ରୁଷିଆ ବିଦ୍ରୋହୀ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ୪ ମାସ ପୂରିଛି। ୨୪ ଜୁନ୍‌ ୨୦୨୩ର ବିଶେଷତ୍ୱ ୟୁକ୍ରେନ୍‌ର କେତେ ଅଞ୍ଚଳ ରୁଷିଆ ଦଖଲ କରିଛି ସେହି ବିଷୟରେ ଆଲୋଚନା ହେଉନାହିଁ; ବରଂ ରୁଷିଆ ବିଦ୍ରୋହୀ ନିଜ ରାଷ୍ଟ୍ରର ଏକ ଇଲାକାକୁ ମାଡ଼ିବସିବା ହେଉଛି ତଟକା ଖବର। ଦକ୍ଷିଣ ରୁଷିଆର ରୋସ୍ତୋଭ-ଅନ୍‌-ଡନ୍‌ର ସହରକୁ ବିଦ୍ରୋହୀ ନିଜ କବ୍‌ଜାକୁ ନେଇଯିବା ପରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଓ ତାଙ୍କ ଶାସନ ବ୍ୟବସ୍ଥାର ଏକାଧିକ ବରିଷ୍ଠଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଯାଇଛି। କ’ଣ ଏମିତି ହେଲା ଯେ ଦେଶ ଭିତରୁ ବିଦ୍ରୋହ ଆରମ୍ଭ ହୋଇଗଲା ଜାଣିବା ପାଇଁ ବିଶ୍ୱବ୍ୟାପୀ ଆଗ୍ରହୀଙ୍କ ଉତ୍ସୁକତା ବଢ଼ିଯାଇଛି। ଏସବୁ ପଛରେ ଥିବା ବ୍ୟକ୍ତି ନିଶ୍ଚିତ ଭାବେ ଜଣେ ଶକ୍ତିଶାଳୀ ହୋଇଥିବେ ବୋଲି ଯେକେହି ଅନୁମାନ ଲଗାଇବା ସ୍ବାଭାବିକ। କାରଣ ପୁଟିନଙ୍କ ସାମ୍ରାଜ୍ୟରେ ଦ୍ୱିତୀୟ ବ୍ୟକ୍ତିଙ୍କ ପ୍ରଭାବକୁ କଦାପି ସହ୍ୟ କରାଯିବାର ନୁହେଁ। କିନ୍ତୁ ସମସ୍ତଙ୍କୁ ଚକିତ କରିବା ଭଳି ସେହି ବ୍ୟକ୍ତି ଜଣକ ହେଉଛନ୍ତି- ‘ପୁଟିନ୍‌ସ ଶେଫ୍‌’। ଏଭଳି ନିକ୍‌ ନେମ୍‌ ବହନକାରୀଙ୍କ ପ୍ରକୃତ ନାମ ହେଉଛି ୟେଭ୍‌ଗେନି ପ୍ରିଗୋଝିନ୍‌। ଏକଦା ପୁଟିନଙ୍କ ଅତି ଘନିଷ୍ଠ ଥିବା ୟେଭ୍‌ଗେନିଙ୍କ କ୍ରୋଧର ଏକନମ୍ବର ଓ ଦୁଇ ନମ୍ବର ଶତ୍ରୁ ପାଲଟିଯାଇଛନ୍ତି ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ଚିପ୍‌ ଅଫ୍‌ ଜେନେରାଲ ଷ୍ଟାଫ୍‌ ଭାଲେରି ଗେରାସିମୋଭ୍‌। ୟେଭ୍‌ଗେନିଙ୍କ ଦ୍ୱାରା ଗଠିତ ଘରୋଇ ସଶସ୍ତ୍ର ସେନା ‘ଓ୍ବାଗନର ଗ୍ରୁପ୍‌’ ପୁଟିନ୍‌ଙ୍କ ପାଇଁ କାର୍ଯ୍ୟ କରି ବାହାବା ସାଉଁଟିବା ପରେ ସରକାରୀ ସେନା ତାଙ୍କ ବଇରି ସାଜିବାକୁ ଲାଗିଲେ। ଓ୍ବାଗନର ଗ୍ରୁପ୍‌କୁ ଦେଶଦ୍ରୋହୀ ଦର୍ଶାଇବା ପାଇଁ ଶୋଇଗୁ ଓ ଗେରାସିମୋଭଙ୍କ ଉଦ୍ୟମ ୟେଭ୍‌ଗେନିଙ୍କୁ କ୍ରୋଧାନ୍ବିତ କଲା। ଫଳରେ ଏହି ଘରୋଇ ଦୁର୍ଦ୍ଧର୍ଷ ବାହିନୀ ଏବେ ରୁଷିଆ ସାମରିକ ବାହିନୀକୁ ଧ୍ୱଂସ କରିବାକୁ ପଣ କରିଥିବାରୁ ସେଠାରେ ଗୃହଯୁଦ୍ଧ ଆଶଙ୍କା ସ୍ପଷ୍ଟ ଦିଶିଲାଣି ବୋଲି ବିଶେଷଜ୍ଞମାନେ ଆକଳନ କଲେଣି। ତେବେ ଯେଉଁ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ରୁଷିଆରେ ଅଚାନକ ଅରାଜକତା ସୃଷ୍ଟି ହୋଇଛି, ସେହି ୟେଭ୍‌ଗେନି କେଉଁଭଳି ଭାବେ ରୁଷିଆର ହିରୋ ପାଲଟିଯାଇଛନ୍ତି ଓ ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ କେଉଁ ଦିଗକୁ ଅଧିକ ନିର୍ଦ୍ଦେଶିତ, ତାହା ଏବେ ଚର୍ଚ୍ଚାର ବିଷୟ । ‘ହିରୋ ଅଫ୍‌ ଦି ରଷିଆନ୍‌ ଫେଡେରେଶନ ଇନ୍‌ ୨୦୨୨’ ଟାଇଟେଲ୍‌ଧାରୀ ୟେଭ୍‌ଗେନିଙ୍କୁ ଅର୍ଗାନାଇଜ୍‌ଡ କ୍ରାଇମ୍‌ ଆଣ୍ଡ୍‌ କରପ୍‌ଶନ ରିପୋର୍ଟିଂ ପ୍ରୋଜେକ୍ଟ ସେହି ବର୍ଷ ମଧ୍ୟ ‘କରପ୍ଟ ପର୍ସନ ଅଫ୍‌ ଦି ଇୟର’ ଭାବେ ତାଙ୍କୁ ଅଭିହିତ କରିଥିଲା। ଏଭଳି ଜଣେ ମିଶ୍ରିତ ବ୍ୟକ୍ତିତ୍ୱ ଇତିହାସରେ ଜବରଦସ୍ତ ନାମ ପଞ୍ଜୀକୃତ କରିନେଲେ ବୋଲି କୁହାଯାଇପାରେ।
୧ ଜୁନ୍‌ ୧୯୬୧ରେ ରୁଷିଆର ଲେଲିନ୍‌ଗ୍ରାଡ୍‌ (ବର୍ତ୍ତମାନ ସେଣ୍ଟ ପିଟର୍ସବର୍ଗ)ରେ ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ଜନ୍ମ। ତାଙ୍କ ପିଲାଦିନ ଅତି ଦୟନୀୟ ଥିଲା। ଏକ ଶିଶୁଗୃହରେ ରହି ବଢ଼ିଥିଲେ। ପିଲାଦିନେ ଅପରାଧ ଘଟାଇ ଜୁଭେନାଇଲ ଡିଟେନ୍‌ଶନ ସେଣ୍ଟରକୁ ମଧ୍ୟ ଯାଇଥିଲେ। ସେଠାରୁ ମୁକ୍ତ ହେବା ପରେ ସେ ରୋଷେୟା ଜୀବନକୁ ବାଛିଥିଲେ। ଆର୍ଥିକ ଦିଗରୁ ସୁସ୍ଥ ହେବା ପରେ ରେସ୍ତୋରାଁ ବ୍ୟବସାୟରେ ନିଜକୁ ସାମିଲ କରିଦେଲେ। ଦେଖୁଦେଖୁ ବେପାର ଜମିଲା ଓ ସେଣ୍ଟ ପିଟର୍ସବର୍ଗରେ ନିଜର ଏକ ରେସ୍ତୋରାଁ କଲେ। ତାଙ୍କ ରୋଷେଇର ମହକ ଦିଗବିଦିଗ ହେବା ପରେ ସେ ସ୍କୁଲ ପିଲା ଓ ସରକାରୀ କର୍ମଚାରୀଙ୍କ ପାଇଁ ଖାଦ୍ୟ ଯୋଗାଣ ଦାୟିତ୍ୱ ପାଇଗଲେ। ସେହି ସମୟରେ ପୁଟିନ୍‌ ସେଣ୍ଟ ପିଟର୍ସବର୍ଗର ମେୟର ଥିବାରୁ ୟେଭ୍‌ଗେନି ତାଙ୍କ ନିକଟତର ହୋଇଥିଲେ। ତାଙ୍କ ‘ହଟ୍‌ଡଗ୍ସ’ ଖାଦ୍ୟ ପୁଟିନ୍‌ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପସନ୍ଦ ହୋଇଯାଇଥିଲା। ତେବେ ବ୍ୟବସାୟିକ ଶତ୍ରୁତା ଓ ଆପରାଧିକ ଦୁନିଆରେ ସମ୍ପୃକ୍ତି ୟେଭ୍‌ଗେନିଙ୍କୁ ଦୀର୍ଘ ସମୟ ଜେଲ ଦେଖାଇଥିଲା। ଏହା ପରେ ସେ ମୁକ୍ତ ହୋଇଥିଲେ।
ଏକଦା ଖାଦ୍ୟରେ ଅନେକଙ୍କ ମନ ମୋହିଥିବା ୟେଭ୍‌ଗେନି ପରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଭିନ୍ନ ଦିଗରେ ସୃଷ୍ଟି କରିବାକୁ ଚିନ୍ତା କଲେ। ଜେଲ ସମୟରେ ବହୁ ଯୁଦ୍ଧ ଅପରାଧୀଙ୍କଠାରୁ ଆରମ୍ଭ କରି ଦୁର୍ଦ୍ଧର୍ଷ ଗୁଣ୍ଡାଙ୍କ ସହ ମିଶିଥିବାରୁ ସେହିମାନଙ୍କୁ ନେଇ ଏକ ଘରୋଇ ସାମରିକ ବାହିନୀ ଗଢ଼ିବାକୁ ଯାଇ ୨୦୧୪ରେ ତାହାର ନାମ ଦେଲେ ‘ଓ୍ବାଗନର ଗ୍ରୁପ’। ସେହି ବାହିନୀକୁ ଲିବ୍ୟା, ସିରିଆ, ମାଲି ଆଦି ଅନେକ ଦେଶରେ ଯୁଦ୍ଧ କାର୍ଯ୍ୟରେ ସେ ନିୟୋଜିତ କଲେ। ଏପରି କି ୟୁକ୍ରେନ୍‌ଠାରୁ କ୍ରିମିଆକୁ ଛିନ୍ନ ହେଉ ବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ୟେଭ୍‌ଗେନିଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହିଆସିଛି। କିନ୍ତୁ ଓ୍ବାଗନର ଗ୍ରୁପ୍‌ ନାମରେ ମାନବ ଅଧିକାର ଉଲ୍ଲଂଘନ ଓ ବିଭିନ୍ନ ପ୍ରକାର ଅତ୍ୟାଚାର ଅଭିଯୋଗ ଆସିବା ପରେ ସେ ଅଧିକ ବିବାଦୀୟ ହୋଇଯାଇଛନ୍ତି। କେବଳ ସେତିକି ନୁହେଁ, ଇଣ୍ଟରନେଟ୍‌ ରିସର୍ଚ୍ଚ ଏଜେନ୍ସି (ଆଇଆର୍‌ଏ) ମଧ୍ୟ ତାଙ୍କ ମାନସପ୍ରସ୍ତୁତ ସଂସ୍ଥା। ଏହାରି ମାଧ୍ୟମରେ ସେ ୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ପ୍ରଭାବିତ କରିଥିଲେ ବୋଲି ଗୁରୁତର ଅଭିଯୋଗ ତାଙ୍କ ନାମରେ ଆସିଛି। ୟେଭ୍‌ଗେନିଙ୍କ ବେଆଇନ କାର୍ଯ୍ୟକଳାପ ପାଇଁ ତାଙ୍କ ବିରୋଧରେ ଆମେରିକା ଓ ୟୁରୋପୀୟ ସଂଘ ପ୍ରତିବନ୍ଧକ ଲଗାଇଛନ୍ତି। ତଥାପି ତାଙ୍କ ଯାତ୍ରାପଥ ଆଗାମୀ ଦିନରେ କେଉଁ ମୋଡ଼ ନେବ ତାହା ସହଜରେ ଆକଳନ କରିବା କଷ୍ଟକର। ଯଦି ସେ ପୁଟିନ୍‌ଙ୍କ ପାଇଁ ବିପଦ ହୁଅନ୍ତି ଓ ରୁଷିଆରେ କିଛି ଅଲୌକିକ ଘଟେ, ତେବେ ତାଙ୍କ ବ୍ୟକ୍ତିତ୍ୱ ଅଧିକ ବିକଶିତ ହେବ। ଯଦି ସରକାରୀ ସେନା ତାଙ୍କର କ୍ଷତି ଘଟାଏ, ତଥାପି ତାଙ୍କ ଚରିତ୍ର ଚର୍ଚ୍ଚିତ ରହିଯିବ।
ବ୍ୟକ୍ତିଗତ ଜୀବନ କହିଲେ ଫାର୍ମାସିଷ୍ଟ ତଥା ମହିଳା ଉଦ୍ୟୋଗୀ ସହଧର୍ମିଣୀ ଲ୍ୟୁବୋଭ୍‌ ଭାଲେଣ୍ଟିନୋଭନା ଏବଂ ଝିଅ ପୋଲିନା ଓ ପୁଅ ପାଭେଲଙ୍କୁ ନେଇ ତାଙ୍କ ସଂସାର।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri