
ଏଜବାଷ୍ଟନ,୩।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମାନ ଗିଲ୍ ଇଂଲଣ୍ଡରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ ଏସୀୟ ଅଧିନାୟକ ଭାବେ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ଏଜବାଷ୍ଟନ ଟେଷ୍ଟରେ ଏହି ୨୫ ବର୍ଷୀୟ ଶୁଭମନ ୩୧୧ ବଲରେ ୨୦୦ ରନ ସଂଗ୍ରହ କରି ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି, ଯେଉଁଥିରେ ୨୧ଟି ଚୌକା ଓ ୨ଟି ଛକା ସାମିଲ ରହିଛି।
ଶୁଭମନ ଏହି ଦ୍ୱିଶତକ ସହ ମହମ୍ମଦ ଆଜହାରୁଦ୍ଦୀନଙ୍କର ୧୯୯୦ ମସିହାରେ ମାଞ୍ଚେଷ୍ଟରରେ କରାଯାଇଥିବା ୧୭୯ ରନର ରେକର୍ଡକୁ ଭାଙ୍ଗିଛନ୍ତି। ଏହା ସହିତ ସେ ରାହୁଲ ଦ୍ରାବିଡ଼ଙ୍କ ପରେ ୨୩ ବର୍ଷ ମଧ୍ୟରେ ଇଂଲଣ୍ଡରେ ୧୫୦ରୁ ଅଧିକ ରନ କରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଗିଲଙ୍କର ଏହି ଇନିଂସ ସୁନୀଲ ଗାଭାସ୍କରଙ୍କ ୧୯୭୯ରେ ଦ ଓଭାଲରେ କରାଯାଇଥିବା ୨୨୧ ରନର ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି।
ଏହି ଇନିଂସରେ ଶୁଭମନ କେବଳ ୩ଟି ଭୁଲ ଷ୍ଟ୍ରୋକ ଖେଳିଥିଲେ, ଯାହା ତାଙ୍କର ନିୟନ୍ତ୍ରଣ ଓ ଦକ୍ଷତାକୁ ପ୍ରଦର୍ଶିତ କରୁଛି। ସେ ଭାରତର ୨୬ତମ ଖେଳାଳି ଭାବେ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି ଏବଂ ମନସୁର ଅଲୀ ଖାନ ପଟୌଦୀ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର, ଏମଏସ ଧୋନୀ ଓ ବିରାଟ କୋହଲିଙ୍କ ପରେ ଷଷ୍ଠ ଭାରତୀୟ ଅଧିନାୟକ ଭାବେ ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି।
ଏହା ସହିତ ଶୁଭମନ ବିରାଟ କୋହଲିଙ୍କର ୨୦୧୬ରେ ଓ୍ଵେଷ୍ଟ ଇଣ୍ଡିଜ ବିପକ୍ଷରେ ୨୦୦ ରନର ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି, ଯାହା ବିଦେଶ ମାଟିରେ ଭାରତୀୟ ଅଧିନାୟକଙ୍କ ସର୍ବୋଚ୍ଚ ସ୍କୋର ଥିଲା। ୨୫ ବର୍ଷ ବୟସରେ ଶୁଭମନ ପଟୌଦୀଙ୍କ ପରେ ଦ୍ୱିତୀୟ ସର୍ବକନିଷ୍ଠ ଭାରତୀୟ ଅଧିନାୟକ ଭାବେ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି।