ଇସି ପ୍ରତ୍ୟାହାର ନେଇ କୁନ୍ଥକୁନ୍ଥ

ଯାଜପୁର ଅଫିସ,୧୮।୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନରେ ରହିଥିବା ମୂଲ୍ୟବାନ କଳାପଥର ବା ଗ୍ରାନାଇଟ ଏବେ ପ୍ରାୟ ସରିବାକୁ ଯାଉଛି। ଛୋଟବଡ଼ କରି ପ୍ରାୟ ୨୦୦ ଖାଦାନ ମଧ୍ୟରୁ ଏବେ ୮୫ଟି ଖାଦାନ ସରକାରୀ ଭାବେ ରହିଛି। ସେଥିରୁ ଏଯାଏ ୩୭ଟି ଖାଦାନ ଲିଜ ସୂତ୍ରରେ ରହିଥିବାବେଳେ ସାଟେଲାଇଟ୍‌ ମାପଚୁପ ଅନୁଯାୟୀ ସମ୍ପୃକ୍ତ ଲିଜଧାରୀମାନଙ୍କୁ କାରଣଦର୍ଶାଅ ନୋଟିସ ଏବଂ ଜରିମାନା ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ହେଲେ ଲଘୁ ଖଣିଜ ଦ୍ରବ୍ୟ ସଂଶୋଧନ ଆଇନର ଉଲ୍ଲଂଘନ ଅନୁଯାୟୀ ପରିବେଶଗତ ଅନୁମତି(ଇସି) ପ୍ରତ୍ୟାହାର ନ କରି କେବଳ କାରଣଦର୍ଶାଅ ନୋଟିସ ଓ ଜରିମାନାରେ ପଦକ୍ଷେପ ସୀମିିତ ରହିଛି। ଆରୁହା ପାହାଡ଼ରେ ଲିଜଧାରୀ ମନୋଜ ସାମଲ ଦିନକୁ ପ୍ରାୟ ୭ ହଜାର ଫୁଟ ଗଭୀର ଖୋଲି ବ୍ଲାଷ୍ଟିଂ ଜରିଆରେ ପ୍ରାୟ ୧୦ ହଜାର ଟନ୍‌ କଳାପଥର ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି। ପ୍ରଶାସନିକ କଳରେ ଅବହେଳା ଏବଂ ଲିଜଧାରୀଙ୍କୁ ପରୋକ୍ଷରେ ସୁଯୋଗ ଏଭଳି ହେରଫେରକୁ ସୁଯୋଗ ମିଳୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଅନୁମୋଦନ ପରିମାଣଠାରୁ ବହୁ ଗୁଣରେ ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସାଧାରଣ କଥା ହୋଇଛି। ଏହାକୁ ଦୀର୍ଘ ବର୍ଷ ହେବ ରାଜସ୍ବ ବିଭାଗ ଏବଂ ତହସିଲ ପ୍ରଶାସନ ମଧ୍ୟ ସହଯୋଗ କରି ଆସୁଛି। ଏନେଇ ଅତୀତରେ ୧୦ ଜଣ ଲେଖାଏ ଉପଜିଲାପାଳ ଏବଂ ତହସିଲଦାରଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସୁପାରିସ କରାଯାଇଥିଲା। ଏହାବାଦ ଏନ୍‌ଜିଟି ପକ୍ଷରୁ ୨୫ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ମଧ୍ୟ ହୋଇଥିଲା। କିନ୍ତୁ ସେଗୁଡ଼ିକୁ କଳେବଳେ କୌଶଳେ ଚପାଇ ଦିଆଯାଇଛି। ନିକଟରେ ସାଟେଲାଇଟ୍‌ ମାପଚୁପ କରି ଲିଜଧାରୀ ରଞ୍ଜନ ଜେନା, ସରୋଜ ସାହୁ, ଚନ୍ଦ୍ରମଣି ପରିଡ଼ା ଓ ସାବିତ୍ରୀ ପରିଡ଼ାଙ୍କ ନାମରେ ୧୦୫ କୋଟି ଟଙ୍କା ଆଦାୟ ନୋଟିସ ହୋଇଥିଲା। ଏହି ନୋଟିସକୁ ପ୍ରାୟ ୫ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଟଙ୍କାଟିଏ ବି ଆଦାୟ ହୋଇ ପାରିନାହିଁ। ସେହିପରି ତ୍ରିନାଥ ଜେନାଙ୍କ ନାମରେ ପ୍ରାୟ ୧୦ କୋଟି ଟଙ୍କା ଏବଂ ପ୍ରହ୍ଲାଦ ଲେଙ୍କାଙ୍କ ନାମରେ ୧୫ କୋଟି ଟଙ୍କା ଆଦାୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ତାହା ବି ନୋଟିସରେ ସୀମିତ ରହିଛି। ଅନ୍ୟପକ୍ଷେ ଡଙ୍କାରୀରେ ୮ ଏକର, ଲୁଣିବର ୧୨.୫୦ ଏକର ଏବଂ ବାଜବାଟି ପାହାଡ଼ରେ ୭ ଏକର ଜମିରେ ମାପଚୁପ ସମ୍ପନ୍ନ କରାଯାଇ ସଂସ୍ଥା ପକ୍ଷରୁ ଜିଲା ଓ ତହସିଲ ପ୍ରଶାସନ ନିକଟରେ ରିପୋର୍ଟ ଦାଖଲ ହୋଇଥିବା ସୂଚନା ମିଳିଛି। ଏହି ପ୍ରକ୍ରିୟାରେ ୧୫ ଦିନ ପୂର୍ବରୁ ଡଙ୍କାରୀ ପାହାଡ଼ର ଲିଜଧାରୀ ଜ୍ୟୋତ୍ସ୍ନା ଜେନା, ବରଡାର ଅଜିତ ସାହୁ ଓ ପ୍ରହ୍ଲାଦ ଲେଙ୍କା, ଲୁଣିବର ପାହାଡ଼ରୁ ଗଙ୍ଗାଧର ଓଝା ଓ ରଙ୍ଗାଧର ପ୍ରଧାନ, ଅଞ୍ଜିରାରୁ କୃଷ୍ଣଚନ୍ଦ୍ର ସାହୁ, ବାଜବାଟିରୁ ବିଶ୍ୱରଞ୍ଜନ ପରିଡ଼ା, ସୁଧାଂଶୁ ଜେନା ଓ ଶ୍ରୀନିବାସ ଜେନା ଏବଂ ଆରୁହା ପାହାଡ଼ରୁ ମନୋଜ ଜେନାଙ୍କ ନାମ ସାମିଲ ରହିଛି। ଏହି ୫ ପାହାଡ଼ର ୧୦ଟି ଖାଦାନରୁ ପ୍ରାୟ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ହୋଇଛି। ତେବେ ଲିଜଧାରୀମାନଙ୍କୁ ପୋଷ୍ଟ ଯୋଗେ ଏହି ନିର୍ଦ୍ଦେଶ ପ୍ରେରଣ କରିଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ପ୍ରଶାସନ ପକ୍ଷରୁ ପୂର୍ବରୁ ଯେତେ ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି ସେମାନଙ୍କ ବିରୋଧରେ ଏଯାଏ ଅନ୍ୟ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନୁମୋଦନଠାରୁ ଅଧିକ ଉତ୍ତୋଳନ ପାଇଁ ପ୍ରବଳ ବ୍ଲାଷ୍ଟିଂ କରାଯାଉଛି। ଏଥିରେ ପରିବେଶ ଅତ୍ୟଧିକ ପ୍ରଦୂଷିତ ହେଉଛି। ତେଣୁ ଆଇନ ଅନୁଯାୟୀ ସେହି ଲିଜ୍‌ଧାରୀମାନଙ୍କ ବିରୋଧରେ ଫୌଜଦାରି ମାମଲା ସହ ପରିବେଶଗତ ଅନୁମତି ପ୍ରତ୍ୟାହାର କରି ଖାଦାନକୁ ବନ୍ଦ କରିବା କଥା। କିନ୍ତୁ ଏଥିରେ ଜିଲା ପ୍ରଶାସନ ନୀରବି ଯାଇ କେବଳ ଜରିମାନା ପାଇଁ ଡିମାଣ୍ଡ ନୋଟିସ ଦେଇ ନିଜର ବାହାବା ମାରୁଥିବା ଚର୍ଚ୍ଚା ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି, ଏହି ସପ୍ତାହ ମଧ୍ୟରେ ଜରିମାନା ପାଇଁ ଡିମାଣ୍ଡ ନୋଟିସ ଜାରି ହେବାର ଥିଲା। ତେବେ ଧର୍ମଶାଳା ତହସିଲଦାରଙ୍କୁ ବୁଝି ମଙ୍ଗଳବାର ତଥ୍ୟ ଦେଇ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ୍‌ ଗ୍ରହଣ କରି ନ ଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri