ଗବେଷଣା ଦିଏ ନୂଆ ଧାରଣା

କାଠ, କାଗଜ, ଚିନି, ମାଟି, ପାଣି – ବିଜ୍ଞାନ ଆଖିରେ ଏସବୁ ବସ୍ତୁ। ପ୍ରତ୍ୟେକ ବସ୍ତୁ କ୍ଷୁଦ୍ର କ୍ଷୁଦ୍ର କଣିକାକୁ ନେଇ ତିଆରି ହୋଇଥାଏ। ସେହି କଣିକାକୁ ‘ଅଣୁ’ (ମୋଲିକ୍ୟୁଲ୍‌) କୁହାଯାଏ। ଅଣୁରେ ସେହି ବସ୍ତୁର ଧର୍ମ ରହିଥାଏ। ଏହାର ଅର୍ଥ, ଅଣୁକୁ ପରୀକ୍ଷା କରି କହିପାରିବା ଯେ, ତାହା କେଉଁ ବସ୍ତୁରୁ ଆସିଛି। ବସ୍ତୁର ଶେଷ କଣିକା ହେଉଛି ଅଣୁ ଓ ତାକୁ ଆଉ ଭାଙ୍ଗି ହେବ ନାହିଁ, ଏହି କଥାକୁ ଦିନେ ସତ ବୋଲି କୁହାଯାଉଥିଲା। କିନ୍ତୁ, ବର୍ଷ ବର୍ଷ ଧରି ରହିଆସିଥିବା ଏହି ଧାରଣାକୁ ବୈଜ୍ଞାନିକ ଗବେଷଣା ଭୁଲ ପ୍ରମାଣିତ କଲା। ଗବେଷଣାରୁ ଜଣାପଡ଼ିଲା ଯେ, ବସ୍ତୁର ଶେଷ କଣିକା ଅଣୁ ନୁହେଁ। ଅଣୁକୁ ମଧ୍ୟ ଭାଙ୍ଗି ହେବ। ଅଣୁକୁ ଭାଙ୍ଗି ଦେଲେ ସେଥିରୁ ମଧ୍ୟ ଆହୁରି କ୍ଷୁଦ୍ର କ୍ଷୁଦ୍ର କଣିକାମାନ ମିଳିପାରିବ।
ଅଣୁକୁ ଭାଙ୍ଗିଲେ ଯେଉଁ କ୍ଷୁଦ୍ରାତିକ୍ଷୁଦ୍ର କଣିକାଗୁଡ଼ିକ ମିଳେ, ସେଗୁଡ଼ିକୁ କୁହାଯାଏ ‘ପରମାଣୁ’ (ଆଟମ୍‌)। ଅଣୁରେ ସିନା ବସ୍ତୁର ଧର୍ମ ରହିଥାଏ, କିନ୍ତୁ ପରମାଣୁରେ ବସ୍ତୁର ଧର୍ମ ନ ଥାଏ। ପାଣିର ଉଦାହରଣ ନେବା। ଜଳ ଅଣୁକୁ ଖାଲି ଆଖିରେ ଦେଖି ହେବ ନାହିଁ। ଲକ୍ଷ ଲକ୍ଷ କୋଟି କୋଟି କ୍ଷୁଦ୍ର କ୍ଷୁଦ୍ର ଜଳ ଅଣୁ ମିଶିଲେ ଯାଇ ଆମେ ଟୋପାଏ ପାଣି ଦେଖିବା। ଜଳର ଗୋଟିଏ ଅଣୁକୁ ଭାଙ୍ଗିଲେ ସେଥିରୁ ଆମକୁ ଆହୁରି ଛୋଟ ଛୋଟ ୩ଟା କଣିକା ବା ପରମାଣୁ ମିଳିବ। ଗୋଟିଏ ଅମ୍ଳଜାନ ପରମାଣୁ ଓ ଦୁଇଟି ଉଦ୍‌ଜାନ ପରମାଣୁ। ଜଳ ଏକ ତରଳ ପଦାର୍ଥ। ଜଳ ଅଣୁକୁ ତିଆରି କରିଥିବା ଉଦ୍‌ଜାନ ଓ ଅମ୍ଳଜାନ ପରମାଣୁ ଉଭୟ ଗ୍ୟାସୀୟ ଉପାଦାନ। ଉଦ୍‌ଜାନ ବାଷ୍ପ ନିଜେ ଜଳିପାରେ ଓ ଅମ୍ଳଜାନ ବାଷ୍ପ ଜଳିବାରେ ସାହାଯ୍ୟ କରେ। ହେଲେ ଏମାନଙ୍କୁ ନେଇ ଗଠିତ ଜଳର ଗୁଣ ତ ପୂରା ଓଲଟା। ଜଳ ନିଜେ ଜଳିପାରେ ନାହିଁ କି ଜଳିବାରେ ସାହାଯ୍ୟ କରେ ନାହିଁ। ବରଂ ଜଳୁଥିବା ନିଆଁ ଉପରେ ଆମେ ପାଣି ଢାଳିଲେ ନିଆଁ ଲିଭିଯାଏ। ସେ ଯାହା ହେଉ, ଅଣୁକୁ ଭାଙ୍ଗି ପାରିବା କଥାଟା ବିଜ୍ଞାନ ଦ୍ୱାରା ଜଣାପଡ଼ିଥିଲା।
ପରମାଣୁ ଯେ ଶେଷ କଣିକା – ଏହି ଧାରଣା ବି ଦିନେ ଭୁଲ୍‌ ପ୍ରମାଣିତ ହେଲା। ବିଜ୍ଞାନ ପ୍ରମାଣ କରିଦେଲା – ପ୍ରତ୍ୟେକ ପରମାଣୁକୁ ମଧ୍ୟ ଆମେ ଭାଙ୍ଗିପାରିବା। ଅର୍ଥାତ୍‌, କ୍ଷୁଦ୍ର ପରମାଣୁଠାରୁ ଆହୁରି କ୍ଷୁଦ୍ରତର କଣିକାକୁ ନେଇ ପରମାଣୁ ତିଆରି ହୁଏ। ପରମାଣୁ ଭିତରେ ଅତିଶୟ ଛୋଟ ଆୟତନ ମଧ୍ୟରେ ଅତି ଓଜନିଆ ଟାଣୁଆ ଅଂଶଟିଏ ଥାଏ। ଏହାକୁ ‘ନିଉକ୍ଲିଅସ୍‌’ ବା ‘ନାଭି’ ବୋଲି କୁହାଯାଏ। ଏହି ‘ନିଉକ୍ଲିଅସ୍‌’ ଚାରିପଟେ ‘ଇଲେକ୍ଟ୍ରନ୍‌’ ନାମକ ଅତି ହାଲୁକା କଣିକାଗୁଡ଼ିକ ବୁଲୁଥାଆନ୍ତି। ପରମାଣୁର ପ୍ରାୟତଃ ସମସ୍ତ ବସ୍ତୁତ୍ୱ ‘ନିଉକ୍ଲିଅସ୍‌’ ଭିତରେ ହିଁ ରହିଥାଏ। ଅର୍ଥାତ୍‌ ପରମାଣୁର ଓଜନ ଯାହା, ‘ନିଉକ୍ଲିଅସ୍‌’ର ଓଜନ ଟିକିଏ ମାତ୍ର କମ୍‌, ନ ହେଲେ ପାଖାପାଖି ସେୟା। ଏବେ ଯାହା ବୁଝାପଡ଼ିଲା, ପରମାଣୁ ଭିତରେ ଦୁଇ ପ୍ରକାର କଣିକା ଅଛି – ନିଉକ୍ଲିଅସ୍‌ ଓ ଇଲେକ୍ଟ୍ରନ୍‌ ଏବଂ ସେଗୁଡ଼ିକ ଶେଷ କଣିକା। ନା, ଆମର ଧାରଣା ଭୁଲ। କାରଣ ନିଉକ୍ଲିଅସ୍‌କୁ ଭାଙ୍ଗିଲେ ସେଥିରୁ ‘ପ୍ରୋଟନ୍‌’ ଓ ‘ନିଉଟ୍ରନ୍‌’ ନାମରେ ଆହୁରି ଛୋଟ ଛୋଟ କଣିକା ପାଇବା। ତେଣୁ ଗବେଷଣା ଆମର ଧାରଣାକୁ ବଦଳେଇ ଚାଲିଛି।
ସେତିକିରେ କଥା ସରିନାହିଁ। ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟାୟରେ ବୈଜ୍ଞାନିକମାନେ ବିଶ୍ୱାସ କରି ଆସୁଥିଲେ ଯେ ପ୍ରୋଟନ୍‌, ନିଉଟ୍ରନ୍‌ ଓ ଇଲେକ୍ଟ୍ରନ୍‌ ହେଉଛନ୍ତି ମୂଳକଣିକା। ସେଗୁଡ଼ାକୁ ଆଉ ଭଙ୍ଗାଭଙ୍ଗି କରି ହେବ ନାହିଁ। ସେଗୁଡ଼ାକ ଭିତରେ ଆହୁରି ଛୋଟ ଛୋଟ କୌଣସି କଣିକା ନାହିଁ। ତେଣୁ ବିଶ୍ୱବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ସେହି ପ୍ରୋଟନ୍‌, ନିଉଟ୍ରନ୍‌ ଓ ଇଲେକ୍ଟ୍ରନ୍‌ ନାମକ ତିନିଗୋଟି ମୂଳ କଣିକାକୁ ନେଇ ତିଆରି। କିନ୍ତୁ ୧୯୫୦ ଦଶକରେ ଏତେ ବର୍ଷର ସତକଥା ମିଛ ପ୍ରମାଣିତ ହେଲା। ସେତେବେଳେ କେତେକ ନୂଆ ନୂଆ କଣିକାଗୁଡ଼ିକ ବିଷୟରେ ଜଣାପଡ଼ିଲା, ଯାହାକୁ ସରଳ ତଥ୍ୟ ସହାୟତାରେ ବୁଝିବା ସମ୍ଭବ ହେଲାନାହିଁ। ୧୯୬୪ ମସିହାରେ ଜଣାପଡ଼ିଲା ଯେ ପ୍ରୋଟନ୍‌ ଓ ନିଉଟ୍ରନ୍‌ ବସ୍ତୁର ଚରମ-କଣିକା ବା ମୂଳ-କଣିକା ନୁହନ୍ତି, ବରଂ ସେଗୁଡ଼ିକ ଆହୁରି କ୍ଷୁଦ୍ରାତିକ୍ଷୁଦ୍ର କଣିକାରେ ଗଠିତ। ବୈଜ୍ଞାନିକ ଗେଲ୍‌-ମାନ୍‌ ସେହି କଣିକାକୁ ‘କ୍ୱାର୍କ’ ବୋଲି ନାମକରଣ କରିଥିଲେ।
‘କ୍ୱାର୍କ’ ଛଅ ପ୍ରକାରର-ଯଥା: ଅପ୍‌, ଡାଉନ୍‌, ଚାର୍ମ, ଷ୍ଟ୍ରେ୍‌, ବଟମ୍‌ ଓ ଟପ୍‌ କ୍ୱାର୍କ। ୧୯୯୫ ମସିହାରେ ଛଅ ନମ୍ବର ଟପ୍‌ କ୍ୱାର୍କ ବିଷୟରେ ଠିକ୍‌ ଜଣାପଡ଼ିଥିଲା। ଛଅଗୋଟି କ୍ୱାର୍କ ମଧ୍ୟରୁ ଅପ୍‌ କ୍ୱାର୍କ ଓ ଡାଉନ୍‌ କ୍ୱାର୍କ ଦୁଇଟି ପ୍ରଥମ ପିଢ଼ିର କ୍ୱାର୍କ। ସେହିପରି ଷ୍ଟ୍ରେ ଓ ଚାର୍ମ ଦ୍ୱିତୀୟ ପିଢ଼ିର। ବାକି ଟପ୍‌ ଓ ବଟମ୍‌ କ୍ୱାର୍କ ଦୁଇଟି ତୃତୀୟ ପିଢ଼ିର। ପ୍ରତ୍ୟେକ କ୍ୱାର୍କର ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଓ ଚାର୍ଜ ରହିଛି। ସେମାନଙ୍କ ମଧ୍ୟରେ ଅପ୍‌ ଓ ଡାଉନ୍‌ କ୍ୱାର୍କ ଦୁଇଟି ସବୁଠାରୁ ହାଲୁକା। ପ୍ରୋଟନ୍‌ କଣିକା ଦୁଇଟା ଅପ୍‌ ଓ ଗୋଟିଏ ଡାଉନ୍‌ କ୍ୱାର୍କକୁ ନେଇ ଗଠିତ। ସେହିପରି ଗୋଟିଏ ଅପ୍‌ ଓ ଦୁଇଟି ଡାଉନ୍‌ କ୍ୱାର୍କକୁ ନେଇ ନିଉଟ୍ରନ୍‌ ଗଠିତ। ସେଥିପାଇଁ କୁହାଗଲା ଯେ ପ୍ରୋଟନ୍‌ ଓ ନିଉଟ୍ରନ୍‌ ବସ୍ତୁର ଚରମ-କଣିକା ନୁହନ୍ତି। କ୍ୱାର୍କଗୁଡ଼ିକୁ ପରସ୍ପର ସହିତ ବାନ୍ଧି ହୋଇ ରହିବା କାମରେ ‘ଶକ୍ତବଳ’ (ଷ୍ଟ୍ରଙ୍ଗ୍‌ ଫୋର୍ସ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଶକ୍ତବଳ ଏକ ଅଦ୍ଭୁତ ଧରଣର ବଳ। କ୍ୱାର୍କ ଦୁଇଟା ମଧ୍ୟରେ ଦୂରତା ବଢ଼ିଲେ ଏହି ବଳ ଅତି ମାତ୍ରାରେ ବୃଦ୍ଧିପାଏ। କିନ୍ତୁ କ୍ୱାର୍କ ଦୁଇଟା ନିକଟତର ହେଲେ ସେହି ବଳ ହ୍ରାସପାଏ। କ୍ୱାର୍କ ଓ ଶକ୍ତବଳ ଉପରେ ବିଶେଷ ଗବେଷଣା ସକାଶେ ୨୦୦୪ ମସିହାରେ ନୋବେଲ୍‌ ପୁରସ୍କାର ଦିଆଯାଇଥିଲା। ଆଜି ଆମେ କହିପାରିବା, ‘କ୍ୱାର୍କ’ ହେଉଛି ପଦାର୍ଥର ଏପର୍ଯ୍ୟନ୍ତ ଜଣାପଡ଼ିଥିବା ସର୍ବଶେଷ କଣିକା। କିନ୍ତୁ କାଲିକୁ ଭରସା ନାହିଁ। କାରଣ ବୈଜ୍ଞାନିକ ଗବେଷଣା ଜାରିରହିଛି। ଆଜିର ଧାରଣା କାଲିକୁ ବଦଳି ଯିବ ନା ବଦଳିବ ନାହିଁ, ସେକଥା ସମୟ କହିବ।

ଡ. କମଳାକାନ୍ତ ଜେନା
-ଓଡ଼ିଶା ଶିକ୍ଷା ସେବା-ଏ,
ସହକାରୀ ପ୍ରଫେସର (ଫିଜିକ୍‌ସ୍‌), ଭଦ୍ରକ ସ୍ବୟଂଶାସିତ(ସରକାରୀ) କଲେଜ
ମୋ: ୯୪୩୯୫୦୧୬୫୧


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri