ଶିକ୍ଷା ବ୍ୟବସ୍ଥାର ସଞ୍ଜୀବନୀ: ସୃଜନଶୀଳତା

ଡ. ଶରତ ଚନ୍ଦ୍ର ପରିଡ଼ା

 

ବିଶ୍ୱ ବର୍ତ୍ତମାନ ଶିକ୍ଷା ସୃଜନଶୀଳତା ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ପାଠ୍ୟକ୍ରମ ବ୍ୟବସ୍ଥାରେ ଏହା ଅଗ୍ରାଧିକାର ଲାଭ କରିଛି। ଆମ ଶିକ୍ଷା ବ୍ୟବସ୍ଥା ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ପରେ ମଧ୍ୟ ପାରମ୍ପରିକ ହୋଇ ରହିଛି। ପାଠ୍ୟକ୍ରମ ଅଳ୍ପବହୁତ ଗତାନୁଗତିକ। ଠିକ୍‌ ସମୟରେ ପାଠ୍ୟଦାନ ସମାପ୍ତ କରି ପରୀକ୍ଷା ନିମିତ୍ତ ପିଲାମାନଙ୍କୁ ପ୍ରସ୍ତୁତ କରିବା ଶିକ୍ଷକମାନଙ୍କ ପାଇଁ ବଡ଼ ଆହ୍ବାନ। ପିଲାମାନେ କେତେକ ବିଷୟରେ କିଛି ଜ୍ଞାନଲାଭ କରୁଛନ୍ତି ସତ, କିନ୍ତୁ ସେମାନଙ୍କ ବ୍ୟକ୍ତିତ୍ୱର ସର୍ବାଙ୍ଗୀନ ବିକାଶ ଏବେ ବି ଏକ ବିରାଟ ପ୍ରଶ୍ନବାଚୀ। ଦେଶର ଆବଶ୍ୟକତା ଅନୁସାରେ ପାଠ୍ୟକ୍ରମ ପ୍ରସ୍ତୁତ ହୋଇ ପାରିଲା ନାହିଁ। ପିଲାମାନଙ୍କର ଅନ୍ତନିର୍ହିତ ମୌଳିକ ଗୁଣାବଳୀର ଉପଯୁକ୍ତ ବିକାଶ ସମ୍ଭବ ନୁହେଁ। ତେଣୁ ସୃଜନଶୀଳତା ଭଳି ଏକ ସୂକ୍ଷ୍ମ ମାନସିକ ପ୍ରକ୍ରିୟାର କିଭଳି ଉନ୍ମେଷ ଘଟିବ? ସାର୍‌ କେନ୍‌ ରବିନଶନ ହେଉଛନ୍ତି ସୃଜନଶୀଳତା, ଉଦ୍ଭାବନ, ମାନବସମ୍ବଳ କ୍ଷେତ୍ରରେ କାମ କରୁଥିବା ଜଣେ ଆନ୍ତର୍ଜାତିକ ନେତା। ସେ କହନ୍ତି-”ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସୃଜନଶୀଳତାର ପ୍ରତିପାଳନ ଓ ବୃଦ୍ଧି କରିବା ବଦଳରେ ବାସ୍ତବରେ ଏହାର ଶ୍ୱାସରୁଦ୍ଧ କରି ଦିଆଯାଉଛି।“ ସାଧାରଣ ଭାବେ ଆନୁଷ୍ଠାନିକ ଶିକ୍ଷାରେ ନିର୍ଦ୍ଧାରିତ ନୀତି ଓ ନିୟମ ସମୂହକୁ ପ୍ରୟୋଗ କରିବା ପାଇଁ ଶିକ୍ଷକ ପିଲାମାନଙ୍କୁ ନିର୍ଦ୍ଦେଶ ଦେଇଥାନ୍ତି। ଚିନ୍ତା ଉଦ୍ରେକକାରୀ ଖେଳ ଖେଳାଇବା, ସୃଜନମୂଳକ କାର୍ଯ୍ୟକୁ ପ୍ରଶଂସା କରିବା, ନୂଆ ପ୍ରକାର କାର୍ଯ୍ୟଭାର ଦେବା, ପିଲାକୁ ନିଜ ଗତିରେ ଶିକ୍ଷାଲାଭ କରିବାର ସୁଯୋଗ ପ୍ରଦାନ କରିବା, ବିଜ୍ଞାନ ଓ କଳାକୁ ପଢ଼ାଇବା ପାଇଁ ଅଲଗା ଅଲଗା ଶିକ୍ଷଣ ପଦ୍ଧତି ଆପଣେଇବା-ଏହା ପରମ୍ପରାଗତ ଆନୁଷ୍ଠାନିକ ଶିକ୍ଷାରେ ସମ୍ଭବ ନୁହେଁ। ନୂଆ ନୂଆ କଥା ଗ୍ରହଣ କରିବା, ଚିନ୍ତାରେ ନମନୀୟ ହେବା ଓ ବିଭିନ୍ନ ଉତ୍କୃଷ୍ଟ ନିକୃଷ୍ଟ ସଫଳତାକୁ ତୁଳନା କରିବା ଆଦି ସୃଜନଶୀଳତାର ଲକ୍ଷଣ। ପ୍ରଚଳିତ ଶିକ୍ଷା ଓ ଶିକ୍ଷଣର ବ୍ୟବସ୍ଥା ଭିତରେ ଥାଇ କେତେକ ଦିଗ ପ୍ରତି ସଚେତନ ହେଲେ ଆମେ କିଛି ପରିମାଣରେ ସୃଜନଶୀଳତାର ବିକାଶ ଘଟାଇ ପାରିବା। ଶୈକ୍ଷିକ ପ୍ରକ୍ରିୟାରେ ଶିକ୍ଷକଙ୍କର ପ୍ରାଧାନ୍ୟ ରହିଛି। ଶିକ୍ଷକ ନିଜେ ସୃଜନଶୀଳ ହେବା ସର୍ବାଦୌ କାମ୍ୟ। ଶିକ୍ଷା ଆମୂଳଚୂଳ ଏକ ସୃଜନଶୀଳ ବୃତ୍ତି। ଯେଉଁ ଶିକ୍ଷକମାନେ ଏକ ସୃଜନମୂଳକ ଚିନ୍ତାକୁ ଆପଣେଇ ପାରନ୍ତି, ବିଷୟବସ୍ତୁକୁ ଖେଳୁଆଡ଼ ମନ ନେଇ ଉପସ୍ଥାପନ କରି ନିଜର ଭାବନା ପ୍ରକାଶ କରନ୍ତି; ସେମାନଙ୍କ ଛାତ୍ରୀଛାତ୍ରମାନେ ସୃଜନଶୀଳ ହୋଇଥାନ୍ତି। ବିଷୟ ଡ୍ରଇଂ ହେଉ ଅବା ଗଣିତ ପିଲାମାନେ ଲକ୍ଷ୍ୟ କରନ୍ତି କେଉଁ ଶିକ୍ଷକମାନଙ୍କର ପଢ଼ାଇବା ପାଇଁ ହୃଦୟରେ ଆବେଗ ରହିଛି। ଆଲବର୍ଟ ଆଇନଷ୍ଟାଇନ୍‌ କହନ୍ତି-”ସୃୃଜନଶୀଳ ପରିପ୍ରକାଶ ଓ ଜ୍ଞାନରେ ଆନନ୍ଦ ଜାଗରିତ କରିବା ହେଉଛି ଶିକ୍ଷକଙ୍କର ସର୍ବଶ୍ରେଷ୍ଠ କଳା“ା
ମୌଳିକ ଚିନ୍ତା ଦ୍ୱାରା ଯୁଗୋପଯୋଗୀ ଉତ୍ପାଦ ନିର୍ମାଣ କରିବା ସୃଜନଶୀଳତା। ଶିକ୍ଷାକୁ ସୃଜନ ଉନ୍ମୁଖ କରିବା ନିମିତ୍ତି ବିଭିନ୍ନ ସ୍ବାଧୀନ ଓ ବିବିଧ ଚିନ୍ତା ଜରୁରୀ। ଚିନ୍ତାର ବୈଭିନ୍ନ୍ୟ ନୂତନ ଉଦ୍ଭାବନକୁ ବାଟ କଢେଇ ନିଏ। ସୃଜନର ମନସ୍ତତ୍ତ୍ୱବିତ୍‌ମାନେ ମତ ଦିଅନ୍ତି ଯେ ଏଭଳି ଭଳିକି ଭଳି ଚିନ୍ତା କରିବା ହେଉଛି ଗୋଟିଏ କୌଶଳ; ଯାହା ଜୀବନ ତମାମ ରହିଥାଏ। ଗୋଟିଏ ସମସ୍ୟା ଦିଆଯାଇ ସମାଧାନ ପାଇଁ ଦଳଗତ ଆଲୋଚନାର ଆୟୋଜନ ହେଉ। ସମସ୍ୟା ସମାଧାନ ପାଇଁ ଉପାୟ ଖୋଜାଯାଉ। ସମ୍ଭାବ୍ୟ ଅସୁବିଧା ଦୂର ପାଇଁ ଆବଶ୍ୟକ ପଡ଼ିଲେ ଶିକ୍ଷକଙ୍କ ପରାମର୍ଶ ଓ ସାହାଯ୍ୟ ନିଆଯାଉ। ପିଲାର ମନ ଯେତେବେଳେ ପାଠରୁ ଅଲଗା ହୋଇଯାଏ ସେତେବେଳେ ତା’ଠାରେ ଅନ୍ତର୍ନିହିତ ଆଗ୍ରହର ସ୍ଫୁଲିଙ୍ଗ ଘଟେ। ଦୈନିକ ପାଠପଢ଼ା ସହିତ ଏକ ଦୈନନ୍ଦିନୀ ରଖାଯାଉ। ଏଥିରେ ଛାତ୍ରୀଛାତ୍ରର ମନକୁ ଯାହା ଭଲ ଲାଗୁଛି ସେ ଲେଖି ରଖୁ। ଯେ କୌଣସି ବିଷୟରେ ୧୦୦ଟି ପ୍ରଶ୍ନ ତିଆରି କରୁ। ଉଦାହରଣ ସ୍ବରୂପ ମସ୍ତିଷ୍କ କେମିତି କାମ କରେ ? ଆମେ କାହିଁକି ସଙ୍ଗୀତ ଶୁଣୁ? ମୁଁ କାହିଁକି ବାଘ ହେଲିନି? ପ୍ରତ୍ୟେକ ବସ୍ତୁର ମୃତ୍ୟୁ କାହିଁକି ହୁଏ? ଆମର କାର୍‌ କାହିଁକି ଇଲେକ୍ଟ୍ରିଚାଳିତ ନୁହେଁ ? ଚାବିରେ ତାଲା କାହିଁକି ଖୋଲିଯାଏ? ସୃଜନ ବିଶେଷଜ୍ଞ ଲିଓନାର୍ଡୋ ଦା ଭିନ୍‌ସି ସୃଜନଶୀଳତା ଉପରେ ଏହିପରି ୭ ହଜାର ନୋଟବୁକ୍‌ ପ୍ରସ୍ତୁତ କରିଥିଲେ। ଏ ସବୁ ଦା ଭିନ୍‌ସିଙ୍କର ସୃଜନଶୀଳ ମନୋବୃତ୍ତିର ପରିଚାୟକ। ଏଗୁଡ଼ିକ ଶିକ୍ଷକମାନଙ୍କୁ ବହୁତ ସାହାଯ୍ୟ କରେ। ଏହା ଶିକ୍ଷକ ଓ ଶିକ୍ଷାର୍ଥୀ ସମସ୍ତଙ୍କ ଭିତରେ ଏପରି ଜିଜ୍ଞାସା ଓ କୌତୂହଳ ସୃଜନର ମଞ୍ଜି ବୁଣେ।
ପ୍ରତ୍ୟେକ ଶିଶୁଠାରେ ଅମାପ ଶକ୍ତି ସୁପ୍ତ ଅବସ୍ଥାରେ ରହିଛି। ସେମାନଙ୍କର ନୂତନ କିଛି ଗଢିବାର ଓ ନିର୍ମାଣ କରିବାର ଶକ୍ତି ସାମର୍ଥ୍ୟ ଓ କ୍ଷମତା ଅନ୍ତର୍ନିହିତ। ସେଗୁଡ଼ିକର ଉପଯୁକ୍ତ ବିନିଯୋଗ ହୋଇପାରିଲେ ଶିକ୍ଷାର୍ଥୀର ଆତ୍ମବିକାଶ ସହିତ ସମାଜର ଅଭୂତପୂର୍ବ ପ୍ରଗତି ସମ୍ଭବ। ଜୋହନ୍‌ ଲେନନ୍‌ଙ୍କ ମତ”ସୃଜନଶୀଳତା ହେଉଛି ଏକ ଉପହାର,ଅସଜଡ଼ା ପରିବେଶରେ ଏହାର ପରିପ୍ରକାଶ ଘଟେ ନାହିଁ।“ ଏଥିପାଇଁ ବିଦ୍ୟାଳୟରେ ଛାତ୍ରମାନଙ୍କ ଆତ୍ମପ୍ରକାଶ ନିମନ୍ତେ ଗୋଟିଏ ସୃଜନ ସମୟ ଓ ପରିବେଶ ସ୍ଥିର ହେଉ। ପରିବେଶଟି ନିରାପଦ ଓ ସ୍ବାଧୀନ ହେଉ। ଗୋଟିଏ ପାଠ ପଢ଼ି ସାରିଲା ପରେ ତା’ର ଆଲୋଚନା ସମାଲୋଚନା କରାଯାଉ। ସମାଲୋଚନାଟି ଦାୟିତ୍ୱପୂର୍ଣ୍ଣ ଓ ଉତ୍ପାଦନକ୍ଷମ ହେଉ। ମୁକ୍ତ ପ୍ରଶ୍ନ ପଚାରି ଓ ମୁକ୍ତ ଉତ୍ତର ସ୍ବାଗତ କରାଯାଉ। ତା’ର ବିଶ୍ଳେଷଣ ଓ ସମୀକ୍ଷା ନିମନ୍ତେ ପିଲାମାନଙ୍କୁ ଉତ୍ସାହିତ କରାଯାଉ। ପରିବେଶଟି ନିରାପଦ ହେଲେ ସେମାନେ ନିଜର ସୃଜନଶୀଳ ଭାବନା ପ୍ରକାଶ ପାଇଁ ସାହସ ବାନ୍ଧିପାରିବେ। ସ୍ବାଧୀନ ହେଲେ ପିଲାମାନକୁ ଆସୁଥିବା ଉତ୍ତର ବା ପ୍ରସଙ୍ଗ ବିନା ଦ୍ୱିଧାରେ ପ୍ରକାଶ କରିପାରିବେ। ପିଲାଙ୍କ ସ୍ବତଃପ୍ରବୃତ୍ତ ଆବେଗ ଓ ଉତ୍କଣ୍ଠା ଉପରେ ଗୁରୁତ୍ୱ ଦେବାକୁ ହେବ। ପିଲା ଯାହା କହିବେ ଓ କରିବେ ତାକୁ ଗ୍ରହଣ କରିପାରୁଥିବା ସମ୍ବେଦନଶୀଳ ପରିବେଶଟି ଆବଶ୍ୟକ। ଏପରି ଗ୍ରହଣୀୟତା ରହିଲେ ସେମାନେ ଦେଉଥିବା ଉତ୍ତର ଠିକ୍‌ କି ଭୁଲ୍‌ ଓ ଏହା ଶ୍ରେଣୀରେ କେମିତି ଗ୍ରହଣ କରାଯାଉଛି ଜାଣି ଉତ୍ସାହିତ ହେବେ। ସେଥିପାଇଁ ଶିକ୍ଷାକର୍ତ୍ତୃପକ୍ଷ ଓ ଅଭିଭାବକ ସୃଜନଶୀଳତାକୁ ସମର୍ଥନ କରିବା ଦରକାର।
ସୃଜନଶୀଳତା ହେଉଛି କୌଶଳ ଆବଶ୍ୟକ କରୁଥିବା ବିଶେଷ ଚିନ୍ତନ ପ୍ରକ୍ରିୟା ବା ସାମର୍ଥ୍ୟ। ଆଲୋଚନା ଦ୍ୱାରା ଗୋଟିଏ ସାଧାରଣ ସତ୍ୟରୁ ଯୁକ୍ତି ଦ୍ୱାରା ଅନ୍ୟ ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥିତିର ସତ୍ୟାସତ୍ୟ ନିର୍ଣ୍ଣୟ କରି ହୁଏ। ପିଲାମାନଙ୍କର ନିଷ୍ପତ୍ତି ନେବାର ଶକ୍ତି ବୃଦ୍ଧି ହୋଇଥାଏ। ଆଲୋଚନାରେ ବିଚାର ଓ ସମୟର ଚାପ ନ ରହିବା ଚାହି। ଆବଶ୍ୟକ ସ୍ଥଳେ ସୃଜନଶୀଳତାକୁ ପୁରସ୍କୃତ ନ କରି ତା’ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଦେବାର ବା ମାପକର ବ୍ୟବସ୍ଥା ହେଉ। ସୃଜନଶୀଳତା ପାଇଁ ବାହ୍ୟ ପୁରସ୍କାର ବ୍ୟବସ୍ଥା କଲେ ଏହା ସୃଜନଶୀଳତା ହ୍ରାସ କରିଥାଏ। ପୁରସ୍କାର ବ୍ୟବସ୍ଥା ନ କରି ଅନ୍ତର୍ନିହିତ ସନ୍ତୋଷ ପାଇଁ ସବୁ ପ୍ରକାର ନିର୍ଦ୍ଦେଶାବଳୀ ଓ ପଦାର୍ଥ ଯୋଗାଇବାର ବ୍ୟବସ୍ଥା କରାଯାଉ। ଏଗୁଡ଼ିକ ଛାତ୍ରମାନେ ନ୍ୟସ୍ତ ଦାୟିତ୍ୱ ଓ କାର୍ଯ୍ୟ ସମ୍ପାଦନ ନିମିତ୍ତ ଆବଶ୍ୟକ କରିଥାନ୍ତି। ତେଣୁ ବୈଜ୍ଞାନିକ ଆଲବର୍ଟ ଆଇନ୍‌ ଷ୍ଟାଇନ୍‌ କହନ୍ତି, ”ମୁଁ ଶିଷ୍ୟମାନଙ୍କୁ କେବେ ଶିକ୍ଷାଦିଏ ନାହିଁ, ସେମାନେ ଶିକ୍ଷାଲାଭ କଲାଭଳି ପରିବେଶଟି ସୃଷ୍ଟି କରିବା ପାଇଁ ମୁଁ ଚେଷ୍ଟା କରେ।“
ମୋ:୭୦୦୮୪୭୫୪୪୨
scparida30@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri