ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ ପରିବେଶରୁ ହିଁ ଖେଳକୁଦର ସହଜ ଉପାୟମାନ ଖୋଜି ନିଅନ୍ତି । ଭୂଇଁରେ ଗାର କାଟି, ଭଳିକି ଭଳି ଚିହ୍ନ ଆଙ୍କି ନିଜ ପାଇଁ କ୍ରୀଡ଼ାସ୍ଥଳୀ ପ୍ରସ୍ତୁତ କରିଥା’ନ୍ତି। ସେମାନେ ଫଳର ଶୁଖିଲା ମଞ୍ଜିକୁ ଖେଳର ଗୋଟି ଭାବରେ ବ୍ୟବହାର କରି ନିଅନ୍ତି। ଶୁଖିଲା ପତ୍ର, ଗଛର ଚେର ଏବଂ ପୁରୁଣା ଅବ୍ୟବହୃତ ପୋଷାକପତ୍ରରୁ ପେଣ୍ଡୁ ତିଆରି କରି ଖେଳନ୍ତି। ବାଉଁଶରେ ହକି ଓ ଫୁଟବଲ ଖେଳର ଗୋଲ ପୋଷ୍ଟ ତିଆରି କରନ୍ତି। ଏହିପରି ଭାବରେ ବିଭିନ୍ନ ପ୍ରାକୃତିକ ଉପାଦାନକୁ ଉପଯୋଗ କରି ସେମାନେ ନିଜନିଜର ଖେଳଦୁନିଆର ସର୍ଜନା କରିଥା’ନ୍ତି। ଅନେକ ପିଲା ବିନା ଜୋତା ଓ ଜର୍ସିରେ ବି ପ୍ରବଳ ଉତ୍ସାହର ସହ ଖେଳିଥାନ୍ତି। ଗାଡ଼ିଆପୋଖରୀରେ ପିଲାମାନେ ଖୁବ୍‌ ପହଁରନ୍ତି। ବର୍ତ୍ତମାନ ଉପଲବ୍ଧ ହେଉଥିବା ସମ୍ବଳ ଓ ପ୍ରଶିକ୍ଷଣ ସହାୟତାରେ ସନ୍ତରଣର ଏହି ପ୍ରକୃତିଦତ୍ତ ପ୍ରତିଭାର ବିକାଶ କରି ଯାଜପୁର ଝିଅ ଅଞ୍ଚଳି ମୁଣ୍ଡା ମାତ୍ର ୧୫ ବର୍ଷ ବୟସରେ ପ୍ରଥମ ‘ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ ୨୦୨୬’ ର ପ୍ରଥମ ଦିବସରେ ହିଁ ତିନୋଟି ସ୍ବର୍ଣ୍ଣ ପଦକ ଜିଣି ସାରା ଦେଶର ଯୁବାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
ତୀରଚାଳନା ପ୍ରତି ଜନଜାତୀୟ ଲୋକଙ୍କର ଏକ ସ୍ବତଃସ୍ଫୂର୍ତ୍ତ ଆକର୍ଷଣ ରହିଆସିଛି। ୧୮୫୫ ମସିହାରେ ଶୋଷଣ ବିରୁଦ୍ଧରେ ଭୀଷଣ ସଂଗ୍ରାମ କରିଥିଲା ସାନ୍ତାଳ ସମ୍ପ୍ରଦାୟ, ଯାହା ‘ସାନ୍ତାଳ ହୁଲ’ ନାମରେ ପରିଚିତ। ଯଦିଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ବ୍ରିଟିଶ ବାହିନୀ ଏହି ବିଦ୍ରୋହକୁ ଦମନ କରିବାରେ ସମର୍ଥ ହୋଇଥିଲା, ତେବେ ନିଜ ନିଜ ବିବରଣୀରେ ଇଂରେଜମାନେ ସାନ୍ତାଳ ବୀରମାନଙ୍କର ରଣକୌଶଳ, ବିଶେଷତଃ ତୀରଚାଳନା ଦକ୍ଷତା ବିଷୟରେ ସ୍ବତନ୍ତ୍ର ଭାବେ ଉଲ୍ଲେଖ କରିଛନ୍ତି। ମୁଁ ରାଜ୍ୟପାଳ ଥିବା ସମୟରେ ସାନ୍ତାଳ ହୁଲ୍‌ର ନେତୃତ୍ୱ ନେଇଥିବା ବୀରପୁତ୍ର ସିଦ୍ଧ-କାହ୍ନୁ ଓ ଚାନ୍ଦ-ଭୈରବ ଏବଂ ବୀରାଙ୍ଗନା ଭଉଣୀ ଦ୍ୱୟ ଫୁଲ-ଝାନୋଙ୍କ ଗାଁ ଉରି-ମାରିକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୌଭାଗ୍ୟ ଲାଭ କରିଥିଲି। ତୀରଚାଳନାରେ ଏକଲବ୍ୟଙ୍କ ମହାନତା କଥା ପ୍ରତ୍ୟେକ ଦେଶବାସୀଙ୍କୁ ଜଣା। ସେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ରୂପେ ବିଖ୍ୟାତ। ଦେଶବାସୀଙ୍କ ପାଇଁ, ବିଶେଷତଃ ଜନଜାତୀୟ ସମାଜ ଲାଗି ଏକଲବ୍ୟ ହେଉଛନ୍ତି ପ୍ରେରଣାର ଉତ୍ସ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ପ୍ରତିଷ୍ଠା କରାଯାଇଥିବା ‘ଖେଳ ଉତ୍କୃଷ୍ଟତା କେନ୍ଦ୍ର’ ଆଧୁନିକ କ୍ରୀଡ଼ା ଉପକରଣ ଓ ପ୍ରଣାଳୀ ମାଧ୍ୟମରେ ପିଲାମାନଙ୍କର ସାମର୍ଥ୍ୟ ବୃଦ୍ଧି କରୁଅଛି। ଏହିପରି ଭାବରେ ବିଦ୍ୟାଳୟର ଖେଳ-ବ୍ୟବସ୍ଥା ସଙ୍ଗେ ସଙ୍ଗେ ଅନ୍ୟତ୍ର ଥିବା ଖେଳ-ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷିତ କରିବା କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଛି।
ମୋର ବ୍ୟକ୍ତିଗତ ପ୍ରଚେଷ୍ଟାରେ ମୋ ଗାଁର ବଞ୍ଚିତ ବର୍ଗର ପିଲାମାନଙ୍କ ନିମନ୍ତେ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହି ବିନମ୍ର ପ୍ରଚେଷ୍ଟା କ୍ରମରେ ବିଦ୍ୟାଳୟ ପରିସରରେ ତୀରଚାଳନା ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ସରକାରୀ ଉଦ୍ୟମ ସାଙ୍ଗକୁ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଛୋଟ ଛୋଟ ପ୍ରୟାସ ମଧ୍ୟ ଜନଜାତୀୟ ପିଲାମାନଙ୍କ ଭିତରେ ଥିବା କ୍ରୀଡ଼ା ପ୍ରତିଭାର ବିକାଶ ଦିଗରେ ସହାୟକ ହେବ।
ମୋ ଗାଁର ଜନଜାତୀୟ ସମାଜର ଅନ୍ୟମାନଙ୍କ ପରି ମୋ ଭିତରେ ମଧ୍ୟ ସନ୍ତରଣ ସାଙ୍ଗକୁ କ୍ରୀଡ଼ା ଓ ବ୍ୟାୟାମ ପ୍ରତି ବେଶ୍‌ ଆଗ୍ରହ ଥିଲା। ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ମୁଁ ପ୍ରାୟତଃ ପ୍ରଥମ ହେଉଥିଲି। ଥରେ ପ୍ରତିଯୋଗିତାରେ ମୋ ସାଙ୍ଗ କିପରି ପ୍ରଥମ ହେବ, ସେଥିପାଇଁ ମୁଁ ଜାଣିଜାଣି ପଛେଇ ଯାଇଥିଲି। ଖେଳକୁଦରେ ଟିମ୍‌-ସ୍ପିରିଟର ଉନ୍ମେଷ ଘଟିଥାଏ ଏବଂ ସାମାଜିକ ସମ୍ପର୍କ ସୁଦୃଢ଼ ହୋଇଥାଏ। ସାଧାରଣତଃ ଖେଳାଳିମାନଙ୍କ ମଧ୍ୟରେ ଖେଳପଡ଼ିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଏବଂ ଖେଳପଡ଼ିଆ ବାହାରେ ଗଭୀର ବନ୍ଧୁତା ଦେଖିବାକୁ ମିଳିଥାଏ।
ମୋ ଭାଇ ଜଣେ ବହୁତ ଭଲ ଫୁଟବଲ ଖେଳାଳି ଥିଲେ କିନ୍ତୁ ଗଭୀର ଆଘାତ ଯୋଗୁ ଆଉ ଖେଳିପାରିଲେ ନାହିଁ। ମୋ ପରିବାରର ଅନ୍ୟ କେତେଜଣ ମଧ୍ୟ ବିଭିନ୍ନ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି। ଏହି ବ୍ୟକ୍ତିଗତ ଆଲେଖ୍ୟରେ ମୁଁ କହିବାକୁ ଚାହେଁ ଯେ ଜନଜାତୀୟ ପରିବାରଗୁଡ଼ିକରେ କ୍ରୀଡ଼ାର ଏକ ଜୀବନ୍ତ ପରମ୍ପରା ବିଦ୍ୟମାନ। ସେମାନଙ୍କ ଭିତରେ କ୍ରୀଡ଼ାର ଅସରନ୍ତି ପ୍ରତିଭା ରହିଛି, ଉତ୍ସାହ ରହିଛି, ରୁଚି ରହିଛି ଏବଂ ଆଗକୁ ବଢ଼ିବାର ଆଗ୍ରହ ବି ରହିଛି। ସୁବିଧାସୁଯୋଗ ଓ ପ୍ରଶିକ୍ଷଣ ମାଧ୍ୟମରେ ଏପରି ପ୍ରତିଭାମାନଙ୍କର ଉପଯୁକ୍ତ ବିକାଶ କରାଯାଇପାରିଲେ କ୍ରୀଡ଼ା, ସେମାନଙ୍କ ପାଇଁ କେବଳ ମନୋରଞ୍ଜନ ଓ ସାମାଜିକ ମିଳାମିଶାର ମାଧ୍ୟମ ନ ହୋଇ ସେମାନଙ୍କର ଉନ୍ନତି ଓ ଆର୍ଥିକ ସ୍ବାବଲମ୍ବନ ତଥା ସାମାଜିକ ପ୍ରତିଷ୍ଠାର ମାଧ୍ୟମ ହୋଇପାରିବ। ଏ ପରିପ୍ରେକ୍ଷୀରେ ୨୦୧୮ ମସିହାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ରାଜ୍ୟ ସରକାର ଓ କ୍ରୀଡ଼ା ପ୍ରତିଷ୍ଠାନର ସହଭାଗିତାରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ‘ଖେଲୋ ଇଣ୍ଡିଆ’ ଅଭିଯାନ ଦେଶର କ୍ରୀଡ଼ା ବିକାଶ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିଛି।
କିଛିବର୍ଷ ତଳେ ଆମ ଦେଶରେ କ୍ରୀଡ଼ାର ଉତ୍ତମ ସୁବିଧାସୁଯୋଗ କେବଳ ମହାନଗରଗୁଡ଼ିକ ଭିତରେ ସୀମିତ ଥିଲା। ଅଥଚ ଅନେକ ପ୍ରତିଭାବାନ ଖେଳାଳି ଆମ ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ରହିଛନ୍ତି।
ଜନଜାତି ଅଧ୍ୟୁଷିତ ଅଞ୍ଚଳରେ କ୍ରୀଡ଼ା ଏକାଡେମୀ ଏବଂ ପ୍ରଶିକ୍ଷଣ ସୁବିଧାମାନ ପୂର୍ବେ ସୁଲଭ ନ ଥିଲା। ଅଧୁନା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କର ଖେଳକୁଦ ଉପରେ ସ୍ବତନ୍ତ୍ର ଧ୍ୟାନ ଦିଆଯିବାଠାରୁ ଆରମ୍ଭ କରି ‘ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ’ ପରି ପ୍ରୟାସ ବଳରେ ଜନଜାତୀୟ ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ମିଳୁଛି।
ମୋର ମନେଅଛି ଯେ ମୋର ଛାତ୍ରୀ ଜୀବନରେ ଗ୍ରାମ୍ୟ ସ୍ତରରେ ପାଞ୍ଚ-ସାତ ଖଣ୍ଡ ଗାଁର ଲୋକେ ମିଶି ଖେଳ ପ୍ରତିଯୋଗିତା ଆୟୋଜନ କରୁଥିଲେ। କେତେକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ଜନଜାତୀୟ ଅଞ୍ଚଳରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସିଛନ୍ତି। ତେବେ ଗ୍ରାମାଞ୍ଚଳର କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବା ଭଲ ଭଲ ଖେଳାଳିମାନେ ଗ୍ରାମ୍ୟ ସ୍ତରରୁ ଉପରକୁ ଉଠି ପାରୁ ନ ଥିଲେ। ବିଗତ କିଛି ବର୍ଷ ହେବ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ଅନେକ ପ୍ରଶଂସନୀୟ ଉଦ୍ୟମ କରାଯାଇଅଛି। ଏହି ଉଦ୍ୟମକୁ ଆଗକୁ ନେଇ ‘ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ ୨୦୨୬’ର ଆୟୋଜନ କରାଯାଇଛି। ଏହାଦ୍ୱାରା ତୃଣମୂଳ ସ୍ତରର ଜନଜାତୀୟ ଖେଳାଳିମାନଙ୍କୁ ପରିଚୟ ମିଳିପାରିଛି ଏବଂ ସେମାନଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ଓ ପ୍ରଶିକ୍ଷଣ ଉପଲବ୍ଧ କରାଯାଇଛି। ଏହି ରାଷ୍ଟ୍ରୀୟ କ୍ରୀଡ଼ାରେ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କ୍ରୀଡ଼ାବିତ୍‌ ମାନେ ନିଜନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।
ଆମ ଖେଳାଳିମାନଙ୍କର ସ୍ବାଭାବିକ ପ୍ରତିଭା ବଳରେ ଭାରତ ୧୯୨୮ ମସିହାରେ ଆୟୋଜିତ ଅଲିମ୍ପିକ୍ସ କ୍ରୀଡ଼ାରେ ହକିରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିଣିଥିଲା। ଭାରତର ସେହି ଐତିହାସିକ ବିଜୟରେ ଜନଜାତୀୟ ଖେଳାଳିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା I ସେବେଠାରୁ ଏ ପର୍ଯ୍ୟନ୍ତ ଦିଲୀପ ର୍ତିକୀ, ସୁବୋଧ ଲାକ୍ରା ଓ ସଲିମା ଟେଟେଙ୍କ ପରି ହକି-ତାରକା ଖେଳାଳିମାନେ ଭାରତର ପୁରୁଷ ଓ ମହିଳା ଟିମ୍‌କୁ ନିଜ ପ୍ରତିଭା ଦ୍ୱାରା ସମୃଦ୍ଧ କରିଆସିଛନ୍ତି।
ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଆସୁଥିବା ‘ଖେଲୋ ଇଣ୍ଡିଆ’ ନାମକ ରାଷ୍ଟ୍ରୀୟ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସବୁ ଭୌଗୋଳିକ କ୍ଷେତ୍ର, ସାମାଜିକ ବର୍ଗ ଓ ଅନୁଷ୍ଠାନଗୁଡ଼ିକ ନିମନ୍ତେ ଏକ ସମୁଚିତ କ୍ରୀଡ଼ା ଇକୋ-ସିଷ୍ଟମ ଉପଲବ୍ଧ କରାଯିବା ନେଇ ସମାବେଶୀ ପ୍ରୟାସ କରାଯାଉଅଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାରେ ଝିଅମାନଙ୍କର ଅଂଶ୍ରଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାରି ରହିଥିବା ‘ଅସ୍ମିତା’ ଯୋଜନା ବଳରେ ଜନଜାତୀୟ ଝିଅମାନଙ୍କର କ୍ଷମତା ମଧ୍ୟ ବିକଶିତ ହେଉଛି। ‘ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ ୨୦୨୬’ ମାଧ୍ୟମରେ ଆରମ୍ଭ କରାଯାଇଥିବା ପ୍ରୟାସଗୁଡ଼ିକ ସୁଦୃଢ଼ କରି ଜନଜାତୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେଲେ ଖେଳାଳିମାନଙ୍କର ଏପରି ଗୋଷ୍ଠୀ ଗଢ଼ାଯାଇପାରିବ, ଯାହାଦ୍ୱାରା ବିଶ୍ୱ ଦରବାରରେ ଭାରତ କ୍ରୀଡ଼ା-ମହାଶକ୍ତି ରୂପେ ପ୍ରତିଷ୍ଠିତ ହୋଇପାରିବ।
କିଛି ମାସ ତଳେ ଆୟୋଜିତ ବସ୍ତର ଓ ସରଗୁଜା ଅଲିମ୍ପିକ୍‌ରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏପରି କେତେକ ଖେଳାଳି ଥିଲେ ଯେଉଁମାନେ ନକ୍ସଲବାଦର ପଥ ପରିତ୍ୟାଗ କରି କ୍ରୀଡ଼ାର ସତ୍‌ପଥରେ ଅଗ୍ରସର ହୋଇଛନ୍ତି। ଖେଳକୁଦ ଯୁବଶକ୍ତିକୁ ସକାରାତ୍ମକ ଅଭିବ୍ୟକ୍ତି ପ୍ରଦାନ କରିଥାଏ। ଯୁବାଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟାର ସୁପରିଣାମ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାଗୁଡ଼ିକରେ ପରିଦୃଷ୍ଟ ହେବା ଆରମ୍ଭ ହୋଇଛି।
ଜନଜାତୀୟ ଯୁବତୀଯୁବକଙ୍କ ସମେତ ଆମ ଯୁବବର୍ଗଙ୍କ କ୍ରୀଡ଼ା ପ୍ରତିଭା ଆମର ଅମୂଲ୍ୟ ରାଷ୍ଟ୍ରୀୟ ପୁଞ୍ଜି। ମୋର ବିଶାସ, ଏହି ଅମୂଲ୍ୟ ସମ୍ବଳର ସଦୁପଯୋଗ କରି ଆମ ଦେଶ କ୍ରୀଡ଼ା ଉକୃଷ୍ଟତାର ଅନେକ ଗୌରବଶାଳୀ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବ। ଏହି ବିଶ୍ୱାସ ସହିତ ମୋର ବାର୍ତ୍ତା ଏହି ଯେ, ଖେଲୋ ଇଣ୍ଡିଆ! ଖୁବ୍‌ ଖେଲୋ ଇଣ୍ଡିଆ!

ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
ଭାରତର ରାଷ୍ଟ୍ରପତି

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri