କଟକ ସଦର,୨୭।୧୦(ସୁଶାନ୍ତ କୁମାର ଜେନା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଟକ ଜିଲାରେ ମଙ୍ଗଳବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ ନ ଥିବାରୁ ଛାତ୍ରୀଛାତ୍ରମାନେ ଓଦା ହୋଇ ସ୍କୁଲକୁ ଯାଉଥିବା ଦେଖିବାକୁ ମିଳିଛି। ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ବାତ୍ୟାକୁ ଦୃଷ୍ଟିରେ ରଖି ପଡ଼ୋଶୀ ଜଗତସିଂହପୁର ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ହେଲେ କଟକ ଜିଲାରେ ଛୁଟି ଘୋଷଣା ହୋଇ ନ ଥିବାରୁ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି।
ଏପରିକି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ ନିକଟରେ ଛୁଟି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ଉପସ୍ଥାପନ କରାଯାଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷେ ସ୍କୁଲ ଛୁଟି ହେଲେ ମଧ୍ୟ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କୁ ଅଫିସରେ ଉପସ୍ଥିତ ରହିବାକୁ ପଡିବ ବୋଲି ଶିକ୍ଷକମାନେ ପ୍ରକାଶ କରିଛନ୍ତି।

