Posted inଫୁରସତ

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ, ରାଜ୍ୟସ୍ତରୀୟ, ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବହୁ ଲୋକପ୍ରିୟ ଖବରକାଗଜ ରହିଛି। ଦୈନନ୍ଦିନ ସମାଜରେ ଘଟୁଥିବା ନାନା ସମସ୍ୟା, ତା’ର ସମାଧାନ ପାଇଁ ଘଟଣାଟି ଖବରରୂପେ ଜନତାଙ୍କ ସ୍ବର ହୋଇ ଶାସକ ଓ ପ୍ରଶାସକଙ୍କ ନିକଟରେ ପହଞ୍ଚିଥାଏ। ଅନ୍ୟପକ୍ଷେ ସାଧାରଣ ଲୋକଙ୍କୁ ସରକାରୀ ବେସରକାରୀ ଆଦି ଘଟଣା ସମ୍ପର୍କରେ ସୂଚନା ବି ଦେଇଥାଏ। କିନ୍ତୁ ଛପା ଖବରକାଗଜ ବ୍ୟତୀତ କେତେକ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଅଲେଖା କାଗଜରେ ବିଭିନ୍ନ ଘଟଣାକୁ ଖବର ରୂପେ ପରିବେଷଣକରି ଜନସଚେତନତା କରୁଥିବାର ନଜିର ରହିଛି। ସ୍ଥାନୀୟ ଖବରଠୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ଘଟଣାର ବିଭିନ୍ନ ଖବରକୁ ସ୍କେଚ୍‌ ବା ମାର୍କର୍‌ରେ ଲେଖି ଜଣେ ଯୁବକ ଜନସଚେତନତା କରୁଛନ୍ତି। ସେପୁଣି ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ୨୦ବର୍ଷଧରି ଜାରି ରଖିଛନ୍ତି ଏହି ଖବର ପରିବେଷଣ। ପେସା ଚା’ ବିକ୍ରି କରିବା ମାତ୍ର ନିଶା ତାଙ୍କର ଲୋକଙ୍କ ପାଇଁ ହ୍ବାଇଟ ବୋର୍ଡରେ ବିଭିନ୍ନ ଖବର ଲେଖିବା। ସେ ହେଲେ କନ୍ଧମାଳ ଜିଲା ଫିରିଙ୍ଗିଆ କାଳୀ ପୂଜା ସାହିର ଦମୟନ୍ତୀ ଚର୍ଚ୍ଚି ଏବଂ ଦୁର୍ଯ୍ୟୋଧନ ଚର୍ଚ୍ଚିଙ୍କର ଏକମାତ୍ର ପୁଅ ସରୋଜ ଚର୍ଚ୍ଚି। ସେ କୁହନ୍ତି, ‘ମୁଁ ଯେତେବେଳେ ୮ବର୍ଷର ହୋଇଥିଲି ସେହି ସମୟରେ ମୋ’ ବାପାଙ୍କ ମୃତ୍ୟୁ ହେଲା। ସେହି କଅଁଳ ବୟସରେ ସ୍କୁଲ ଯିବା ସହିତ ବଳକା ସମୟରେ ଗାଁର କେତେକ ଲୋକଙ୍କ ଘରେ ପିଇବାପାଣି ଦେଇ ସେଥିରୁ ଯାହା ପାରିଶ୍ରମିକ ଭାବେ ମିଳୁଥିଲା ସେଥିରେ ପରିବାର ଭାରି କଷ୍ଟରେ ଚଳୁଥିଲା। ପିଲାଦିନେ କେତେବେଳେ ଗାଁର ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରି ତ କେବେ ଫୁଟବଲ, କ୍ରିକେଟ ମ୍ୟାଚ୍‌ର ଧାରାବିବରଣୀ ଦେଇ ଦର୍ଶକମାନଙ୍କଠାରୁ ବହୁ ପ୍ରଶଂସା ପାଉଥିଲି। କେହି କେହି ମତେ କିଛି ଟଙ୍କା ପୁରସ୍କାର ଭାବେ ଦେଉଥିଲେ।

ସେତେବେଳେ ୯ମ ରେ ପଢ଼ୁଥାଏ। କିନ୍ତୁ ନୃତ୍ୟ, ଖେଳ, ଧାରାବିବରଣୀ ଆଦି ଅଭ୍ୟାସ ଜାରି ରହିଥାଏ । ସମୟ କ୍ରମେ ପରିବାର ଚଳେଇବା ପାଇଁ ଫିରିଙ୍ଗିଆ ବଜାରରେ କୁଇସମାଜ କମ୍ପ୍ଲେକ୍ସର ଏକ ଘର ଭଡ଼ା ନେଇ ସେଠାରେ ଏକ ଚା’ ଦୋକାନ ଦେଲି। ୨୦୦୩ ମସିହାର କଥା, ବିଶ୍ୱକପ କ୍ରିକେଟ ଖବରକୁ ପଡ଼ୋଶୀ ଘରର ଲୋକଙ୍କ ଟିଭି ଓ ରେଡିଓରୁ ଶୁଣି ମୋ ଦୋକାନ ସମ୍ମୁଖରେ ଥିବା ଏକ ହ୍ବାଇଟ ବୋର୍ଡରେ ପ୍ରଥମେ ସେହି ଖେଳ ଖବରକୁ ଲେଖିଥିଲି। କିଛି ଦିନଧରି ଖେଳର ଫଳାଫଳ ଖବରକୁ ଲେଖିଲି। ଏଠାକୁ ଚା’ ପିଇବାକୁ ଆସୁଥିବା ଲୋକମାନେ, ଚା’ ପିଇବା ସହିତ ଖେଳ ଖବରକୁ ଜାଣିପାରି ଆଲୋଚନା କରୁଥିବାରୁ ମତେ ଖୁସୀ ଲାଗୁଥିଲା। ସେବେଠାରୁ ପ୍ରତିଦିନ ସକାଳୁ ସକାଳୁ ଦୋକାନ ଖୋଲିବା ପୂର୍ବରୁ ହ୍ବାଇଟ ବୋର୍ଡରେ ବିଭିନ୍ନ ଖବର ଲେଖିବା ମୋର ସଉକ ହୋଇଗଲା। ଫଳରେ ପ୍ରତିଦିନ କେତେଜଣ ଲୋକଙ୍କର ଏଠାରେ ଖବର ପଢ଼ିବାକୁ ଆସିବା ଏକ ପ୍ରକାର ଅଭ୍ୟାସ ହୋଇଗଲା। ଏହି ହ୍ବାଇଟ୍‌ ବୋର୍ଡରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଘଟଣାର ଶିରୋନାମାକୁ ଲେଖିବା ସହିତ କେତେକ ନିତ୍ୟ ବ୍ୟବହାର ଖାଦ୍ୟପଦାର୍ଥ ସାମଗ୍ରୀର ଦରଦାମ ଲେଖୁଥିଲି ଏବଂ କାହାର କିଛି ଆବଶ୍ୟକ ପଡ଼ୁଥିବା ସୂଚନାକୁ ମଧ୍ୟ ଲେଖିଲି। ସେହିପରି ସେତେବେଳେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ମୃତ୍ୟୁ ଘଟଣା ଯୋଗୁ କନ୍ଧମାଳରେ ଦଙ୍ଗା ଉପୁଜିଥାଏ। । ସେହି ସମୟରେ ମୋ ଦୋକାନ ସମ୍ମୁଖରୁ କୌଣସି ବ୍ୟକ୍ତିଙ୍କର ଏକ ସୁନାମୁଦିଟିଏ ପାଇଥିଲି। ପରେ ଏହି ହ୍ବାଇଟ୍‌ ବୋର୍ଡରେ ସୁନାମୁଦିଟିଏ ମିଳିଛି ବୋଲି ଏକ ଖବର ଲେଖିଥିଲି। ଏଠାକୁ ଚା’ ପିଇବାକୁ ଆସିଥିବା ଜଣେ ଯବାନ ସେହି ବୋର୍ଡରେ ଲେଖାଥିବା ଏହି ସୁନାମୁଦି ଖବରକୁ ପଢ଼ି ତାହା ତାଙ୍କର ସୁନାମୁଦି ବୋଲି କହିଥିଲେ। ଏହାପରେ ଦୁଇଜଣ ବ୍ୟକ୍ତିଙ୍କୁ ସାକ୍ଷୀ ରଖି ସେହି ବ୍ୟକ୍ତିଙ୍କୁ ସେଦିନ ପାଇଥିବା ସୁନାମୁଦିଟିକୁ ଫେରାଇଥିଲି। ଏହି କାର୍ଯ୍ୟ ପାଇଁ ମତେ ଅନେକ ବ୍ୟକ୍ତି ବହୁ ପ୍ରଶଂସା କରିଥିଲେ।

ଲୋକଙ୍କ ଉତ୍ସାହ ପାଇଁ ମୋର ଖବର ଲେଖିବା ଜାରି ରହିଲା। ସକାଳ ପ୍ରାୟ ୭ଟାରୁ ରାତି ୯ଟା ଯାଏ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଖବରକୁ ସେହି ବୋର୍ଡରେ ଲେଖିଥାଏ, ପୁଣି ନୂଆ ଖବର ଟିଏ ଆସିଲେ ଅନ୍ୟପୁରୁଣା ଖବରକୁ ଲିଭାଇ ଦେଇଥାଏ। ଏମିତି ଚା’ ବେପାର ସହିତ ଖବର ଲେଖି ଜନସଚେତନା କରି ଆସୁଛି। ପ୍ରଥମେ ବିଭିନ୍ନ ଖବରକୁ ନିଜେ ଜାଣିବା ସହିତ ଅନ୍ୟମାନଙ୍କୁ ଖବର ସମ୍ପର୍କରେ ଅବଗତ କରାଇଥାଏ। ଏଥିରେ ମତେ ମାନସିକ ଶାନ୍ତି ସହିତ ଲୋକଙ୍କ ଶ୍ରଦ୍ଧା ମିଳୁଛି। ଯାହା ମତେ ଏକ ଭିନ୍ନ ପରିଚୟ ବି ଦେଇଛି।
– ବନବିହାରୀ, ବିକ୍ରମ ଦିଗାଲ


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

୭୬ ବର୍ଷରେ ବି ଫିଟ୍‌ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା…

ନୂଆଦିଲ୍ଲୀ,୧୭ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ। ଆଜି ତାଙ୍କ ଜନ୍ମଦିନରେ ସାରା ଦେଶରେ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ…

ନନ୍ଦୀ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିଲା ମାଙ୍କଡ଼, ତା’ ପରେ ଯାହା କଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ସାମ୍ନାକୁ ଆସୁଛି। ଏଥିମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେଉଥିବାବେଳେ ଆଉ କିଛି ଭିଡିଓ ହୃଦୟସ୍ପର୍ଶୀ। ଏବେ ଏମିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?