Posted inଜାତୀୟ

ବ୍ଲାକ୍‌ ଆଉଟ୍‌ ଆଶଙ୍କା

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୧।୧୦ (ବ୍ୟୁରୋ): ଦେଶର ପ୍ରାୟ ୭୦% ବିଦ୍ୟୁତ୍‌ ଚାହିଦା କୋଇଲାରୁ ପୂରଣ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ପାଓ୍ବାର ପ୍ଲାଣ୍ଟଗୁଡ଼ିକ ସାଧାରଣତଃ ୧୫ରୁ ୩୦ ଦିନ ପାଇଁ କୋଇଲା ଗଚ୍ଛିତ ରଖିଥାଆନ୍ତି। କିନ୍ତୁ ବର୍ତ୍ତମାନ ସ୍ଥିତିରେ କୋଇଲା ଖଣିଗୁଡ଼ିକରେ ପାଣି ଜମିଯାଇଥିବାରୁ ଉତ୍ତୋଳନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦେଶର ୧୩୫ ପାଓ୍ବାର ପ୍ଲାଣ୍ଟରେ ମହଜୁଦ ଥିବା କୋଇଲା ଦିନେ କି ଦୁଇଦିନରେ ଶେଷ ହୋଇଯିବ। ଏଥିଯୋଗୁ ଆଗକୁ ଅନେକ ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଘନେଇବା ଆଶଙ୍କା କରାଯାଉଛି। କେନ୍ଦ୍ରୀୟ ବିଦ୍ୟୁତ୍‌ ପ୍ରାଧିକରଣ (ସିଇଏ) ଏହି ବିଷୟ ସ୍ବୀକାର କରିଥିବାବେଳେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ କୋଇଲା ମହଜୁଦ ଥିବା କହୁଛନ୍ତି। କେନ୍ଦ୍ରର ଏହି ଦୃଢ଼ୋକ୍ତିକୁ ଦେଖି ବିରୋଧୀ କହିଲେଣି, କରୋନା ମହାମାରୀର ଦ୍ୱିତୀୟ ଲହରରେ ଅମ୍ଳଜାନ ସଙ୍କଟ ଯୋଗୁ ଲୋକେ ମରୁଥିବାବେଳେ ମଧ୍ୟ ପର୍ଯ୍ୟାପ୍ତ ଅକ୍ସିଜେନ ସିଲିଣ୍ଡର ମହଜୁଦ ଥିବା କେନ୍ଦ୍ର କହୁଥିଲା। ସାମ୍ପ୍ରତିକ ସ୍ଥିତିରେ କୋଇଲାକୁ ନେଇ କେନ୍ଦ୍ର କେତେ ସତ କହୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୯ ଅଗଷ୍ଟ ଓ ସେପ୍ଟେମ୍ବର ତୁଳନାରେ ବିଗତ ୨ ମାସ ମଧ୍ୟରେ ଭାରତରେ ବିଦ୍ୟୁତ୍‌ ବ୍ୟବହାର ୧୭% ବୃଦ୍ଧି ପାଇଛି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ରାଜ୍ୟଗୁଡ଼ିକ କୋଇଲା ଉପରେ ନିର୍ଭରଶୀଳ ହେଉଥିବାରୁ ଆଗକୁ ଅଚଳାବସ୍ଥା ଦେଖାଦେଇପାରେ। କାରଣ ଅଧିକାଂଶ ପାଓ୍ବାର ଷ୍ଟେଶନରେ କୋଇଲା ଶେଷ ହୋଇଯାଇଥିବାବେଳେ ଅନ୍ୟ କେତେକ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ପାଖରେ ଗଚ୍ଛିତ ଥିବା କୋଇଲା ଦିନେ କି ଦୁଇଦିନ ଯିବ ବୋଲି ଜଣାପଡ଼ିଛି। ବିଶେଷକରି ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଦିଲ୍ଲୀ ଓ ତାମିଲନାଡୁରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରିବାରେ ଲାଗିଛି। ଏପରି କି ଓଡ଼ିଶାର ଶିଳ୍ପ ଜଗତ ମଧ୍ୟ କୋଇଲା ସଙ୍କଟଜନିତ ଅସୁବିଧା ଭୋଗିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏସବୁ ଭିତରେ କେନ୍ଦ୍ର ସରକାର କୋଇଲାକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା କହି ଆଦୌ ଚିନ୍ତିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।
ମୌସୁମୀ ସମୟରେ ବର୍ଷା ଓ ବନ୍ୟା ଯୋଗୁ କୋଇଲା ଖଣିଗୁଡ଼ିକରେ ପାଣି ଜମିଯାଇଛି। ଏଥିଯୋଗୁ କୋଇଲା ଉତ୍ପାଦନ ହ୍ରାସ ପାଇଥିବାବେଳେ ଏହାର ଦାମ୍‌ ବଢ଼ିବାରେ ଲାଗିଛି। ଫଳରେ ତାପଜ ବିଦ୍ୟୁତ୍‌ ପ୍ଳାଣ୍ଟଗୁଡ଼ିକ ବାଧ୍ୟ ହୋଇ ଚଢ଼ାଦରରେ କୋଇଲା କିଣୁଛନ୍ତି ଓ ସେମାନଙ୍କ ଉତ୍ପାଦନ କ୍ଷମତାକୁ ଅଧାରେ ସୀମିତି କରିଦେଇଛନ୍ତି। ଏସବୁ ଭିତରେ ଆର୍ଥିକ ଗତିବିଧି ପାଇଁ କଳାହୀରାର ଚାହିଦା ବଢ଼ିବାରେ ଲାଗିଥିବାରୁ ଦେଶରେ କୋଇଲାକୁ ନେଇ ବଡ଼ଧରଣର ସଙ୍କଟ ସୃଷ୍ଟି ହୋଇଛି। ଏହାର ପ୍ରଭାବ ସବୁଠି ଅନୁଭୂତ ହେଲାଣି। ବହୁ ପାଓ୍ବାର ପ୍ଲାଣ୍ଟରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଲାଣି। ଏହାକୁ ନେଇ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସହ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ତାମିଲନାଡୁ ସମେତ ଅନେକ ରାଜ୍ୟରେ ସମ୍ପୂର୍ଣ୍ଣ ବ୍ଲାକ୍‌ ଆଉଟ୍‌ ହୋଇପାରେ। ଏଥିପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ପାଓ୍ବାର ପ୍ଲାଣ୍ଟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କୋଇଲା ଯୋଗାଣ କରା ନ ଗଲେ ଆସନ୍ତା ଦିନେ କି ଦୁଇଦିନ ଭିତରେ ଜାତୀୟ ରାଜଧାନୀରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ପଞ୍ଜାବ ସରକାର ମଧ୍ୟ ରାଜ୍ୟର ତାପଜ ବିଦ୍ୟୁତ୍‌ ପ୍ଲାଣ୍ଟଗୁଡ଼ିକରେ କୋଇଲା ନ ଥିବାରୁ ଅନେକ ସ୍ଥାନରେ ରୋଟେଶନ ଭିତ୍ତିରେ ଲୋଡ୍‌ ଶେଡିଂ ଆରମ୍ଭ କରିଛନ୍ତି। ଗଚ୍ଛିତ ଥିବା କୋଇଲା ୫ ଦିନ ଭିତରେ ଶେଷ ହୋଇଯିବ ବୋଲି ପଞ୍ଜାବ ଷ୍ଟେଟ୍‌ ପାଓ୍ବାର କର୍ପୋରେଶନ ଲିମିଟେଡ୍‌ର ଜଣେ ଅଧିକାରୀ କହିଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ପାଇଥିବାରୁ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧ ହେଉନାହିଁ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ କହିଛନ୍ତି। କେନ୍ଦ୍ର ଶକ୍ତିମନ୍ତ୍ରୀ ଆର୍‌.କେ. ସିଂ କହିଛନ୍ତି, କୋଇଲା ଅଭାବ ଥିବା ନେଇ ଅନାବଶ୍ୟକ ଭାବେ ଲୋକଙ୍କୁ ଭୟଭୀତ କରାଯାଉଛି। ଗେଲ୍‌ ଓ ଟାଟା ମଧ୍ୟରେ ଭୁଲ୍‌ ଯୋଗାଯୋଗ ଯୋଗୁ ଏପରି ହୋଇଥିବା ସେ ପ୍ରକାଶ କରିଛନ୍ତି। ଶକ୍ତିମନ୍ତ୍ରୀଙ୍କ ମତରେ ଭାରତରେ ଆହୁରି ୪ ଦିନ ପାଇଁ କୋଇଲା ମହଜୁଦ ରହିଛି। କିନ୍ତୁ ବିଦ୍ୟୁତ୍‌ ଶକ୍ତି ପର୍ଯ୍ୟାପ୍ତ ରହିଛି।
ତେଣୁ ଆମେ ସାରା ଦେଶକୁ ବିଦ୍ୟୁତ୍‌ ଯୋଗାଉଛୁ। ଯେଉଁ ରାଜ୍ୟ ଆବଶ୍ୟକ କରିବ ଆମକୁ ରିକ୍ୟୁଜିଶନ କଲେ ଆମେ ବିଦ୍ୟୁତ୍‌ ଯୋଗାଇଦେବୁ ବୋଲି ଶକ୍ତିମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି, ମହଜୁଦ ଥିବା କୋଇଲାର ପରିମାଣକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ଦାୟିତ୍ୱହୀନ। କୋଭିଡ୍‌-୧୯ର ଦ୍ୱିତୀୟ ଲହର ବେଳେ ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଥିଲା। ସେତେବେଳେ ବି କେନ୍ଦ୍ର ସରକାର ଏଭଳି ଦୃଢ଼ୋକ୍ତି ବାଢ଼ୁଥିଲେ। ଅମ୍ଳଜାନ ସଙ୍କଟ ନାହିଁ ବୋଲି କହୁଥିଲେ। ଆଜି କୋଇଲା ସଙ୍କଟ ସୃଷ୍ଟି ହୋଇଥିବାବେଳେ ବାସ୍ତବତାକୁ ସ୍ବୀକାର କରୁନାହାନ୍ତି।
ଓଡ଼ିଶାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି। ଗତ ସେପ୍ଟେମ୍ବରରେ ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ୫୦୬୨ ମେଗା ଓ୍ବାଟ୍‌ ଥିବାବେଳେ ଅକ୍ଟୋବର ୧୦ ରବିବାର ସୁଦ୍ଧା ଏହା ୫୩୪୪ ମେଗା ଓ୍ବାଟ୍‌କୁ ବୃଦ୍ଧି ପାଇଛି। ଫଳରେ ପାର୍ବଣ ବେଳେ ପାଓ୍ବାର କଟ୍‌ ହେବା ଆଶଙ୍କା ପ୍ରକାଶ ପାଇଛି। ଓଡ଼ିଶା ଭଳି ପର୍ଯ୍ୟାପ୍ତ କୋଇଲା ଖଣି ଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି। କୋଇଲା ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ୨୦୨୧ ଅଗଷ୍ଟରେ କୋଇଲା ଉତ୍ପାଦନ ୫୩ ନିୟୁତ ନିୟୁତ ଟନ୍‌ ଥିବାବେଳେ ସେପ୍ଟେମ୍ବର ବେଳକୁ ୪ ପ୍ରତିଶତ ହ୍ରାସ ପାଇ ୫୧.୭ ନିୟୁତ ଟନ୍‌କୁ ହ୍ରାସ ପାଇଥିଲା। ଚଳିତ ଅକ୍ଟୋବରରେ କୋଇଲା ଉତ୍ପାଦନ ବହୁଳ ଭାବେ ପ୍ରଭାବିତ ହୋଇଛି। ଏହାସତ୍ତ୍ୱେ ସେପ୍ଟେମ୍ବରରେ ବିଦ୍ୟୁତ୍‌ ବ୍ୟବହାର ୧୨୪ ବିଲିୟନ୍‌ ୟୁନିଟକୁ ବୃଦ୍ଧି ପାଇଛି। ଏସବୁ ଭିତରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଭବିଷ୍ୟବାଣୀ କରିଛି ଯେ, ଦେଶରେ ଅକ୍ଟୋବରରେ ବିଦ୍ୟୁତ୍‌ ଚାହିଦା ୨୦୦ ଗିଗାଓ୍ବାଟ୍‌କୁ ବୃଦ୍ଧି ପାଇବ, ଯହାକି ସେପ୍ଟେମ୍ବରରେ ୧୯୦ ଗିଗାଓ୍ବାଟ୍‌ ଥିଲା। ବଙ୍ଗୋପସାଗରରେ ଲଘୁଚାପ ଘନେଇଲେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ଆଶଙ୍କା ଥିବାରୁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇପାରେ। ଏପରି ହେଲେ କୋଇଲା ଉତ୍ତୋଳନ ଆହୁରି ବାଧାପ୍ରାପ୍ତ ହେବ। ଏଥିଲାଗି ବିଦ୍ୟୁତ୍‌ ନିଅଣ୍ଟ ହେବା ଜଳଜଳ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?