ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ସୋମବାର ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ବରଗଡ଼ ଅମ୍ବାପାଲି ଅଞ୍ଚଳର ଭାଗିରଥି ଭୋଇ (୬୮)।
ସୂଚନା ଅନୁଯାୟୀ, ଭାଗିରଥି ଗତ କିଛି ଦିନ ଧରି ପ୍ରବଳ ମୁଣ୍ଡ ବିନ୍ଧା, ଜ୍ବର ଓ ଆଖି ଦରଜ ସମସ୍ୟାରେ ପୀଡ଼ିତ ଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବରଗଡ଼ର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ସେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଥିଲା। ତେବେ ହସ୍ପିଟାଲ ଆଣିବାରେ ବିଳମ୍ବ ହୋଇଥିବାରୁ ଏବଂ ରୋଗଟି ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରଭାବିତ କରିସାରିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ସୂଚନା ଦେଇଥିବା ମୃତକଙ୍କ ପୁଅ ଅଶ୍ୱିନୀ ପ୍ରକାଶ କରିଛନ୍ତି।
ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡା. ପ୍ରଶାନ୍ତ କିଶୋର ଦାଶଙ୍କୁ ପଚାରିବାରୁ, ଏ ସଂକ୍ରାନ୍ତରେ ପ୍ରକୃତ ସରକାରୀ ତଥ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖକୁ ହସ୍ତଗତ ହୋଇନାହିଁ। ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ହିଁ ଆବଶ୍ୟକୀୟ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ସ୍କ୍ରବ୍ ଟାଇଫସ୍ରେ ବୃଦ୍ଧଙ୍କ ଜୀବନ ଯିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତଥା ସାରା ଜିଲାରେ ସାଧାରଣ ଯାତ୍ରୀ ଓ ଆଞ୍ଚଳିକ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଏବଂ ଆତଙ୍କ ଖେଳିଯାଇଛି।

