ସେରୋ ସର୍ଭେ ଓ ଆଣ୍ଟିବଡ଼ି

ଡା. ଉମେଶ ଚନ୍ଦ୍ର ପାତ୍ର

କରୋନା କବଳରେ କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱ ଛଟପଟ ହେଉଛି। ଓଡ଼ିଶାର ଉପାନ୍ତ ଜିଲା ଗଜପତିର ୬୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁକୁ ନେଇ ଆଣ୍ଟିବଡ଼ି ସୃଷ୍ଟି ହୋଇଛି, ଯାହା କି ରାଜ୍ୟରେ ସର୍ବାଧିକ। ସେରୋ ସର୍ଭେ ଦ୍ୱାରା ଏହି ତଥ୍ୟ ମିଳିଛି। ପାରଳାଖେମୁଣ୍ଡିରେ ଏହି ସର୍ଭେ ଅନୁଷ୍ଠିତ ହୋଇଥିଲା, ଯାହା କି ସେପ୍ଟେମ୍ବର ୧୫ରୁ ୧୮ ପର୍ଯ୍ୟନ୍ତ ଚାଲିଥିଲା ଓ ଆରଏମ୍‌ଆରସିର ପାଞ୍ଚଟି ଟିମ୍‌ ଏଥିରେ ନିୟୋଜିତ ହୋଇଥିଲେ। ସମୁଦାୟ ୧୫୧୫ ନମୁନା ସଂଗ୍ରହ ହୋଇଥିଲା। ସଂଗୃହୀତ ଲୋକମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ଲୋକଙ୍କ ଶରୀରରେ କୌଣସି ଲକ୍ଷଣ ନ ଥିଲା। ଗଜପତିରେ ବିଶେଷକରି ମହିଳାଙ୍କ ମଧ୍ୟରେ ଆଶାତୀତ ଭାବେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ଗଜପତିର ଲୋକମାନଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତି ବା ହର୍ଡ ଇମ୍ୟୁନିଟି ଆସିପାରିଛି କି ନାହିଁ ତାହା ଜାଣିବା ଲାଗି ନିୟମିତ ବ୍ୟବଧାନରେ ସେମାନଙ୍କ ଅନୁଧ୍ୟାନ କରିବାକୁ ପଡ଼ିବ। ପ୍ରକୃତରେ ତାହା ଭୂତାଣୁ ରୋକିବାରେ ସକ୍ଷମ ହୋଇପାରୁଛି କି ନାହିଁ ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ସୂଚନାଥାଉ କି ଏହା ପୂର୍ବରୁ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର ଓ ରାଉରକେଲାରେ ସେରୋ ସର୍ଭେ ହୋଇସାରିଛି। ପୁରୀରେ କେବଳ ସମ୍ବେଦନଶୀଳ ଲୋକମାନଙ୍କର ସେରୋ ସର୍ଭେ କରାଯାଇଥିଲା। ବ୍ରହ୍ମପୁରରେ ୩୧ପ୍ରତିଶତ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ ହୋଇଥିବାବେଳେ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୧.୪ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ପ୍ରତିଶତ ଆଣ୍ଟିବଡ଼ି ଥିବା ଦେଖିବାକୁ ମିଳିଥିଲା। ରାଉରକେଲାରେ ଏକ ଚତୁର୍ଥାଂଶ ଲୋକଙ୍କ ଶରୀରରେ ଆଣ୍ଟିବଡ଼ି ରହିଥିବା ସେରୋ ସର୍ଭେରୁ ଜଣାପଡ଼ିଛି।
ଆସନ୍ତୁ ସେରୋ ସର୍ଭେ ସମ୍ପର୍କରେ କିଛି ଜାଣିବା। ଗୋଟିଏ ରାଜ୍ୟ ବା ସହରରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ସଂକ୍ରମଣ କେତେ ବ୍ୟାପୁଛି, ତାହା ଜାଣିବା ପାଇଁ ଏହି ସେରୋଲୋଜିକାଲ ସର୍ଭେ କରାଯାଇଥାଏ। ଏଥିରୁ କେତେ ଲୋକଙ୍କ ରକ୍ତରେ ଆଣ୍ଟିବଡ଼ି ରହିଛି, ତାହା ଜଣାପଡ଼ିଥାଏ। କରୋନା ଭୂତାଣୁ ସଂକ୍ରମଣ ପରେ ଦିଲ୍ଲୀ, ପୁଣେ, ଭୁବନେଶ୍ୱର ଭଳି କେତେକ ସହରରେ ସେରୋ ସର୍ଭେ କରାଯାଇଛି। ପୁଣେରେ ହୋଇଥିବା ସଦ୍ୟ ସର୍ଭେରେ ୫୧.୫ ପ୍ରତିଶତ ଲୋକଙ୍କ ଶରୀରରେ କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ଆଣ୍ଟିବଡ଼ି ରହିଥିବା ଜଣାପଡ଼ିଥିଲା। ଭୂତାଣୁ ଶରୀର ମଧ୍ୟରେ ଯେବେ ପ୍ରବେଶ କରେ, ଶରୀର ତାହାକୁ ତଡ଼ିବା ପାଇଁ କିଛି ପ୍ରୋଟିନ୍‌ ତିଆରି କରିଥାଏ, ତାହାକୁ ଆଣ୍ଟିବଡ଼ି କୁହାଯାଏ। ଶରୀରରେ ଭୂତାଣୁ ପଶିବା ପରେ ଆପେ ଆପେ ଆଣ୍ଟିବଡ଼ି ସୃଷ୍ଟି ହୋଇଥାଏ। ଏହି ଆଣ୍ଟିବଡ଼ିର ଆକାର ଇଂଲିଶ ଅକ୍ଷର ‘ୱାଇ’ ସଦୃଶ ହୋଇଥାଏ। ବିଶେଷଜ୍ଞଙ୍କ ମୁତାବକ ୪୦ରୁ ୬୦ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ସୃଷ୍ଟି ହେବା ଦ୍ୱାରା ହର୍ଡ଼ ଇମ୍ୟୁନିଟି ପର୍ଯ୍ୟାୟ ଆରମ୍ଭ ହୋଇଯାଏ। ଏହାପରେ ଭୂତାଣୁ ସଂକ୍ରମଣ ଏକ ସାଧାରଣ ରୋଗରେ ସୀମିତ ରହିଯାଏ। ଏଥିପାଇଁ ଟିକା କିମ୍ବା ଦାମୀ ଔଷଧ ଆବଶ୍ୟକ ପଡ଼ି ନ ଥାଏ।
କରୋନା ସଂକ୍ରମଣ ଦିନକୁ ଦିନ କାୟା ମେଲାଇ ଚାଲିଥିବାବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟି ଯାଏ ନିକଟରେ ଏକ ରିସର୍ଚ୍ଚ ତଥ୍ୟର ରିପୋର୍ଟ ପ୍ରସିଦ୍ଧ ‘ଲାନ୍‌ସେଟ୍‌’ ପତ୍ରିକାରେ ପ୍ରକାଶ ପାଇଛି। ମଣିଷର ରୋଗପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରିପାରି ନ ଥାଏ। କିନ୍ତୁ ବେଳେ ବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡ଼ି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡ଼ି ଆଣ୍ଟିଜେନ୍‌ ସହିତ ମିଶି ଶରୀର ବିରୋଧରେ ଲଢ଼ିଥାଏ। ଶରୀରର ଆଣ୍ଟିବଡ଼ି ଏଭଳି ସ୍ଥିତିରେ ଶରୀରର ଗୁରୁତ୍ୱପୂର୍ଣ୍ଣ ଫୁସ୍‌ଫୁସ୍‌ ନିକଟରେ ଜମା ହୋଇ ରହିଥାଏ, ଯାହାକୁ ଡାକ୍ତରୀ ଭାଷାରେ ସାଇଟୋକାଇନ୍‌ଷ୍ଟର୍ମ କୁହାଯାଏ। ଆଣ୍ଟିବଡ଼ି କୋଷିକା ଫୁସ୍‌ଫୁସ୍‌ର ସୂକ୍ଷ୍ମ ରକ୍ତବାହୀ ନଳୀରେ କ୍ଷତ ସୃଷ୍ଟି କରିଥାଏ; ଯାହାଦ୍ୱାରା ଶରୀରର ରକ୍ତଚାପ କମିଯାଇ ଏହା ପ୍ରଭାବରେ ଲିଭର, କିଡ୍‌ନୀ, ହାର୍ଟ ଓ ଫୁସ୍‌ଫୁସ୍‌ ପରି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇପଡ଼େ। ଏଭଳି ସ୍ଥିତିରେ କରୋନା ସଂକ୍ରମଣର ପ୍ରଭାବ ବଢ଼ିଯାଏ। ଦେହରେ ତାପମାତ୍ରା ବଢ଼ିବା ସହ ମୁଣ୍ଡ ବିନ୍ଧିଥାଏ। କରୋନା ସଂକ୍ରମଣରେ ଶରୀରର ରୋଗପ୍ରତିରୋଧକ କ୍ଷମତା ହିଁ ଫୁସ୍‌ଫୁସ୍‌ର ଫାଇବ୍ରୋସିନ୍‌କୁ କମ୍‌ ସମୟ ମଧ୍ୟରେ ନଷ୍ଟ କରିଦେଇଥାଏ। ୧୯୧୮ରେ ଦେଖାଦେଇଥିବା ଫ୍ଲୁ ଓ ୨୦୦୩ରେ ସାର୍ସ ମହାମାରୀରେ ମଧ୍ୟ ସାଇଟୋକାଇନ୍‌ ଷ୍ଟର୍ମ ଯୋଗୁ ରୋଗପ୍ରତିରୋଧକ ଶକ୍ତି ଶରୀରର କ୍ଷତି କରିଥିଲା। ଏଚ୍‌-୧ଏନ୍‌-୧ ସ୍ବାଇନ୍‌ ଫ୍ଲୁରେ ମଧ୍ୟ ଏଭଳି ହୋଇଥିବାର ବିଶ୍ୱାସ ହେଉଛି। ସାଧାରଣତଃ ରୋଗପ୍ରତିରୋଧକ କ୍ଷମତାକୁ ଶାନ୍ତ କରି ସ୍ବାଭାବିକ କରିବା ଲାଗି ଷ୍ଟିରଏଡର ବ୍ୟବହାର କରାଯାଇଥାଏ। ତେବେ କରୋନା ସଂକ୍ରମଣ କ୍ଷେତ୍ରରେ ଷ୍ଟିରଏଡର ବ୍ୟବହାରର ସଫଳତା ଗବେଷଣା ସାପେକ୍ଷ। ଶରୀରରେ ସାଇଟୋକାଇନ୍‌ ଷ୍ଟର୍ମ ସୃଷ୍ଟି ହୋଇଥିବା ବିଷୟରେ ସହଜରେ ଜଣାପଡ଼ି ନ ଥାଏ। ଏହା ଜଣାପଡ଼ିଲା ବେଳକୁ ଶରୀରର କ୍ଷତି ହୋଇସାରିଥାଏ। ଏ କ୍ଷେତ୍ରରେ ଟୋସିଲିଜୁମାଚ୍‌ ବେଶ୍‌ ସଫଳତାର ସହିତ କାମ କରିଥାଏ ବୋଲି ଗବେଷକ ମତ ଦେଉଛନ୍ତି। ଚିକିତ୍ସା ଜଗତ ଯେଉଁ ନୂଆ ଚାଲେଞ୍ଜର ସମ୍ମୁଖୀନ ହୋଇଛି ସେଥିରେ ଆଶଙ୍କା ସୃଷ୍ଟି ହୋଇଛି ଯେ ସଂକ୍ରମିତ ରୋଗର ଉପଯୁକ୍ତ ଚିକିତ୍ସା ହେବାର ଯୁଗ ବୋଧହୁଏ ସରିଗଲାଣି। କାରଣ ପେନ୍‌ସିଲିନ୍‌ଠାରୁ ଆରମ୍ଭ କରି ଅନେକ ଜୀବନ ରକ୍ଷାକାରୀ ଔଷଧ ସହ ଉଭୟ ଚିକିତ୍ସକ ଓ ସାଧାରଣ ଲୋକେ ଅଭ୍ୟସ୍ତ ହୋଇଆସିଛନ୍ତି। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହା ନୂଆ କଥା ନୁହେଁ। ଗତ କିଛିବର୍ଷ ଧରି ବୈଜ୍ଞାନିକମାନେ କହିଆସୁଥିଲେ ଯେ ଆବଶ୍ୟକ ପଦକ୍ଷେପ ଯଥାଶୀଘ୍ର ନିଆ ନ ଗଲେ ଜୀବନହାନିକାରୀ ସଂକ୍ରମଣ ମଣିଷ ପାଇଁ ପୁଣି ବଡ଼ ବିପଦ ଭାବେ ଦେଖାଦେବ, ଯାହାର ଚିକିତ୍ସା କରାଯାଇପାରିବ ନାହିଁ। ଆଣ୍ଟିବାୟୋଟିକ ଉଦ୍‌ଭାବନ ପରଠାରୁ ଯେଉଁ ଜୀବାଣୁ ବା ବ୍ୟାକ୍ଟେରିଆ ରୋଗର କାରଣ ହେଉଥିଲା ତାକୁ ମୁକାବିଲା କରିବାର ସାମର୍ଥ୍ୟ ଡାକ୍ତରମାନେ ହାସଲ କରିଥିଲେ। ୧୯୩୦-୪୦ ମସିହାରେ ଜଣାପଡ଼ିଲା ଯେ ବ୍ୟାକ୍ଟେରିଆଗୁଡ଼ିକ ମଧ୍ୟ ଔଷଧର ଜୀବାଣୁ ଧ୍ୱଂସକାରୀ ସାମର୍ଥ୍ୟକୁ ପ୍ରତିରୋଧ କରିପାରିବେ। ଚୋର ଓ ପୋଲିସ ମଧ୍ୟରେ ଛକାପଞ୍ଝା ପରି ବ୍ୟାକ୍ଟେରିଆ ଓ ଔଷଧ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦଶନ୍ଧି ଦଶନ୍ଧି ଧରି ଚାଲିଆସିଛି। ଗୋଟିଏ ନୂଆ ଔଷଧ କୌଣସି ବ୍ୟାକ୍ଟେରିଆକୁ ଜବତ କରିପାରିଲେ ପରବର୍ତ୍ତୀ ସମୟରେ ଜେନେଟିକ୍‌ ପରିବର୍ତ୍ତନ ଦ୍ୱାରା ବ୍ୟାକ୍ଟେରିଆ ନୂଆ ସଂକ୍ରମଣକାରୀ ଶକ୍ତି ହାସଲ କରିଆସିଛି। ଫଳରେ ପ୍ରଚଳିତ ଆଣ୍ଟିବାୟୋଟିକ ଔଷଧ ବିଫଳ ହେଉଛି।
ଗତ କେଇ ଦଶନ୍ଧି ମଧ୍ୟରେ ସମଗ୍ର ବିଶ୍ୱରେ ଡାକ୍ତରମାନେ ସାମ୍ନା କରୁଥିବା ଏହି ସମସ୍ୟାକୁ ସମ୍ପୃକ୍ତ ସମସ୍ତଙ୍କ ଦୃ୍‌ଷ୍ଟିକୁ ଆଣିବା ପରେ ଭୟ ସୃଷ୍ଟି ହୋଇଯାଇଛି ଯେ ଆଉ ଆଣ୍ଟିବାୟୋଟିକ ଔଷଧ ମୋଟେ କାମଦେବ ନାହିଁ। ଏ କ୍ଷେତ୍ରରେ ଉଭୟ ଡାକ୍ତର ଓ ସାଧାରଣ ଲୋକଙ୍କର ଦାୟିତ୍ୱ ରହିଛି। ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ ଔଷଧ ଖାଇବାକୁ ରୋଗୀଙ୍କୁ କହିବା ଅନୁଚିତ। ଯେଉଁ ସଂକ୍ରମଣ ଆଣ୍ଟିବାୟୋଟିକ ଦ୍ୱାରା ଭଲ ହେବନାହିଁ ତାକୁ ରୋଗୀ ଖାଇଲେ ସୁଫଳ ମିଳିବା ଦୂରେଥାଉ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। ବରଂ ସଂକ୍ରମଣ ରୋକିବା ଲାଗି କେତେକ ପ୍ରତିଷେଧମୂଳକ ବ୍ୟବସ୍ଥା ସଚେତନତା ଜରିଆରେ ପ୍ରବର୍ତ୍ତନ କରାଯାଇପାରିବ।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ, କଲେଜ, କଟକ,ମୋ:୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri