ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଶୁକ୍ରବାର (ନଭେମ୍ବର ୧୩) ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆରେ ଏକାଧିକ ବଡ଼ ପରିବର୍ତ୍ତନ ହୋଇଛି। ଅଧିନାୟକ ଶୁଭମନ ଗିଲ ଏବଂ ଉଇକେଟ୍କିପର ବ୍ୟାଟର କେଏଲ ରାହୁଲଙ୍କ ସମେତ କିଛି ଷ୍ଟାର ଖେଳାଳି ଚତୁର୍ଥ ଓ ପଞ୍ଚମ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଚତୁର୍ଥ ଓ ପଞ୍ଚମ ଦିନିକିଆ ଖେଳିବେ ନାହିଁ କି?
ଶୁଭମନ ଗିଲଙ୍କ ସ୍ଥାନରେ ଶ୍ରେୟସ ଆୟର ଶେଷ ଦୁଇଟି ଦିନିକିଆରେ ଭାରତୀୟ ଦଳର ନେତୃତ୍ୱ ନେବେ। ଦଳରୁ ବାଦ ପଡ଼ିଥିବା ଖେଳାଳିଙ୍କ ସ୍ଥାନରେ ଉଇକେଟ୍ କିପର ବ୍ୟାଟର ଈଶାନ କିଶନ, ତିଳକ ବର୍ମା ଏବଂ ୟଶ ଠାକୁରଙ୍କୁ ଦଳରେ ସାମିଲ କରାଯାଇଛି।
ତେବେ ମୁଖ୍ୟ ପ୍ରଶ୍ନ ହେଉଛି, ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଟିମ ଇଣ୍ଡିଆରୁ ବାଦ ପଡ଼ିବେ କି? ଏହାର ଉତ୍ତର ହେଉଛି ‘ନା’। ରୋହିତ ଓ ବିରାଟ ଉଭୟ ଚତୁର୍ଥ ଏବଂ ପଞ୍ଚମ ଦିନିକିଆ ପାଇଁ ଭାରତୀୟ ଦଳର ଅଂଶ ହୋଇ ରହିବେ।
ଯଦି ବିରାଟ କୋହଲି ଓ ରୋହିତ ଶର୍ମା ଦଳରେ ରହିବେ, ତେବେ ଅନ୍ୟ ଖେଳାଳିମାନେ ଚତୁର୍ଥ ଓ ପଞ୍ଚମ ଦିନିକିଆରୁ କାହିଁକି ବାଦ ପଡ଼ିଲେ? ଏହି ପ୍ରଶ୍ନ ମଧ୍ୟ ଉଠୁଛି। ତେବେ ଜଣାଇ ଦେଉଛୁ ଯେ, ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଅଧିନାୟକ ଶୁଭମନଙ୍କ ସମେତ ଅନ୍ୟ କିଛି ଖେଳାଳିଙ୍କୁ ଦଳରୁ ବାଦ ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଦିନିକିଆ ସିରିଜର ଶେଷ ମ୍ୟାଚ ନଭେମ୍ବର ୧୫ ତାରିଖରେ ଖେଳାଯିବ। ଏହାପରେ ନଭେମ୍ବର ୧୯ରୁ ଟେଷ୍ଟ ସିରିଜ ଆରମ୍ଭ ହେବ। ଦୁଇଟି ସିରିଜ ମଧ୍ୟରେ ବ୍ୟବଧାନ କମ ଥିବାରୁ ଖେଳାଳିଙ୍କୁ ଅଧିକ ସମୟ ଦେବା ଉଦ୍ଦେଶ୍ୟରେ ଚତୁର୍ଥ ଓ ପଞ୍ଚମ ଦିନିକିଆରୁ କିଛି ପ୍ରମୁଖ ଖେଳାଳିଙ୍କୁ ବାଦ ଦିଆଯାଇଛି। ଫଳରେ ଖେଳାଳିମାନେ ଲାଲ ବଲ କ୍ରିକେଟ ଅର୍ଥାତ୍ ଟେଷ୍ଟ ଫର୍ମାଟ ପାଇଁ ଭଲ ଭାବେ ଅଭ୍ୟାସ କରିପାରିବେ।
ଚତୁର୍ଥ ଦିନିକିଆ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ନମନ ଧୀର, ଋତୁରାଜ ଗାଏକ୍ୱାଡ, ଅକ୍ଷର ପଟେଲ, ଇଶାନ କିଶନ (ଉଇକେଟ୍ କିପର), କୁମାର କୁଶାଗ୍ର (ଉଇକେଟ୍ କିପର) , ଆକିବ ନବି ଡାର, ଗୁରନୁର ବରାଡ଼, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟଶ ଠାକୁର ଏବଂ କୁଲଦୀପ ଯାଦବ।

