ସଙ୍କୁଚିତ ବଜେଟ

ଫେବୃଆରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଲୋକ ସଭାରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖାଦେଇଛି। ନିର୍ମଳା ସୀତାରାମନ ବଜେଟରେ ଚାରିଟି ଇଞ୍ଜିନ: କୃଷି, ଏମ୍‌ଏସ୍‌ଏମ୍‌ଇ, ନିବେଶ ଏବଂ ରପ୍ତାନି ଉପରେ ଧ୍ୟାନଦେଇ ବିକଶିତ ଭାରତ ଲକ୍ଷ୍ୟକୁ ଆଗେଇ ନେବା କଥା କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବଜେଟକୁ ଲୋକଙ୍କ ବଜେଟ ଏବଂ ଏକ ଶକ୍ତି ଗୁଣକ ଭାବରେ ବର୍ଣ୍ଣନା କରିଲାବେଳେ ବିରୋଧୀ ଦଳ ନୈରାଶ୍ୟଜନକ ଏବଂ ବଜେଟର ଇଞ୍ଜିନ ଲାଇନଚ୍ୟୁତ ହୋଇଛି ବୋଲି କହିଛନ୍ତି। ବଜେଟର ସବିଶେଷ ସମୀକ୍ଷା କାଳେ ଏହାର ବାସ୍ତବ ରୂପ ଜଣାପଡ଼ିବ। ଅବଶ୍ୟ ବିଶ୍ୱ ଅର୍ଥନୀତିରେ ଆର୍ଥିକ ମାନ୍ଦାବସ୍ଥା, ପୋଲି କ୍ରାଇସିସ୍‌, ରୁଷିଆ-ୟୁକ୍ରେନ ଯୁଦ୍ଧ, ହମାସ ଉପରେ ଇସ୍ରାଏଲ ଆକ୍ରମଣ, ଇନ୍ଧନ ଦର ବୃଦ୍ଧି, ଟ୍ରମ୍ପ୍‌ଙ୍କ ଆମଦାନୀ ଶୁଳ୍କ ବୃଦ୍ଧି ଓ କିଛି ପ୍ରତିକ୍ରିୟାଶୀଳ ପଦକ୍ଷେପ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି।

ବାସ୍ତବ କଥା ହେଉଛି, ଯେଉଁ ଦଳ ଶାସନ କରୁ ନା କାହିଁକି, ପ୍ରତ୍ୟେକ ବର୍ଷ ଆପେ ଆପେ ନାମାଙ୍କନ ମୂଲ୍ୟରେ ଅଧିକ ଟିକସ ଆଦାୟ ବୃଦ୍ଧି ଘଟିବ ଏବଂ ବଜେଟର ଆକାର ମଧ୍ୟ ବୃଦ୍ଧି ପାଇବ। ନାମାଙ୍କନ ଜିଡିପି ମଧ୍ୟ ବୃଦ୍ଧି ପାଇବ। କେବଳ କରୋନା ପରି ଦୁଃସମୟ ବା ବିଶ୍ୱ ଆର୍ଥିକ ସଙ୍କଟ ପରି ପରିସ୍ଥିତିକୁ ଛାଡ଼ିଦେଲେ ଏସବୁ ସର୍ବଦା ବୃଦ୍ଧି ପାଇଥାଏ। ମୁଦ୍ରାସ୍ଫୀତି ମଧ୍ୟ ସମ୍ପୂର୍ଣ୍ଣ ମୂଲ୍ୟକୁ ବୃଦ୍ଧି କରେ। ଉଦାହରଣ ସ୍ବରୂପ, ଗତ ୩୦ ବର୍ଷ ମଧ୍ୟରେ, ଭାରତର ନାମାଙ୍କନ ଜିଡିପି ଟଙ୍କା ଦୃଷ୍ଟିରୁ ୩୫ ଗୁଣ ବୃଦ୍ଧି ପାଇଛି, ବାସ୍ତବ ଜିଡିପି କେବଳ ୧୨ ଗୁଣ ବୃଦ୍ଧି ପାଇଛି। ଅର୍ଥାତ୍‌ ମୁଦ୍ରାସ୍ଫୀତିର ପ୍ରଭାବ ରହିଛି। ତେଣୁ ନାମାଙ୍କନ ଜିଡିପି ବୃଦ୍ଧି ସହିତ ବଜେଟର ଆକାର ବୃଦ୍ଧି ପାଇବା ଉଚିତ।

୨୦୨୪-୨୫ରେ ନାମାଙ୍କନ ଜିଡିପି ୧୦.୫% ଏବଂ ମୁଦ୍ରାସ୍ଫୀତି (୩.୫ରୁ ୪% ପର୍ଯ୍ୟନ୍ତ ମୂଲ୍ୟ ଡିଫ୍ଲେଟର ଦ୍ୱାରା)କୁ ବାଦ୍‌ଦେଇ ବାସ୍ତବ ଜିଡିପି ୬.୫%ରୁ ୭% ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ନାମାଙ୍କନ ଜିଡିପି ୯.୭% ଓ ବାସ୍ତବ ଜିଡିପି ୬.୪% ହେବ ବୋଲି ଆର୍ଥିକ ସର୍ବେକ୍ଷଣରେ କୁହାଯାଉଛି। କିନ୍ତୁ ଚିନ୍ତାଜନକ ହେଉଛି ୨୦୨୩-୨୪ରେ ଆର୍ଥିକ ଅଭିବୃଦ୍ଧି ୮.୨% ହୋଇଥିଲା। ଗତ ୭ଟି ତ୍ରୟମାସରେ ଏହା ନିମ୍ନଗାମୀ ହୋଇଛି। ୨୦୨୫-୨୬ ବର୍ଷ ପାଇଁ ନାମାଙ୍କନ ଜିଡିପି ୧୦.୧% ଓ ବାସ୍ତବ ଜିଡିପି ୬.୩ରୁ ୬.୮ % ହେବ ବୋଲି ଆକଳନ କରାଯାଇ ବଜେଟ ଉପସ୍ଥାପନ କରାଯାଇଛି। କିନ୍ତୁ ବଜେଟ ଆକାର ୧୦.୧% ନୁହେଁ ମାତ୍ର ୫.୫% ବୃଦ୍ଧିପାଇବ।

ଉଲ୍ଲେଖନୀୟ ଏହି କି ଯେ ତଥାପି, ବଜେଟ ସଂକୋଚନାତ୍ମକ କାରଣ ବଜେଟ ବ୍ୟୟ ଅଟକଳର ବୃଦ୍ଧି ନାମମାତ୍ର ଜିଡିପିର ଆକଳନ ବୃଦ୍ଧି ଅପେକ୍ଷା କମ୍‌। ୨୦୨୪-୨୫ ଆର୍ଥିକ ବର୍ଷରେ ବଜେଟରେ ମୋଟ ବ୍ୟୟବରାଦ ୪୮,୨୦,୫୧୨ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ୨୦୨୫-୨୬ରେ ୫୦,୬୫,୩୪୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅର୍ଥାତ୍‌ ମାତ୍ର ୫.୫% ବୃଦ୍ଧି। ଗତବର୍ଷ ୭% ବୃଦ୍ଧି ହେବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଚିନ୍ତାର ବିଷୟ ୨୦୨୪-୨୫ରେ ସଂଶୋଧିତ ବଜେଟ ଆକଳନ ୪୭,୧୬,୪୮୭ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ ୧,୦୪,୦୨୫କୋଟି ଟଙ୍କା ହ୍ରାସ ପାଇଛି। ଅବଶ୍ୟ ଅତୀତର ରେକର୍ଡ କହୁଛି ଯେ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ବଜେଟରେ ବ୍ୟୟବରାଦ କରାଯାଇଥିବା ଅର୍ଥ ଖର୍ଚ୍ଚ କରାଯାଉ ନାହିଁ।

ଚିନ୍ତାଜନକ ହେଉଛି ଜିଡିପି ଅନୁସାରେ ଭାରତରେ ମୋଟ ବ୍ୟୟବରାଦ ବହୁତ କମ୍‌। ୧୯୭୦ରୁ ୨୦୨୩ ମଧ୍ୟରେ ଭାରତରେ ଏହା ହାରାହାରି ୧୫.୧୧% ହୋଇଥିଲା। ୨୦୨୦-୨୧ରେ ମୋଟ ବ୍ୟୟବରାଦ ଜିଡିପିର ୧୭.୭% ଥିଲାବେଳେ, ୨୦୨୪-୨୫ରେ ୧୪.୬ %କୁ ହ୍ରାସ ପାଇଥିଲାବେଳେ ୨୦୨୫-୨୬ରେ ୧୪.୨%କୁ ହ୍ରାସ ପାଇବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ୟ ଦେଶ ତୁଳନାରେ ଏହା ବହୁତ କମ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏହା ଫ୍ରାନ୍ସରେ ୫୭%, ଇଟାଲୀ ୫୩.୮ %, ୟୁରୋ ଏରିଆ ୪୯.୫%, ଜର୍ମାନୀ ୪୮.୪%, ସ୍ପେନ ୪୫.୪%, ଜାପାନରେ ୪୪.୦୫%, ଗ୍ରେଟବ୍ରିଟେନ ୪୪.୫%, ଆମେରିକାରେ ୩୪.୩୮% ଓ ସୁଇଜରଲାଣ୍ଡରେ ୩୨% ରହିଛି। ଯେହେତୁ ବ୍ୟୟବରାଦ ଆଶାନୁରୂପ ବୃଦ୍ଧି ପାଉନି, ଗୋଟିଏ କ୍ଷେତ୍ରରେ ବୃଦ୍ଧି ପାଇଲେ ଗୋଟିଏ କ୍ଷେତ୍ରରେ ହ୍ରାସ ପାଉଛି।

ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ହ୍ରାସପାଇଛି ବା ୨୦୨୪-୨୫ବର୍ଷର ସଂଶୋଧିତ ଅଟକଳରେ ମୂଳ ଧାର୍ଯ୍ୟଠାରୁ କମ୍‌ ହୋଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ ରେଳ ବଜେଟ ବ୍ୟୟବରାଦ ଗତ ବର୍ଷ ୨.୬୨ ଲକ୍ଷ କୋଟି ଟଙ୍କା ଥିଲାବେଳେ ୨୦୨୫-୨୬ରେ ୨.୫୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ରେଳ ସୁରକ୍ଷା ପାଇଁ ମଧ୍ୟ ୩୨୨.୫୦ ଟଙ୍କା କମ୍‌ ବ୍ୟୟ ହେବ। ପୁଞ୍ଜି ବ୍ୟୟରେ ବୃଦ୍ଧି ହୋଇନି। ପୂର୍ବପରି ୨.୫୫ ଲକ୍ଷ କୋଟି ଟଙ୍କା ରହିଛି।
ଏହି ବଜେଟ ସଙ୍ଘୀୟ ବ୍ୟବସ୍ଥାର ପରିପନ୍ଥୀ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅର୍ଥ ହସ୍ତାନ୍ତର ପରିମାଣ ପାଇଁ ୨୦୨୪-୨୫ ବର୍ଷ ବଜେଟରେ ଯେଉଁ ବ୍ୟୟବରାଦ କରିଥିଲେ ତାହା ସଂଶୋଧିତ ଅଟକଳରେ ହ୍ରାସ ପାଇଛି।

କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନାଗୁଡ଼ିକ ପାଇଁ ପାଣ୍ଠିରେ ୫,୦୫,୯୭୮ କୋଟି ଟଙ୍କାରୁ ୪,୧୫,୩୫୬ କୋଟି ଟଙ୍କାକୁ, ଅର୍ଥ ଆୟୋଗ ଦ୍ୱାରା ଅନୁଦାନରେ ୧,୩୨,୩୭୮ କୋଟି ଟଙ୍କାରୁ ୧,୨୭,୧୪୬ କୋଟି ଟଙ୍କାକୁ ଏବଂ ରାଜ୍ୟଗୁଡ଼ିକୁ ଅନ୍ୟାନ୍ୟ ହସ୍ତାନ୍ତର ବାବଦରେ ୩,୯୧,୭୭୬ କୋଟି ଟଙ୍କାରୁ ୩,୭୪,୭୭୪ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍‌ ମୋଟ ଉପରେ ୪,୮୨,୦୫୧୨ କୋଟି ଟଙ୍କାରୁ ୪,୭୧,୬୪୮୭ କୋଟି ଟଙ୍କାକୁ ହ୍ରାସପାଇଛି। ଅର୍ଥାତ୍‌ ଯେତିକି ପରିମାଣର ଅର୍ଥ ରାଜ୍ୟମାନଙ୍କୁ ଦେବା ପାଇଁ ବଜେଟରେ ଦର୍ଶାଇଥିଲେ, ତା’ ତୁଳନାରେ ରାଜ୍ୟମାନଙ୍କୁ ପ୍ରକୃତ ହସ୍ତାନ୍ତର ୧,୧୨,୮୮୫ କୋଟି ଟଙ୍କା କମ୍‌ ଦେଲେ।

କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ। କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ବିହାରକୁ କିଛି ଅଧିକ ଦିଆଯାଇଛି। ଆଗରୁ ଆନ୍ଧ୍ରପ୍ରଦେଶକୁ ଓ ବିହାରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଓଡ଼ିଶାକୁ କିଛି ଦିଆଯାଇନି। ପ୍ରଧାନମନ୍ତ୍ରୀ କହିଛନ୍ତି, ବଜେଟ ସଞ୍ଚୟ, ଉପଭୋଗ ଏବଂ ନିବେଶ ବୃଦ୍ଧି ସହିତ ଜିଡିପି ବୃଦ୍ଧି କରିବ। କିନ୍ତୁ ଲୋକଙ୍କ ପ୍ରକୃତ ଆୟ ବୃଦ୍ଧି ନ ହେଲେ ଏହା ସମ୍ଭବ ନୁହେଁ। ଆୟ ବୃଦ୍ଧି ପାଇଁ କିଛି ପଦକ୍ଷେପ ନାହିଁ। ଅର୍ଥନୀତି ମନ୍ଥର ହେବା, ମୁଦ୍ରାସ୍ଫୀତି ବୃଦ୍ଧି, ବେକାରି ବୃଦ୍ଧି, ପ୍ରକୃତ ମଜୁରି ହ୍ରାସ, ଲୋକଙ୍କ କ୍ରୟ ଶକ୍ତି ହ୍ରାସ, ବ୍ୟାପକ ଅସମାନତା ଭଳି ସମସ୍ୟାଗୁଡ଼ିକର ସମାଧାନ ପାଇଁ କିଛି କୁହାଯାଇନାହିଁ, ବରଂ ସଙ୍କୁଚିତ ବଜେଟ ଉପସ୍ଥାପନ କରାଯାଇଛି।

ଡ. ସନ୍ତୋଷ କୁମାର ମହାପାତ୍ର
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri