ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ନଭେମ୍ବର ୨ ତାରିଖରେ ନିଜ ଜନ୍ମଦିନ ପାଳନ କରୁଛନ୍ତି। ପ୍ରତିବର୍ଷ ଶାହରୁଖ ନିଜ ବଙ୍ଗଳା ‘ମନ୍ନତ’ର ବାଲକୋନିକୁ ଆସି ପ୍ରଶଂସକଙ୍କୁ ଭେଟିଥାନ୍ତି। ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ମାନେ ମଧ୍ୟ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ତେବେ ଏଥର ଶାହରୁଖ ପ୍ରଶଂସକଙ୍କୁ ଭେଟିବେ ନାହିଁ ବୋଲି ଖବର ଆସିଥିଲା।
ପ୍ରକୃତରେ, ତାଙ୍କ ବଙ୍ଗଳାରେ ନବୀକରଣ କାମ ଚାଲିଥିବାରୁ ସେ ଫ୍ୟାନ୍ମାନଙ୍କୁ ଭେଟିପାରିବେ ନାହିଁ ବୋଲି କୁହାଯାଉଥିଲା। କିନ୍ତୁ ଏଥର ମଧ୍ୟ ଶାହରୁଖ ଖାନ ନିଜ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି। ଅଚାନକ ସେମାନଙ୍କ ସାମ୍ନାକୁ ଆସି ସରପ୍ରାଇଜ ଦେଇଛନ୍ତି।
ଏହି ସାକ୍ଷାତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଶାହରୁଖଙ୍କୁ ଧଳା ଟି-ଶାର୍ଟ ଓ ରିପ୍ଡ ଜିନ୍ସ ପିନ୍ଧିଥିବା ଦେଖିବାକୁ ମିଳିଛି। ହାତରେ ଘଣ୍ଟା, ମୁଣ୍ଡରେ କଳା କ୍ୟାପ ଏବଂ ଆଖିରେ ଚଷମା ପିନ୍ଧିଥିଲେ ସେ। ସେ ପ୍ରଶଂସକଙ୍କୁ ନମସ୍କାର କରିବା ସହ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଥିଲେ।
ସୂଚନାଯୋଗ୍ୟ, ନଭେମ୍ବର ୨ ତାରିଖ ରାତି ୧୨ଟାରେ ମଧ୍ୟ ଶାହରୁଖଙ୍କୁ ଭେଟିବା ପାଇଁ ଅନେକ ପ୍ରଶଂସକ ମନ୍ନତ ବାହାରେ ପହଞ୍ଚିଥିଲେ। ସେହି ସମୟରେ ଶାହରୁଖ ସେଠାରେ ନଥିଲେ ମଧ୍ୟ ପ୍ରଶଂସକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ବଙ୍ଗଳାର କାନ୍ଥରେ ବଡ଼ ବଡ଼ ସ୍କ୍ରିନ ଲଗାଯାଇଥିଲା ଏବଂ ସେଥିରେ କିଙ୍ଗ୍ର ପୋଷ୍ଟର ଦେଖାଯାଇଥିଲା। ଏହା ସହ ଶାହରୁଖ ଏକ ନୋଟ ମଧ୍ୟ ଲେଖିଥିଲେ। ଏଥିରେ ସେ ଲେଖିଥିଲେ, ଆପଣମାନଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ ଧନ୍ୟବାଦ। ସମସ୍ତଙ୍କୁ ଅନେକ ଭଲପାଇବା।
ଏହା ବ୍ୟତୀତ ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’ର ପ୍ରଥମ ଗୀତ ମଧ୍ୟ ମଧ୍ୟରାତ୍ରିରେ ରିଲିଜ କରାଯାଇଛି। ଗୀତଟିର ନାଁ ହେଉଛି ‘ତୁ ମିଲ ଯାଏ’। ଏହି ଗୀତରେ ଶାହରୁଖ ଖାନ ଓ ଦୀପିକା ପାଦୁକୋନ ଏକାଠି ନଜର ଆସିଛନ୍ତି। ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ ଦର୍ଶକଙ୍କ ମନ ଜିଣିଛି। ପରଦାରେ ଶାହରୁଖ ଓ ଦୀପିକାଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି।
‘କିଙ୍ଗ’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ଆନନ୍ଦ। ଏହି ଫିଲ୍ମରେ ଶାହରୁଖଙ୍କ ବ୍ୟତୀତ ସୁହାନା ଖାନ, ଦୀପିକା ପାଦୁକୋନ, ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀଙ୍କ ଭଳି ଷ୍ଟାର୍ ନଜର ଆସିବେ। ଏହା ସହ କରୀନା କପୁର ମଧ୍ୟ ଫିଲ୍ମରେ ଏକ ଡ୍ୟାନ୍ସ ନମ୍ବର କରିବେ ବୋଲି ଖବର ରହିଛି।

