ନୀରବ ଚିତ୍କାର

ରତୀୟ ଦର୍ଶନ, ପୌରାଣିକ କଥା ଏବଂ ସଂସ୍କୃତିର ବିଶାଳ, ପ୍ରାଚୀନ ପରିଦୃଶ୍ୟରେ ‘ନାରୀ’ ଶବ୍ଦଟି ଶ୍ରଦ୍ଧା, ଶକ୍ତି, ଧୈର୍ଯ୍ୟ, ସହନଶୀଳତା, ସହାନୁଭୂତି ଏବଂ ସୌନ୍ଦର୍ଯ୍ୟର ପ୍ରତୀକ। ନାରୀ ହେଉଛି ପ୍ରାଣଦାୟିନୀ ଦେବୀଙ୍କ ପ୍ରତିମୂର୍ତ୍ତି। ଜ୍ଞାନର ଦେବୀ ସରସ୍ବତୀଙ୍କଠାରୁ ଆରମ୍ଭ କରି ଧନର ଦେବୀ ଲକ୍ଷ୍ମୀଙ୍କ ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତିରେ ମହିଳାମାନେ ଜୀବନଦାନକାରୀ ଶକ୍ତିର ପ୍ରତୀକ। ଭାରତର ଇତିହାସ ଯେତେବେଳେ ରାଣୀ ଲକ୍ଷ୍ମୀବାଈ, ଆନ୍ନି ବେଶାନ୍ତ, ସରୋଜିନୀ ନାଇଡୁ, କୁନ୍ତଳା କୁମାରୀ ସାବତ, ସତ୍ୟବତୀ ଦେବୀ, ରମାଦେବୀ ଚୌଧୁରୀଙ୍କ ଭଳି ମହୀୟସୀ ମହିଳାଙ୍କ ଅବଦାନ, ବଳିଦାନ ଓ ସାହସିକତାର ମୂକସାକ୍ଷୀ, ସେତେବେଳେ ଜଣେ ମହିଳାକୁ ଏକ ଭୟଙ୍କର ଓ କାଳ୍ପନିକ ରୂପର ଆଖ୍ୟା ଦେଇ ଡାହାଣୀ ବୋଲି ବିବେଚନା କରିବା, ତାକୁ ନିର୍ଯାତନା ଦେବା, ଅତ୍ୟାଚାର କରିବା, ନାରୀତ୍ୱ ଭଳି ଅଧିକାରକୁ ତା’ ପାଖରୁ ଛଡ଼େଇ ନେବା, କେତେ ସମୀଚୀନ? ଏହା ମହିଳାମାନଙ୍କ ପ୍ରତି ସାମାଜିକ ମନୋବୃତ୍ତି ବିଷୟରେ ଏକ ବଡ଼ ପ୍ରଶ୍ନ ନୁହେଁ କି?
ଭାରତର ନ୍ୟାଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋ ଦର୍ଶାଇଛି ଯେ, ୨୦୦୦ରୁ ୨୦୧୬ ମସିହା ମଧ୍ୟରେ ସାରା ଦେଶରେ ୨,୫୦୦ରୁ ଅଧିକ, ମୁଖ୍ୟତଃ ମହିଳାଙ୍କର କଳା ଯାଦୁକରି ବା ଡାହାଣୀ ଅଭିଯୋଗରେ ହତ୍ୟା କରାଯାଇଥିଲା I ଏହି ପ୍ରଥା ଭାରତର ୧୨ଟି ରାଜ୍ୟ ଯଥା ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଅଧିକ ପ୍ରଚଳିତ। ବିଶେଷକରି ବିଧବା, ଏକୁଟିଆ ରହୁଥିବା ମହିଳା ବା ଅବିବାହିତା ମହିଳାଙ୍କୁ କଳା ଯାଦୁକରି ଅଭ୍ୟାସ କରୁଥିବା ଅଭିଯୋଗରେ ସେମାନଙ୍କ ଛବିକୁ କଳୁଷିତ କରାଯାଏ। ଏହି ଅଭିଯୋଗଗୁଡ଼ିକ ସାଧାରଣତଃ ଅନ୍ଧବିଶ୍ୱାସ, ଈର୍ଷା, ସମ୍ପତ୍ତି ବିବାଦ କିମ୍ବା ସ୍ବାଧୀନ ମହିଳାମାନଙ୍କୁ ନିୟନ୍ତ୍ରଣ କରିବାର ଉଦ୍ଦେଶ୍ୟରୁ ଉତ୍ପନ୍ନ ହୋଇଥାଏ। ଡାହାଣୀ ଆଖ୍ୟା ଦେଇ ସେମାନଙ୍କୁ ନିଷ୍ଠୁର ନିର୍ଯାତନା ଦିଆଯାଇଥାଏ, ନ ହେଲେ ଗ୍ରାମରୁ ବାସନ୍ଦ ବା ବହିଷ୍କାର କରିଦିଆଯାଏ।
ଚରମ ମାମଲାରେ ବହୁ ସମୟରେ ନାରୀମାନେ ଡାହାଣୀର ଆଖ୍ୟା ପାଇ ମୃତ୍ୟୁର ସମ୍ମୁଖୀନ ମଧ୍ୟ ହୋଇଥା’ନ୍ତି। ମହିଳାମାନଙ୍କୁ ଡାହାଣୀ ବୋଲି ଆଖ୍ୟା ଦେବା କେବଳ ଅନ୍ଧବିଶ୍ୱାସର ପ୍ରସଙ୍ଗ ନୁହେଁ, ବରଂ ମହିଳାଙ୍କ ପ୍ରତି ସମାଜର କୁସଂସ୍କାରକୁ ମଧ୍ୟ ପ୍ରତିଫଳିତ କରେ। ଯଦି ପିଲାଙ୍କୁ ଝାଡ଼ା-ବାନ୍ତି ହେଉଛି, ତେବେ ବୋଧହୁଏ ପିଶାଚୁଣୀର ନଜର ଲାଗିଯାଇଛି। ଯଦି ଲଗାତାର କମ୍ପ-ଜ୍ୱର ହେଉଛି ଓ ଜ୍ୱର ଛାଡୁନାହିଁ, ତେବେ ସେ ବ୍ୟକ୍ତିକୁ ଡାହାଣୀ ଲାଗିଛି। ଭଲ ଫସଲ ହେଉନାହିଁ, ସ୍ବାମୀ-ସ୍ତ୍ରୀ ଭିତରେ ଭଲ ପଡୁନାହିଁ,ଜମି-ଜମା ବିବାଦ ମେଣ୍ଟୁନାହିଁ ଇତ୍ୟାଦି ଇତ୍ୟାଦି ପଛରେ ଡାହାଣୀ, ପିଶାଚୁଣୀ, ଚିରିଗୁଣୀମାନଙ୍କ ହାତ। ରାଜ୍ୟ ମହିଳା ଆୟୋଗ, ଓଡ଼ିଶା ଏବଂ ଏକ ବେସରକାରୀ ସଂଗଠନ ଆକ୍ସନଏଡ୍‌ ଆସୋସିଏଶନ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭% ୱିଚ୍‌ ବ୍ରାଣ୍ଡିଂ ମାମଲା ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡିତ ଥିବାବେଳେ ୪୩.୫% ମାମଲା ବୟସ୍କ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ। ମହିଳାମାନଙ୍କୁ ଡାହାଣୀ ବା ପିଶାଚୁଣୀର ଆଖ୍ୟା ଦିଆଯାଇ ସେମାନଙ୍କ ନଖ ବାହାର କରିଦିଆଯାଏ, ମଳ ଖାଇବାକୁ ବାଧ୍ୟ କରାଯାଏ, ଉଲଗ୍ନ ହୋଇ ପରିକ୍ରମା କରିବାକୁ କୁହାଯାଏ ନ ହେଲେ ମାରି ମାରି ପ୍ରାଣରୁ ମାରି ଦିଆଯାଏ, ନ ହେଲେ ଜିଅନ୍ତା ଜାଳି ଦିଆଯାଏ। ମହିଳାମାନଙ୍କୁ ଡାହାଣୀ ଭାବରେ ଚିତ୍ରଣ କରିବା, ଦ୍ୱୈତବାଦର ଏକ ସ୍ପଷ୍ଟ ସ୍ମାରକୀ। କାରଣ ଗୋଟିଏ ପଟେ ଆମେ ନାରୀକୁ ନାରାୟଣୀ କହିଲା ବେଳେ ଅନ୍ୟ ପାଖରେ ସେଇ ନାରୀ ଯେତେବେଳେ ସମାଜର ଆକାରହୀନ ଢାଞ୍ଚା ସହ ଖାପ ନ ଖୁଆଇ, ସେଇ ଆକାରହୀନ ସମାଜକୁ ଏକ ସୁନ୍ଦର ଆକାର ଦେବାର ପ୍ରୟାସ କରେ, ସେତେବେଳେ ଡାହାଣୀ ବୋଲି ପରିଚୟ ପାଇ ନିନ୍ଦିତ ହୁଏ। ଡାହାଣୀର ଆଖ୍ୟା କେବଳ ମହିଳାମାନଙ୍କ ମର୍ଯ୍ୟାଦା ହାନି ନୁହେଁ, ବରଂ ସମାଜରୁ ସେମାନଙ୍କର ସମ୍ଭାବ୍ୟ ଅବଦାନ ଉପରେ ମଧ୍ୟ ଏକ କଟକଣା, ଯେଉଁଥିରେ ମହିଳାମାନଙ୍କୁ କୁପରମ୍ପରା, ଅନ୍ଧବିଶ୍ୱାସ ଏବଂ ଲିଙ୍ଗଗତ ବେଆଇନ ବନ୍ଧନରୁ ମୁକ୍ତ ହେବାକୁ ଅନୁମତି ଦିଏନାହିଁ। ଆଇନଗତ ସଂସ୍କାର ଏବଂ ସଚେତନତା ବୃଦ୍ଧି ସତ୍ତ୍ୱେ ମହିଳାମାନେ ପକ୍ଷପାତିତା ଏବଂ ବ୍ୟବସ୍ଥିତ ଅସମାନତାର ବୋଝ ସହ ସଂଘର୍ଷ ଜାରି ରଖିଛନ୍ତି। ଡାହାଣୀ ଅଭିଯୋଗରେ ହେଉ କିମ୍ବା ଭେଦଭାବର ସୂକ୍ଷ୍ମ ରୂପ ହେଉ, ମହିଳାମାନେ ସମାଜରେ ବିଦ୍ୟମାନ କୁପ୍ରଥାର ଫାଶରେ ବନ୍ଧା।
ମହିଳାଙ୍କ ବିରୋଧରେ ଏହି ହିଂସାକୁ ସମାପ୍ତ କରିବାର ସବୁଠାରୁ ସ୍ପଷ୍ଟ ସମାଧାନ ହେଉଛି ଆଇନର ଆଶ୍ରୟ ନେବା। ହେଲେ ଭାରତରେ ୱିଚ୍‌ ବ୍ରାଣ୍ଡିଂ ବା ଡାହାଣୀର ଆଖ୍ୟା ଦେଇ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କିତ ଆଇନ ଏତେ ଦୃଢ଼ ନୁହଁ ଯେ ଏହା ସମ୍ଭାବ୍ୟ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରିପାରିବ। ନାରୀମାନଙ୍କ ବିରୋଧରେ ଏହି ଅନ୍ୟାୟରେ ସଂଶ୍ଳିଷ୍ଟ ସାକ୍ଷୀମାନେ ଭୟରେ ପ୍ରାୟତଃ ସାକ୍ଷ୍ୟ ଦେବାକୁ ଆଗକୁ ଆସନ୍ତି ନାହିଁ। ଆଇନ କାର୍ଯ୍ୟକାରୀ କରିବା ଏବଂ ବିପଦରେ ଥିବା ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ପୋଲିସ ଏବଂ ପ୍ରଶାସନର କାର୍ଯ୍ୟ ହୋଇଥିଲେ ମଧ୍ୟ ପୋଲିସ ସେତେବେଳେ ହସ୍ତକ୍ଷେପ କରେ, ଯଦି କୌଣସି ହତ୍ୟା ଜଡ଼ିତ ଥାଏ। ଅନ୍ୟଥା ଏକ ଆପୋସ ବୁଝାମଣା ପାଇଁ ପରାମର୍ଶ ଦେଇ ମାମଲାକୁ ଏଡ଼ାଇ ଦିଆଯାଏ। ୧୮୬୦ର ଭାରତୀୟ ଦଣ୍ଡ ସଂହିତା ତଥା ନିର୍ଦ୍ଦିଷ୍ଟ ରାଜ୍ୟ ଆଇନରେ ଡାହାଣୀ ଶିକାର ଏବଂ ସେଗୁଡ଼ିକର କାର୍ଯ୍ୟକାରିତାକୁ ଅପରାଧ ବୋଲି ଦର୍ଶାଇବାର ବ୍ୟବସ୍ଥା ରହିଛି, କିନ୍ତୁ ଏହାକୁ ଦେଶରୁ ନିଶ୍ଚିହ୍ନ ନ କରିବା ପର୍ଯ୍ୟନ୍ତ ସରକାର ଏବଂ ସମାଜ ଏହି ଅଭ୍ୟାସ ବିରୋଧରେ ନିରନ୍ତର ଅଭିଯାନ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ। ଯେଉଁ ଜିଲାଗୁଡ଼ିକରେ ମହିଳାଙ୍କ ଉପରେ ଡାହାଣୀ ହେବାର ଅତ୍ୟାଚାର ଅଧିକ, ସେସବୁ ଜିଲା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି କ୍ଷେତ୍ରରେ ସ୍ଥାନୀୟ ନେତା, ମହିଳା ଗୋଷ୍ଠୀ, ପଞ୍ଚାୟତିରାଜ ଅନୁଷ୍ଠାନ, ସ୍ବୀକୃତିପ୍ରାପ୍ତ ସାମାଜିକ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କର୍ମୀଙ୍କୁ ନିୟୋଜିତ କରି ଉଭୟ ଆଇନ ପ୍ରବର୍ତ୍ତନ ଏବଂ ସଚେତନତା ଅଭିଯାନ ସୁନିଶ୍ଚିତ କରାଯିବା ଆବଶ୍ୟକ।
ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ତଥା ସେମାନଙ୍କ ପରିବାରର ଉପଯୁକ୍ତ ପୁନର୍ବାସ ଭଳି ଆଦର୍ଶ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରାଯିବା ଉଚିତ, ଯଦ୍ଦ୍ବାରା ବିଭିନ୍ନ ଅଂଶୀଦାରଙ୍କ ପାଇଁ ଉଦାହରଣ ସୃଷ୍ଟି କରାଯାଇପାରିବ। ୱିଚ୍‌-ହଣ୍ଟିଂ ଅଭ୍ୟାସକାରୀଙ୍କୁ ଅପରାଧୀକରଣ କରିବା ପାଇଁ ଆମକୁ ଏକ ଜାତୀୟ ଆଇନ ପ୍ରଣୟନ କରିବାକୁ ପଡ଼ିବ। ବର୍ତ୍ତମାନର ରାଜ୍ୟ ଆଇନ ଏବଂ ସନ୍ଦିଗ୍ଧମାନଙ୍କୁ ବିଚାର କରୁଥିବା ଭାରତୀୟ ଦଣ୍ଡ ସଂହିତା ମଧ୍ୟରେ ଉନ୍ନତ ସମନ୍ବୟ ପାଇଁ କର୍ତ୍ତୃପକ୍ଷମାନେ ନିର୍ଦ୍ଦେଶାବଳୀ ବିକଶିତ କରିବା ଆବଶ୍ୟକ। କଳା ଯାଦୁକରି ବା ଡାହାଣୀ ଶିକାର ଅନ୍ତର୍ନିହିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ରାଜ୍ୟଗୁଡ଼ିକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।

ଡ. ଅନ୍ତର୍ଜିତା ନାୟକ
ମୋ: ୬୩୭୦୯୦୫୯୪୭


Enter your email to get our daily news in your inbox.

All Right Reserved By Dharitri.Com

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?