ବିତର୍କରେ ଏକକ ଦେୱାନି ସଂହିତା

ଡ. ଗୌରୀଶଙ୍କର ସାହୁ

 

ସୈତାନର ବେଦପାଠ’ ସର୍ବଦା ସମାଜରେ ଭ୍ରମ ଓ ଭ୍ରାନ୍ତି ସୃଷ୍ଟିକରେ। ଦେଶର ୨୨ତମ ବିଧି ଆୟୋଗ ସମ୍ବିଧାନର ୪୪ ଧାରାରେ ପ୍ରସ୍ତାବିତ (ରାଜ୍ୟନୀତି ପ୍ରଣୟନ ସମ୍ବନ୍ଧୀୟ ମୌଳିକ ନିୟମାବଳୀ ଅନ୍ତର୍ଗତ) ଏକକ ଦେୱାନି ସଂହିତା ବା ୟୁନିଫର୍ମ ସିଭିଲ୍‌ କୋଡ୍‌ (ୟୁସିସି) ସମ୍ପର୍କରେ ନିଜ ନିଜର ମତାମତ ଉପସ୍ଥାପନା କରିବା ପାଇଁ ଆହ୍ବାନ ଦେବା ପରେ ଚଳଚଞ୍ଚଳ ହୋଇଉଠିଛି ସାମାଜିକ ଗଣମାଧ୍ୟମ। ଏଥିରେ ନା ନଘା ଅଛି ନା ପଘା। ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀ କିଛି ଭ୍ରମାତ୍ମକ ଧାରଣା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି, ଏଇ ଯେମିତି ଏହାଦ୍ୱାରା ସଂରକ୍ଷଣ ଉଠିଯିବ, ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ଜମିକୁ ଅନ୍ୟ ଜାତିର ଲୋକମାନେ ବିନା ବାଧାରେ କିଣିବା ପାଇଁ ନ୍ୟାୟିକ ସୁବିଧା ପାଇଯିବେ ଇତ୍ୟାଦି ଇତ୍ୟାଦି। ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ୯ ଅଗଷ୍ଟ ଦିନ ବନ୍ଦ ଡାକରା ଦେଲାଣି!
ହେଲେ ଖୋଲା କଥା ହେଲା ଯେ, ଦେଶରେ ୟୁସିସି ଲାଗୁ ହେବାକୁ ଆଲୋଚନା ହେଉଛି, ଏକକ ଦେୱାନି ଆଇନ ନୁହେଁ। ଆଇନ (ଆକ୍ଟ) ବ୍ୟବସ୍ଥାପିକା ଦ୍ୱାରା ପ୍ରଣୀତ ଏକ ବିଧି(ଲ) ଓ ସଂହିତା (କୋଡ୍‌) ଏକାଧିକ ଆଇନର ସମାହାରରେ ପ୍ରସ୍ତୁତ ଏକ ନିର୍ଦ୍ଦେଶିକା, ନିୟମାବଳୀ। ଦେଶରେ ଅନେକ ଦଣ୍ଡବିଧି ଆଇନ ଅଛି ଓ ଏ ସବୁ ଆଇନକୁ ସାମଗ୍ରିକ ଭାବେ ମାର୍ଗଦର୍ଶନ କରୁଛି ଭାରତୀୟ ଦଣ୍ଡବିଧି ସଂହିତା (ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌), ୧୮୬୦।
ସମାନ ଦଣ୍ଡବିଧି ସଂହିତା ରୂପେ ଭାରତୀୟ ଦଣ୍ଡବିଧି ଆଇନ-୧୮୬୦ ଲାଗୁହେବା ପରେ ‘ଗୋଟିଏ ଦେଶ, ଗୋଟିଏ ଦଣ୍ଡ ବିଧି ବ୍ୟବସ୍ଥା’ ସ୍ବପ୍ନ ସାକାର ହେଲା। ଏହାଦ୍ୱାରା ଦଣ୍ଡବିଧି ଆଇନ ପ୍ରଣୟନ ବେଳେ ଧାର୍ମିକ ବାଧ୍ୟବାଧକତା ରହିଲା ନାହିଁ। ସମାଜ, ସଂସ୍କୃତି ଓ ବିଜ୍ଞାନ ହିଁ ଦଣ୍ଡ ବିଧି ଆଇନର ଆଧାର ଶିଳା ହେଲା। ସେ ସବୁ ଧାର୍ମିକ ପରମ୍ପରା ରହିଲା ଯାହା ଏ ତିନୋଟିର ପରିପନ୍ଥୀ ନୁହେଁ, ବାକି ପରମ୍ପରା ଦଣ୍ଡବିଧି ଆଇନ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ସମର୍ଥ ହୋଇ ରହିଲେ ନାହିଁ। ଏଇ ଯେମିତି ଅଧିକାଂଶ ଧର୍ମରେ ଘରେ ଅସ୍ତ୍ର ଶସ୍ତ୍ର ରଖିବାର ପରମ୍ପରା ଆବହମାନ କାଳରୁ ରହୁଥିଲା। ପରବର୍ତ୍ତୀ ସମୟରେ ଏ ଅଭ୍ୟାସ ପରିବର୍ତ୍ତନ ହୋଇ ନ ଥିଲା। ପ୍ରଫେଟ୍‌ (ସଲ୍ଲାଲ୍ଲାହୁ ଅଲୈହି ଓସଲମ୍‌) ସ୍ବୟଂ ମାରଣାସ୍ତ୍ର ଧରି ବହୁ ଯୁଦ୍ଧରେ ବିଜୟୀ ହୋଇଛନ୍ତି ମଧ୍ୟ। ଭଗବାନ୍‌ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର, ଇନ୍ଦ୍ରଙ୍କ ବଜ୍ର, ରାମଚନ୍ଦ୍ରଙ୍କ ଧନୁତୀର, ଶିବଙ୍କ ତ୍ରିଶୂଳ, ଦଶଭୁଜା ଦୁର୍ଗାଙ୍କ ବର୍ଚ୍ଛା ଆପଣ ମୂର୍ତ୍ତି ବା ଫଟୋରେ ଦେଖିଲେ ସେଇ ଏକା ଧାରଣା। ପାଇକ, ଖଣ୍ଡାୟତମାନଙ୍କ ଘରେ ଘରେ ଅସ୍ତ୍ର। ଦୁର୍ଗାପୂଜାରେ ଶସ୍ତ୍ର ପୂଜା ପୁରୁଣା ପରମ୍ପରା। ଶିଖ୍‌ମାନେ ଘରେ ଘରେ କୃପାଣ ରଖିବା ସେମାନଙ୍କ ଧାର୍ମିକ ଅଧିକାର। କିନ୍ତୁ ୧୮୬୦ରେ ଭାରତୀୟ ଦଣ୍ଡବିଧି ସଂହିତା-୧୮୬୦, ଲାଗୁହେବା ପରେ ଆର୍ମସ୍‌ ଆକ୍ଟ ୧୯୫୯, ଆର୍ମସ ରୁଲ୍‌-୨୦୧୬, ଆର୍ମସ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୯ ପ୍ରଣୟନ ବେଳେ ବ୍ୟବସ୍ଥାପକ ସଭାକୁ ନାଲି ଆଖି ଦେଖାଇପାରିଲେ ନାହିଁ କୌଣସି ଧାର୍ମିକ ପୀଠାଧିଶ ବା ଧର୍ମାନ୍ଧ ରାଜନେତା। ହେଲେ ପନିକି, କଟୁରି, ଶାବଳ, ଟାଙ୍ଗିଆ ପ୍ରଭୃତି ଘରକରଣା କିମ୍ବା ଚାଷବାସରେ ବ୍ୟବହୃତ ଧାରୁଆ ପଦାର୍ଥ ବ୍ୟବହାର କ’ଣ ବନ୍ଦ କରିବାକୁ ହେଲା? ଯଦି ଦେଶରେ ୧୮୬୦ରେ ‘ଗୋଟିଏ ଦେଶ ଓ ଗୋଟିଏ ଦଣ୍ଡ ବିଧି ବ୍ୟବସ୍ଥା’ ଲାଗୁ ହୋଇ ନ ଥାନ୍ତା, ଧର୍ମର ପଣତକାନି ତଳେ ଧର୍ମାନ୍ଧମାନେ ସମାଜ ଓ ରାଷ୍ଟ୍ରରାଜ୍ୟ ପାଇଁ ଅତି ଆବଶ୍ୟକ ଏପରି ଗୋଟିଏ ସୁସଂହତ ଆଇନ ସମ୍ଭବତଃ ପ୍ରଣୟନ କରାଇ ଦେଇ ନ ଥାନ୍ତେ। ଗଞ୍ଜେଇ, ଭାଙ୍ଗ ପ୍ରଭୃତି ନିଶାଦ୍ରବ୍ୟ କେବଳ ଔଷଧ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାରେ ବ୍ୟବହୃତ ହେବା କଥା। ଘରେ ଘରେ ବ୍ୟକ୍ତିଗତ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଲେ ଏହା ଦେଶକୁ ନିଶାଗ୍ରସ୍ତ କରି ରସାତଳକୁ ନେଇଯିବ। କିନ୍ତୁ ପରମ୍ପରା କ୍ରମେ ମନ୍ଦିର, କୋଠଘର, ଟୁଙ୍ଗିଗୁଡ଼ିକରେ ସଞ୍ଜ ନଇଁଲେ ଭାଙ୍ଗପଣା, ଗଞ୍ଜେଇ ଧୂଆଁର ଆସର ଥିଲା। ଯଦି ଦେଶରେ ୧୮୬୦ରେ ‘ଗୋଟିଏ ଦେଶ, ଗୋଟିଏ ଦଣ୍ଡବିଧି ବ୍ୟବସ୍ଥା’ ପ୍ରଚଳିତ ହୋଇ ନଥାନ୍ତା, ତେବେ ୧୯୮୫ରେ ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆକ୍ଟ, ୧୯୮୫ଲାଗୁ ହୋଇ ପାରିଥାନ୍ତା କି? ବକ୍ରିଇଦ୍‌ ମୁସଲମାନ୍‌ ଧର୍ମର ଧାର୍ମିକ ପ୍ରଥା, ଦୁର୍ଗାପୂଜାରେ ବଳିପ୍ରଥା ହିନ୍ଦୁଙ୍କ ଧାର୍ମିକ ପରମ୍ପରା, ବନବାସୀମାନେ ପଶୁବଳି ଦେବା ସେମାନଙ୍କ ଚଳଣି। ପଶୁକୁ କଷ୍ଟ ଦେଇ ମରାଯିବ ବୋଲି ଉପରୋକ୍ତ ଏକ ଧର୍ମରେ କୁହାଯାଇଛି। ଯଦି ଦେଶରେ ୧୮୬୦ରେ ‘ଗୋଟିଏ ଦେଶ, ଗୋଟିଏ ଦଣ୍ଡବିଧି ବ୍ୟବସ୍ଥା’ ପ୍ରଚଳିତ ହୋଇ ନ ଥାନ୍ତା, ତେବେ ପ୍ରିଭେନ୍‌ସନ୍‌ ଅଫ୍‌ କ୍ରୁଏଲିଟି ଟୁ ଆନିମଲ୍‌ ଆକ୍ଟ-୧୯୬୦ ଲାଗୁ ହୋଇ ପାରିଥାନ୍ତା କି? ସେହିପରି କେଉଁ ଧର୍ମରେ ପ୍ରଥମ ନାରୀ ନିଷେଧ ଫଳ ଖାଇଥିବାରୁ ସମାଜରେ ନାରୀଜାତି ପୁରୁଷର ଅଧସ୍ତନ ହୋଇରହିବ, ସେ ହେବ ପାପର ପ୍ରତୀକ ଓ ସହିବ ସବୁ ଅତ୍ୟାଚାର ଓ ଦୁଃଖ ମଥାପାତି, କେଉଁ ଧର୍ମର ବିଶ୍ୱାସରେ ନାରୀକୁ ଦେବାକୁ ହୁଏ ବାରମ୍ବାର ଅଗ୍ନିପରୀକ୍ଷା, ଜୁଆରେ ବସ୍ତୁପରି ବାଜି ଲଗାଯାଏ ନିଜ ସ୍ତ୍ରୀକୁ। ତେଣୁ ନାରୀଜାତି ପ୍ରତି ଘରୋଇ ହିଂସା ହେଲେ ହେଉ, କେଉଁ ଧର୍ମରେ ନାରୀକୁ କରାଯାଇପାରେ ଯୌନଦାସୀ। ହେଲେ ୧୮୬୦ରେ ‘ଗୋଟିଏ ଦେଶ, ଗୋଟିଏ ଦଣ୍ଡବିଧି ବ୍ୟବସ୍ଥା’ ଲାଗୁ ହେବା କାରଣରୁ ସଦ୍ୟ ୨୦୦୫ରେ, ପ୍ରୋଟେକ୍‌ଶନ୍‌ ଅଫ୍‌ ଓମେନ୍‌ ଫ୍ରମ୍‌ ଡୋମେଷ୍ଟିକ୍‌ ଭାଓଲେନ୍ସ ଆକ୍ଟ, ୨୦୦୫ ପ୍ରଣୀତ ହୋଇପାରିଲା। ‘ଗୋଟିଏ ଦେଶ, ଗୋଟିଏ ଦଣ୍ଡବିଧି ବ୍ୟବସ୍ଥା’ ଆଧାରରେ ଭାରତୀୟ ଦଣ୍ଡବିଧି ସଂହିତା-୧୮୬୦ ଲାଗୁ ହେବା କାରଣରୁ ସାମାଜିକ ସଂସ୍କାର ଓ ଶାନ୍ତି ପାଇଁ ଅଭିପ୍ରେତ ଏହିପରି ଅନେକ ପ୍ରଗତିଶୀଳ ଓ ଯୁଗୋପଯୋଗୀ ଆଇନ ଲାଗୁ ହୋଇପାରିଲା। ‘ଗୋଟିଏ ଦେଶ, ଗୋଟିଏ ଦଣ୍ଡ ବିଧି ବ୍ୟବସ୍ଥା’ ଆଧାରରେ ଭାରତୀୟ ଦଣ୍ଡବିଧି ବ୍ୟବସ୍ଥା-୧୮୬୦ ଗୋଟାପଣେ ପ୍ରଚଳିତ ଥିବା ସତ୍ତ୍ୱେ ସାମାଜିକ ସୁରକ୍ଷା ଓ ନ୍ୟାୟ ଦୃଷ୍ଟିରୁ ସିଡୁଲ୍‌ କାଷ୍ଟ ଆଣ୍ଡ ସିଡୁଲ୍‌ ଟ୍ରାଇବ୍‌ସ (ପ୍ରିଭେନ୍ସନ୍‌ ଅଫ୍‌ ଆଟ୍ରୋସିଟିଜ୍‌) ଆକ୍ଟ, ୧୯୮୯ ପ୍ରଣୟନ ହେଲା ଓ ସମଗ୍ର ଦେଶରେ ଲାଗୁ ହୋଇପାରିଛି। ତେଣୁ ୟୁସିସି ଲାଗୁ ହେଲେ ଯେ ସଂରକ୍ଷଣ ଉଠିଯିବ, ବନବାସୀମାନଙ୍କ ଜମି ଗ୍ରାମବାସୀ ଓ ସହରବାସୀ କିଣିବାର ନ୍ୟାୟିକ ବାଟ ଖୋଲିଯିବ, ସେମାନଙ୍କ ବିଭିନ୍ନ ପରମ୍ପରା ଯାହା ସଂଖ୍ୟାଗରିଷ୍ଠ ଅବଶିଷ୍ଟ ଭାରତର ଚଳଣି ସହ ସମାନ ନୁହେଁ ସେ ସବୁ ବନ୍ଦ ହୋଇଯିବ ବୋଲି ନିରାଧାର ଓ ମିଛ କଥାସବୁ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରି ଯେଉଁମାନେ ମୋ ପରି ପଛୁଆ ବର୍ଗ ଅନୁସୂଚିତ ଜାତି ଓ ଜନଜାତିର ଭାଇଭଉଣୀମାନଙ୍କ ମନରେ ଭୟ ସୃଷ୍ଟିକରି ସମାଜରେ ବିଭାଜନ ଓ ଦେଶରେ ବିଦ୍ରୋହ ସୃଷ୍ଟିକରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ ଚିହ୍ନିବା ପାଇଁ ସଚେତନ ନାଗରିକମାନେ ଚେଷ୍ଟା କରନ୍ତୁ। ବାଲ୍ୟ ବିବାହ, ବିଧବା ବିବାହ, ସମ୍ପତ୍ତିରେ କନ୍ୟାର ସମାନ ଅଧିକାର ପ୍ରଭୃତି ଯୁଗୋପଯୋଗୀ ଚିନ୍ତାଧାରା ଗ୍ରହଣ, ସତୀପ୍ରଥା, ଯୌତୁକପ୍ରଥା, ଦେବଦାସୀ ପ୍ରଥା ପ୍ରଭୃତି ଅନେକ ପୁରୁଣାକାଳିଆ ପ୍ରଥା ଲୋପ କରିବାରେ ପ୍ରଶାସନ ଓ ବିଧି ବ୍ୟବସ୍ଥାର ସହଯୋଗୀ ହୋଇଛନ୍ତି ହିନ୍ଦୁ ସମାଜ। ଆଜି ଏ ଦେଶର ସଂଖ୍ୟାଗରିଷ୍ଠ ଧର୍ମର ଲୋକମାନଙ୍କୁ ପରସ୍ପର ସହ ଲଢ଼େଇ ନିଜର ସଂକୀର୍ଣ୍ଣ ଓ ଅମାନବୀୟ ସ୍ବାର୍ଥ ସାଧନ ପାଇଁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି କେଉଁମାନେ?
ନିଜ ବୁଦ୍ଧି, ବିବେକ ଖଟାଇ ସମାନ ନାଗରିକ ସଂହିତା ସପକ୍ଷରେ ଓ ବିପକ୍ଷରେ ଆଇନଜ୍ଞମାନେ ଯେଉଁ ଯୁକ୍ତି ରଖୁଛନ୍ତି ତାକୁ ବିଚାର କରନ୍ତୁ ଓ ଆପଣ ଦେଖିବେ ଏକକ ଦେୱାନି ସଂହିତା ହିଁ ଦେଶର ନାରୀ, ଶିଶୁ ଓ ବଞ୍ଚତ୍ତ ବର୍ଗର ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଜି ସମୟର ଆବଶ୍ୟକତା। ସରକାର ମଧ୍ୟ ଚିଠା ଦସ୍ତାବିଜ ପ୍ରସ୍ତୁତିବେଳେ ବରିଷ୍ଠ ଆଇନଜ୍ଞମାନଙ୍କ ମଧ୍ୟରୁ ସେହିମାନଙ୍କୁ ସମିତିରେ ନିଅନ୍ତୁ ଯେଉଁମାନଙ୍କ ସେମାନଙ୍କ ନିଜ ଧର୍ମର ଆଇନକାନୁନ୍‌ ବିଷୟରେ ବ୍ୟାପକ ଅଭିଜ୍ଞତା ଅଛି ବୋଲି ସେମାନଙ୍କ ଅତୀତ ପ୍ରମାଣିତ କରୁଥିବ।
ସମ୍ପାଦକ, ‘ସିଦ୍ଧାନ୍ତ’
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri