ଜୟପୁର, ୧୨।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସରକାରଙ୍କ ଉପରେ ସଙ୍କଟ ମାଡ଼ିଆସୁଛି। ସଚିନ ପାଇଲଟ ଏବେ ରାଜ୍ୟର ପାଇଲଟ ସାଜିବାକୁ ଇଛା କରିଛନ୍ତି। ତେବେ ଶାସନ ଡୋର ଧରିବା ଲାଗି ୧୦୧ ଜଣ ସଦସ୍ୟଙ୍କ ବହୁମତର ଆବଶ୍ୟକତା ରହିଛି। ରାଜ୍ୟରେ ମୋଟ ବିଧାୟକଙ୍କ ସଂଖ୍ୟା ୨୦୦। ସେଥିମଧ୍ୟରୁ ଶାସକ କଂଗ୍ରେସ ପାଖରେ ୧୦୭ ସଦସ୍ୟଙ୍କ ସମର୍ଥନ ରହିଛି। ଭାଜପା ପାଖରେ ୭୨ ସଦସ୍ୟ ଥିବାବେଳେ ଏହାର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି(ଆର୍ଏଲ୍ପି) ପାଖରେ ୩ ଜଣ ବିଧାୟକ ରହିଛନ୍ତି। ସେହିପରି ଅନ୍ୟ ୧୮ ସଦସ୍ୟଙ୍କ ମଧ୍ୟରେ ୧୩ ଜଣ ନିର୍ଦ୍ଦଳୀୟ, ବିପିଟିର ୨, ସିପିଏମ୍ର ୨ ଏବଂ ରାଷ୍ଟ୍ରୀୟ ଲୋକ ଦଳ(ଆର୍ଏଲ୍ଡି)ର ଜଣେ ବିଧାୟକ ରହିଛନ୍ତି। ଶାସକ କଂଗ୍ରେସକୁ ନିର୍ଦ୍ଦଳୀୟ ଏବଂ ଆର୍ଏଲ୍ଡ ବିଧାୟକଙ୍କର ସମର୍ଥନ ରହିଛି। ଫଳରେ କଂଗ୍ରେସର ସଦସ୍ୟ ସଂଖ୍ୟା ୧୨୫ ରହିଛି। ଏପରିସ୍ଥଳେ ଭାଜପା ଯଦି ଶାସକ ଦଳରେ ଫାଟ ସୃଷ୍ଟି କରି ରାଜ୍ୟରେ କ୍ଷମତା ଦଖଲ କରିବାକୁ ଯୋଜନା କରେ ତେବେ କର୍ନାଟକ ଏବଂ ମଧ୍ୟପ୍ରଦେଶରେ ହୋଇଥିବା ଅପରେଶନ୍ ଲୋଟସ୍ ଭଳି ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।