା। ବାରଣ୍ଡାରେ ଗୋଟିଏ ବେଲାରେ ଗେଣ୍ଡୁମା’ ଓ ଗେଣ୍ଡୁବାପା ପଖାଳ ଖାଉଛନ୍ତି। ଗେଣ୍ଡୁବା କହୁଛି, ‘ତୁ ମୋତେ ଆଜି ହାତ ଉଠେଇଲୁ?’ ଗେଣ୍ଡୁ ମା’ କହୁଛି, ‘ଅନ୍ୟ ଦିନେ ପିଟେ କି? ଆଜି ତୁ ମୋତେ ବହୁତ ଜୋରରେ ବାଡ଼େଇଲୁ। ମୋତେ ବହୁତ କାଟିଲା। ମୁଁ ଜୋରରେ ପହଁରାରେ ବାଡ଼େଇ ଦେଇଛି ତୋତେ। ମୁଁ ଜାଣେ ତୋତେ ବହୁତ କାଟିଥିବ। ତୁ ପିଠି ଦେଖା, ମୁଁ ଶାଢ଼ିରେ ତୋ ପିଠିକୁ ଟିକିଏ ଶାଉଁଳି ଦିଏ।….ହେଉ ନେ ଖା….।’ ତା’ପରେ କିଛି କୋମଳ, ଅସ୍ପଷ୍ଟ ଶବ୍ଦ। ଭାଉଜ ଶୋଇବାକୁ ଗଲେ। ଗେଣ୍ଡୁ ମା’ ଭାଉଜଙ୍କ ଘରେ ସରକାରୀ କଳରୁ ପାଣି ଆଣି ଦିଏ। ସକାଳୁ କାମ କରିବାକୁ ଆସିଲାରୁ ଭାଉଜ ଟିକିଏ ଅତ୍ୟୁତ୍ସାହୀ ନାରୀବାଦୀ ଢଙ୍ଗରେ କହିଲେ, ‘ଗେଣ୍ଡୁମା’, ତୋ ସ୍ବାମୀ ମଦ ପିଇ ରୋଜରୋଜ ତୋତେ ବାଡ଼ଉଛି। ସେ ମଦ ପିଉଛି ନା ମଦ ତାକୁ ପିଉଛି କହନି? ସେ ମରୁନି କାହିଁକି କେଜାଣି?’ ଏତିକି କଥା ଭାଉଜଙ୍କ ତୁଣ୍ଡରୁ ସରିଛି କି ନାହିଁ ଗେଣ୍ଡୁମା’ ଧରିଥିବା ବାଲତିଟି ଫିଙ୍ଗି ଦେଇ କହିଲା, ‘ତୁମେ ଏ କଥା କାହିଁକି କହୁଛ? ତୁମର ସେ ଖାଏ, ନା ଧାରେ? ତା’ ମରିବା କଥା କହୁଛ ପୁଣି ମୋ ଆଗରେ?’ ଭାଉଜ ସ୍ତବ୍ଧ ହୋଇଯାଇଥିଲେ। ଏମାନେ ହେଲେ ଖଟିଖିଆ। କଳିତକରାଳ କରନ୍ତି। ମାରପିଟ କରନ୍ତି, ପୁଣି ସ୍ନେହଫାଶରେ ଅତି ନିବିଡ଼ ଭାବରେ ଆବଦ୍ଧ ହୋଇଯାଆନ୍ତି; ଏମାନେ କାଚଘରେ ରହୁଥିବା ଅତ୍ୟାଧୁନିକ, ସହରୀ ଦମ୍ପତି ନୁହନ୍ତି ଯାହାଙ୍କର କାଚଘର ଛୋଟ ଟେକାମାଡ଼ରେ ଥରେ ଫାଟିଗଲେ, ଫାଟ ବଢ଼େ ଏବଂ ଶେଷରେ ଘର ଭୁଶୁଡ଼ି ପଡ଼େ।
ଅବଶ୍ୟ ସବୁ ଦମ୍ପତି ଗେଣ୍ଡୁବାପା, ମାଆ ଭଳି ଭାଗ୍ୟବାନ ନୁହନ୍ତି। କାହା କାହା ଜୀବନରେ ଏକତରଫା ଯୁଦ୍ଧ ଲାଗି ରହିଥାଏ। ମନେପଡ଼େ ଉପକୂଳ ଜିଲାର ଏକ ସରକାରୀ କଲେଜର ଜଣେ ବିଜ୍ଞାନ ଅଧ୍ୟାପକଙ୍କ କଥା। ତାଙ୍କ ପାଖଘରେ ଆମେ ତିନି ଯୁବ ଅଧ୍ୟାପକ ମେସ୍‌ କରିଥାଉଁ। ଦିନେ ଖରାବେଳେ ପଡ଼ୋଶୀ ଅଧ୍ୟାପକ ବନ୍ଧୁ ଜୋରରେ ଆମ ମେସ୍‌ ଭିତରକୁ ପଶି ଆସିଲେ। ତୁରନ୍ତ କବାଟ ବନ୍ଦ କରିବାକୁ କହିଲେ। ସେ ପଟୁ ଜଣେ ନାରୀର ସ୍ବର, ‘କବାଟ ଖୋଲନ୍ତୁ।’ ଆମେ ତିନିହେଁ ଦମ୍ଭକରି କବାଟ ଖୋଲିଲୁ; ଦେଖିଲୁ ପନିକିଧାରୀ ଏକ ନାରୀମୂର୍ତ୍ତି। ଆମେ ତାଙ୍କୁ ବୁଝେଇ କହିଲୁ, ‘ମ୍ୟାଡାମ, ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ।’ ଯାହାହେଉ ସେ ଫେରିଯିବା ପରେ ବିଜ୍ଞାନ ଅଧ୍ୟାପକ ବୈଜ୍ଞାନିକ ଶୈଳୀରେ ହେଉଥିବା ତାଙ୍କ ଅତ୍ୟାଚାରର କାହାଣୀ କହିଲେ। ଆମେ ଯେତେବେଳେ ପଚାରିଲୁ, ‘ଗୋଟିଏ ଉଚ୍ଚପାଚେରିର ବ୍ୟବଧାନ। ଆପଣମାନଙ୍କ କଳିତକରାଳ ବିଷୟରେ ଆମେ ତ କିଛି ଜାଣିପାରିନୁ ?’ ସେଇଠୁ ଅଧ୍ୟାପକ ବଡ଼ଭାଇ କହିଲେ, ‘ଆପଣମାନେ ଜାଣିବେ କେମିତି? ମୋ ଉପରେ ପ୍ରହାର ହେଉଥିଲାବେଳେ ସେ ଫ୍ୟାନ ଓ ଟିଭିର ଭଲ୍ୟୁମ ଜୋର କରିଦିଅନ୍ତି।’ ଜଣେ ସ୍ତ୍ରୀ ବା ଜଣେ ନାରୀକୁ ଭିନ୍ନ ମତ ଜାହିର କରିବା ପାଇଁ ସବୁବେଳେ ହାତ ଉଠେଇବା ଦରକାର ନାହିଁ। ଆଖିର କଟାକ୍ଷ, କେତୋଟି ଶବ୍ଦ ଓ ଛିଡ଼ା ହେବାର ଭଙ୍ଗୀ ବୁଝିବା ଲୋକଙ୍କୁ ଜଣେଇ ଦିଏ ଝଡ଼ ଆଗମନର ସତର୍କ ସୂଚନା। ବାସ୍‌ ଖାଲି ଗୋଡ଼ ଦୁଇଟିକୁ ଖୁଣ୍ଟଭଳି ମାଟିରେ ପୋତିଦେଇ, ଅଣ୍ଟାରେ ହାତଦେଇ କେତେ କଥା ଯେ କରିହୁଏ ତା’ର ଏକ ନମୁନା ଦେଖିଥିଲି ରେଭେନ୍‌ସାରେ ଏମ.ଏ. ପଢ଼ିଲା ବେଳେ ଇଣ୍ଟରମିଡିଏଟ୍‌ ବିଜ୍ଞାନ ଶ୍ରେଣୀରେ ପଢୁଥିବା ଜଣେ ବାଳିକାର ବ୍ୟବହାର।
ଦାମ୍ପତ୍ୟ ଜୀବନରେ ଚାପୁଡ଼ା ଏକ ଅନୁପ୍ରବେଶ। ଆମେ କାହାକୁ ଚାପୁଡ଼ା ମାରିବାନି ବୋଲି ଭଗବାନ ଆମକୁ ପାଟିଟିଏ ଓ ପ୍ରଚଣ୍ଡ ପ୍ରକାଶକ୍ଷମ ଆଖି ଯୋଡ଼ିଏ ଦେଇଛନ୍ତି। ପୃଥକ ମତ ରଖିବା ପାଇଁ ଏ ଦୁଇଟିକୁ ଅଧିକ ସକ୍ରିୟ କରି ଅବା ସମ୍ପୂର୍ଣ୍ଣ ନିଷ୍କ୍ରିୟ କରି, ନୀରବିଯାଇ ମଣିଷ ବହୁତ କଥା କହିପାରିବ। ଚାପୁଡ଼ା ପ୍ରଦାନ ସମାଧାନର ଏକମାତ୍ର ରାସ୍ତା ବୋଲି ଅନୁଭୂତ ହେଉଥିଲେ ତା’ଠୁ ଅଧିକ ଭଦ୍ର, ସରକାରଙ୍କ ବିଧି ବ୍ୟବସ୍ଥା ଅଛି। ତେବେ ଏ କ୍ଷେତ୍ରରେ ଅନ୍ତିମ ନିଷ୍ପତ୍ତି ପାଇଁ ବୋଧହୁଏ ଆମକୁ ଫକୀରମୋହନ ସେନାପତିଙ୍କ ପାଖକୁ ଯିବାକୁ ପଡ଼ିବ!
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ୍‌, ବାଲେଶ୍ୱର, ମୋ:୯୪୩୭୩୭୬୨୧୯
subashbls56@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri