ଛତ୍ରପୁର,୨୬।୧୦(ଦିଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ): ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ପୌରାଞ୍ଚଳରେ ସୋମବାରଠାରୁ ‘ଡୋର୍-ଟୁ-ଡୋର୍ ସର୍ଭେ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗେଦଲ ନାଇଡୁପାଲମ ଗ୍ରାମରୁ ଏହି ସର୍ଭେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ଏହି ଅବସରରେ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଏବଂ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଉପସ୍ଥିତ ରହି ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଉପଜିଲାପାଳ ଘରକୁ ଘର ଯାଇ ଘରଗୁଡ଼ିକରେ ସିରିଆଲ ନମ୍ବର ପକାଇବା ସହ ଲୋକଙ୍କ ସହିତ ଆଲୋଚନା କରି ସର୍ଭେର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇଥିଲେ।
ସର୍ଭେ ମାଧ୍ୟମରେ ଗୋଟିଏ ବୁଥ ଓ ୱାର୍ଡ ଘରର ସମସ୍ତ ସଦସ୍ୟଙ୍କ ନାମ ରହିବ । ଏଥିସହ ଭୋଟର ତାଲିକାକୁ ନିଭୁଲ ଏବଂ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ ଭୋଟରଙ୍କ ନାମ ବାଦ ଦେବା ସହ ଭୋଟର ତାଲିକାରେ ଥିବା ତ୍ରୁଟିର ସଂଶୋଧନ କରାଯିବ।
ସର୍ଭେ କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ କରିବା ପାଇଁ ସୁପରଭାଇଜର ମନୋଜ ତ୍ରିପାଠୀ, ପ୍ରହ୍ଲାଦ ଦାସ, ନିର୍ମଳ ଗୌଡ଼, ବିଏଲ୍ଓ କେ. ଲକ୍ଷ୍ମୀ, ସୁନିତା ବେହେରା, ଏସ୍ଆର୍ଏ ଛବିରାଣୀ ସେଠୀ, ପଏମ୍ପି ମହାପାତ୍ର ପ୍ରମୁଖ ସାମିଲ ଥିଲେ।

