ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଜ୍ଞାନ ମହୋତ୍ସବ

ପ୍ରତିବର୍ଷ ଫେବୃଆରୀ ୨୮ ଭାରତରେ ବୈଜ୍ଞାନିକ, ବିଜ୍ଞାନ ଛାତ୍ରୀଛାତ୍ର ଓ ବିଜ୍ଞାନ ପ୍ରେମୀମାନଙ୍କ ପାଇଁ ଏକ ମହୋତ୍ସବ। ଏହି ଦିନ ଭାରତରେ ସାର୍‌ ସି ଭି ରମଣଙ୍କ ଦ୍ୱାରା ୧୯୨୮ରେ ରମଣ ପ୍ରଭାବ ଆବିଷ୍କାରକୁ ସମ୍ମାନ ଜଣାଇ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଏ। ଏହି ଆବିଷ୍କାର ପାଇଁ ସାର୍‌ ସି ଭି ରମଣଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ ସମ୍ମାନଜନକ ନୋବେଲ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ବିଜ୍ଞାନ ପାଇଁ ଏହି ପୁରସ୍କାରପ୍ରାପ୍ତ କରିବାରେ ସେ କେବଳ ପ୍ରଥମ ଭାରତୀୟ ନୁହନ୍ତି, ପ୍ରଥମ ଏସୀୟ ମଧ୍ୟ । ରମଣ ପ୍ରଭାବ ବା ରମଣ ବିଚ୍ଛୁରଣ ହେଉଛି ବସ୍ତୁ ଦ୍ୱାରା ଆଲୋକର ଅସ୍ଥାୟୀ ବିଚ୍ଛୁରଣ। ଅର୍ଥାତ୍‌ ଯେତେବେଳେ ଆଲୋକ କୌଣସି ସ୍ବଚ୍ଛ ପଦାର୍ଥ ମଧ୍ୟରେ ଗତିକରେ ଅଧିକାଂଶ ରଶ୍ମି ସମାନ ଦିଗରେ ଗତିଶୀଳ ହୁଏ କିନ୍ତୁ ଏହି ଆଲୋକର ଅତି କ୍ଷୁଦ୍ର ଅଂଶର ଉଭୟ ଶକ୍ତି ଏବଂ ଦିଗରେ ପରିବର୍ତ୍ତନ ହୋଇଥାଏ। ଏହି ରମଣ ପ୍ରଭାବର ବିଭିନ୍ନ କ୍ଷେତ୍ରରେ ବ୍ୟବହାରିକ ପ୍ରୟୋଗ ବହୁଳ।
ଯଥା କର୍କଟ ଭଳି ରୋଗ ଚିହ୍ନଟ କରିବା, ଆଙ୍ଗୁଠି ଛାପ ଏବଂ ଅପରାଧ ପ୍ରମାଣ ଯାଞ୍ଚ କରିବା, ଗ୍ରହ ଏବଂ ତାରା ଅଧ୍ୟୟନ କରିବା ତଥା ଅଜ୍ଞାତ ବସ୍ତୁର ଆଣବିକ ସଂରଚନା ନିର୍ଦ୍ଧାରଣ କରିବା ଆଦିରେ ସାହାଯ୍ୟ କରେ।
ସାର୍‌ ସି ଭି ରମଣଙ୍କ ଏହି ଯୁଗାନ୍ତକାରୀ ଆବିଷ୍କାରକୁ ସ୍ବୀକୃତି ଦେବା ଏବଂ ଯୁବ ମନକୁ ଗବେଷଣା ଏବଂ ନବସୃଜନ ପ୍ରତି ପ୍ରେରଣା ଦେବା ପାଇଁ ଭାରତ ସରକାର ଫେବୃଆରୀ ୨୮କୁ ଜାତୀୟ ବିଜ୍ଞାନ ଦିବସ ରୂପେ ପାଳନ କରିବା ପାଇଁ ସ୍ଥିର କରିଛନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ପରାଧୀନ ଭାରତରେ ସମସ୍ତ ନକାରାତ୍ମକ ତଥା ପ୍ରତିକୂଳ ପରିସ୍ଥିତି ଓ ଘାତ ପ୍ରତିଘାତ ମଧ୍ୟରେ ସାର୍‌ ସି ଭି ରମଣ ଏହି ଅସାଧ୍ୟ କୃତିତ୍ୱ ଅର୍ଜନ କରିଥିଲେ ମଧ୍ୟ ସ୍ବାଧୀନତାର ୭୮ ବର୍ଷ ମଧ୍ୟରେ ସମସ୍ତ ଅନୁକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଭୂଖଣ୍ଡରୁ ବିଜ୍ଞାନରେ ଜଣେ ହେଲେ ନୋବେଲ ବିଜେତା ସୃଷ୍ଟି କରିପାରି ନାହିଁ। ଯଦିଓ ସ୍ବାଧୀନତା ପରେ ହର ଗୋବିନ୍ଦ ଖୁରାନା (ମେଡିସିନ, ୧୯୬୮), ସୁବ୍ରମଣ୍ୟନ ଚନ୍ଦ୍ରଶେଖର (ଭୌତିକ ବିଜ୍ଞାନ, ୧୯୮୩) ଏବଂ ଭେଙ୍କଟରାମନ ରାମକୃଷ୍ଣନ (ରସାୟନ ବିଜ୍ଞାନ, ୨୦୦୯) ପରି ଭାରତୀୟ ଜନ୍ମିତ ବୈଜ୍ଞାନିକମାନେ ନୋବେଲ ପୁରସ୍କାର ପାଇଛନ୍ତି କିନ୍ତୁ ସେମାନେ ବିଦେଶୀ ପ୍ରତିଷ୍ଠାନରେ କାର୍ଯ୍ୟ କରି ଓ ବିଦେଶୀ ନାଗରିକ ଭାବରେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଏଥିରୁ ପ୍ରତୀତ ହୁଏ ଯେ ଭାରତୀୟଙ୍କର ଧୀଶକ୍ତି, ପ୍ରତିଭା ତଥା ପ୍ରଜ୍ଞାର କୌଣସି ଅଭାବ ନାହିଁ। ଏଣୁ ସମସ୍ତଙ୍କ ମନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ସ୍ବାଧୀନତା ପରେ ଭାରତୀୟ ପ୍ରତିଷ୍ଠାନରେ କାମ କରିବା ସମୟରେ ଭାରତ କାହିଁକି ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ସୃଷ୍ଟି କରିନାହିଁ?
ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (IISc), ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (IIT),ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ISRO), ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂସ୍ଥାନ (DRDO) ଏବଂ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (CSIR) ଭଳି ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ତଥା ଅନେକ ବିଶ୍ୱବିଦ୍ୟାଳୟ ଥିବା ସତ୍ତ୍ୱେ, ଭାରତ ଏବେ ବି ଅନେକ ସମସ୍ୟା ଯୋଗୁ ବୈଜ୍ଞାନିକ ଗବେଷଣାରେ ସଂଘର୍ଷ କରୁଛି। ମୋ ମତରେ ନିମ୍ନଲିଖିତ ସମସ୍ୟାଗୁଡିକ ଏହାର ପ୍ରମୁଖ କାରଣ । ଭାରତ ଏହାର ମୋଟ ଘରୋଇ ଉତ୍ପାଦର ୧%ରୁ କମ୍‌ ଗବେଷଣା ପାଇଁ ଖର୍ଚ୍ଚ କରେ, ଯାହା ଆମେରିକା, ବିକଶିତ ୟୁରୋପୀୟ ଦେଶ ଏବଂ ଚାଇନା ପରି ଦେଶ ତୁଳନାରେ ବହୁତ କମ୍‌। ଅନେକ ପ୍ରତିଭାବାନ ବୈଜ୍ଞାନିକ ଭଲ ସୁଯୋଗ, ଅଧିକ ଦରମା ଏବଂ ଉନ୍ନତ ଗବେଷଣା ସୁବିଧା ପାଇଁ ବିଦେଶକୁ ଚାଲିଯାଆନ୍ତି। ଭାରତରେ ବୈଜ୍ଞାନିକ ଗବେଷଣାର ପ୍ରଗତିରେ ଅମଲାତନ୍ତ୍ରୀ ମାନସିକତା ଏବଂ ଅମଲାତନ୍ତ୍ରର ହସ୍ତକ୍ଷେପ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ମଧ୍ୟରୁ ଗୋଟିଏ। ଅମଲାତନ୍ତ୍ରୀ ମାନସିକତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ଗବେଷଣା ଅନୁମୋଦନ ଏବଂ ଅନୁଦାନ ବଣ୍ଟନରେ ବହୁତ ସମୟ ଲାଗେ। ମୌଳିକ ଗବେଷଣା ପାଇଁ ନିଷ୍ଠା, ସଚ୍ଚୋଟତା, କଠିନ ପରିଶ୍ରମ ଓ ଅସୀମ ଧୈର୍ଯ୍ୟର ଆବଶ୍ୟକତା ଥିବା ବେଳେ, ପ୍ରିୟାପ୍ରୀତିବାଦ, ଯୋଗ୍ୟତାଭିତ୍ତିକ ପଦୋନ୍ନତିର ଅଭାବ ଏବଂ ଆଭ୍ୟନ୍ତରୀଣ ରାଜନୀତି ପ୍ରାୟତଃ ଯୁବ ବୈଜ୍ଞାନିକମାନଙ୍କୁ ଭାରତରେ ମୌଳିକ ଗବେଷଣା କରିବାକୁ ନିରୁତ୍ସାହିତ କରେ। କଠୋର ପ୍ରଶାସନିକ ନିୟମ ଯୋଗୁ ଅନେକ ଯୋଗ୍ୟ ଗବେଷକ ସ୍ବୀକୃତି ପାଇଁ ସଂଘର୍ଷ କରନ୍ତି। ସେଥିପାଇଁ ସେମାନେ ସହଜ ପଥ ଅବଲମ୍ବନ କରି ଗୁଣାତ୍ମକ ଗବେଷଣା ବଦଳରେ ପରିମାଣାତ୍ମକ ଗବେଷଣାରେ ଧ୍ୟାନକେନ୍ଦ୍ରିତ କରନ୍ତି। ଏଥିପାଇଁ ଅନେକ ଭାରତୀୟ ଗବେଷକ ସାହସିକ, ଅଭିନବ ପଦକ୍ଷେପ ନେବା ପରିବର୍ତ୍ତେ ଅନୁଦାନ ସୁରକ୍ଷିତ କରିବା ପାଇଁ ସୁରକ୍ଷିତ ବିଷୟଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତି। ବିଫଳତାର ଭୟ ଏବଂ ଆନ୍ତଃଶାଖାଗତ ସହଯୋଗର ଅଭାବ ଯୁଗାନ୍ତକାରୀ ଆବିଷ୍କାରଗୁଡ଼ିକୁ ବାଧା ଦିଏ। ପାଶ୍ଚାତ୍ୟ ଦେଶଗୁଡିକରେ ଶିଳ୍ପଗୁଡ଼ିକ ସକ୍ରିୟ ଭାବରେ ଗବେଷଣାକୁ ପାଣ୍ଠି ଯୋଗାଇଥାନ୍ତି କିନ୍ତୁ ଭାରତରେ ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସୀମିତ ସହଯୋଗ ରହିଛି, ଯାହା ପ୍ରାୟୋଗିକ ଗବେଷଣା ଏବଂ ନବସୃଜନ ପାଇଁ ସୁଯୋଗକୁ ହ୍ରାସ କରୁଛି। ତେଣୁ ସରକାର ଓ ବୁଦ୍ଧିଜୀବୀମାନଙ୍କୁ ପୁଣି ଥରେ ଉପରୋକ୍ତ ଆହ୍ବାନଗୁଡ଼ିକର ବାଟ ବାହାର କରିବା ପାଇଁ ଗଭୀର ଚିନ୍ତନର ସମୟ ଉପନୀତ।
ସରକାର ଗବେଷଣା ଏବଂ ବିକାଶ ବଜେଟକୁ ମୋଟ ଘରୋଇ ଉତ୍ପାଦର ଅତି କମ୍‌ରେ ୨% ପର୍ଯ୍ୟନ୍ତ ବୃଦ୍ଧି କରିବା ଉଚିତ ଓ ଗବେଷକମାନଙ୍କୁ ଆଧୁନିକ ପ୍ରୟୋଗଶାଳା, ଉନ୍ନତ ଉପକରଣ ଏବଂ ସମ୍ବଳଗୁଡ଼ିକର ସହଜ ଉପଲବ୍ଧ ସୁନିଶ୍ଚିତ କରାଯିବା ଉଚିତ। ସରକାରଙ୍କ ନୀତିରେ ପରିବର୍ତ୍ତନ ଆଣି ବୈଜ୍ଞାନିକମାନଙ୍କୁ ନୂତନ, ଅଣପାରମ୍ପରିକ ଚିନ୍ତାଧାରା ଅନୁସନ୍ଧାନ କରିବାକୁ ଉତ୍ସାହିତ କରିବା ସହିତ ପ୍ରତିଯୋଗିତାମୂଳକ ଦରମା, ଗବେଷଣା ସ୍ବାଧୀନତା ଏବଂ ସ୍ବୀକୃତି ପ୍ରଦାନ କରିବା ଦ୍ୱାରା ପ୍ରତିଭା ନିଷ୍କାସନକୁ ରୋକିବାରେ ସଫଳତା ମିଳିପାରିବ। ତେବେ ଭାରତ ସରକାର ଗବେଷଣାକୁ ବିଶ୍ୱସ୍ତରୀୟ କରିବା ଓ ଯୁବ ବୈଜ୍ଞାନିକମାନଙ୍କୁ ଗବେଷଣା ପାଇଁ ଆକୃଷ୍ଟ କରିବା ଲାଗି ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ଭାରତରେ ପ୍ରଚୁର ବୈଜ୍ଞାନିକ ସମ୍ଭାବନା ରହିଛି କିନ୍ତୁ ଯୁଗାନ୍ତକାରୀ ଆବିଷ୍କାର ସୃଷ୍ଟି କରିବା ପାଇଁ ପାଣ୍ଠି, ଅମଲାତନ୍ତ୍ର, ପ୍ରତିଭା ନିଷ୍କାସନ ଏବଂ ଗବେଷଣା ରାଜନୀତି ଭଳି ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ପଡିବ। ଏହି ଜାତୀୟ ବିଜ୍ଞାନ ଦିବସ ଅବସରରେ ଭାରତ ଆଗାମୀ ଦଶନ୍ଧିରେ ଜ୍ଞାନ – ବିଜ୍ଞାନରେ ପୁନଶ୍ଚ ବିଶ୍ୱଗୁରୁ ଆସନ ଅଳଙ୍କୃତ କରିବ ବୋଲି ଆଶା କରିବା।

ଡ.ଦେବାଶିଷ ମହାନ୍ତି
ବରିଷ୍ଠ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ
ସ୍ନାତକୋତ୍ତର ରସାୟନ ବିଜ୍ଞାନ ବିଭାଗ, ଢେଙ୍କାନାଳସ୍ବୟଂ ଶାସିତ ମହାବିଦ୍ୟାଳୟ
ମୋ:୯୮୬୧୩୯୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?