କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ ଭୋଇ (୪୨)। ମୂର୍ତ୍ତି ତିଆରି କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି। ୧୯୯୯ ମସିହାରୁ ପାଠପଢା ସରିବା ପରେ ଚାକିରି ପଛରେ ନ ଗୋଡାଇ ମୂର୍ତ୍ତି କାରିଗର କାମକୁ ବୃତ୍ତି ରୂପେ ଆପଣେଇଛନ୍ତି। ତାଙ୍କ ଦ୍ୱାରା ହାତ ତିଆରି ମାଟି ମୂର୍ତ୍ତି ଗୁଡ଼ିକ ବର୍ଷ ତମାମ ବିକ୍ରି ହୋଇଥାଏ। ବର୍ଷର ଗଣେଷ ପୂଜାଠୁ ଗଜଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଭଲ ଅର୍ଥ ରୋଜଗାର ହୋଇଥାଏ ବୋଲି କହିଛନ୍ତି ତିରନ ଭୋଇ।
ଚଳିତ ବର୍ଷ ଗଣେଶ ପୂଜା ପାଇଁ ବିଭିନ୍ନ ଗାଁରୁ ୫୦ଟି ଗଣେଶ ମୂର୍ତ୍ତି ତିଆରି ପାଇଁ ଅଗ୍ରୀମ ପାଇଛନ୍ତି। ପଥର କାରିଗରୀ ସାଙ୍ଗକୁ ମାଟିର ମୂର୍ତ୍ତି ଓ କାନ୍ଥ ଚିତ୍ର ଶିଳ୍ପୀ ଭାବେ ବେଶ ଜଣାଶୁଣା। ବର୍ଷକ ମଧ୍ୟରେ ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା, ଦୁର୍ଗା ପୂଜା ସମୟରେ ତାଙ୍କ ହାତ ତିଆରି ମୂର୍ତ୍ତିର ଚାହିଦା ରହିଥାଏ ଓ ଏଥିନିମନ୍ତେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ତାଙ୍କଠୁ ମୂର୍ତ୍ତି ତିଆରି ଶିଖିବା ପରେ ୯ଜଣ ଯୁବକ ରୋଜଗାରକ୍ଷମ ହୋଇ ସାରିଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily

