ଭୁବନେଶ୍ୱର,୧୧।୧୧: ଜାପାନର ନାଗୋୟାଠାରେ ଅନୁଷ୍ଠିତ ଏସିଆନ୍ ପାରା ଗେମ୍ସ-୨୦୨୬ର ମହିଳା ଆର୍ଚେରୀ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ ଓଡ଼ିଶାର ପାୟଲ ନାଗ । ସେ ବୁଧବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ବାଇଁ ଓ ଅନ୍ୟ ଅଧିକାରୀମାନେ ବିମାନବନ୍ଦରରେ ପାୟଲଙ୍କୁ ସ୍ବାଗତ କରିଥିଲେ। ପାରା ସ୍ପୋଟର୍ସ ଆସୋସିଏଶନ ଅଫ୍ ଓଡ଼ିଶାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପରେ କ୍ରୀଡ଼ା ସଚିବ ଭୂପେନ୍ଦ୍ର ସିଂ ପୁନିଆ ଓ ନିର୍ଦ୍ଦେଶକ ୟେଦୁଲା ବିଜୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପାୟଲଙ୍କୁ ସମ୍ବର୍ଦ୍ଧିତ କରିବା ସହ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ତେବେ ପଦକ ଜିତି ଭୁବନେଶ୍ୱର ଫେରିବାପରେ ସେ କହିଛନ୍ତି, “ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନାରେ ମୁଁ ଅତ୍ୟନ୍ତ ଆନନ୍ଦିତ। ପାରା ଏସିଆନ୍ ଗେମ୍ସ ପାଇଁ ମୋର ଯାତ୍ରା ଅତ୍ୟନ୍ତ କଷ୍ଟକର ଥିଲା। କାରଣ ମୁଁ ଟ୍ରାଏଲ ଦେବାବେଳେ ମୋ ମା’ ଅସୁସ୍ଥ ଥିଲେ। ତେଣୁ ଏକାଗ୍ରତା ରକ୍ଷା କରିବା ମୋ ପାଇଁ ସହଜ ନ ଥିଲା। କୋଚ୍ କୁଲଦୀପ ବେଦଓ୍ବାନ ଓ ଅଭିଳାଷା ଚୌଧାରୀ ମୋତେ ବୁଝାଇବା ପରେ ମୁଁ ଯୋଗ୍ୟତା ହାସଲ କରିପାରିଥିଲି। ବ୍ୟକ୍ତିଗତ ଇଭେଣ୍ଟରେ କେତେକ ଛୋଟ ଛୋଟ ତ୍ରୁଟି ଯୋଗୁ ପଦକ ଆସିପାରିଲାନି। ସେଥିପାଇଁ ମୁଁ ଦୁଃଖିତ ନୁହେଁ, ଆସନ୍ତା ଥରକୁ ନିଶ୍ଚିତ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ପଦକ ଲାଗି ଚେଷ୍ଟା କରିବି। ଏବେ ମୁଁ ୨୦୨୮ ପାରାଲିମ୍ପିକ୍ସ ଯୋଗ୍ୟତା ଉପରେ ଧ୍ୟାନ ଦେବି। ସେଠାରେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ପାଇଁ ପଦକ ଜିତିବା ମୋର ଲକ୍ଷ୍ୟ ରହିବ ।”

